ସତ୍ୟବତୀ ସ୍ଵାଇଁ

ତୃତୀୟ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲାପରେ ରଚନା ଓ ପତ୍ର ଲିଖନ ନିର୍ଘଣ୍ଟରେ ମୁଁ ମୋ ଜୀବନର ପ୍ରଥମ ଚିଠି ଲେଖିଥିଲି । ସେଦିନ ଶ୍ରେଣୀରେ କାନ୍ଦକାନ୍ଦ ହୋଇ କହିଲି, ମୋର ତ ବାପା ନାହାଁନ୍ତି ସାର୍ କାହା ପାଖକୁ ଚିଠି ଲେଖିବି ?

ନାହାଁନ୍ତି ?

ଆଜ୍ଞା ସାର୍ । ମୋ ବାପା ନାହାଁନ୍ତି । ମାଆ କୁହେ ମୁଁ ପେଟରେ ଥିଲି ମୋ ବାପା ମରି ଯାଇଛନ୍ତି । ମୁଁ ବାପାଙ୍କୁ ଆଦୋୖ ଦେଖିନି ସାର୍ ।

ସାର୍ କିଛି କ୍ଷଣ ଚୁପ୍ ହୋଇଗଲେ । ମୋତେ କୋଳେଇ ନେଇ ଟିକେ ଗେଲ କରିଦେଇ କହିଲେ, ‘ତୋ ବାପା ଠାକୁରଙ୍କ ପାଖେ ଅଛନ୍ତି । ତୁ ସେଇଠିକୁ ଚିଠି ଲେଖେ ।’

ମାଆ କୁହେ ବାପା ଆକାଶର ତାରା ହୋଇଯାଇଛନ୍ତି । ତାରା ପାଖରେ ଠାକୁରଙ୍କର ଘର କି ସାର୍ ?

ଠାକୁରଙ୍କର ଏ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ତାରା, ମାଟି, ପାଣି, ପବନ, ମଣିଷ, ଜୀବଜନ୍ତୁ, ଗଛଲତା ସର୍ବୋପରି ଏ ବିଶ୍ୱ ତଥା ବିଶ୍ୱର ଜୀବ ଓ ନିର୍ଜୀବ ବସ୍ତୁ ସମସ୍ତେ ।

ମୁଁ ଚିଠି ଲେଖିଲେ ଆପଣ ବାପାଙ୍କ ପାଖକୁ ପଠେଇ ଦେବେ ?

ସାର୍ ଙ୍କ ଆଖି ବଡ଼ବଡ଼ ହୋଇଗଲା । ସେ କୁନ୍ଥେଇମୁନ୍ଥେଇ କହିଲେ, ‘ହଁ ଆଗ ଲେଖେ ତ ! ତାପରେ ପଠେଇବା ।’

ସେଦିନୁ ଚିଠି ଲେଖିବା କୌଶଳ ଶିଖିଗଲା ପରେ ତୁମକୁ କେତେ ଚିଠି ଲେଖିଛି । ମୋ ଜୀବନରେ ଯେଉଁଠି ତୁମେ ନାହଁ ବୋଲି ଅନୁଭବ କରିଛି ସେତେବେଳେ ଠିକଣାବିହୀନ ଚିଠିଟିଏ ଲେଖିଛି । ମୋ ହୃଦୟର ସମସ୍ତ ବ୍ୟଥା ବେଦନା, ପ୍ରେମ ଏବଂ ଅଭିଯୋଗ ଲେଖିଛି ଚିଠିରେ । ସବୁ ଚିଠି ସାଇତି ରଖିଛି ଗୋଟେ ଆଟାଚିରେ । ପ୍ରଥମ ଚିଠିଟି ସାର୍ ନେଇଥିଲେ ତୁମ ପାଖକୁ ପଠେଇବେ ବୋଲି । ଏତେ ବର୍ଷ ହେଲାଣି ସେ ଚିଠିର ଉତ୍ତର ଆସିନାହିଁ ଆଜି ଯାଏଁ । ଚିଠି ଲେଖି ସାରିଲାବେଳକୁ ମୋ ମନ ଟିକେ ହାଲ୍କା ଲାଗେ । ଭାରି ଖୁସି ହୋଇଥିଲି ଯେ, ଦୁନିଆଁରେ ଏମିତି ଗୋଟେ ଚିଠି ନାମକ ଗୋଟେ କଣ ଚିଜ ଅଛି ଯାହା ଦେହରେ ନିଜ ମନ କଥା ଲେଖି ଦୂରରେ ଥିବା ପ୍ରିୟ ମଣିଷ ପାଖକୁ ପଠେଇ ହେବ । ସେଇଦିନୁ ଚିଠି ଲେଖା ପ୍ରେମରେ ପଡ଼ିଯାଇଛି ।
ଜୀବନର ପ୍ରଥମ ଚିଠି ଲେଖିବା ଶିଖିଥିଲି ଚତୁର୍ଥ ଶ୍ରେଣୀରୁ । ଆମ ଗାଁ ସ୍କୁଲ ଗୋଲେଖ ସାର୍ କହିଲେ ତୃତୀୟରୁ ଚତୁର୍ଥକୁ ତୁମେ ଉତ୍ତୀର୍ଣ୍ଣ ହୋଇଛ । ପାଠୋପକରଣ କିଣିବା ପାଇଁ ପିତାଙ୍କ ନିକଟକୁ ପତ୍ର ଲେଖ । ସାର୍ ଶିଖାଇ ଦେଇଥିଲେ ଚିଠି ଲେଖା କୌଶଳ ।

ଜୀବନର ପ୍ରଥମ ଚିଠି ଗାର ପକା ରଚନା ଖାତାରେ ମୋ ପିଲା ମନରେ କେତେ କଣ ଲେଖିଥିଲି । ବାପାଙ୍କୁ ନେଇ ମୋ ଭିତରେ ଯେତେ ଯାହା ବ୍ୟାକୁଳତା ଥିଲା ଭୁଲ୍ ଭାଲ୍ ବନାନରେ ଲେଖିଥିଲି ଦୁଇ ତିନି ଫାଳ । ସାର୍ ମୋ ଚିଠି ପଢି କାନ୍ଦି ପକେଇ କହିଥିଲେ, ‘ତୋ ଚିଠି ନିଶ୍ଚୟ ବାପା ପାଖେ ପହଞ୍ଚିଯିବ ।’ ସାରଙ୍କ ବଦଳି ହୋଇ ଯାଇଥିଲା କିଛିଦିନ ପରେ । ଆଉ ସାର୍ ଙ୍କ ସହ ମୋର ଦେଖା ହୋଇନି କି ଜାଣିନି ବାପା ମୋ ଚିଠି ପାଇଲେ କି ନାହିଁ । କିନ୍ତୁ ସେଇଦିନୁ ମୋ ସୁଖଦୁଃଖ ସବୁ କଥା ଜଣାଇ ବାପାଙ୍କୁ ଚିଠି ଲେଖିଆସୁଛି ଏଯାବତ ଅଜ୍ଞାତ ଠିକଣାରେ ବରାବର । କଅଁଳ ଅବୋଧ ପିଲା ମନତଳେ ବାପାଙ୍କ ପ୍ରତି ଗଦା ହୋଇଥିବା କେତେ କଥା ବ୍ୟଥା ଉତ୍ତାରି ଦେଇଥିଲି ମୋ ଜୀବନର ପ୍ରଥମ ଚିଠିରେ । ଆସନ୍ତୁ ଏବଂ ପଢନ୍ତୁ ମୋ କଅଁଳ ଶୈଶବର ବ୍ୟଥା ବେଦନା ଅଭିଯୋଗ ଭର୍ତ୍ତି ଚିଠିଟି । ଚିଠିଟି ଏମିତି ଥିଲା ।

ପରମ ପୂଜନୀୟ ବାପା;

ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ଦେଇ, ଭାଇ ଓ ମାଆର ପ୍ରଣାମ ଜାଣିବେ । ଜେଜେ ଜେଜିମାଆଙ୍କ ଶୁଭାଶିଷ ତୁମକୁ ।

ବାପା ! ମୁଁ ଜନ୍ମ ହୋଇ ନଥିଲି ତୁମେ କୁଆଡ଼େ ମରିଗଲ । ଲୋକେ ମରନ୍ତି କାହିଁକି ? ମଲେ କୁଆଡ଼େ ଯାଆନ୍ତି ? ମଲାଲୋକ ଫେରି ନଆସିବା କାରଣ କଣ ? ତୁମର କଣ କେବେ ଇଛା ହୁଏନାହିଁ ମୋତେ ଦେଖିବାକୁ ? ମୋର କିନ୍ତୁ ଭାରି ଇଛାହୁଏ ତୁମକୁ ଦେଖିବାକୁ । ତୁମ ସହ ହାଟ, ବଜାର, ପାର୍କ, ବିବାହ ବ୍ରତ ଓ ବନ୍ଧୁ ଘରକୁ ଯିବାକୁ । ଶିବା ଯେମିତି ତା ବାପା ବାଇକ୍ ଆଗରେ ବସିକି ଯାଏ ସେମିତି ମୋର ବି ଇଛା ହୁଏ ତୁମ ବାଇକ୍ ଆଗ ଟାଙ୍କି ଉପରେ ବସି ବୁଲିବାକୁ ।

