ପୂଜ୍ୟପୂଜା ନା ପ୍ରହସନ

ଶ୍ରୀପ୍ରଦା ଶତରୂପା

କହିଲେ କହିବେ କହୁଛି ବୋଲିକି
ଛୋଟ ମୁହେଁ ବଡ଼ କଥା,
ମନକୁ ବାଧିଲେ କରିଦେବେ କ୍ଷମା
ପରକାଶି ଉଦାରତା….

ଅତି ପୁରାତନ ପୂଜ୍ୟ ପୂଜା ବିଧି
ମୋ ଦେଶରେ ଅଛି ରହି,
ପ୍ରତିଭା ଅଥବା ସମାଜ ସେବାକୁ
ସନମାନ ଦେବା ପାଇଁ….

ପ୍ରଶଂସା ଦି’ପଦ ଅବା ଆଶୀର୍ବାଦ
ପ୍ରେରଣାର ମହାଉତ୍ସ,
ପୁନଶ୍ଚ ଅନ୍ୟକୁ ପ୍ରେରିତ କରଇ
ଲଭିବାକୁ ସେହି ଯଶ….

କେତେ ଯେ ମହତ ପୂଜ୍ୟପୂଜା ରୀତି
ଜାଣନ୍ତି ହେ ବନ୍ଧୁଗଣ,
କିନ୍ତୁ ଆଜି ଏହା କି ରୂପ ନେଲାଣି
ଦେଖି ବିଚଳିତ ମନ……

ପୂଜ୍ୟପୂଜା ନାମେ ପାଦଚଟା ପ୍ରଥା
ହୋଇଲାଣି ପ୍ରଚଳିତ,
ପୂଜ୍ୟ ହୋଇଲେଣି ପ୍ରଶଂସା ବୁଭୁକ୍ଷୁ
ସ୍ତୁତି ଗାନେ ଉତଫୁଲ୍ଲିତ…..

କହୁନି ସେମାନେ ପ୍ରତିଭା ବିହୀନ
ଅବା ନୁହେଁ ପୂଜନୀୟ,
ବରଂ ମୁଁ କହିବି ସେମାନେ ସମାଜେ
ବିଶିଷ୍ଟ ବ୍ୟକ୍ତି ନିଶ୍ଚୟ…..

ପ୍ରତିଭା ସାଙ୍ଗକୁ ପ୍ରାଚୁର୍ଯ୍ୟ ପ୍ରଭାବ-
ପ୍ରଭୁପଣ ସେହିଭଳି,
କେବେ ପୁଣି ତାଙ୍କ ଇଙ୍ଗିତରେ ଚାଲେ
ରାଜନୀତି ପଶା ପାଲି…..

ସେଭଳି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦେଇ
ବସାଇ ବିରାଟ ସଭା,
ପୂଜ୍ୟପୂଜା ନାମେ ପ୍ରଶଂସା ପୁଷ୍ପରେ
ମଣ୍ଡୁଥାନ୍ତି ତାଙ୍କ ଗଭା….

ପ୍ରତିପତ୍ତିଶାଳୀ ପୂଜ୍ୟଜନ ଶେଷେ
ଆହୁରି ପ୍ରଶଂସା ଇଚ୍ଛି,
ଅନୁଷ୍ଠାନ ଲାଗି ଅନୁଦାନ ରୂପେ
ଦେଉଥାନ୍ତି କିଛି କିଛି…..

ଗୁଣଗ୍ରାହୀରୂପୀ ଚାଟୁକାରଙ୍କର
ମନୋବାଞ୍ଛା ହୁଏ ପୂର୍ଣ୍ଣ,
ପୂଜ୍ୟ ବି ପ୍ରସନ୍ନ, ପୂଜକ ବି ଖୁସି
ଜାରି ରହେ ଦେଣନେଣ….

କରତାଳି ମାଡ଼ କୋଳାହଳେ ଆଉ
ଶୁଭେନା ମାଟିର ସ୍ୱର,
ନୀରବରେ ଫୁଟି ଝରିଯାନ୍ତି କେତେ
ବଣମଲ୍ଲୀ ବାର ବାର…..

ବଣମଲ୍ଲୀ ଯେବେ ବଣରୁ ବାହାରି
ପରିଚୟ ଖୋଜି ବୁଲେ,
ଗୁନ୍ଥି ଦିଆଯାଏ ମାଳାରେ ତାକୁ ସେ
ପୂଜ୍ୟଙ୍କ ଗଳାରେ ଝୁଲେ…..

ଆଠଗଡ଼, କଟକ

ଲେଖକ ପରିଚୟ

କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ରେ ଜନ୍ମିତା ଶତରୂପା ମିଶ୍ର ଜଣେ ଉଦୀୟମାନ ଯୁବ ସାହିତ୍ୟିକା ଭାବରେ ଖ୍ୟାତିସମ୍ପନ୍ନା । ସମ୍ପ୍ରତି ସ୍ନାତକ ଶେଷ ବର୍ଷ ପଦାର୍ଥବିଜ୍ଞାନ ବିଭାଗର ଏହି ଛାତ୍ରୀ ଜଣକ ପ୍ରାୟ ଦଶ ବର୍ଷ ଧରି ସାରସ୍ୱତ ସାଧନା କରୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *