ଶିବାଶିଷ ପାଢ଼ୀ

କାମ ସରିସରି ଆସୁଥିଲା କିନ୍ତୁ ଖରା ବଢ଼ିବଢ଼ି ଚାଲୁଥିଲା । ବେଶି ସମୟ ହୋଇ ନଥିଲା ମାତ୍ର ଏଗାରଟା ହେଉଥିଲା । କିନ୍ତୁ ଆଜି ସୂର୍ଯ୍ୟଦେବଙ୍କ ପ୍ରକୋପ ଖୁବ ବେଶି ଥିଲା । ସୂର୍ଯ୍ୟତାପରୁ ଆଖିକୁ ସୁରକ୍ଷା ଦେଉଥିବା କଳା ଚଷମାଟି ନିଜେ କେତେବେଳୁ ଉତ୍ତପ୍ତ ହୋଇସାରିଥିଲା । ଫେରିବାପାଇଁ ବ୍ୟାକୁଳ ହେଉଥିଲା ମନ । ହେଲେ ସେପଟେ ବିଡ଼ିଓ ସାର ଲାଗିଥିଲେ ଲୋକଙ୍କ ସହ ଗପିବାରେ । କେତେ କଣ ଆଲୋଚନା କରୁଥିଲେ ସେ । ଆଉ ସେସବୁରୁ ଦୂରରେ ବସିଥିଲେ ଜିପିଓ ମୁକୁନ୍ଦବାବୁ । ଜଣଙ୍କ ପିଣ୍ଡାରେ ବସି ଅପେକ୍ଷା କରୁଥିଲେ ସେ । କାନ୍ଧରେ ପଡ଼ିଥିବା ଧଳା ଗାମୁଛାରେ ଥରେ ଚେହେରାକୁ ପୋଛି ଆଣିଲେ ମୁକୁନ୍ଦବାବୁ । ବ୍ୟାଗରୁ ପାଣି ବୋତଲକୁ ବାହାରକରି ଢୋକେ ପିଇଦେଲେ । ମନକୁ ଟିକିଏ ଶାନ୍ତି ମିଳିଲା । ଭାବୁଥିଲେ –
ଅଜବ ଧନ୍ଦାରେ ପଡ଼ିଲା ମଣିଷ । କେତେବେଳେ ସରିବ ଏ କାମ ? ଏବେ ଫେରିବା ପାଇଁ ପୁଣି ଘଣ୍ଟାଏ ଲାଗିବ । ଶୀତତାପ ନିୟନ୍ତ୍ରିତ ବୋଲେରୋ ଥିଲେ ଅଲଗା କଥା । ଘଣ୍ଟାଏ ପୁଣି ବାଇକରେ । ଆଜି ମରିଗଲା ମଣିଷ । ସାର କଣ ଜାଣିନାହାନ୍ତି ଯେ ଲୋକଙ୍କ ଅଭିଯୋଗ ଗୋଟିଏ ଅକ୍ଷୟତୁଣୀ ! ସେ କେବେ ସରେ ନାହିଁ । ଭାବୁଥିଲେ ଅଦ୍ଭୁତ ଲୋକ ଜୁଟିଲେ ଏମିତି ହଇରାଣ ହେବାକୁ ପଡ଼େ ।

ସେ କେତେ ସୁନ୍ଦର କହିଥିଲେ -ସାର ସେ ଗାଁ ସବୁକୁ ଯାଇ ହେବନାହିଁ । ଆମେ ତାଙ୍କୁ ଡକାଇ ଦେବା ହେଲେ ମାନି ନଥିଲେ ସେ । ବରଂ କହିଥିଲେ – ଡକାଇଲେ କଣ ବୁଢ଼ାବୁଢ଼ୀ ସମସ୍ତେ ଆସି ପାରିବେ । ଆଉ ଏତେଦିନ ଯାଏଁ ଯଦି ସେଠାକୁ ଗାଡ଼ି ଯାଉନାହିଁ ତେବେ ସେ ତ ଆମର ଦୋଷ । ସେମାନେ କାହିଁକି ହଇରାଣ ହେବେ । ଆମେ ହେବା । ଗାଡ଼ି ଯିବ ନାହିଁ ଯଦି ବାଇକ ତ ଯିବ ।
ଆଉ ଉତ୍ତର ଦେଇ ନଥିଲେ ମୁକୁନ୍ଦବାବୁ । ଜାଣିଥିଲେ ଏ ଲୋକକୁ ଉତ୍ତର ଦେଇ ବି ଲାଭ ନାହିଁ । ବରଂ ଠିକ ସମୟରେ ବାହାରି ପଡ଼ିଥିଲେ ସେ ।

ସେପଟେ ସାର ଗପୁଥିଲେ ଆଉ ଖରାକୁ ଦେଖୁଥିଲେ ମୁକୁନ୍ଦବାବୁ । ଏମିତିରେ ବିତିଯାଇଥିଲା ଆହୁରି ଅଧଘଣ୍ଟା । ସାର ଫେରିଥିଲେ ଆଉ ତାଙ୍କୁ ବିଦାୟ ଦେବା ପାଇଁ ରୁଣ୍ଡ ହୋଇଥିଲେ ନୂଆ କରି ଏ ଗାଁରେ ପାଦ ଥାପିଥିବା ଅଧିକାରୀଙ୍କ ଉପସ୍ଥିତିରେ ଉତଫୁଲ୍ଲିତ ଶହେ ସରିକି ସନ୍ତୁଷ୍ଟ ମଣିଷ ।

ଡେରି ହୋଇଗଲା ମୁକୁନ୍ଦବାବୁ । କଣ କରିବା ସମୟ ଜଣାପଡ଼ିଲା ନାହିଁ କହି ଦୁଃଖ ପ୍ରକାଶ କରୁଥିଲେ ସାର । ହସିବାର ଚେଷ୍ଟା କରୁଥିଲେ ମୁକୁନ୍ଦବାବୁ ହେଲେ ହସ ବାହାରୁ ନଥିଲା ତଥାପି ହସୁଥିଲେ ସେ । କହିଥିଲେ -ଚଳିବ ସାର ।

ହେଲେ ଜମା ଚଳୁ ନଥିଲା । ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହେଉଥିଲା ଶରୀର । ମୁରୁମ ମେଟାଲର ଘାଟିରାସ୍ତା । ଦୁଇପଟେ ସମ୍ପୂର୍ଣ ପତ୍ର ଝଡ଼ାଇ ଗରମକୁ ସାମ୍ନା କରିଥିବା ମୃତପ୍ରାୟ ଗଛସବୁ । ସାମ୍ନାରୁ ଆସୁଥିବା ତାସହ ଗରମ ଝାଂଜି ପବନ । ଗାଡ଼ି ଚଳାଉଥିଲେ ମୁକୁନ୍ଦବାବୁ । ହେଲେ ଇଚ୍ଛା ହେଉଥିଲା ହେଲିକେପଟର ପାଲଟି ଯାଆନ୍ତା କି ଗାଡ଼ିଟା । ଆଉ ଉଡ଼ିଉଡ଼ି ଶୀଘ୍ର ପହଞ୍ଚି ଯାଆନ୍ତେ କି ସେ ।

ପ୍ରାୟ ଅଧାବାଟ ଚାଲି ଆସିଥିଲେ ସେମାନେ । ହଠାତ ରିଙ୍ଗ ହେଲା ସାରଙ୍କ ଫୋନ । ଟିକିଏ ରହନ୍ତୁ ମୁକୁନ୍ଦବାବୁ, କହିଥିଲେ ସାର । ରହିବା ପାଇଁ ଜାଗା ନଥିଲା ତଥାପି ଏକ ପତ୍ରଶୂନ୍ୟ ଗଛ ତଳେ ପଡୁଥୁବା ସାମାନ୍ୟ ଛାଇରେ ଗାଡ଼ିକୁ ରଖିଥିଲେ ସେ । ପୁଣି ଗପୁଥିଲେ ସାର । ଆଉ ଏପଟେ ମନେମନେ ବିରକ୍ତ ହେଉଥିଲେ ମୁକୁନ୍ଦବାବୁ । କଥା ଶୁଭୁଥିଲା । ସେପଟେ କିଏ କଣ କହୁଥିଲେ ତ ଶୁଣି ପାରୁନଥିଲେ କିନ୍ତୁ ଏପଟେ ଭାରି ବିନମ୍ରତାର ସହ କଥା ହେଉଥିଲେ ସାର ।
ହଁ ସାର । ନା ସାର । କହିବା ସହ ନିଜର ଭଲମନ୍ଦ କହିଥିଲେ ।
ପ୍ରବଳ ଗରମ ଲାଗୁଥିଲା । ମୁକୁନ୍ଦବାବୁଙ୍କ ସହ ସାର ବି ନିଜ ଚେହେରା ପୋଛୁଥିଲେ ବାରମ୍ବାର କିନ୍ତୁ କଥା ଛିଡୁ ନଥିଲା । କଥା ଯାଇ ସରିଥିଲା ପ୍ରାୟ ଅଧ ଘଣ୍ଟା ପରେ । ଫୋନକୁ ରଖି ସାର କହିଥିଲେ –
ଶୀଘ୍ର ଚାଲନ୍ତୁ ମୁକୁନ୍ଦବାବୁ । ବହୁତ ଗରମ ହେଉଛି ।
ସାର ମୁଁ ତ ସେଇୟା ସେତେବେଳୁ କହୁଛି । ଆପଣ ସିନା…
ଜାଣି ଜାଣି କଥାକୁ ଅଧାରେ ରଖିଥିଲେ ମୁକୁନ୍ଦବାବୁ ।
ଆରେ କଣ କରିବ ? ଏଇଟା ବି ଜରୁରୀ ଫୋନ ଥିଲା ।
ଜାଣିଛ ଏଇଟା ଆମ ହାଇସ୍କୁଲ ସାର ଫୋନ କରିଥିଲେ । ସେ ଏମିତି ମଝିମଝିରେ ଫୋନ କରନ୍ତି ।
କଣ କାମ ଥିଲା କି ସାର ? ପଚାରିଥିଲେ ମୁକୁନ୍ଦବାବୁ ।
ନା ନା କିଛି କାମ ନଥାଏ । କେବେଠୁ ଅବସର ନେଲେଣି । ଘରେ ଅଛନ୍ତି । ଆମକୁ ସେ ପୁତ୍ରବତ ସ୍ନେହ କରନ୍ତି ତ ! ଏମିତି ଭଲମନ୍ଦ ବୁଝନ୍ତି ।
ଓହଃ ମୁଁ ଭାବୁଥିଲି କିଛି କାମ ଥିବ ସାର । ଆପଣ ମଝି ମଝିରେ ଦେଖା ତ କରୁଥିବେ ସାର । କିଛି ଉପହାର ନେଇ କି ଯାଉଥିବେ ନିଶ୍ଚୟ ।
କଥାକୁ ଜାରି ରଖିବା ପାଇଁ ଏମିତି ହିଁ କହିଥିଲେ ମୁକୁନ୍ଦବାବୁ ଜାଣି ନଥିଲେ ତାଙ୍କ କଥାର ଏମିତି ଉତ୍ତର ମିଳିବ ।
ସାର କହିଥିଲେ -ଏଇତ ରିଟନ ଗିଫ୍ଟ ମୁକୁନ୍ଦବାବୁ ।
ସେ ଆମ ପାଇଁ ଯାହା କରିଛନ୍ତି ତା ପ୍ରତିବଦଳରେ କଣ କିଛି ଦେଇହେବ କି ? ଆଉ ସାର ବି କଣ ଚାହାନ୍ତି କି ?
ଏଇ ଯେଉଁ କିଛି ସମୟ । କିଛି ଭକ୍ତି ।
ଆଉ କଣ ଚାହାନ୍ତି କି ସେମାନେ ?
ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଥିଲେ ସାର କିନ୍ତୁ ନିରୁତ୍ତର ଥିଲେ ମୁକୁନ୍ଦବାବୁ ।
ଠିକ କଥା ସାର କହି କଥା ସିନା ତୁଟାଇ ଦେଇଥିଲେ ସେ ହେଲେ ବାଇକ ପଛପଟେ ବସିଥିବା ମଣିଷର ବିଶାଳ ଚିନ୍ତାଧାରାର ଶୀତଳତାରେ ଆଉ ଖରା କାଟୁ ନଥିଲା । ବାଇକର ବେଗ କମାଇ ଦେଇଥିଲେ ସେ ।

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ଚାରି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁର କଳେବରରେ ଛୋଟ ନିଶ୍ଚେ, କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ ବୋଲି ପାଠକୀୟ ମତାମତ କୁହେ ।

Related Posts

Leave a Reply

Your email address will not be published. Required fields are marked *