ଅରୁଣ କୁମାର ତ୍ରିପାଠୀ
ହୋଲି ଓ ଦୋଳ ପୂର୍ଣ୍ଣିମା ବାସିଦିନର କଥା । ଉକ୍ତ ଉତ୍ସବ ଉପଲକ୍ଷେ ପ୍ରାୟତଃ ସବୁ ଖବରକାଗଜ ମାର୍ଚ୍ଚ ୮ ଓ ୯ ତାରିଖ ବନ୍ଦ ରହିଥିଲା । ଯଦିଓ ମୋ ଭଳି ଅନିସନ୍ଧିତ୍ସୁମାନଙ୍କୁ ସକାଳୁ ଖୁସି ହେବାର କାରଣ ସବୁ ଫିକା ପଡ଼ିଯାଉଥିଲା; କିନ୍ତୁ ସାମ୍ବାଦିକ ଓ ତାଙ୍କ ପରିବାର ଏହି ସମୟରେ ଟିକିଏ ଶାନ୍ତିରେ ରହିପାରିଥିଲେ । ସମସ୍ତ କ୍ଷେତ୍ରରେ ନିୟମିତ ଛୁଟି ହେଉଥିବା ସ୍ଥଳେ ଆରକ୍ଷୀ, ଚିକିତ୍ସକ ତଥା ସାମ୍ବାଦିକଗଣ ପ୍ରାୟତଃ ଛୁଟି ପାଆନ୍ତି ନାହିଁ । ଦଶହରା ସମୟରେ ମୁଦ୍ରଣ କଳ ପୂଜା ହେବା ସକାସେ ଦୁଇ ଦିନ, ଶ୍ରମିକ ଦିବସ, ଜନରାଜ୍ୟ ଓ ସ୍ୱତନ୍ତ୍ରତା ଦିବସ ତଥା ଦ୍ୱିପାବଳୀରେ ଦିନେ ଆଉ ଏହି ହୋଲି ସମୟରେ ଯାହା କିଛି । ଯେଉଁମାନେ ତୃଣମୂଳସ୍ତରରେ ଖବର ଯୋଗାଡ଼ କରନ୍ତି, ସେମାନଙ୍କ କଥା ଅଲଗା । ନିଜ ପରିଜନଙ୍କୁ ପ୍ରାୟତଃ ସମୟ ଦେଇପାରନ୍ତି, କିନ୍ତୁ ଆଜି ଯେଉଁମାନଙ୍କ କଥା ମୁଁ କହିବାକୁ ଯାଉଛି ସେମାନେ ହେଉଛନ୍ତି ଖବରକାଗଜ କାର୍ଯ୍ୟାଳୟରେ କାମ କରନ୍ତି । ଅନ୍ୟ ସମସ୍ତ କ୍ଷେତ୍ରରେ ଦିନରେ କାମ ହେଉଥିବା ସ୍ଥଳେ, ଖବରକାଗଜ ବାଲାଙ୍କ କାର୍ଯ୍ୟାଳୟ ଅପରାହ୍ନ ପ୍ରାୟତଃ ଚାରିଟାରୁ ଆରମ୍ଭ । ସଂଧ୍ୟା ସମୟରେ ବାହାରେ ବୁଲା ତଥା ସୂର୍ଯ୍ୟାସ୍ତର ଦୃଶ୍ୟ ସେମାନେ କେବେ ବି ଉପଭୋଗ କରିପାରନ୍ତି ନାହିଁ । ଯୌବନାବସ୍ଥାରେ ସେମାନେ କିଛି କାଳ ନିଜକୁ ଖାପଖୁଏଇ ଚଳେଇ ପାରୁଥିବା ସ୍ଥଳେ ବିବାହ ପରେ ସମସ୍ୟା ଅଧିକ ହୁଏ । ସେମାନଙ୍କ ଛୁଆ ସବୁ ସକାଳୁ ସ୍କୁଲ ଯା’ନ୍ତି ଯେଉଁ ସମୟରେ ସେମାନେ କାର୍ଯ୍ୟାଳରୁ ଫେରୁଥା’ନ୍ତି । ପୁଣି ଛୁଆ ସବୁ ସ୍କୁଲରୁ ଫେରିବାବେଳକୁ ସେମାନେ କାର୍ଯ୍ୟାଳୟକୁ ପଳେଇ ସାରିଥା’ନ୍ତି । ଏ ଭିତରେ ବାତ୍ସଲ୍ୟ ନିମନ୍ତେ ସେମାନେ ବହୁତ ଝୁରି ହୁଅନ୍ତି । କିନ୍ତୁ ନିଜର ଦାୟିତ୍ୱ ତଥା ପରିବାର ପରିଚାଳନା ନିମିତ୍ତ ସେମାନେ ଏସବୁକୁ ଅଚିରେ ସମ୍ଭାଳି ନିଅନ୍ତି । ସେମାନଙ୍କ ସାମାଜିକ ଜୀବନ ବୋଲି କିଛି ରହୁ ନାହିଁ । ଦିନରେ ସେମାନେ ମୁକ୍ତ କିନ୍ତୁ ଅନ୍ୟମାନେ ସେହି ସମୟରେ ବ୍ୟସ୍ତ ରହନ୍ତି । ଅନ୍ୟମାନେ ମୁକ୍ତ ଥିବାବେଳେ ସେମାନେ ବ୍ୟସ୍ତ । ବାହାଘର, ବ୍ରତଘର ଅବା ବନ୍ଧୁମିଳନରେ ଭୋଜି ଖାଇବା, ପରସ୍ପରର ସୁଖଦୁଃଖରେ ଠିଆ ହବା, ସେମାନଙ୍କ ପାଇଁ ସାତ ସପନ ।
ଯାହାବି ହେଉ, ସାମ୍ବାଦିକମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ତଥା ଖବରକାଗଜର ମାଲିକମାନେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ତଥା ଅଧିକ କର୍ମଚାରୀ ନିୟୋଜନ କରି ସେମାନଙ୍କ କାମ ସବୁ ସହଜ କରିପାରିଲେ ଅନେକ ଲିଭିଯାଇଥିବା ହସ ପୁଣି ଫେରି ଆସିବ । ମହଙ୍ଗା ଦୁନିଆରେ ଯଥାଯଥ ତଥା ପରିବର୍ତ୍ତିତ ପାଉଣା ଖଞ୍ଜି ପାରିଲେ ସମସ୍ତେ ତାଙ୍କୁ ପ୍ରାର୍ଥନା କାଳରେ ହେତୁ ରଖିବେ । ରିଲାଏନ୍ସ କମ୍ପାନି ଏଥିପାଇଁ ଭଲ ଅଭିବୃଦ୍ଧି କରୁଅଛି, କାରଣ ସେଠି ଅଧିକ କର୍ମଚାରୀ ନିଯୁକ୍ତ ହୁଅନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା ରହିଛି, ଯେତେ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଆପଣମାନେ ନିଯୁକ୍ତ କରିବେ ସେମାନଙ୍କ ଅର୍ଦ୍ଧେକ ଭାଗ୍ୟ ନିଯୁକ୍ତି ଦାତାଙ୍କ ଦ୍ୱାରା ଉପଭୋଗ ହେବ । ପୁନଶ୍ଚ ମାନବ ସମ୍ଭଳର ପ୍ରକୃଷ୍ଟ ନିବେଶ ସେହି ସମୟରେ ହୋଇପାରିବ, ଯେଉଁ ସମୟରେ ସେମାନଙ୍କ ମନରେ ଶାନ୍ତି, ଶରୀରରେ ଉପଯୁକ୍ତ ସ୍ଫୂର୍ତ୍ତି ତଥା ସାମାଜିକ ଶୃଙ୍ଖଳାକୁ ସେ ଅଚିରେ ପାଳନ କରିପାରୁଥିବେ । ଚୀନରେ କର୍ମଚାରୀଙ୍କୁ ଦ୍ଵିପ୍ରହରରେ ଶୋଇବା ପାଇଁ ଘଣ୍ଟାଏ ସମୟ ଦିଆଯାଏ । କର୍ମଚାରୀ ପ୍ରତିବାଦ କରୁନାହାନ୍ତି, ତା’ମାନେ ଏୟା ନୁହଁ ଯେ ସେମାନେ ଖୁସିରେ ଅଛନ୍ତି । “ମରୁ ଘୋଡ଼ା ପାଚୁ ଧାନ” ନ୍ୟାୟରେ ନିଜର ସ୍ୱାର୍ଥକୁ ସବୁବେଳେ ଦେଖିବା କେତେଦୂର ଯୁକ୍ତିଯୁକ୍ତ ? ଏକଥା ଭୁଲ ନୁହଁ ଯେ, ଭୋକିଲା ବାଘ ଭଳି ପ୍ରତ୍ୟାଶୀ ନିଯୁକ୍ତିକୁ ଚାହିଁ ରହିଛନ୍ତି, କିନ୍ତୁ ଭଗବାନ ଯଦି ଆପଣମାନଙ୍କୁ ସାମର୍ଥ୍ୟ ଦେଇଛନ୍ତି, ତେବେ କାହିଁକି ସେହି ସୁଯୋଗ ବଳରେ ଆପଣମାନେ କିଛି ମଉଳିଥିବା ହସକୁ ଖେଳେଇଦେବେ, କିଛି କାତୁର ହସ୍ତମାନଙ୍କୁ ସେମାନଙ୍କ କୁନି ଛୁଆମାନଙ୍କ ସହ ଖେଳିବାକୁ ସମୟ ନଦେବେ ?
ଧାର୍ମିକ ମନୋଭାବ ହେଉ ନତୁବା ମାନବ ସମ୍ବଳର ଉପଯୁକ୍ତ ଏବଂ ପ୍ରକୃଷ୍ଟ ବିନିଯୋଗ ହେଉ, ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତ କରି ଆପଣମାନେ ଏବଂ ଉନ୍ନତ ସାମାଜିକ ପରମ୍ପରାର ବିକାଶ କରିପାରିବେ । ସମାଜରେ ସମସ୍ତଙ୍କ କଥା ସରକାର ଯେ ବୁଝିବେ ସେୟା ନୁହଁ, ନିରନ୍ତର ବିକାଶକୁ ହାସଲ କରିବା ନିମନ୍ତେ ସମସ୍ତଙ୍କ କର୍ତ୍ତବ୍ୟ ରହିଛି । ଋକ୍ ବେଦରେ ବର୍ଣ୍ଣିତ ଶ୍ଳୋକ, ସମସ୍ତ ଦିଗରୁ ଉତ୍ତମ ବିଚାରଧାରା ମାନ ଆମ୍ଭ ନିକଟକୁ ଆସୁ ଭଳି ସମସ୍ତ କ୍ଷେତ୍ରରୁ ବିକାଶ ନିମନ୍ତେ ଉଦ୍ୟମ ଆହୂତ ହେଇପାରିଲେ, ସର୍ବୋପରି ମାନବିକତାର ସମୃଦ୍ଧି ହେବ ।
ଜୟପୁର, ମୋ – ୯୦୭୮୮୩୮୬୨୭
ଲେଖକ ପରିଚୟ
ନବମ ଶ୍ରେଣୀ ପଢିଲା ସମୟରେ କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୩ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବାବେଳେ ନିକଟରେ ତାଙ୍କର ଆଉଏକ ପୁସ୍ତକ “ସ୍ମୃତି ଓ ବିସ୍ମୃତି” ପ୍ରକାଶିତ ହୋଇଯାଇଛି ।