ବାପିନା ସ୍ୱାଇଁ
ଓଡ଼ିଶା ସମସ୍ତ ଭାରତୀୟ ଧର୍ମ ସମ୍ପ୍ରଦାୟର ଲୀଳାଭୂମି । ଏହି ପବିତ୍ର ଦେବଭୂମିରେ ଜୈନ, ବୌଦ୍ଧ, ଶାକ୍ତ, ବୈଷ୍ଣବ ଆଦିଙ୍କ ସହ ଜଡଉପାସକମାନେ ଏକତ୍ର ଧର୍ମାଚାରଣ କରିଆସୁଛନ୍ତି । ଯାହାକୁ ଅଦ୍ୟାପି ଓଡ଼ିଶାର ପ୍ରତ୍ନତାତ୍ଵିକ ବିଭବ ଉଦଘୋଷଣା କରେ । ପ୍ରତ୍ୟେକ ଧର୍ମ ଓ ତତସଂଶ୍ଳିଷ୍ଟ ଧର୍ମାଚାର ସମୟ ଚକ୍ରରେ ସଂସ୍କୃତି ଭାବେ ଗୃହୀତ । ଅଧୁନା ଓଡ଼ିଶାର ଜନଜୀବନରେ ଜଗନ୍ନ।ଥ ସଂସ୍କୃତି ଏବଂ ମହିମାଧର୍ମ ଅନବଦ୍ୟ ଭୂମିକା ଗ୍ରହଣ କରିଛନ୍ତି । ମହିମାଧର୍ମ ଏକେଶ୍ଵର ବ୍ରହ୍ମବାଦ ତଥା ନିର୍ଗୁଣ, ନିରାକାରତତ୍ତ୍ଵ ଉପରେ ପ୍ରତିଷ୍ଠିତ ।
ସନାତନ ହିନ୍ଦୁଧର୍ମରେ ବ୍ରହ୍ମଙ୍କ ଦୁଇଟି ଲକ୍ଷଣ ରହିଛି । ଗୋଟିଏ ସ୍ଵରୂପସ୍ଥ ଲକ୍ଷଣ ଯେଉଁଥିରେ ନିର୍ଗୁଣ ନିରାକାରବ୍ରହ୍ମଙ୍କ ଉପାସନା କରାଯାଏ । ଅନ୍ୟଟି ତଟସ୍ଥ ଲକ୍ଷଣ ଯେଉଁଥିରେ ସାକାର ବ୍ରହ୍ମଙ୍କ ଉପାସନା କରାଯାଏ । ସର୍ବେନ୍ଦ୍ରିୟ ଗୁଣାଭାସାଂ ସର୍ବେନ୍ଦ୍ରିୟ ବିବର୍ଜିତମ, ସର୍ବସ୍ୟ ପ୍ରଭୂମୀଶାନ ସର୍ବସ୍ୟ ସରଂଣ ସୁହୃତ (ଶ୍ଵେତାଶ୍ଵତର ଉପନିଷଦ ୩.୧୨. ୧ ୭)। ପୁନଶ୍ଚ ସର୍ବଂ ଖଲିଦ୍ଵ ବ୍ରହ୍ମ ତଜ୍ଜଲାନି (ଛାନ୍ଦୋଗ୍ୟ ଉପନିଷଦ ୩ . ୧୨.୧୬) ଉଭୟ ଶ୍ଳୋକରେ ବ୍ରହ୍ମଙ୍କ ଦୁଇ ଲକ୍ଷଣର ସଙ୍କେତ ରହିଛି । ମହିମାଧର୍ମରେ ନିର୍ଗୁଣ ନିରାକାର ଏକ ଅଦ୍ଵିତୀୟ ପରଂବ୍ରହ୍ମ ପରମାତ୍ମାଙ୍କ ଉପାସନା କରାଯାଏ । ତେଣୁ ମହିମାଧର୍ମ ବେଦାନ୍ତ ପ୍ରତିପାଦ୍ୟ ନିର୍ବିଶେଷ ବ୍ରହ୍ମଙ୍କ ଉପସନାମାର୍ଗ ।
