ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ତା’ ନାଆଁଟି ଖାଲି ସେଇଆ – ପ’ । ଗୋଟିଏ ଅକ୍ଷର ଜମାରୁ । ଏମିତି ନାଆଁ ଥାଏ ବୋଲି ଛୋଟବେଳେ ବିଶ୍ୱାସ ହେଉ ନଥିଲା ।
ସେ ପଢୁଥିଲା ବୈଦ୍ୟରାଜପୁର ସ୍କୁଲରେ । ସେଠି ଭଲ ପଢ଼ା ହୁଏ ବୋଲି । ଆମେ ଗୋଖନା ସ୍କୁଲରେ । ପ’ ଆଉ ତା’ ସାଙ୍ଗ ଅଶୋକ ସାଥି ହୋଇ ଯୋଡ଼େ ବେଗ ପକେଇ କଲେଜ ଛକ ଆଡୁ ତାଙ୍କ ସ୍କୁଲରୁ ଫେରନ୍ତି । ଆମେ ଯାଉ କଲେଜ ଛକ ଆଡ଼େ ।
ମଝି ରାସ୍ତାରେ ଦେଖାହୁଏ କେବେ କେମିତି ।
ଜିତେନ୍ଦ୍ର ମତେ କହିଥିଲା – ସେ ଯୋଉ ପିଲା ଆଉଛି ତା ନାଆଁ ପ’ ବୋଲି ।
ଆମେ ଜିତେନ୍ଦ୍ର ମୁଁ ସାଙ୍ଗ ହୋଇ ଫେରୁ, ନିଜ ଇଛାରେ ବୁଲିବାଲି ।
ସେତେବେଳେ ରାସ୍ତା କଡ଼ରେ ଥିଲା ବିଶାଳ ଆମ୍ବ ଗଛ ଯେତେ, ପାଖକୁ ପାଖ ଲାଗି, ବହଳ – ବର୍ଷା ହେଲେ ସେଇମିତି କେତେ ଗଛ ତଳେ ଆମେ ଏକାଠି ପାଞ୍ଚ ସାତ ଜଣ ଛିଡ଼ା ହୋଇଗଲେ ବି ଓଦା ହେଉନା କେବେ । କଲେଜ ଛକ ଛାଡ଼ିଲେ ପତଳା ପିଚୁ ରାସ୍ତା, ଅଙ୍କାବଙ୍କା – ଦି’ ପାଖରେ ଗୋଡ଼ି, କଡ଼କୁ ଉଞ୍ଚା ଉଞ୍ଚା ଘାସ, ଆଉ ସେସବୁକୁ ଆବୋରି ଧରିଥିଲେ ପଚାଶରୁ ଅଧିକ କୋଉ ଯୁଗର ଆମ୍ବ ଗଛ ।
ଜିତେନ୍ଦ୍ର ଗଛରେ ଚଢ଼ି ଆମ୍ବ ଝଡ଼ାଏ- କେବେ କେବେ ଆମେ ମିଶି ଟେକା ମାରୁ, ଯାହା ମିଳିଲା ସ୍କୁଲ ବେଗରେ ପଶିଲା । ନହେଲେ ଜିତେନ୍ଦ୍ରଙ୍କ ଘରକୁ ଯାଏ – ତା ବୋଉ ଭାତ, ଆମ୍ବ ଚଟଣି ତିଆରି କରି ଦିଅନ୍ତି । ଗାଳି ବି ପଡ଼େ ଢେର – କିନ୍ତୁ ଆମ୍ବ ସୁଆଦ ଆଗରେ ସେ ଗାଳି କଣ ବା ସତେ ?
ପ’ ଏପଟରୁ ଫେରୁଥାଏ ଦିନେ, ସାଙ୍ଗରେ ଅଶୋକ, ଗଣିଆ – ସେମାନେ ପୁଣି ପାଖ ସ୍ୱାଇଁ ସାହି ପିଲା, ଭାରି ଖାତିର, ଗୋଖନା ବଜାରରେ ତାଙ୍କ ରାଜୁତି ।
ମୁଁ ଅ ଆ ଡାକିବା ଆରମ୍ଭ କଲି, ପ’ ଠିକ ପାଖାପାଖି ହେଲା ବେଳକୁ – ପ ଫ ବ ଭ ମ ଯ ର ଇତ୍ୟାଦି । ତାଙ୍କ ଦଳ ବୁଲିକି ଅନେଇଲେ- କିଏ ଗୋଟେ ଏତେ ସାହାସ କଲା, ପୁଣି ତାଙ୍କ ଦଳ ମାମଲତିକାର ପ’କୁ ଏମିତି ଡାକିଲା ।
ସେଦିନ ସେମାନେ ଖାଲି ଅନେଇ ଅନେଇ ଫେରିଗଲେ ।
ଜିତେନ୍ଦ୍ର ମତେ ଆକଟ କଲା – ସୁକୁଟା, ତୁ ଜାଣିଚୁନା ବେ, ସୋଇଁ ସାଇ ପିଲା ସେ, ଢଗା ଢଗା କଷିଦେବେ ଖାଲି । ତାଙ୍କ ସାଇ ଉଠି ଆଇବ ବେ, ତୁ ବି କୋରା ଖାଇବୁ, ମତେ ବି ଖୁଆଇବୁ ।
ଦି ତିନି ଦିନ ପରେ ପୁଣି ସେ ତିନି ଜଣ ଫେରୁଥିଲେ, ରାସ୍ତା ଫାଙ୍କା – ନିର୍ଜନ । ଜିତେନ୍ଦ୍ର ଗଡ଼ିଆରୁ ଆଣିଥିବା ପାଣି ସିଙ୍ଗଡ଼ା ବସି ଆମେ ଖାଉ ଥାଉ । ରାସ୍ତା ଦୁଇ ପାଖରେ ଥିଲା ଅନେକ ବିରାଟ ପୋଖରୀ, ଥମଥମ ପାଣି, ହୁଡ଼ାରେ ଗଛ ଧାଡ଼ି ଧାଡ଼ି । ବର୍ଷା ଋତୁରେ ସେ ପୋଖରି ସବୁ ଭରି ଆସେ, ପାଣି ଲହଡ଼ି ମାରେ ପବନ ସାଙ୍ଗରେ, ଆଉ ଖରାଦିନେ ଜାକି ହୋଇ ଯାଆନ୍ତି ଯେଝା ବାଟରେ, କଡ଼କୁ । ଜିତେନ୍ଦ୍ର ସେଇ ପୋଖରି ଭିତରେ ପଶି ଆଣେ ପାଣି ସିଙ୍ଗଡ଼ା ।
ପୁଣି ଡାକ ଆରମ୍ଭ ହେଲା – ପ ଫ ବ ଭ ମ ।
ଏଥର ଏକାଥରେ ତିନି ଜଣ ଯାକ ଘେରିଗଲେ ଆମୁକୁ । ଅଶୋକ ଟିକେ ମୋଟାସୋଟା ଥିଲା, ଗଣିଆ ତା ନହକା – କିନ୍ତୁ ଇସ୍ପାତ ପରି ମୁହଁ ।
ପ’ ଦେଲା ଆଦେଶ – ଧର ଧର ଆକୁ । କିଏ ବେ ଏଟା, ଆମ ଗାଁରେ ଆମୁକୁ ଟିଟିକାରି ମାରୁଚି ? ଧର ଧର ।
ତିନି ଜଣ ଆମ ଦିହିଁଙ୍କୁ ଘେରିଗଲେ, କିଏ ଗୋଟେ ହାତ ମୋଡ଼ି ଦେଲା ପଛରୁ ।
ଜିତେନ୍ଦ୍ର କଇଲା – ଆଉ କଇମୁ ନେଇଁ । ସେ ସୁକୁଟା ଆଉ କଇବ ନେଇଁ ।
ପ’ ପଚାରିଲା – ସତ କଉଚୁ ନା ବେ ?