ମୋ ସାଙ୍ଗ ଇଲି, ସୋନା, ବିଜୁ, ରକି, ଟାଟାଙ୍କର ବାପା ସେମାନଙ୍କ ସହ ଅଛନ୍ତି । ତୁମେ କେମିତି ମରିଗଲ ? ମାଆ କୁହେ ହେଇଟି ସେଇ ଯେଉଁ ବଡ଼ ତାରାଟି, ସେ ତୋ ବାପା । ଆକାଶରେ କେତେ ତାରା । ମୋର ଭୁଲ୍ ଭାଲ୍ ହୋଇଯାଏ କେଉଁ ତାରା ତୁମେ ଚିହ୍ନିବାକୁ । ସାର୍ କହୁଛନ୍ତି ତୁମେ ଠାକୁରଙ୍କ ପାଖକୁ ଯାଇଛ । ଲୋକେ ତ ତାଙ୍କ ପରିବାର ସହ ଠାକୁରଙ୍କ ପାଖକୁ ଯାଆନ୍ତି । ତୁମେ କେମିତି ଏକା ଚାଲିଗଲ ? ବଡ଼ ଲୋକମାନେ ଏମିତି କରନ୍ତି ? ଗଲ ଯଦି ଆମ ସମସ୍ତଙ୍କୁ ସାଙ୍ଗରେ ନେଇ ଯାଇଥିଲେ କେତେ ଭଲ ହୋଇଥାନ୍ତା କୁହ ତ ? ତୁମେ ଭଲ କଲନାହିଁ ବାପା ।

ମୁଁ ତୁମକୁ କେତେ ଖୋଜେ ଜାଣିଛ ? ଠାକୁରଙ୍କ ଘର କେଉଁଠି ବାପା ? ଜଗନ୍ନାଥ ତ ଠାକୁର । ତାଙ୍କ ଘର ପୁରୀ । କାଇଁ ଜେଜେ ଓ ଜେଜିମାଆ ପୁରୀ ଯାଇଥିଲେ ତୁମକୁ ସାଙ୍ଗରେ ଆଣିଲେନି ତ ? ଯେତେବେଳେ ଜେଜେଙ୍କୁ ପଚାରିଲି ‘ପୁରୀରେ ମୋ ବାପା ଥିବେ ତାଙ୍କୁ ଆଣିଲନି ? ” ଜେଜେ ସହ ସମସ୍ତେ କାନ୍ଦିଲେ । କହିଲେ ତୁମକୁ କୁଆଡ଼େ ପୁରୀରେ ସେମାନେ ପାଇଲେ ନାହିଁ । ତୁମେ ଠାକୁରଙ୍କ ପାଖରେ ନରହି ଏଣେତେଣେ ବୁଲୁଛ ନା କଣ ? ପିଲାଧରା ଅଛନ୍ତି ବାପା… ତୁମକୁ ଧରିନେବେ । ମୁଁ ଖରାବେଳେ ନଶୋଇ କୁଆଡ଼େ ବୁଲିବାକୁ ଗଲେ ଜେଜେ କୁହନ୍ତି, “ଯାଆନାରେ ‘ଆଶୁ’ ପିଲାଧରା ମାତିଛନ୍ତି, ତୋତେ ନେଇଯିବେ ।” ବାପା ତୁମେ କଣ ମୋ ପରି ଦୁଷ୍ଟ ପିଲା କି ଏଣେତେଣେ ବୁଲ ?

