ବିନୟ ମହାପାତ୍ର

ଅଫିସ୍ ସାମ୍ନା ଚା’ ଦୋକାନରୁ ବାହାରିଲା ବେଳକୁ ନଜର ପଡିଲା ଘନଶ୍ୟାମ ବାବୁଙ୍କ ଉପରେ, ସେ ତାଙ୍କର ମୋଟର ସାଇକେଲଟାକୁ ପେଲିପେଲି ନେଉଥାନ୍ତି । ତାଙ୍କର ଏପରି ଦୟନୀୟ ଅବସ୍ଥା ଦେଖି ବଡ଼ ବିକଳ ଲାଗିଲା । ଏମିତିରେ ତ ସେ ବହୁତ ମୋଟା ଲୋକଟା, ବିଚରା ସବୁବେଳେ କେତେ କଲବଲ ହୋଇ, ବଡ଼ ଥନ୍ତଲ ପେଟଟାକୁ ବୋହିବୋହି କେତେ କଷ୍ଟରେ ଚାଲେ, ଆଜି ବୋଝ ଉପରେ ଏଇ ଲଳିତାବିଡ଼ା ପରି ଏଇ ମୋଟର ସାଇକେଲକୁ ପୁଣି ପେଲିପେଲି ନେବାକୁ ହେଉଛି । ଦେହ ସହିଲାନି, ପଚାରି ଦେଲି, ସାର୍ କଣ ହେଲା ? ବାଇକ୍ କଣ ଷ୍ଟାର୍ଟ ହେଉନି ? ଘନଶ୍ୟାମ ବାବୁ ମୁହଁ ଟେକି ଥରେ ମୋତେ ଅନେଇଲେ, ଚାହାଣୀରେ ତାଙ୍କର ବଡ଼ ବିବସତା ନଜର ଆସୁଥିଲା ଆଉ କ୍ରୋଦ୍ଧ ବି ! କହିଲେ, “ହ୍ୟାପୋ, ଆଜି ମୋ ବାଇକରୁ କିଏ ହାୱା ବାହାର କରି ଦେଇଛି ଶଳା । ଆଖପାଖରେ ପଞ୍ଚର ବାଲା ବି କୋଉଠି କେହି ନାହିଁ । ଅଧା ମାଇଲି ରାସ୍ତା ଏବେ ବାଇକଟାକୁ ପେଲିପେଲି ନେବାକୁ ପଡ଼ିବ । କହିଲି ଆଜ୍ଞା, ପଞ୍ଚର ବି ହୋଇ ଥାଇ ପାରେ, ଖରା ଦିନ, କୋଉ ପୁରୁଣା ପ୍ୟାଚ୍ ଉଠି ଯାଇଥିବ ବୋଧେ । ଘନଶ୍ୟାମ ବିରକ୍ତ ହୋଇ କହିଲେ, ନାଇଁହୋ, ନୂଆ ଟାୟାର ଟ୍ୟୁବ୍ ପକେଇ ଥିଲି ଏଇ ମାସେ ହେଲା । ପୁରୁଣା ପଞ୍ଚର ଜମାରୁ ନଥିଲା । ଏଇ ଶଳା ଆମ ଅଫିସ ଲୋକଙ୍କ ଭିତରୁ କେହି ଏଇ କାଣ୍ଡ କରିଛି । ଶଳା ଏମାନେ ନିଜ ଆଖିରେ କାହାର ଉନ୍ନତି ଦେଖି ସହି ପାରିବେନି ।