-ମଣିଙ୍କ ଦେଇ । ଆଉ କଇବୁ ନେଇଁ- ବୁଝିଲୁ ସୁକୁଟା ନହଲେ ତୁ ଖାଇବୁ ।
ସେଇ ପ’ ଆମ ସ୍କୁଲକୁ ଚାଲି ଆସିଲା ବର୍ଷକ ପରେ, ଅଶୋକ, ଗଣିଆ ବି । ତେଣିକି ଦୋସ୍ତି ଜମିଗଲା ।
ତାଙ୍କ ଘରେ ଗଣେଶ ପୂଜା ହୁଏ, ଭାରି ଧୂମଧାମରେ । ଖାଇବା ପିଇବା ଭୋଜି ହୁଏ – ଅରୁଆ, ଡାଲମା, ଖଟା, କ୍ଷୀରି । ଫି’ ବର୍ଷ ପ’ ଡାକିନେବ – ଅନ୍ନପୂର୍ଣା ପତ୍ର ପଡ଼ି ମହମହ ବାସୁଥିବ ପ୍ରସାଦ । ଆଉ ପ’ ବୋଉ- କାନିରେ ଝାଳ ପୋଛିଦେବେ, ପୋଛି ଦିଅନ୍ତି କପାଳ, ଖୁଆଇ ଦିଅନ୍ତି ପାଖରେ ବସି । ଯଦି ଡେରି ହୋଇଥିବ ଯିବାରେ, ଡକେଇ ପକେଇବେ ପ’ ହାତରେ ମାଉସୀ ।
ପ’ ଘର ବିରାଟ ବାଡ଼ି, ସେଥିରେ ବିସ୍ତୃତ ପୋଖରୀ, ପୋଖରୀ କଡ଼େ କଡ଼େ ନିମ୍ବ, ଆତ, ସୁଜୁନା, ଆମ୍ବ ରକମ ରକମ ଗଛ । ଛୁଟି ଦିନରେ ପ’ ଡାକିନେବ – ଧାନଉଁସା ହାଣ୍ଡି ଯୋଡ଼େ ଘେନି ଆସିବ ଘରୁ ।
କହିବ – ଚାଲେ ପହଁରିବା ।
ମାଉସୀ ଆସି ଖାଇବାକୁ ଡାକିଲା ପର୍ଯ୍ୟନ୍ତ ଆମ କାରସାଦି ଚାଲିଥାଏ ।
ତାଙ୍କ ପୋଖରୀ କଡ଼କୁ ଲାଗି ଗୋଟେ ଲମ୍ବା ଇଟା ଘର ଥିଲା । ସେଠି ଆମ ଭୋଜି ହୁଏ – ଭିଡ଼ିଓ ଚାଲେ, ରାତି ରାତି ଅନିଦ୍ରା ହୋଇ । ଅକ୍ଷୟ କୁମାର, ଅଜୟ ଦେବଗନ ସିନେମା ।
ସ୍କୁଲ ଦିନରେ ଥିଲା ତାଙ୍କ ପୋଖରୀ ଓ ଲମ୍ବା ଧାନବିଲ – ଯାହା କଡ଼ ଦେଇ ଆଉରି ପତଳା ନାଲି ଗୋଡ଼ି ରାସ୍ତାଟିଏ ବୁଢ଼ା ନଈ ପୋଲକୁ ଯାଇଥିଲା । ପ’ ପୁଣି ସ୍କୁଲରେ ଥିଲା ମନିଟର, ଅଙ୍କରେ ଭାରି ଭଲ ହୁଏ ତାର ।
ଗୋଖନା ଛକ କଡ଼କୁ ତାଙ୍କର ମେସ୍ ଗୋଟାଏ ଥିଲା, ଯାର ନାଁ – ବାଣୀବିହାର । ଯେବେ ବାଲେଶ୍ୱର କଲେଜରେ ମୋ ସାଙ୍ଗମାନଙ୍କୁ ନପାଇ ମୁଁ ଏକେଲା ହୁଏ ଓ କେବେକେବେ ଆସେ ଯାଜପୁର, ସେଇ ମେସରେ ମୁଁ ଯାଇ ଲୁଚେ ।
ବାପା କିନ୍ତୁ ପ’କୁ ଡକେଇ ଖୋଜି ଆଣନ୍ତି । ପ’ ଆଥଲେଟିକ୍ ସେକ୍ରେଟାରୀ ବି ଜିତିଥିଲା ଯାଜପୁର କଲେଜରେ । ମୁଁ ଥାଏ ତା କାଉଣ୍ଟିଙ୍ଗ ଏଜେଣ୍ଟ । ଭୋଟ ପରେ ଭୋଟ ଗଣାବେଳେ ମତେ ପୁଣି କଲେଜ ଭିତରେ ଦେଖି କେମିଷ୍ଟ୍ରିର ନମିତା ମ୍ୟାଡାମ୍ ରାଗିଗଲେ ପ୍ରଥମଥର ସମ୍ଭବତଃ ଆଉ ଶେଷଥର ବି ।
-ତୁ କଣ ଏଠି ? ଭୋଟ ସରିଲାଣି । ଯାଆ ଘଋକୁ ଯାଆ । ଯାଆ କଲୋନୀ ।
-ମୁଁ ପରା ପ’ର କାଉଣ୍ଟିଙ୍ଗ ଏଜେଣ୍ଟ ଅଛି ।
ସେଦିନ ସତରେ ମ୍ୟାଡାମ ତାହା ବିଶ୍ୱାସ କରିପାରି ନଥିଲେ । ସେ ସମୟ ସେମିତି ହିଁ ତ ଥିଲା ।
ପ’ ଜିତିଥିଲା ଚାରି ଖଣ୍ଡ ଭୋଟରେ ଜମାରୁ । ମୁଁ ହସିଲି – ଆବେ, ଏତେ ପରିଶ୍ରମ ପରେ ତୁ ଯାହା ଚାରି ଖଣ୍ଡ ଭୋଟରେ ଜିତିଲୁ ନା ??
-ଜିତିଗଲି ତ, ତମେମାନେ ଥିଲ ବୋଲି !! ସାଙ୍ଗ ଥିଲେ କିଏ ହାରେ କିରେ, ପୁପୁ !!
ପ’ ଏବେ ବାଙ୍ଗାଲୋରରେ । ତଥାପି ସବୁ ସ୍କୁଲ ସାଙ୍ଗଙ୍କୁ ସେ ଏକାଠି କରେ, ପ୍ରତି ବର୍ଷ ବୁଢ଼ୀକଣ୍ଟେଇ ମା’ଙ୍କ ପୋଖରୀ ହୁଡ଼ାରେ ଆମ ବ୍ୟାଚ୍ ଭୋଜି ହୁଏ । ମୁଁ କୁକୁଡ଼ା ଖାଏନି ବୋଲି ସେ ଖାସି ହିଁ ରଖେ ଭୋଜିରେ । ଏ ଭୋଜି କେବେଠାରୁ ଆରମ୍ଭ ହେଲାଣି, ଆଜିକାଲି ପରମ୍ପରା ହେବାର ଅନେକ ଆଗରୁ ।
ସେଇ ଭୋଜିକୁ ପ’ ଧରି ଆସେ ବଲ ବ୍ୟାଟ । ଚାଲେ ଆମର କ୍ରିକେଟ ଖେଳ ।
ପ’ ବ୍ୟାଟିଂ କରେ ଆଉ ମୁଁ ବୋଲିଂ କଲାବେଳେ ଜିତେନ୍ଦ୍ର ଥାଏ ଷ୍ଟମ୍ପ ପଛରେ, ୱିକେଟ କିପର ।
ସେଇଠୁ ଚିଲାଏ – ସୁକୁଟା, କଣ ବେ ପ’ ଖାଲି ନାଦି ଦେଉଛି, ତୁ ଆଉଟ୍ କରି ପାରୁନୁ ??
ପ’ ହସେ । – ହେ ହେ ଜିତୁ ସିମିତି କହନି ବେ । କଲେଜ ବେଳେ ତ ସେ ହିଁ ବୋଲଡ଼ କରୁଥିଲା ମତେ ।
-କାହିଁ ଆଜି ତ ତୁ ବୋଲଡ ହେଉନୁ ?
-ଚିଡ଼ାନି ବେ ଜିତୁ ତାକୁ । ନହେଲେ ମତେ ଆଉଟ୍ କରିଦେବ ବେ ସେ ରାଗିଗଲେ !!
-ହେ ଆଉ ତା ବଲ୍ ସ୍ଵିଙ୍ଗ ହୋଇନି ??
-ନ ହୋଉ । ଖେଳ ଚାଲିଥାଉ ।
ଯାଜପୁର
ଲେଖକ ପରିଚୟ
ଡ. ମହାପାତ୍ର ଜଣେ ଗଣମାଧ୍ୟମ ଶିକ୍ଷାବିତ ଓ ସାମ୍ବାଦିକ ଭାବେ ଢେର ବର୍ଷ କାର୍ଯ୍ୟ କରିଛନ୍ତି । ସେ ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖନ୍ତି । ମାଟି ଓ ମଣିଷଙ୍କୁ ନେଇ ଗପ ଓ କବିତା ଲେଖୁଥିବା ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ‘ଯାଜପୁର-ସେ ସମ୍ପର୍କ ସେଇମିତି’ ନାଁରେ ସଂକଳନଟିଏ ପ୍ରକାଶିତ ହୋଇସାରିଛି । ଏହା ବେଶ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି ।

 
             
                                                