ମୋ ସାଙ୍ଗ ଟାଟାର ଜନ୍ମ ଦିନରେ ତା ବାପା ତା ପାଇଁ ନୂଆ ସାର୍ଟପ୍ୟାଣ୍ଟ, ଗପ ବହି, ଖେଳନା ସହ କେତେକେତେ ତା ମନପସନ୍ଦ ଜିନିଷ ଆଣନ୍ତି । ତାକୁ ସକାଳୁ ସକାଳୁ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧାଇ ମନ୍ଦିର ନେଇ ପୂଜା କରନ୍ତି । ଘର ବେଲୁନ୍ ରେ ସଜାନ୍ତି । ଗାଁର ସବୁ ପିଲା ଓ ସ୍କୁଲର ତା ବନ୍ଧୁମାନଙ୍କୁ ଡାକି ପୁରୀ, ଡାଲମା, କ୍ଷୀରି ଓ ମିଠା ଭୋଜି କରି ଖାଇବାକୁ ଦିଅନ୍ତି । କେକ୍ କଟା ହୁଏ । ସତ୍ୟ ନାରାୟଣ ପାଲା ବି ହୁଏ । ଏସବୁ ଦେଖି ମୋର କଣ ଇଛା ହୁଏ ଜାଣିଛ ବାପା ? ତୁମେ ଥିଲେ ମୋ ଜନ୍ମଦିନ ଏହାଠାରୁ ଆହୁରି ଭଲ କରି ପାଳିଥାନ୍ତ ।

ମୋ ଜେଜେମାଆ ସେଇ ଯେଉଁ ଚେଣ୍ଟେଇ ବୁଢୀଟା ତୁମ ବୋଉ ବା ମୋତେ ସବୁବେଳେ ଚିଡ଼େ । ମୋ ନାଁ ଧରି ନଡାକି ଡାକେ ହତଭଗା । ତାର ମୋର ଟିକେ ବି ପଡ଼େନି । ମୁଁ କୁଆଡ଼େ ତୁମକୁ ଖାଇଛି । ମାଆ ପେଟରେ ଥିଲାବେଳେ ତୁମକୁ କଣ ରୋଗ ହେଲା ତୁମେ ମଲ । ତୁମେ କଣ ଖାଇବା ଜିନିଷ ହୋଇଛ ମୁଁ ତୁମକୁ ଖାଇବି ? ଏ ଜେଜେମାଆଟା କେମିତି ଏ କଥା ମୋତେ କୁହେ କହିଲ ? କେବେଥରେ ଆସି ତାକୁ ବୁଝେଇ ଦେଇଯାଅ ଯେ ମୁଁ ନୁହେଁ ରୋଗ ତୁମକୁ ଖାଇଛି । ନାଇଁନାଇଁ ଭୁଲ୍ କହିଲି ଗଞ୍ଜେଇ ତୁମକୁ ଖାଇଛି । ମାଆ କୁହେ ଗଞ୍ଜେଇ ଗୋଟେ କଣ ନିଶା ଅଛି । ସେଇୟାକୁ ଟାଣିଟାଣି ତୁମ ପେଟ ଭିତରେ କଣ ହେଲା ଓ ତୁମେ ମଲ ।

ଚିଡ଼ିଲେ ବି ଜେଜିମାଆ ବେଳେବେଳେ ମୋତେ ଧରି ହତଭଗାଟା ଏକାବେଳେକେ ବୋପା ଦିହ, ମୁହଁ, ରଙ୍ଗ ଓ ଗୁଣ ଛଡ଼େଇ ଆଣିଛି କହି ଗେଲ କରିବ । ଅମୁଟା ମୋର ପିଲାବେଳେ ଠିକ୍ ତୋରି ପରି ଦିଶୁଥିଲାରେ ହତଭଗା । ବାପା କହିଲ ତୁମ ବୋଉର ଏ କି ଭଲ ପାଇବା; ରାଗିବ, ଚିଡ଼ିବ ପୁଣି ଗେଲ କରିବ ? ଜେଜେ କିନ୍ତୁ ମୋତେ ଭାରି ଭଲପାଆନ୍ତି । କୁହନ୍ତି, ମୋ ଅମୁ ପୁଣିଥରେ ମୋ କୋଳରେ ଆଶୁ ହୋଇ ଜନ୍ମ ହୋଇଛି । ସତରେ କଣ ମୁଁ ତୁମ ପରି କି ବାପା ? ହଉ ବଡ଼ ହୋଇଯାଏ ଗୋଟେ ଫଟୋ ଉଠେଇ ତୁମ ଫଟୋ ସହ ମିଳେଇ ଦେଖିବି ମୁଁ ତୁମ ପରି କି ନୁହେଁ ।

ଗୋଟେ କଥା ବାପା ମୁଁ ତୁମ ପରି ସବୁଥିରେ ଦିଶିପାରେ ମାତ୍ର ତୁମ ପରି ଜମା ଗଂଜେଇ କି ନିଶାପାଣି ଖାଇବି ନାହିଁ କି ସମସ୍ତଙ୍କୁ ଦୁଃଖ ଦେଇ ଠାକୁରଙ୍କ ପାଖରେ ନିଶ୍ଚିତ ହୋଇ ରହିବି ନାହିଁ । ପକ୍କା ।

ବାପା ତୁମେ ଜଣେ ବୁଝିଲାଶୁଝିଲା ମଣିଷ ଥିଲଟି ? ମାଆ କୁହେ ଗଞ୍ଜେଇ ଟାଣିବାଟା ଛାଡ଼ିଦେଲେ ଆଉ ସବୁ ଗୁଣ କୁଆଡ଼େ ତୁମର ଭାରି ଭଲ । ଭଲ ପୁଣି ବଡ଼ ମଣିଷ ଗଞ୍ଜେଇ ଖାଉଥିଲ କାହିଁକି ? ଦେଖିଲଟି ସେ ଶେଷରେ ତୁମକୁ କେମିତି ଖାଇଦେଲା ? ଦୟାକରି ଆଉ ଗଞ୍ଜେଇ ଖାଇବ ନାହିଁ ।

ପ୍ରତି ବର୍ଷ ଆମ ଗାଁ ପାଖେ ଜାଗରରେ ସ୍କୁଲ ପଡ଼ିଆ ମଶାଦେବଙ୍କ ପାଖେ ସାତ ଦିନ ଧରି ଯାତ ହୁଏ । ଗୁଡ଼ାଏ ଦୋକାନ ବଜାର ବସେ । ସାତ ଦିନ ଯାକ ଟିକେଟ ସେଲ ଯାତ୍ରା ହୁଏ । ପାଲା ବି ସନ୍ଧ୍ୟାବେଳେ ହୁଏ । ସେ ସମୟରେ ଆମ ଗାଁର ସବୁ ବନ୍ଧୁବାନ୍ଧବ ତାଙ୍କ ବନ୍ଧୁମାନଙ୍କ ଘରକୁ ଆସନ୍ତି ଯାତ୍ରା ଦେଖିବା ପାଇଁ । ବିଦେଶରେ ଚାକିରି କରିଥିବା ଲୋକେ ବି ଏଇ ଜାଗର ଯାତକୁ ଆସନ୍ତି । ଆମ ଗାଁ ଲୋକବାକରେ ଭର୍ତ୍ତି ହୋଇଯାଏ । ସବୁ ବର୍ଷ ଜାଗରକୁ ମୁଁ ଅନେଇଁ ବସିଥାଏ କାଳେ ତୁମେ ଆସିବ ବୋଲି । ତୁମେ କିନ୍ତୁ ଆସ ନାହିଁ । ଏ କଣ ଠିକ୍ କଥା ଠାକୁରଙ୍କ ପାଖେ ରହିବ ବୋଲି ନିଜ ଗାଁ ଯାତ୍ରା କଥା ଭୁଲିଯିବ ?

ମୋ ମନ ଭାରି ଦୁଃଖ ହୁଏ । ମୋର ସବୁ ସାଙ୍ଗମାନେ ଲୋକଗହଳି ଭିତରେ ଚାଲି ନପାରି ତାଙ୍କ ବାପାଙ୍କ କାନ୍ଧରେ ବସି ଯାତରେ ବୁଲନ୍ତି । ମୁଁ କିନ୍ତୁ ଜେଜେଙ୍କ ହାତ ଧରି ସେ ଭିଡ଼ରେ ଯାଏ । ମୋ ଜେଜେ ସହ ମୋତେ ଲୋକମାନେ ଠେଲିପେଲି ପକାନ୍ତି । ସେଠି ବି ତୁମେ ମନପଡ଼ । ତୁମେ ଥିଲେ ତୁମ କାନ୍ଧରେ ରାଜାଙ୍କ ପରି ବସି ଯାତ ଦେଖିବା ମଜା ନେଇଥାନ୍ତି । ମୁଁ ଯାହା କହିଥାନ୍ତି ତୁମେ କିଣି ଦେଇଥାନ୍ତ । ତୁମ ବାପା ଏ ନିଗିଧା ବୁଢା ମୋ ଜେଜେ ଗୋଟିଏ ବି ଖେଳନା ଦିଅନ୍ତି ନାହିଁ । ବନ୍ଧୁକଟିଏ କିଣିବାକୁ ଭାରି ମନ । ମୋ ପସନ୍ଦ ବନ୍ଧୁକ, ଗୁଡ଼ାଏ ଟଙ୍କା ପଡ଼ିବ ବୋଲି ଜେଜେ ମୋତେ ହାକ୍ ବାକ୍ ତୋରା କାଢ଼ନ୍ତି । ତୁମେ ଥିଲେ ସେ ବନ୍ଧୁକଟି ଅନ୍ତତଃ ଦେଇଥାନ୍ତ ।

ବନ୍ଧୁକ ନେଇ ଠାଏଠାଏ ଫୁଟାଇବା ଶିଖି ଥାଆନ୍ତି । କାହିଁକି କୁହ ତ ? ଜାଣିନ ? ତୁମେ କେମିତି ଜାଣିବ ? ତୁମେ ସିନା ମୋ ସାଙ୍ଗ ହେଉଥିଲେ ଜାଣିଥାନ୍ତ ! ଟାଟା ମୋ ସାଙ୍ଗ ଜାଣିଛି । ହେଇଟି କାନ ଦେଖାଅ ଚୁପ୍ କି କହିବି; “ମୁଁ ସୈନିକ ହେବି ପା ।” ମାଆ ସୈନିକ ହେବି କହିଲେ ଡରେ । ମୋ ସୈନିକ ହେବା କଥା ମାଆକୁ କହିବ ନାହିଁ ।

ଆଉ ସେଦିନ ଯେଉଁଦିନ ସ୍କୁଲରେ ମୋ ନାଁ ଲେଖା ହେଲା । ବହୁତ ଖୋଜିଛି ତୁମକୁ ସେଦିନ । ସମସ୍ତେ ତାଙ୍କ ବାପାଙ୍କ ସହ ଆସିଥିଲେ । ମୁଁ କିନ୍ତୁ ଆସିଥିଲି ଜେଜେଙ୍କ ସହ । ସାର୍ ଯେତେବେଳେ ପଚାରିଲେ, ତୁମ ନାଁ କଣ ?

ଆଶିଷ ସ୍ଵାଇଁ ।

ବାପାଙ୍କ ନାମ ?

ଅମର ସ୍ଵାଇଁ ।

ସେଦିନ ଅମର ସ୍ଵାଇଁ ଜାଗାରେ ଜେଜେ ଅଭିଭାବକ ହୋଇ ଦସ୍ତଖତ କଲେ ।

ସବୁ ପ୍ୟାରେଣ୍ଟସ ମିଟିଂରେ ସମସ୍ତଙ୍କ ବାପା ଆସିଲାବେଳେ ମୋ ଜେଜେ ଆସନ୍ତି । ସାର୍ କହିବାରୁ ଏବେ ଜେଜେ ନଆସି ମାଆ ଆସୁଛନ୍ତି ।

ଥରେ ସାର୍ କହୁଥିଲେ ଅମର ମାନେ ଯିଏ ମରେ ନାହିଁ । ତୁମେ କେମିତି ମଲ ବାପା ?

ମୋ ସାଙ୍ଗ ସୋନା ବାପା ଭୁବନେଶ୍ୱରରେ ଚାକିରି କରନ୍ତି । ତା ପାଇଁ ସେ ଗୋଟେ ମୋଟା ଚକଲଗା ଚମତ୍କାର ସାଇକେଲଟିଏ ଆଣିଛନ୍ତି । ତା ପଛ ଚକରେ ସାନ ସାନ ଦିଇଟା ଚକ ଲାଗୁଛି । ସିଟ୍ ଉପରେ ବସି ଚଲେଇଲେ ବି ପଡ଼ିଯିବା ଭୟ ନାହିଁ । ଗାଁ ରାସ୍ତାରେ ସୋନା ସାଇକେଲଟି ଚଲାଇ କିରି କିରି ବାଜେ । ମୁଁ ତା ସାଇକେଲ ପଛରେ ଦଉଡ଼େ । ସେତିକିବେଳେ ମୋ ମନ ତୁମକୁ ଖୋଜେ ବାପା । ତୁମେ ଥିଲେ ମୋ ପାଇଁ ବି ଏମିତି ସାଇକେଲଟିଏ ଆଣିଥାନ୍ତ ।