ମୁଁ କଣ ଉତ୍ତର ଦେବି ଭାବି ପାରୁନଥିଲି, ଖାଲି ଛୋଟିଆ ହଁ ଟିଏ କହି ରହିଗଲି । ପୁଣି ସମବେଦନା ଦେଖେଇ କହିଲି, ”ହଁ ଆଜ୍ଞା, ଫ୍ଲାଟ ଟାୟାରରେ ବାଇକ୍ ପେଲିପେଲି ନେବାରେ ଯେ କେତେ କଷ୍ଟ ମୋତେ ଜଣାଅଛି, ସେ ଅନୁଭୂତି ମୋର ଅଛି ଆଜ୍ଞା । ଥରେ ଦି’ଥର ରାସ୍ତାରେ ମୋ ବାଇକ୍ ବି ପଞ୍ଚର ହୋଇଛି । ଘନଶ୍ୟାମ ବାବୁ କୁନ୍ଥେଇ କୁନ୍ଥେଇ ବାଇକ୍ ପେଲିପେଲି ଚାଲିଗଲେ । ସେ ରାସ୍ତାର ବୁଲାଣିରେ ଲୁଚିଗଲା ପରେ, ମୋ ପାଖରେ ଠିଆ ହୋଇଥିବା ଆର୍ତ୍ତତ୍ରାଣ ଫିକ୍ କିନା ହସିଦେଲା । ଆର୍ତ୍ତତ୍ରାଣ ଆମ ଅଫିସର ପିଅନ୍, ପଚାରିଲି, ହେଃ ହସୁଛୁ କଣ ? ତା ଅବସ୍ଥା ଦେଖି ତୋ ମନରେ ଟିକିଏ ବି ଦୟା ଆସୁନି ? ତୋ ନାଆ ଆର୍ତ୍ତତ୍ରାଣ କିଏ ରଖିଲା ବା’ । ଆର୍ତ୍ତତ୍ରାଣ ହସିହସି କହିଲା, ଆଜ୍ଞା, ମୋ ନାଁଟା ସିନା ଆର୍ତ୍ତତ୍ରାଣ, ହେଲେ ମୁଁ କେବେ ବି ଲୋକଙ୍କ ଦୁଃଖ ଭଞ୍ଜନ କରିପାରୁନି ! ସେଥିପାଇଁ ତ ଦୁଷ୍ଟ ଲୋକଙ୍କୁ ଦୁଃଖରେ ଦେଖିଲେ ଟିକିଏ ଖୁସି ଅନୁଭବ କରେ !

: ମାନେ?

ଆର୍ତ୍ତତ୍ରାଣ କହିଲା, ଆଜ୍ଞା ତା ମାନେ ହେଉଛି, ଘନଶ୍ୟାମ ବାବୁଙ୍କୁ ଏ ଦଣ୍ଡ ମୁଁ ଦେଇଛି । ଶଳା ସକାଳୁ ସଞ୍ଜ ଯାଏ ବସିବସି ଲାଞ୍ଚ ଖାଇଖାଇ ପେଟଟାକୁ ଓଦର ପରି ଫୁଲେଇ ସାରିଲାଣି । ଦୟାମାୟା କହିଲେ ଲୋକଟା ପାଖରେ ଟୋପିଏ ବି ନାହିଁ । ଗରୀବ, ଧନୀ, ବୁଢା କି ଟୋକା କିଛି ଫରକ୍ କରୁନି, କାହାକୁ ଛାଡୁନି । ଫାଇଲ ଆସିଲା ମାନେ ଆଲମାରୀ ଭିତରେ ଦବେଇ ଦେଉଛି, ଆଉ, କେହି ଫାଇଲ୍ ବିଷୟରେ ପଚାରିଲେ ନିର୍ଲଜଙ୍କ ପରି ହାତ ପତେଇ ଦେଉଛି, କହୁଛି ଦେ କେତେ ଦେଉଚୁ ଦେ, ପଇସା ଖର୍ଚ୍ଚ ନକଲେ ଫାଇଲ୍ ସେମିତି ପଡ଼ିପଡ଼ି ଊଇ ଖାଇଯିବ ପଛେ ଆଗକୁ ବଢିବନି ! ଲାଞ୍ଚ ଖାଇଖାଇ ଦେଖୁନ, କେତେ ବଡ଼ ପେଟଟାଏ କଲାଣି ! ଦଶ ମାସର ଗର୍ଭିଣୀ ମାଇପିଙ୍କ ପରି ଦିଶୁଛି । ଆଜି ବିଚାରି ବିଧବା ସ୍ତ୍ରୀଲୋକଟିଏ ଆସିଥିଲା ତାର ବିଧବା ଭତ୍ତା ପାଇଁ, ଗରିବ ସ୍ତ୍ରୀଲୋକଟା ଦେହହାତରେ ମାଉଁସ ନାହିଁ, କଙ୍କାଳ ଗଣି ହେଇଯିବ ତାର, ଭଲ ଲୁଗା ଖଣ୍ଡିଏ ବି ତା ପାଖରେ ନାହିଁ ପିନ୍ଧିବାକୁ । ସାଙ୍ଗରେ ଦୁଇ, ଦୁଇଟା ବିମାରିଆ ଛୁଆ । ତା ଫାଇଲକୁ ବି ଅଟକେଇ ରଖିଛି । କହିଲା ଦି’ଶହ ନଦେଲେ ଫାଇଲ ଆଗକୁ ବଢିବନି, ବିଚାରି ନିରାଶ ହୋଇ ଫେରିଗଲା । ନିରାଶ ହୋଇ ଫେରିବାବେଳେ ତା ଆଖିର ସେଇ ଲୁହ, ତାରି ନିଶ୍ୱାସ, ଅଭିଶାପ ହୋଇ ପଡ଼ିଲା ୟାରି ଉପରେ । ଭଗବାନ ମୋତେ କହିଲେ ତାକୁ ତୁ ଦଣ୍ଡ ଦେ, ଆଉ ମୁଁ ତା ବାଇକର ହାୱା ଖୋଲି ଦେଲି ।

: ତା କଥା ଶୁଣି କହିଲି, ବଡ଼ ପାପଟାଏ କରି ଦେଲୁରେ ତୁ ଆର୍ତ୍ତତ୍ରାଣ !

ଆର୍ତ୍ତ ତାର ବତିଶ ଦାନ୍ତ ଦେଖେଇ ହସିଲା, ମୁଚକୁନ୍ଦ ହସଟିଏ । ପୁଣି କହିଲା, କାଲି ସକାଳୁ ମନ୍ଦିର ଯିବି ପରା ।

: ପଚାରିଲି, କାହିଁକି ?

ପାପ ଛଡ଼େଇବାକୁ ଆଜ୍ଞା, ହସି ହସି ଆର୍ତ୍ତତ୍ରାଣ ଜବାବ ଦେଇ କହିଲା । ଆଜ୍ଞା କଥାରେ କହନ୍ତି, ଦିଅଁ ଦରଶନ କଲେ କୁଆଡ଼େ ସବୁ ପାପ କଟିଯାଏ, ଆଉ ତ ଆଉ, ଥରେ ରାମ ନାମ ନେଲେ ଯେତେ ପୁଣ୍ୟ ଅର୍ଜନ ହୁଏ, ସେତିକି ପାପ, ମଣିଷ ତାର ସାରା ଜୀବନରେ ବି କରି ପାରେବନି । ଏଇ ଦେଖ କହି, ରାମ ରାମ ଦି ଥର କହି ପକେଇଲା, ଆଉ କହିଲା, ହେଇ ଦେଖ, ଗଲା ଆଜ୍ଞା ମୋର ଏଇ ଜନ୍ମର ସବୁ ପାପ, ନାଶ ହୋଇ ଗଲା ଗୋଟିଏ ଥର ରାମ ନାମରେ, ଆଉ ଥରେ ରାମ ନାମରେ ଆଗଲା ଜନ୍ମର ବି ପାପ ଇନସୁରାନସର ଆଡଭାନ୍ସ ପ୍ରିମିୟମ ଜମା ହୋଇଗଲା ।

ଆର୍ତ୍ତତ୍ରାଣର ଏ ଯୁକ୍ତି ଶୁଣି ମୋତେ ବି ହସ ଲାଗିଲା, ହସି ହସି କହିଲି, ଆରେ ସେମିତି ହେଲେ ଘନଶ୍ୟାମ ବାବୁ ରିଟାୟାର୍ଡ ହୋଇଗଲା ପରେ ହରିଦ୍ୱାର ଯାଇ ଥରେ ଗଙ୍ଗା ସ୍ନାନ କରି ସବୁ ପାପ ଧୋଇ ଆସିବେନି ? ତୋତେ ଦଣ୍ଡ ଦେବାର କଣ ଦରକାର ଥିଲା । ଆଉ କଣ ବାକି ରହିଲା ଯେ । ସିଏ ପାପ ବି ଆଜି କଲେ, ଦଣ୍ଡ ବି ଆଜି ପାଇଲେ । ତାଙ୍କର ସବୁ ପାପ ପ୍ରାୟଶ୍ଚିତ ହୋଇଗଲା, ଆଉ ତୋ ଉପରେ ପାପ ଚଢ଼ିଗଲା ।