ଊନବିଂଶ ଶତାବ୍ଦୀର ଆଦ୍ୟ ପାଦରେ ସମଗ୍ର ଭାରତବର୍ଷରେ ଅନ୍ଧବିଶ୍ଵାସ, କୁସଂସ୍କାର ଓ ଜାତିପ୍ରାଥା ଆଦିର ପ୍ରାବଲ୍ୟ ଥିଲା । ସମାଜରେ ବ୍ରାହ୍ମଣ ଓ ରାଜନ୍ୟ ବର୍ଗ ଅଭିଜାତ ଶ୍ରେଣୀ ଭାବେ ସ୍ଵୀକୃତ ଥିଲେ । ସାମାଜିକ ବ୍ୟବସ୍ଥା ମୁଷ୍ଟିମେୟ ସମୁଦାୟଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ତତକାଳୀନ ଗଡଜାତ ରାଜାମାନେ ବେଠି, ବେଗାରି, ମାଗଣ ଓ ଟିକସ ଦ୍ୱାରା ପ୍ରଜାମାନଙ୍କୁ ସର୍ବସ୍ଵ।ନ୍ତ କରୁଥିଲେ । ସେହିପରି ବ୍ରାହ୍ମଣମାନେ ଧାର୍ମିକ ଅନୁଷ୍ଠାନରେ ପୁରୋଧା ସାଜି ପ୍ରଜାମାନଙ୍କୁ ଶୋଷଣ କରୁଥିଲେ । ତେଣୁ ସମାଜ ଦୁଇଟି ବର୍ଗରେ ବିଭାଜିତ ଥିଲା । ଗୋଟିଏ ଶୋଷିତବର୍ଗ ଅନ୍ୟଟି ଅଭିଜାତବର୍ଗ । ଏଇଭଳି ଘଡିସନ୍ଧି ମୁହୂର୍ତ୍ତରେ ଅଦ୍ଭୁତ ଭାବରେ ମହାନିତ୍ୟ ଅଲେଖପୁରରୁ ସ୍ଵୟମ ଅଲେଖ ପୁରୁଷ ମର୍ତ୍ତ୍ୟଭୁବନକୁ ବିରାଜମାନ ହେଲେ । ୧୮୦୩ ଖ୍ରୀଷ୍ଟାବ୍ଦ ହିମାଳୟରେ ସିଦ୍ଧସାଧୁମାନଙ୍କୁ ଉତ୍କଳରେ ଜନ୍ମହେବା ପାଇଁ ଆଦେଶଦେଇ ଗୁପ୍ତପ୍ରବୁଦ୍ଧ ସନ୍ନ୍ୟାସୀ ଭାବେ ସମଗ୍ର ଭାରତବର୍ଷ ଭ୍ରମଣ କରି ୧୮୨୬ ମସିହାରେ ପୁରୀଠାରେ ଜନମାନସରେ ଦୃଷ୍ଟିଗୋଚର ହୋଇଥିଲେ । ସେଠାରେ ମହିମାଗୋସେଇଁ ଧୂଳିରେ ଶୟନ ଓ ଉପବେଶନ କରିଥିବାରୁ ସେ ଜନଗଣଙ୍କ ଦ୍ୱାରା ଧୂଳିଆ ଗୋସେଇଁ ଭାବେ ପରିଚିତ ହେଲେ । ମହାପୁରୁଷ ଅଚ୍ୟୂତାନନ୍ଦ ଦାସ ମହିମାସ୍ଵାମୀଙ୍କ ମର୍ତ୍ତ୍ୟକୁ ଅବତରଣ ହେବା ବିଷୟ ନିମ୍ନଭାବରେ ବର୍ଣ୍ଣନା କରୁଛନ୍ତି ।
“ଏ ପାପ କାଳିକାଳ ଆସି । ବ୍ରହ୍ମାଣ୍ଡ ପକାଉଛି ଧ୍ଵଂସି । ।
ଭକ୍ତଙ୍କୁ ପଡ଼ିଲା କଷଣ । ଜାଣିଲେ ଗୁରୁ ନାରାୟଣ । ।
ବ୍ରହ୍ମମଣ୍ଡଳୁ ପରକାଶ । ବୁଦ୍ଧ ସ୍ଵରୂପରେ ବିକାଶ । ।
କୋଟି ବ୍ରହ୍ମାଣ୍ଡ କଳା ହରି । ବିଜୟେ କଲି ବସୁନ୍ଧରି । ।
ଜଟା କଳପ ଶିରେ ବହି । ଯୋଗୀନ୍ଦ୍ର ବେଶେ ଭାବଗ୍ରାହୀ
X x x x । x x x x
କହେ ଅଚ୍ୟୂତାନନ୍ଦ ହୀନ । ମୋ ପ୍ରଭୁ ବୁଦ୍ଧ ନାରାୟଣ । ।
(ବ୍ରହ୍ମ ସଂହିତା- ପ୍ରଥମ ପଟଳ )
ପୁରୀଠାରେ ଧୂଳିଆ ଗୋସେଇଁ ଅନେକ ଅଦ୍ଭୁତ ଅଲୌକିକ ଲୀଳା କରିଥିଲେ । କେତେବେଳେ ବାଳକ ରୂପରେ ପୁଣି କେବେ ବୃଦ୍ଧ ଓ ଯୁବକ ରୂପରେ ଦର୍ଶନ ଦିଅନ୍ତି । ସେହି ବର୍ଷ ଧୂଳିଆ ଗୋସେଇଁ ପୁରୀ ମୁକ୍ତିମଣ୍ଡପ ସଭାରେ ଏକେଶ୍ଵରବାଦ ଉପରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଉପସ୍ଥିତ ପଣ୍ଡିତଙ୍କ ପାରମ୍ପରିକ ଧର୍ମଧାରଣାକୁ ଓଲଟପାଲଟ କରିଦେଲେ । ପୁରୀ ବଡଦାଣ୍ଡ ପରିତ୍ୟାଗ କରି ୧୮୨୬ -୧୮୩୮ ମସିହା ଖଣ୍ଡଗିରି ଓ ଧଉଳିଗିରି ଜଳପାନ କରି ଭ୍ରମଣ କରୁଥିଲେ । ଜାଗମରା ଗ୍ରାମର ଭାଗ୍ୟଧର ଦଳାଇ ମହିମସ୍ଵାମୀଙ୍କୁ ପ୍ରତ୍ୟେହ ଜଳ ଯୋଗାଇ ଥଲେ । ମହିମାସ୍ଵାମୀ ୧୮୩୮ ମସିହାରେ କପିଳାସ ଗିରିକୁ ବିରାଜମାନ ହୋଇ ଗିରିର କେନ୍ଦୁପଣିଆ ଗୁମ୍ଫାରେ ଅବସ୍ଥାନ କରୁଥିଲେ । ଦିନେ ସଦାନନ୍ଦ ନାମକ ଶବର ବୃହତ ଚକପଥର ଉପରେ ଆତ୍ମଯୋଗ ସମାଧିରେ ଅନନ୍ତନାଗର କୁଣ୍ଡଳୀରେ ଥିବା ମହିମସ୍ଵାମୀଙ୍କୁ ଦେଖେ ଅନନ୍ତ ନାଗ ଅଗ୍ନିମୟ ତେଜ ଯୁକ୍ତ ତାହାର ସପ୍ତଫଣା ଦ୍ୱାରା ମହିମାସ୍ଵାମୀଙ୍କ ମସ୍ତକକୁ ଆଚ୍ଛାଦିତ କରିଛି । ସ୍ୱାମୀଙ୍କ ଅଙ୍ଗରୁ ସ୍ୱର୍ଣ୍ଣ ମିଶ୍ରିତ ତାମ୍ରମୟ ତେଜ ବାହାରୁଥିଲା । ସଦାନନ୍ଦ ମହିମସ୍ଵାମୀଙ୍କ ଭକ୍ତ ହୋଇ ୧୨ବର୍ଷ କାଳ ଫଳ ଯୋଗାଇଥିଲା । ଏହିପରି ଭାବେ ୧୨ ବର୍ଷ ବିତିଗଲା ଢେଙ୍କାନାଳ ରାଣୀ ହୀରାପ୍ରଭା ଦେବୀ ମହିମାସ୍ଵାମୀଙ୍କୁ ଅନନ୍ତ ନାଗ ଆସନରେ ଉପବେଶନ କରିଥିବା ସ୍ୱପ୍ନରେ ଦର୍ଶନ କରିଥଲେ । ରାଜା ଭାଗିରଥି ମହିନ୍ଦ୍ର ବାହାଦୂର ଏ ବିଷୟରେ ସତ୍ୟାସତ୍ୟ ଅନୁସନ୍ଧାନକରି ମହିମାସ୍ଵାମୀଙ୍କୁ ସଦାନନ୍ଦ ଶବର ସହାୟତାରେ ଦର୍ଶନ କଲେ । ମହିମାସ୍ଵାମୀଙ୍କ ନିର୍ଦ୍ଦେଶରେ ବୌଦ୍ଧରଜା ପୀତାମ୍ବର ଭଞ୍ଜଙ୍କଠାରୁ ତାଙ୍କ କନିଷ୍ଠ ପୁତ୍ର କାର୍ତ୍ତିକେଶ୍ଵରଙ୍କୁ ଢେଙ୍କାନାଳ ରାଜା ପୋଷ୍ୟପୁତ୍ର ଭାବେ ଗ୍ରହଣକଲେ । ଢେଙ୍କାନାଳ ରାଜା ଭାଗୀରଥ ମହିନ୍ଦ୍ର ବାହାଦୂର ୧୨ ବର୍ଷ କାଳ ଗୋ-ଦୁଗ୍ଧ ଯୋଗାଇଥିଲେ । ୧୮୬୪ ମସିହାରୁ ମହିମାସ୍ଵାମୀ ଏକ ନୂତନଧର୍ମର ଧ୍ଵଜାଧାରଣ କରି ଓଡ଼ିଶାର ପୁରପଲ୍ଲୀରେ ନବଜଗରଣର ବାର୍ତ୍ତାକୁ ପ୍ରଚାର କଲେ । ମହିମାସ୍ଵାମୀଙ୍କ ମତରେ ସମଗ୍ର ବିଶ୍ୱ ବ୍ରାହ୍ମ।ଣ୍ଡ ଅଲେଖ ପରଂବ୍ରହ୍ମଙ୍କ ଅଦ୍ଭୁତ ମହିମାରୁ ସୃଷ୍ଟି ହୋଇଛି । ସେ ହିଁ ବିଶ୍ୱ ବ୍ରହ୍ମାଣ୍ଡର ଏକ ମାତ୍ର ଆଶ୍ରୟ ଓ ଉପାସ୍ୟ । ଆତ୍ମ ଉପଲବ୍ଧିକୁ ପ୍ରକୃତ ଜ୍ଞାନ ଭାବେ ପ୍ରଚାର କରିଥିଲେ ।
ମହିମାସ୍ଵାମୀ ଅନ୍ଧକୁ ଚକ୍ଷୁଦାନ, ମୃତକୁ ଜୀବଦାନ, ଶୂନ୍ୟରେ ଗମନ, ଆକାଶରେ ରାତ୍ରକାଳରେ ସୁଦ୍ଧା ଏକାଧିକ ସୂର୍ଯ୍ୟ ସୃଷ୍ଟି, ଜଳହୀନ ପାର୍ବତ୍ୟ ପ୍ରଦେଶରେ ଝରଣା ବା ଜଳାଧାର ସୃଷ୍ଟି, ଆମ୍ବ ଟାକୁଆରୁ ବୃକ୍ଷ ପୁଣି ଆମ୍ବ ଫଳେଇ ପାଚିଲା ଆମ୍ବକୁ ଭକ୍ତମାନଙ୍କୁ ଖୁଆଇ ଥିଲେ । ଏହି ପରି ଅନେକ ଅଲୌକିକ ଲୀଳା ପ୍ରଦର୍ଶନ କରିଥିଲେ ।
ମହିମାସ୍ଵାମୀଙ୍କ ପ୍ରିୟତମ ଶିଷ୍ୟ ମଧ୍ୟରୁ ଅନ୍ୟତମ କନ୍ଧବଂଶାବତଂସ ସନ୍ଥକବି ଭୀମଭୋଇଙ୍କ କଥା ନ କହିବା ନିଷ୍ପୟୋଜନ । ସେ କ୍ଷୀଣ ଜନ୍ମା ମହାପୁରୁଷ । ମହିମାଧର୍ମର ମୂଳନୀତିକୁ ଏହି କବି ପ୍ରାଣ ଦେଶରେ କବିତାର ମଧୁର ମୂର୍ଛନାରେ ଏପରି ସାଜି ଦେଇ ଯାଇଅଛନ୍ତି ଯେ, ମହିମାଧର୍ମର ଉଦାତ୍ତ ବାଣୀ ତାଙ୍କ କବିତା ଦ୍ୱାରା ଉତ୍କଳୀୟ ହୃଦୟର ଅନ୍ତରରତମ ପ୍ରଦେଶରେ ପହଞ୍ଚି ତାକୁ ସ୍ପନ୍ଦିତ ଓ ଉନ୍ମାଦିତ କରୁଛି । ଭାରତୀୟ ସଂସଦ ଓ ଜାତିସଂଘର କାନ୍ଥରେ ସନ୍ଥ କବିଙ୍କ ଅମ୍ଳାନ ବାଣୀ ଖୋଦିତ ହୋଇ ଓଡ଼ିଶାକୁ ଗୌରବାନ୍ଵିତ କରୁଛି ।
୧୮୭୪ ମସିହାରେ ଗୁରୁ ମହିମାସ୍ଵାମୀ ତତକାଳୀନ ଢେଙ୍କାନାଳ ଗଡଜାତର ଯୋରନ୍ଦା ଗ୍ରାମରେ ମାଘ ଶୁକ୍ଳଚତୁଦର୍ଶୀରେ ଅଖଣ୍ଡ ବ୍ରହ୍ମଧୁନି ସ୍ଥାପନ କରିଥିଲେ । ସେହିଦିନଠାରୁ ଯୋରନ୍ଦା ମେଳା ଆୟୋଜିତ ହେଉଛି । ଓଡ଼ିଶାରେ ଅନେକ ଧର୍ମ ସମ୍ପ୍ରଦାୟ ପ୍ରଚାରିତ ହୋଇଥିଲେ ମଧ୍ୟ ସେ ସମସ୍ତ ବହିରାଗତ କିନ୍ତୁ; ମହିମାଧର୍ମର ସୃଷ୍ଟି ଓ ବିକାଶ ଏହି ଓଡ଼ିଶାରେ ହୋଇଛି । ଏହା ଓଡ଼ିଶାର ଗଣଧର୍ମ । ତେଣୁ ଏହା ଓଡ଼ିଶାର ନିଜସ୍ଵ ଧର୍ମ ଭାବେ ଗୃହୀତ । ଯୋରନ୍ଦାରେ ପ୍ରତିବର୍ଷ ମାଘ ଚତୃଦଶୀ ପାଳିତ ହେଉଥିବା ଯୋରନ୍ଦା ମେଳା ବିଶ୍ୱପ୍ରସିଦ୍ଧ । ଭାରତ ତଥା ବିଦେଶ ଯଥା ନେପାଳ, ଭୁଟାନ, ବଙ୍ଗଳାଦେଶ ଓ ଫ୍ରାନସ ଆଦି ଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଘଟିଥାଏ । ଭକ୍ତମାନେ ଭୀମଭୋଇ, ଜୟକୃଷ୍ଣ ଓ ନାରଣ ଆଦି କବିଙ୍କ ଭଜନ ଗାନ କରିଥାନ୍ତି । ଜଗତ ଭକତଙ୍କ ଅଲେଖ ମହିମା ଡାକରେ ଯୋରନ୍ଦା ପ୍ରକମ୍ପିତ ହୁଏ ।
ବାପିନା ଏବେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟରେ ଓଡିଆ ଭାଷା ଓ ସାହିତ୍ୟରେ ଗବେଷଣାରତ । ସମାଲୋଚନା ସାହିତ୍ୟରେ ତାଙ୍କର ରୁଚି । ଧର୍ମ ତତ୍ତ୍ୱ ଓ କଥା ସାହିତ୍ୟ ଉପରେ ବିଭିନ୍ନ ସମୟରେ ସେ ଆଲୋଚନା କରିଆସୁଛନ୍ତି ।
ଇମେଲ-bapinaswain329@gmail.com
ଅଳ୍ପରେ ହେଲେ ମଧ୍ୟ ମହିମା ଧର୍ମ ତଥା ମହିମା ସ୍ୱାମୀଙ୍କ ବିଷୟରେ ଆଲେଖ୍ୟଟି ଅତି ଚିତାକର୍ଷକ ଆଉ ତଥ୍ୟ ଭିତ୍ତିକ ହୋଇଛି
ଆଲୋଚକଙ୍କୁ ଶୁଭେଚ୍ଛା
ମହିମା ଅଲେଖ
ତଥ୍ୟାତ୍ମକ ଆଲେଖ୍ୟ ! ସାଧୁବାଦ ବାପିନା ବାବୁ ।