ଗାଁକୁ ଆଇସିକ୍ରିମ ବାଲା ଆସିଲେ ସମସ୍ତେ ଦାମିକା ଆଇସିକ୍ରିମ ଖାଇଲାବେଳେ ମୁଁ ଦୁଇ ଟଙ୍କିଆ ଆଇସିକ୍ରିମ ଖାଏ । ସେପୁଣି ମାସକରେ ଥରେଅଧେ । ତୁମେ ଆସିଲେ ମୋ ପାଇଁ ଭଙ୍ଗା ପାନ ପରି କଣ ତା ନାଁ ତ … ହଁ କୋନ୍ ଭଳି ଛଅଟି ଦାମିକା ଆଇସିକ୍ରିମ ଆଣିବ ଯେ ଆମେ ସମସ୍ତେ ଗୋଟିଏ ଗୋଟିଏ ବହୁ ସମୟ ଧରି ଚାଟି ଚାଟି ଖାଇ ବୁ।

ମୋ କଥା ଛାଡ଼ । ମୁଁ ତ ପ୍ରତି ମୁହୂର୍ତ୍ତରେ ତୁମକୁ ଖୋଜେ । ତୁମ କାନ୍ଧ ଖୋଜେ ଯାତରା କି ଭିଡ଼ରେ ବୁଲିବା ପାଇଁ; ପିଠି ଖୋଜେ ଘୋଡ଼ା କରିବା ପାଇଁ ; ଆଙ୍ଗୁଳି ଲୋଡ଼େ ଧରି ଚାଲିବି ବୋଲି । ତୁମ ସ୍ନେହପ୍ରେମ ଖୋଜେ ଗେଲ ହେବା ପାଇଁ । ଘର ପାଠ ପଢେଇ ଦେବା ପାଇଁ ହେଉ କି ସାଇକେଲ ଧରି ଶିଖାଇବା ସବୁ କଥାରେ ତୁମକୁ ଖୋଜେ ବାପା । ଜଣେ ପୁଅ ପାଇଁ ବାପା କଣ ମୋତେ ପଚାରିଲେ ବୋଧେ ଠିକ୍ ଉତ୍ତର ଦେଇପାରିବି ।

ସବୁଠାରୁ ବେଶୀ କଷ୍ଟ ଲାଗେ ମୋ ବଡ଼ବୋଉ ସାବିତ୍ରୀ ଓଷା କରେ; ନୂଆ ଶାଢ଼ୀ ଚୁଡ଼ି ଓ ସିନ୍ଦୁର ପିନ୍ଧେ କିନ୍ତୁ ମୋ ମାଆ ଏ ଓଷା କରେ ନାହିଁ !! ବଡ଼ବୋଉ ପରି ସେ ସିନ୍ଦୁର ଲଗାଏ ନାହିଁ କି ନାଲି ନାଲି ଚୁଡ଼ି ପିନ୍ଧେ ନାହିଁ । ତା ଗୋଡ଼ରେ ପାଉଁଜି ବି ନାହିଁ । ସେ କେବେ ଅନ୍ୟମାନଙ୍କ ପରି ସଜବାଜ ହୁଏ ନାହିଁ ! ମୋ ମାଆ ଚୁଡ଼ି ସିନ୍ଦୁର ଲଗାଇବ ଜିଦ୍ ଧରିଲେ ମୋତେ ସମସ୍ତେ ମାରନ୍ତି ଓ କାନ୍ଦନ୍ତି । କୁହନ୍ତି ତୋ ବାପା ପରା ନାହିଁ ମାଆ କେମିତି ଚୁଡ଼ି ସିନ୍ଦୁର ଲଗାଇବ !

ଇଏ କେମିତି କଥା ବାପା ? ତୁମେ ଯଦି ଗଲ ସାଙ୍ଗରେ ମୋ ମାଆ ସିନ୍ଦୁର ଚୁଡ଼ି କାହିଁକି ନେଇଗଲ ? ମୋତେ ମୋ ମାଆ ଖାଲି ମଥା କି ଖାଲି ହାତ ଜମାରୁ ଭଲ ଲାଗେନାହିଁ । ପାରିବ ଯଦି ଏସବୁ ମୋ ମାଆକୁ ଫେରେଇ ଦେଇ ଯିବ । ମୋ ପାଇଁ ବନ୍ଧୁକ, ସାଇକେଲ, କେକ୍ କି ଭଲମନ୍ଦ ଜିନିଷ ବରଂ ନଦିଅ; ଦେବ କିନ୍ତୁ ମାଆ ପାଇଁ ଚୁଡ଼ି ଓ ସିନ୍ଦୁର।

ହଁ ଆଉ ଗୋଟେ କଥା । ମାଆ ରାତି ଅଧରେ ତୁମ ଫଟୋ ଧରି ବହୁତ କାନ୍ଦେ । କେହି ଦେଖି ନାହାଁନ୍ତି । ମୁଁ ଏକା ଦେଖିଛି । ଦେଇ ଓ ଭାଇ ଜେଜେମାଆ ପାଖେ ଶୁଅନ୍ତି । ମୁଁ ମାଆ ପାଖେ ଶୁଏ । ଗୋଟେଗୋଟେ ରାତି ମାଆ କାନ୍ଥକୁ ଆଉଜି ତୁମ ଫଟୋ ଧରି ରାତି ପୁହାଇ ଦିଏ । ପଚାରିଲେ କୁହେ, ନିଦ ଲାଗୁନାହିଁ । ତୋ ବାପା ମନେ ପଡୁଛନ୍ତି । ମାଆ ତୁମକୁ ଏତେ ମନେ ପକାଏ । ତୁମର କଣ ମାଆ ଆଦୋୖ ମନେପଡ଼େ ନାହିଁ ?

ମୋ ଦେଇ, ଭାଇ ଓ ମୋତେ ସମସ୍ତେ ବାପଛେଉଣ୍ଡ ଛୁଆ କୁହନ୍ତି । କେଉଁଠି ଟିକେ ଭୁଲ୍ କଲେ କୁହନ୍ତି ବାପା ନଥିବା ଛୁଆ ଶିଖିବେ କେଉଁଠୁ ? ତୁମ ବିନା ଜେଜେ, ଜେଜିମାଆ, ମୋ ଦେଇ, ଭାଇ ଓ ମାଆ ଭାରି ଦୁଃଖ ପାଉଛନ୍ତି । ରୋଜଗାର ନାହିଁ ବୋଲି ଆମେ ଭଲ ଖାଇବା କି ପିନ୍ଧିବା ଭଲରେ କରି ପାରୁ ନାହୁଁ। ଜେଜେ ବୁଢା ଲୋକ କେତେ ଖଟିବେ ? ତୁମେ ମରି ଆମ ସମସ୍ତଙ୍କୁ ଦୁଃଖ ହିଁ ଦେଇଗଲ ।

ବାପା ଏ ବର୍ଷ ମୁଁ ତୃତୀୟ ଶ୍ରେଣୀରେ ଫାଷ୍ଟ ହୋଇ ଚତୁର୍ଥ ଶ୍ରେଣୀକୁ ପାସ୍ କରିଛି । ସାର୍ କହିଛନ୍ତି ଦୁଇଶହ ଟଙ୍କା ପଠେଇଲେ ଚତୁର୍ଥ ଶ୍ରେଣୀ ବହି ଖାତା କିଣାହେବ । ତୁମ ସହ ଦେଖା ହେଲେ ଆହୁରି କେତେ କଣ ଅଛି କହିବି । ଆଜି ଏତିକି । ଆମେ ସମସ୍ତେ ଏଠାରେ ଭଲରେ ଅଛୁ । ତୁମେ ସେଠାରେ ମାଆଙ୍କ କୃପାରୁ ଭଲରେ ଥିବ । ଚିଠି ପାଇଁ ଚିଠି ଦେବ। ତୁମ ଅପେକ୍ଷାରେ ରହୁଛି ।

ଇତି

ତୁମକୁ ଆଦୌ ଦେଖି ନଥିବା ତୁମ ପୁଅ
ଆଶୁ ।

ଜଗତସିଂହପୁର

ଲେଖକ ପରିଚୟ

ଜଣେ ବିଦଗ୍ଧ ପାଠକ କହିଲେ ବେଶି ଠିକ ହେବ । ଜୀବନ, ଜଗତ ଓ ଜିଇଁବାକୁ ଲେଖେ । ଏଯାବତ ୮ ଖଣ୍ଡ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶିତ ହୋଇଛି ଏବଂ ଡିଜିଟାଲ ସାହିତ୍ୟ ପୋର୍ଟାଲ “ପ୍ରତିଲିପି”ରେ ଏକ ଧାରାବାହିକ ଉପନ୍ୟାସ ଲେଖି ପ୍ରଥମ ସ୍ଥାନ ଅଧିକାର କରିଥିଲି । ବାରମ୍ବାର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଲା ପରେ ସେମାନେ “ସାରସ୍ଵତ ଗାଳ୍ପିକା ସମ୍ମାନ”ରେ ମଧ୍ୟ ଭୂଷିତ କରିଛନ୍ତି ।

Leave a Reply

Your email address will not be published. Required fields are marked *