ଗଙ୍ଗା ସ୍ନାନ କଥା ଶୁଣି ଆର୍ତ୍ତତ୍ରାଣ ବହେ ହସିଲା, କହିଲା, ଏଇ ପାପ ଧୋଇବା କଥିତ ଶୁଣି, ମୋର ଗୋଟେ ଗପ ମନେ ପଡୁଛି ଆଜ୍ଞା ।

ଥରେ ଜଣେ ବାବାଜୀ ତାଙ୍କ ପ୍ରବଚନରେ କହୁଥିଲେ ଯେ ମୁଁ ଶୁଣିଥିଲି ଗପଟି, ଆପଣ ଶୁଣିବେ ? କହିଲି, ଟିକେ ରହ, ଚାଲ ସେଇଠି ସେଇ ରଘୁଆ ଚା’ ଦୋକାନରେ ବସି କପେ କପେ ଚା’ ପିଉପିଉ ତୁ କହିବୁ ତୋ ଗପ ।

ସଂଜ ନଇଁ ଆସୁଥିଲା, ଅଫିସ୍ ଛୁଟି ହେବାର ଅଧ ଘଣ୍ଟାରୁ ଅଧିକ ସମୟ ହୋଇ ଗଲାଣି, ସମସ୍ତେ ଯେଝା ଯେଝା କାମ ସାରି ପ୍ରାୟ ଚାଲିଗଲେଣି । ରଘୁଆର ଚା’ ଦୋକାନ ବି ଖାଲି ପଡ଼ିଛି, କେହି ଗରାଖ ନାହିଁ ସେଠି । ଦୋକାନ ବନ୍ଦ କରିବାକୁ  ସେ ତାର ଆସବାସ ସବୁ ସଜାଡ଼ିବାରେ ଲାଗିଛି । ଛୋଟୁ, ଜଳଖିଆ ପ୍ଲେଟ, ଚା’ ଗ୍ଲାସ, କପ୍ ସବୁ ଧୋଇ, ସଜାଡ଼ିବାରେ ବ୍ୟସ୍ତ ।

ରଘୁଆ ଦୋକାନରେ ପହଞ୍ଚି କହିଲି, ଆରେ ରଘୁ ଚା’ ଦି’କପ୍ ତିଆରି କର । ରଘୁ ଥରେ ଆମକୁ ଚାହିଁ କହିଲା, ଆଉ ଚା’ କରି ହେବନି ଆଜ୍ଞା, କ୍ଷୀର ସରିଗଲାଣି, ଆଉ ଚା’ ବନେଇ ହବନି । ଚୁଲା ଉପରେ କେଟିଲରେ ଦୁଇ ଚାରି କପ୍ ଚା’ ବଳିଛି, ଦଶ ମିନିଟ୍ ଆଗରୁ ରାଉତ୍ ବାବୁଙ୍କ ପାଇଁ ବନେଇ ଥିଲି । କହିବେ ଯଦି କପ୍ ରେ ଢାଳି ଦେବି । ଏଇ ଉତ୍ତରଟା ସବୁବେଳେ ରଘୁର ରେଡିମେଡ୍ ଉତ୍ତର, ସକାଳ ତିଆରି ଚା’କୁ ବି ସଂଧ୍ୟାରେ ଦଶ ମିନିଟ୍ ଆଗରୁ ବନେଇଛି କହି ପିଲେଇ ଦିଏ । ଅଗତ୍ୟା କିଛି ଚାରା ନଦେଖି କହିଲି, ହଉ ଦେ, କହି ବସି ଗଲୁ ସାମ୍ନାରେ ଖାଲି ପଡ଼ିଥିବା ବେଞ୍ଚଟା ଉପରେ । ରଘୁ ରଡ଼ିଟାଏ କରି କହିଲା, ହେଇରେ ଛୋଟୁ, ବାବୁଙ୍କୁ ଦିଟା ଚାହା ଦେଇ ଯା, ବିସ୍କୁଟ କି ନିମିକି ଦିଟା ଦେବି କି ଆଜ୍ଞା ! ଆମ ଆଡକୁ ଚାହିଁ ରଘୁ ପଚାରିଲା । କହିଲି, ନାହିଁ ନାହିଁ ଖାଲି ଚାହା ଦୁଇଟା ଦେ ।

ଚା’ ପିଉ ପିଉ ଆର୍ତ୍ତତ୍ରାଣକୁ କହିଲି, ହଁ ଏବେ କହ, ତୋର କଣ କାହାଣୀ କଥା କହୁଥିଲୁ । ଆର୍ତ୍ତ ଚା’ ଗ୍ଲାସରୁ ଗୋଟାଏ ସୁଡକି ଲଗାଇ କହିଲା, ଏଇଟା ବହୁତ ଦିନର ପୁରୁଣା କଥା ଆଜ୍ଞା, ଥରେ ଜଣେ ଜମିଦାର ଗଙ୍ଗାସ୍ନାନ କରିବାକୁ ହରିଦ୍ୱାର ଯାଇଥିଲେ । ବଡ଼ ଧର୍ମପରାୟଣ ବ୍ୟକ୍ତି ଥିଲେ ଜମିଦାର ବାବୁ । ଜୀବନସାରା ଦାନ ଧର୍ମ କରିବା, ଲୋକଙ୍କ ସେବା କରିବାରେ କଟେଇ ଦେଇଥିଲେ । ଏମିତି ଗଙ୍ଗାରେ ଗାଧୋଉ ଗାଧୋଉ ମନରେ କଣ ଆସିଲା କେଜାଣି, ଭାବିଲେ ‘ଦୁନିଆ ଯାକର ପାପି ଆସି ଏଇଠି ଗଙ୍ଗାରେ ସ୍ନାନ କରୁଛନ୍ତି, ଗଙ୍ଗା ମାଆ ସମସ୍ତଙ୍କର ସବୁ ପାପ ଧୋଇ ନେଉଛି, ଏତେ ପାପ ସାଙ୍ଗରେ ନେଇ ଗଙ୍ଗା ମାତା କରୁଛି କଣ ?’ ଶେଷରେ ନିଜର ଉତ୍କଣ୍ଠାକୁ ଚାପି ରଖି ପାରିଲେନି ଜମିଦାର ବାବୁ, ଗଙ୍ଗା ମାଆକୁ ପଚାରି ବସିଲେ;

: ହେ ଗଙ୍ଗା ମାଆ, ସଂସାର ଯାକର ପାପି ତୋରି ଶରଣରେ ଆସୁଛନ୍ତି, ତୋରି ପବିତ୍ର ଜଳରେ ସ୍ନାନ କରି ସବୁ ପାପ ଧୋଉଛନ୍ତି । ଏତେ ପାପ ଧୋଇ ତୁମେ ସେ ସବୁ ପାପକୁ ନେଇ କଣ କରୁଛ ?

ଗଙ୍ଗା ମାଆ ସଙ୍ଗେ ସଙ୍ଗେ ପ୍ରକଟ ହୋଇ ଟିକିଏ ହସି କହିଲେ; “ବତ୍ସ, ମୁଁ ପତିତପାବିନି ଗଙ୍ଗା, ମୋ ଜଳରେ ସ୍ନାନ କଲେ ପାପିର ସବୁ ପାପ ଧୋଇ ହୋଇଯାଏ । ହେଲେ ପାପ ସାଙ୍ଗରେ ମୋର ବା’ କଣ କାମ ? ପାପି, ତପି, ଯୋଗୀ, ଭୋଗୀ, ସାଧୁ, ସନ୍ଥ ସମସ୍ତେ ଆସି ମୋ ପବିତ୍ର ଜଳରେ ସ୍ନାନ କରନ୍ତି, ମୋର ଜଳର ପବିତ୍ରତା ପାପି ମଣିଷର ପାପ ଧୋଇନିଏ । ଯେମିତି ସାବୁନ ଲଗେଇଲେ ଦେହର ମଳି ସବୁ ଧୋଇ ହୋଇଯାଏ ଠିକ୍ ସେମିତି । ହେଲେ ମୋର ପାଣି ତ ପୋଖରୀ ପରି ଗୋଟିଏ ଜାଗାରେ ଜମା ହୋଇ ରହେନି । ମୋର ଜଳ ଧାରା ନିରନ୍ତର ଏହି ପରି ବୋହି ବୋହି ଚାଲିଛି ଏବଂ ଶେଷରେ ଯାଇ ଗଙ୍ଗା ସାଗରରେ ସମୁଦ୍ରରେ ଯାଇ ମିଶି ଯାଉଛି । ସେଇ ପାଣିରେ ସମସ୍ତ ପ୍ରାଣୀଙ୍କର ପାପ ସବୁ ଭାସି ଭାସି ଯାଇ ସମୁଦ୍ରରେ ପହଞ୍ଚି ଯାଉଛି” । ସମସ୍ତଙ୍କର ସବୁ ପାପ ମୁଁ ମହୋଦଧିରେ ବିସର୍ଜନ କରି ଦେଉଛି ।

: ଜମିଦାରଙ୍କର ଉତ୍କଣ୍ଠା ବଢିବଢି ଚାଲିଲା । ପୁଣି ଗଙ୍ଗା ମାଆକୁ ପଚାରିଲେ, ମା, ସବୁ ପାପ ସମୁଦ୍ରରେ ଜମା ହୋଇ ଯାଉଛି ତାହା ହେଲେ ଏତେ ସବୁ ପାପ ନେଇ ସମୁଦ୍ର ତ ସଂସାରର ସବୁଠାରୁ ବଡ ପାପି ହୋଇଗଲା !

ଗଙ୍ଗା ମାଆ ଟିକେ ହସି କହିଲେ, “ନାହିଁରେ, ସମୁଦ୍ର ହେଲା ରତ୍ନାକର, ରତ୍ନ ରଖିବା ତା କାମ, ପାପ ରଖି ସିଏ ବା କଣ କରିବ ? ସିଏ ବି ପାପକୁ ପାଖରେ ରଖେନା, ଯେମିତି ଖରା ଦିନ ଆସିବ, ତାର ସମୁଦ୍ର ପାଣି ସବୁ ବାଷ୍ପ ହୋଇଯିବ, ସେଇ ବାଷ୍ପ ସାଙ୍ଗରେ ପାପ ସବୁ ଆକାଶକୁ ଉଠି ଯାଇ ମେଘରେ ମିଶି ଯିବ” ।

: ଆଚ୍ଛା, ତାହା ହେଲେ ମେଘ ସବୁ ଠାରୁ ବଡ଼ ପାପି, ଜମିଦାର ଗଙ୍ଗା ମାଆଙ୍କୁ କହିଲେ ।

ଗଙ୍ଗା ମାଆ ହସି ହସି କହିଲେ, “ନାହିଁ, ମେଘ କାହିଁକି କାହା ପାପର ଭାଗି ହେବ, ମେଘର ଆୟୁଷ ବା କେତେ ? ଖରାଦିନ ପରେ ବର୍ଷା ଋତୁ ଆସିବ, ମେଘ ଭାସି ଭାସି ସାରା ଆକାଶରେ ବ୍ୟାପିଯିବ, ତା ସାଙ୍ଗରେ ପାପର ରଙ୍ଗରେ କଳା ଦିଶୁଥିବା ମେଘ ଯେତେକ ସେ ସବୁ  ବିଭିନ୍ନ ସ୍ଥାନରେ ବର୍ଷି ଯିବ, ବର କୋଳିଆ ପାଣି ଟୋପା ହୋଇ, ଆଉ ସେଇ ପାଣି ସାଙ୍ଗରେ ସବୁ ଯାକ ପାପ ବି ଢାଳି ହୋଇଯିବ ସାରା ଦୁନିଆରେ, ଯାହା, ଯାହାର ପାପ ତାହାରି ଉପରେ ବାଛି ବାଛି ବରଷି ଚାଲିଯିବ । ତୁମ ପାପ ପୁଣି ତୁମ ପାଖକୁ ୱାପସ୍” ।

