ଭୁବନେଶ୍ଵର : ଓଡ଼ିଆ ଭାଷା ଭାରତର ଅନ୍ୟତମ ପୁରାତନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ର ପ୍ରାଚୀନ ଅଭିଲେଖ, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି । ଏହାର ବିକାଶ ଦାୟିତ୍ଵ ଆମର । ୟୁନିଟ ୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ‘ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୫’ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି । ଏ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚରୁ ଛଅ ହଜାର ପୁସ୍ତକ ସଂଗ୍ରହ କରି ପୁସ୍ତକାଗାରରେ ରଖିଛନ୍ତି ଏବଂ ସମୟ ପାଇଲେ ପଢୁଛନ୍ତି । ମାତ୍ର ଆଜିଠାରୁ ସେ ପୁସ୍ତକକୁ ଉପହାର ସ୍ୱରୂପ ସମସ୍ତଙ୍କୁ ପ୍ରଦାନ କରିବେ । ଅନ୍ୟମାନେ ମଧ୍ୟ ପୁସ୍ତକ କିଣି ଏହାକୁ ଉପହାର ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଆମେ ପୁସ୍ତକକୁ ଭଗବାନ ସଦୃଶ ବିବେଚନା କରି ପୂଜା କରିଥାଉ । ପୁସ୍ତକ ଆମ ଚେତନାକୁ ସବୁବେଳେ ପ୍ରଭାବିତ କରିଛି । ସେ ପିଲାମାନଙ୍କୁ ମୋବାଇଲ ବ୍ୟବହାର କମ କରି ପୁସ୍ତକ ପଠନ କରିବା ପାଇଁ ଉତ୍ସାହିତ କରିଥିଲେ । ବିଧାୟକ ବାବୁ ସିଂ କହିଥିଲେ, ପୂର୍ବରୁ ଏହାକୁ ପୁସ୍ତକ ମେଳା କୁହାଯାଉଥିଲା । ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏହା ଏକ ମହୋତ୍ସବରେ ପରିଣତ ହୋଇଛି । ଯୁବଶକ୍ତିଙ୍କୁ ପୁସ୍ତକ ସହ ଯୋଡ଼ି ରଖିବା ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ସାରସ୍ଵତ ସାଧିକା ଔପନସିକା ପ୍ରତିଭା ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ମାନବ ଜାତିର ଇତିହାସରେ ଦୁଇଟି ବିସ୍ମୟକର ଘଟଣା ହେଉଛି ‘ଅଗ୍ନି’ ଏବଂ ‘ଭାଷା’ । ‘ଭାଷା’ ମଣିଷ ଦ୍ଵାରା ଉଦ୍ଭାବିତ । ମଣିଷ ନିଜର ବିବେକ, ଚେତନା ଓ ଜ୍ଞାନ ଦ୍ଵାରା ଏହାକୁ ଉଦ୍ଭାବନ କରିଛି । ଆମ ସଂସ୍କୃତି ହେଉଛି ପୋଥିଗତ, ଜ୍ଞାନଗତ ଓ ବିବେକଗତ । ପୋଥି ହେଉଛି ଆମର ସବୁଠୁ ବଡ଼ ବନ୍ଧୁ । ଯୁବବର୍ଗଙ୍କୁ ଆଗାମୀ ଭାଲେଣ୍ଟାଇନ ଡ଼େ’କୁ ବୁକ୍ ଡ଼େ’ ଭାବେ ପାଳନ କରିବା ପାଇଁ ସେ ଏହି ଅବସରରେ ଆହ୍ଵାନ ଦେଇଥିଲେ ।
କାର୍ଯ୍ୟକ୍ରମରେ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ‘ଅପରେସନ ସିନ୍ଦୁର’, ପଞ୍ଚାନନ ନାୟକଙ୍କ ‘ଦେ’, ବଦ୍ରି ମହାପାତ୍ରଙ୍କ ‘ମୂର୍ଚ୍ଛିତ ମୋକ୍ଷ’, ବିମଳ ସିଂଙ୍କ ‘ଝରା ଶ୍ରବଣ, ଦାଶ ବେନେହୁରଙ୍କ ‘ଓଡ଼ିଆ ଶିଶୁ ସାହିତ୍ୟ କିଛି ପର୍ଯ୍ୟାଲୋଚନା’ ସମେତ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ ବିଭିନ୍ନ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟକେତନ ଉପାଧ୍ୟାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
