ଦୀପଙ୍କର ଦାସ
ନୂଆ ନୂଆ ଗଣି ଶିଖିଥିବା ଗୋଟେ ପିଲା
ଆଙ୍ଗୁଳିଠୁ ଦାନ୍ତ ଗଣିବାରେ ତାର ବେଶୀ ରୁଚିଥିଲା ।
ପାଣିକୁ କହିଲା ତୋ ଆଖି କେତେ ଛଳଛଳ, ତୋର କଣ ଦାନ୍ତ ନାହିଁ ?
ମୋତେ ଚାହିଁ ଥରେ ହସ୍ ..
କ୍ଷଣିକରେ ଖାଇଦେଲା ଗୋଟେ ପଥର, ଗୋଟେ ଗାଆଁ, ଗୋରୁଗାଈ
ଆଉ ଏକର ଏକର ଧାନ କ୍ଷେତ ।
ନିଆଁକୁ କହିଲା ସବୁବେଳେ ରାଗିବାଟା ଜମ୍ମା ଭଲ ନୁହଁ
ଅନା ମୋତେ, ଟିକେ ହସ୍ ..
ଥରକରେ ଜାଳିଦେଲା ଗୋଟେ ବସ୍ତି, ଗୋଟେ ଜଙ୍ଗଲ, ଗୋଟେ ସ୍ଵପ୍ନ ।
ପବନକୁ କହିଲା ଲୁଚକାଳି ଖେଳରେ ତୁ ହିଁ ଜିତୁ
ହସିଦେଲା ପବନ
ଘର ପଛରେ ମଡ୍ ମଡ୍ କରି ଭାଙ୍ଗିଗଲା ଗୋଟେ ପୁରୁଣା ତେନ୍ତୁଳି ଗଛ ।
ଫୁଲକୁ କହିଲା ତୋର ଏଇ ବାହାଡ଼ାଦାନ୍ତ ପାଇଁ ପାଗଳ କେତେ ଦୁଷ୍ଟ ଭ୍ରମର
ଫୁଲ କହିଲା ପାଗଳ ଝିଅର କଣ ଦାନ୍ତଥାଏ ! ଖାଲି ବସ୍ନାୟିତ ଗୋଟେ ଦେହ ।
ଶରୀରର ଦାଗ କଥା ଜମା ପଚରନା !
ପୃଥିବୀକୁ ପଚାରିଲା, ସତରେ ଝିଅମାନଙ୍କର ଦାନ୍ତ ନଥାଏ ?
ପୃଥିବୀ ହସିଲା ଏଥର
କହିଲା ଦେଖ୍, ଦାନ୍ତ ମୂଳର ରକ୍ତ
କେହିଜଣେ କୋରିକୋରି ଖାଉଛି ନାରୀର ଅନ୍ତର ଆତ୍ମାକୁ
ଖାଲି ଦାନ୍ତ ଥିଲେ କଣ ହସି ହୁଏ ?
ଝିଅଙ୍କର ଦାନ୍ତ ହସିବାର ବାହାନା ମାତ୍ର !
ବାଲେଶ୍ଵର
ଲେଖକ ପରିଚୟ
ବି.ଏଡ୍ ଦ୍ୱିତୀୟ ବର୍ଷରେ ଅଧ୍ୟୟନରତ । ପଢ଼ୁପଢ଼ୁ ଲେଖିବା ଆରମ୍ଭ କରିଛି । ଜୀବନରୁ ଯାହା କିଛି ଶିଖେ ଲେଖିବାକୁ ଚେଷ୍ଟା କରେ ।
ବହୁତ ସୁନ୍ଦର କବିତା