ଜାଣିଲେ ଆଜ୍ଞା, ଆପଣ ଜପ, ତପ, ଧ୍ୟାନ, ଧାରଣା କି ଗଙ୍ଗାସ୍ନାନ ଯାହା ବି କରନ୍ତୁ, ଆପଣଙ୍କ ପାପ, ଆପଣଙ୍କୁ ଛାଡ଼ି କୁଆଡ଼େ ଯିବନି । ପାପ ସବୁବେଳେ ସାଙ୍ଗରେ ରହେ, ପାପର ହିସାବ ଅଲଗା, ପୁଣ୍ୟର ହିସାବ ଅଲଗା । ପୁଣ୍ୟ ପାଇଁ ଯେପରି ସୁଖ ମିଳିବ, ପାପ ପାଇଁ ସେତେକି ଦଣ୍ଡ ବି ମିଳିବ , ହିସାକିତାବ ପୁରା ସମାନ ସମାନ ହେବ, ନା କିଛି କମ୍, ନା କିଛି ବେଶି ।

ଆର୍ତ୍ତତ୍ରାଣ ଗୋଟାଏ କ୍ୱାଲିଫାଏଡ ଚାଟାର୍ଡ ଆକାଉଣ୍ଟାଣ୍ଟ ପରି ପୁରା ପାପ ଉପଖ୍ୟାନର ତର୍ଜମା କରିଗଲା, କହିଲା ଆଜ୍ଞା, ପାପପୁଣ୍ୟ କିଛି ବ୍ୟାଙ୍କ ଖାତା ନୁହଁ ଯେ ଡେବିଟ୍ କ୍ରେଡିଟ୍ ହେଉ ଥିବ । ଶହେ ପାପ କଲି, ପଚାଶ ପୁଣ୍ୟ, ଜମା ଖର୍ଚ୍ଚ ହିସାବ ପରେ ବଳକା ରହିଲା ପଚାଶ, ସେଇଟା ଗଙ୍ଗାରେ ଯାଇ ବିସର୍ଜନ କରିଦେବି, ବ୍ୟାଡଡେବ୍ଟ ରାଇଟ୍ଅପ୍ ପାପପୁଣ୍ୟର ହିସାବ କିତାବରେ ହୁଏନି ! ଆରଜନ୍ମ ପାଇଁ କିଛିବି କ୍ୟାରି ଫରଞ୍ଵାର୍ଡ କେବେବି ହୁଏନି ଆଜ୍ଞା । ସବୁ ହିସାବ ଏଇଠି ଏଇ ଜନ୍ମରେ ହୁଏ । ଦେବା, ନେବା, ପାଇବା, ନପାଇବା ସବୁ ଏଇଠି ହିସାବ ନିକାଶ ପଇଠ କରି ଫେରିବାକୁ ହେବ । ଆଗଲା ପିଛିଲା ଜନ୍ମର କିଛି ନେଣ ଦେଣ ବାକି ରହେନି । ଏଠି ସବୁ ନଗଦ କାରବାର । ଯେମିତି କରିବ, ସେମିତି ସୁଖଦୁଃଖ ସବୁ ଏଇଠି ଭୋଗିକି ଯିବ । କୋଳି ଗଛ ଲଗେଇ ତ କେହି ଆମ୍ବ ତୋଳି ପାରିବ ନାହିଁ ନା । ତାକୁ ଖଟା କୋଳି ହିଁ ଖାଇବାକୁ ମିଳିବ, କୋଳି ଗଛ ମୂଳକୁ ଗଲେ ପାଦରେ କଣ୍ଟା ଫୁଟିବ । ତେଣୁ ସାଧୁ ହେ, ସାବଧାନ ରୁହ, ଅବଧାନେ ଏତିକି ପଢେଇଛନ୍ତି ଆଜ୍ଞା ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *