ବିଶ୍ଵେଶ୍ଵର ମାଝୀ
ମରତେ ଆମର ଏକ ବର୍ଷ ହେଲେ ପିତୃପକ୍ଷେ ଏକ ଦିନ
ଆଶ୍ୱିନ କୃଷ୍ଣର କୃଷ୍ଣପକ୍ଷ ତିଥି ଅନୁସାରେ ପଡ଼େ ଦିନ ।
ପିତା ପିତାମହ ପ୍ରପିତାମହ ବା ମାତା ମାତାମହୀ ଆଦି
ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରୁ ସୁସ୍ଵାଦୁ ଖାଦ୍ୟର ବିଧି ।
ବ୍ରାହ୍ମଣଙ୍କ ମୁଖେ ପଡ଼ିଲେ ସେ ଅନ୍ନ ମିଳଇ ପିତୃପୁରୁଷେ
ତିଥି ଅନୁସାରେ ଜଗିଥାଉ ଆମେ ଆସିବ ଆର ବରଷେ ।
ବୋହୂଟିଏ ବ୍ରାହ୍ମଣଙ୍କ ଭୋଜନରେ ବାଢ଼ିଦେଲେ ନାଲି ଲଙ୍କା
କହିଲେ- ଶାଶୁ ମୋ କେତେ ନିର୍ଯାତନା ଦେଇଥିଲା ପାଉ ଚେଙ୍କା ।
ଜୀବନ କାଳରେ ସେବାଯତ୍ନ ନାହିଁ ଖାଇବାକୁ ମୁଠେ ଭାତ
ମରଣ ପାରିରେ ବ୍ରାହ୍ମଣଙ୍କୁ ଦାନ ଭାବୁଛି ସେ ମହାତପ ।
ମରଣ ଆଗରୁ ନିଜ ପିଣ୍ଡଦାନ ଇଶ୍ଵରଙ୍କୁ ସମର୍ପିବା
ଆତ୍ମା ସତ୍ୟ ଯହିଁ ଶରୀରେ କି ଲାଭ ନଶ୍ଵରକୁ ସାଇତିବା !
ମୃତ୍ୟୁପରେ ଆତ୍ମା କି ଖାଦ୍ୟ ଖାଇବ ଶ୍ରଦ୍ଧା ରଖିବାକୁ ମନେ
ପିତୃପକ୍ଷ ପାଳନର ବିଧି ଶାସ୍ତ୍ର ଦେଇଛି ଅତି ଯତନେ ।
ହେଁସ ପଡ଼ିଥିଲା କାରଣ ନବୁଝି ହେଁସ ଗୋଟାଇବା ପରି
ହତାଦର କରି ଜୀବନ୍ତ ଦେବତା ମରଣାନ୍ତେ ଶ୍ରାଦ୍ଧ କରି ।
ପିତୃଦେବୋ ଭବ ମାତୃଦେବୋ ଭବ ଶାସ୍ତ୍ରରେ ଅଛି ବର୍ଣ୍ଣନ
ପିତୃଋଣ ପରିଶୋଧ ଜୀବନରେ ନକଲେ ବୃଥା ବ୍ୟସନ ।
ସବୁ ଦେଇ ଯିଏ ଗଢ଼ିଲେ ଏ ପିଣ୍ଡ ଦୁନିଆଁରେ ଜଣେ କଲେ
ଜୀବନ୍ତରେ ହେଳା ମରଣରେ ପିଣ୍ଡ କିଏ ଦେଖିଛି ପାଇଲେ !
ଆଶ୍ୱିନର ଶୁକ୍ଳପକ୍ଷ ମାତୃପକ୍ଷ ଦେବୀମାତା ନିରାଜନା
ମାଆ କାନ୍ଦୁଥିବ ଘରକୋଣେ ବସି ମନେ ଭାଳି ନିର୍ଯାତନା ।
ଦେବୀମାତା କିବା ସନ୍ତୁଷ୍ଟ ହୋଇବ ଢାଳିଦେବ ଆଶୀର୍ବାଦ
ମନେ ରଖିଥିବା ମାଆ ଯତ୍ନନେବା କହିଛି ବେଦୋପନିଷଦ ।
ବୈକୁଣ୍ଠ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୪୩୭୬୯୭୧୬୧
ଲେଖକ ପରିଚୟ
ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି । ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।