ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୭ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୭ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଆୟୋଜିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ମୁଖ୍ୟବକ୍ତା, ବିଶିଷ୍ଟ ସାହିତ୍ୟିକ ଦାଶ୍‌ ବେନ୍‌ହୁର ଏବଂ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ସମ୍ମାନନୀୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ତଥା ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏବଂ ସଚିବ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଗୁରୁ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ବିଦ୍ୟାଳୟ ସ୍ତରରେ ପୂର୍ବରୁ ଆୟୋଜିତ ବରିଷ୍ଠ ଓ କନିଷ୍ଠ ବର୍ଗ ନିମନ୍ତେ ହୋଇଥିବା ଚାରି ଗୋଟି ବିଭାଗରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ଓଡ଼ିଆ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଏହି ସ୍ୱନକ୍ଷତ୍ର ଦିବସ ଅବସରରେ ପ୍ରୋତ୍ସାହନ ରାଶି ସହ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିପରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ବିଷୟକୁ ଆଧାର କରି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେୀରେ ସର୍ବୋଚ୍ଚ ନମ୍ବର ରଖିଥିବା ୧୫ ଜଣଙ୍କୁ ୧୦ ହଜାର ଓ ୧୫ ହଜାର ଲେଖାଏଁ ପ୍ରୋତ୍ସାହନ ଅର୍ଥରାଶି ସହ ପ୍ରଶସ୍ତିପତ୍ର ଓ ଫଳକ ପ୍ରଦାନ  କରାଯାଇଥିଲା ।

ଏକାଡ଼େମୀର ସଚିବ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ନିଜର ସ୍ୱାଗତ ଭାଷଣ ଏବଂ ଏକାଡ଼େମୀର ସଭାପତି ତଥା ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗ ଦାନ କରି ଏକାଡ଼େମୀର ଏହି ସ୍ୱନକ୍ଷତ୍ର ଦିବସର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ସମସ୍ତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା କିପରି ଆଗକୁ ବହୁ ଭାବେ ପରିବ୍ୟାପ୍ତ ହୋଇପାରିବ ଏ ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଦାଶ ବେନ୍‌ହୁର ଯୋଗଦାନ କରି ଭାଷା ସାହିତ୍ୟ ଓ ସଂସ୍କୃତି କିପରି ଜନମାନସରେ ସର୍ବବ୍ୟାପୀ ଏବଂ ଯୁଗକୁ ଯୁଗ ବାନ୍ଧି ରଖିପାରିଛି ଏହା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୂରଜ ନିଜର ଅଭିଭାଷଣରେ ସାହିତ୍ୟ ଓ ଓଡ଼ିଆ ଅସ୍ମିତାକୁ ଆଧାର କରି ଭାଷା ସଂସ୍କୃତି କ୍ଷେତ୍ରରେ ଏହାର ବ୍ୟାପକ ଭାବେ ପ୍ରସାର, ପ୍ରଚାର ଦିଗରେ କିଭଳି କାର୍ଯ୍ୟ କରାଯାଇପାରିବ ଏ ଦିଗରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଶ୍ରୀ ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକାଡ଼େମୀ କାର୍ଯ୍ୟ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବକ୍ତବ୍ୟ ମାଧ୍ୟମରେ ସୂଚାଇଥିଲେ । ଏହି କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *