ସୁପ୍ରିୟା ପ୍ରଶାନ୍ତ
କବିତା ପାଠ ସ୍ଥାନରେ ଜଣ ଜଣ କରି ଆମେ ପହଞ୍ଚିଗଲୁଣି। ପ୍ରେମ କବିତାରେ ରାତି ରାତି ବୁଡିରହୁଥିବା କବିସ୍ୱରୂପା ଦେବୀ ମଧ୍ୟ ତାଙ୍କ ମେଳିରେ ଆସି ପହଞ୍ଚିଲେ। ଆଜି ତାଙ୍କର ପ୍ରଥମ କବିତା ବହି “ସାରା ଦେହରେ କଣ୍ଡୁ” ମଧ୍ୟ ଉନ୍ମୋଚନ ହେବାର ଅଛି। ମୋଟ ସତର ଜଣଙ୍କୁ ନେଇ ଆମର ଏଇ ଅନ୍ତରଙ୍ଗ ଆସର।
ସମକାଳର ପ୍ରସିଦ୍ଧ କବି ଯଯାତି ପ୍ରସାଦ “ସାରା ଦେହରେ କଣ୍ଡୁ” ବହି ଉନ୍ମୋଚନ କରି ସ୍ୱରୂପାଙ୍କ ବିସ୍ମୟକର ପ୍ରତିଭାର ଉଚ୍ଛ୍ୱସିତ ପ୍ରଶଂସା କରି ନିଜ ଚିନ୍ତନ ଉପସ୍ଥାପନ କଲେ—“ସ୍ୱରୂପାଙ୍କର କାବ୍ୟିକ ରସାତଳ ରହସ୍ୱମୟ ଚିରହରିତ୍ ଉପତ୍ୟକାର ଦେହ ବିଦେହ ଆତ୍ମା ପରମାତ୍ମା ସଂଯୋଗ ବା ବିଲୀନ ନୁହେଁ ବରଂ ବିଚ୍ଛେଦର ରାଗ ସନ୍ଧ୍ୟାର ଆଗମନ ଓ ଦିନକରଙ୍କର ପ୍ରତ୍ୟାବର୍ତ୍ତନ ତଥା ବିଶ୍ୱମନସ୍କତା ଅପୂର୍ବ ଅଦ୍ଭୁତ କ୍ଷିତି ବ୍ୟୋମ ଓ ଆଲୋକର
ସନ୍ଧାନରେ କାଳ କାଳାନ୍ତର ପ୍ରତିବିମ୍ବିତ।”
ସ୍ୱରୂପା ନିଜ ବହିରୁ କବିତାଟିଏ ପଢି ଶେଷ କଲେ—
ଜୀବନ ମରୁବାଲି, ତୁମ ହସ ଅମୃତର ସ୍ପର୍ଶ,
ମୁଁ ବିରହିଣୀ ଅନ୍ଧାରରେ, ତୁମ ଅପେକ୍ଷାରେ।
ନାମକରା ହାକିମ ତଥା ପ୍ରେମ ଓ ବିଦ୍ରୋହର ବର୍ଷୀୟାନ୍ କବି ଅନାମ ଦାସ ଗଳା ଝାଡି ମନ୍ତବ୍ୟ
ଦେଲେ—“ପ୍ରେମ ହୃଦୟର ଅବ୍ୟକ୍ତ ଉଚ୍ଚାରଣ। ଅପ୍ରେମକୁ ପ୍ରେମ ଭାବିବା କେବଳ ଆତ୍ମପ୍ରବଞ୍ଛନା। କବି ସ୍ୱରୂପାଙ୍କ କବିତାର ପ୍ରତି ଶବ୍ଦ ଏହି ସତ୍ୟ ଘୋଷଣା କରେ।”
ଦେବୀ କେବଳ କହିଲେ—“ଶ୍ୟାଆଆଆଆର୍।” (ଏମିତି ଶାସ୍ତ୍ରୀୟ ଢଙ୍ଗରେ “ଶ୍ୟାଆଆଆଆର୍” ଉଚ୍ଚାରଣ ଏକ ପ୍ରକୃତି ଦତ୍ତ କଳା। ଆମ ଭଳି ଅଧମମାନଙ୍କୁ ଏମିତି ଉଚ୍ଚାରଣ କରିବାକୁ ହେଲେ ଜିହ୍ୱାକୁ ତଳମାଢିରେ ପୁରାଇ, ତଳ ଓଠ ନହଲାଇ ବାରମାସ ବାରଦିନ ସକାଳେ ଓ ସନ୍ଧ୍ୟାରେ ଖାଲିପେଟରେ ଅଭ୍ୟାସ କଲେ ଏହି କଳାକୁ କିଛିଟା ଆୟତ୍ତ କରିବା ସମ୍ଭବ।)
ସ୍ୱରୂପା ଦେବୀ ଖୁବ୍ କମ୍ ଦିନରେ ସାହିତ୍ୟିକ ମହଲରେ ନିଜର ଏକ ପରିଚିତି ଗଢିପାରିଛନ୍ତି। ସେ କେମିତି କବିତା ଲେଖା ଆରମ୍ଭ କଲେ ତାହା ବର୍ତ୍ତମାନ କିମ୍ବଦନ୍ତୀ। ତାଙ୍କ ପଡୋଶୀ କବି ଗଦାଧର ଓରଫ୍ ଆମର ଅତି ପ୍ରିୟ ଗଦା, ମାନେ ଆଜିର ଉତ୍ସବର ଆୟୋଜକ, ବନ୍ଧୁତା ବଢେଇବାପାଇଁ ତାଙ୍କୁ ଆଜି ଭଳି ଗୋଟେ କବିତା ପାଠୋତ୍ସବକୁ ନିମନ୍ତ୍ରଣ କଲା। ମୁଖ୍ୟଅତିଥି ଓ ମୁଖ୍ୟବକ୍ତାଙ୍କୁ ଟିକେ ଫୁଲତୋଡା ଦେଇ ସ୍ୱାଗତ କରିବା ଦାୟିତ୍ୟବି ତାଙ୍କୁ ସମର୍ପିଲା। ସ୍ୱାମୀ ଓ ପିଲାମାନେ ଫେରିବା ବେଳକୁ ତ ପ୍ରାୟ ସନ୍ଧ୍ୟା, ଦିନବେଳେ ଟିକେ ସମୟ କଟିଯିବ
ଭାବି ଦେବୀ ସବିନୟ ନିମନ୍ତ୍ରଣ ଗ୍ରହଣ କଲେ।
ସଭା ଶେଷରେ ମୁଖ୍ୟଅତିଥି ଅନାମ ଦାସ ବିଦାୟନେବା ପୂର୍ବରୁ ଦେବୀଙ୍କୁ ପଚାରିଲେ—“ତୁମେ ଏତେ ସୁନ୍ଦର, କବିତା କାହିଁକି ଲେଖୁନ?”
“ଶ୍ୟାଆଆଆଆଆର୍, ମୁଁ କିଏ, କବିତା କିଏ, ମୋର ବା କଣ ଅଭିଜ୍ଞତା?” ଦେବୀ ସେଇ ମୁହୂର୍ତ୍ତରେ ଲଜ୍ଜାର ନଦୀଟେ ହେଇ ଆମ ସମସ୍ତଙ୍କ ହୃଦୟରେ ବହିଗଲା ଭଳି ମନେ ହେଲା।
“ତୁମେ ହିଁ କବିତାର ସାକାର ରୂପ!” କବି ଅପଲକ ନୟନରେ ଥରେ ଦେବୀଙ୍କୁ ଓ ତାଙ୍କୁ ଘେରିଥିବା ଆମଭଳି ମାନବଙ୍କୁ ଚାହିଁଲେ। “ଇଂରାଜୀ କବି କିଟ୍ସ୍ କହିଥିଲେ—ସୌନ୍ଦର୍ଯ୍ୟ ହିଁ ସତ୍ୟ, ସତ୍ୟ ହିଁ ସୌନ୍ଦଯ୍ୟ।” ଦେବୀଙ୍କର ପିଠି ଥାପୁଡେଇ କବି ଅନାମ କହିଲେ। ଦେବୀ ତାଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରିଲେ। ବିଚରା ଗଦା ମୁହଁଟା ପୁରା ଲୁଣି ଶୁଖୁଆ। ତଥାପି ନିଜ ଗାଁ ସାଆନ୍ତ ହେଇଥିବାରୁ, ଗଦା ତାଙ୍କୁ ଗାଡି ପର୍ଯ୍ୟନ୍ତ ଚିର ଆନୁଗତ୍ୟର ସ୍ୱର “ସାରେ, ସାରେ, ସାରେ” ଲମ୍ବେଇ ବାଟ କଢେଇନେଲା। ସେ ଯାହେଉ, ଅସଲ କଥା ହେଲା, ସେଇ ଦିନଠୁ ଦେବୀଙ୍କୁ କବିତା ସଂକ୍ରମଣ କଲା ଓ ଯାହା କୁହାଯାଏ, “ତାପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି।”
ବର୍ତ୍ତମାନ ଦେବୀ କହିଲେ, “ଆପଣ ହିଁ ମୋର ପ୍ରେରଣା।” କବି ଅନାମ ଦାସ ସ୍ଥିରଚିତ୍ତରେ ପ୍ରଶଂସା ମଧୁ ପାନକରିବାପରି ମନେ ହେଲେ। ପାଖରେ ବସିଥିବା ସାହିତ୍ୟ ବିଦ୍ୱାନ ଆଲୋକ ବାବୁ ମୃଦୁ ହସରେ ନିଜର ଈର୍ଷାଚାପିବାକୁ ଚେଷ୍ଟା କଲେ। କିନ୍ତୁ ଚୁପ୍ ରହିଲେ ଚଳିବନି! “ଶୁଣ, ସ୍ୱରୂପା (ନାଁ ଧରି କହିଲେ ବେଶୀ ପ୍ରଭାବଶାଳୀ
ହୋଇଥାଏ), କୃଷ୍ଣସିଂହ ମହାଭାରତରେ କୁହାଯାଇଛି—“କେତେ ନାରୀ ହୋଇଣ କାମରେ ଲମ୍ପଟ, ପାଖେ ଥାଇ ପକାଉଛନ୍ତି ଆଲଟ।” ତୁମ କବିତାରେ ମୁଁ ସେଇ ଝଲକ୍ ଦେଖି ପାରୁଛି।” ଦେବୀ ସଭକ୍ତି ନମସ୍କାର କଲାରୁ ବିଦ୍ୱାନ ଗଦ୍ ଗଦ୍ ହେଇ ପଡିଲେ ।
ଦେବୀଙ୍କ ପରେ ଆମେ ଜଣେ ପରେ ଜଣେ ସ୍ୱଲିଖିତ କବିତା ପଢିଲୁ ଏବଂ “ଭଲ”, “ହାତ ଧୀରେ ଧୀରେ ପାକଳ ହେବ”, “ଆହୁରି ସାଧନା ଜରୁରୀ” ଆଦି ମନ୍ତବ୍ୟ ଶୁଣି ନିଜ ଚୌକିକୁ ଫେରିଆସିଲୁ।
ଏଥର ଆମେ ସବୁ ନିଜ ସ୍ୱଭାବାନୁସାରେ ଛୋଟ ଛୋଟ ଦଳରେ ବିଭକ୍ତ ହେଇଗଲୁ। “ସିଝା ପରିବା ଝୋଳ ହେଇ ଆସୁଛି” କହି କବିତା ପାଠୋତ୍ସବକୁ ସାଫଲ୍ୟମଣ୍ଡିତ କରିଥିବାରୁ ଜଣ ଜଣ କରି ସମସ୍ତଙ୍କୁ ଧନ୍ୟବାଦଜଣାଇଲା ଗଦା। ଆମକୁ ଅକାରଣେ କିଛି ରୋଳା ନକରିବାକୁ ବି ଚେତେଇ ଦେଇଗଲା। କିନ୍ତୁ ଆମେ ଦି ଚାରିଜଣ ଆଉ କିଏ କହୁ ନକହୁ ନିଜକୁ “ବେପରୁଆ କଳାକାର” “ବୋହେମିଆନ୍” ବୋଲି ଭାବୁ। ଆମେ ମାନେ ଯାହା କବିତାରେ ନା ଅଛି “ବୀରତ୍ୱ” ନା “ଝଲକ୍”! ସନ୍ଧ୍ୟା ଟିକେ ଗାଢ ହେଲେ ହିଁ ଆମେ ବୃଦ୍ଧସାଧୁ ମାନେ ଓଲ୍ଡମଙ୍କଙ୍କ ସାନ୍ନିଧ୍ୟ ଖୋଜୁ। ଏବେ ତାଙ୍କ ପ୍ରଭାବରେ ଆମେ ମୁକୁଳା ଅନୁଭବ କଲୁ।
“ଚାଳିଶ ତ କେବେଠୁଁ ଟପିଲାଣି, ଦାଢି ତ ଲୁଣ ଆଉ ଗୋଲମରିଚ, ଅଥଚ ହାତ ମୋର ସେଇ ଶିଶୁ ହାତ!” ବବିଭାଇ ନିଜ ଦାଢି ଆଉଁସି ହାତକୁ ଚାହିଁ କହିଲେ।
“ଆଜିର କବିତାସବୁ ସ୍ମରଣୀୟ ହେଇ ରହିବ।” ମୁଁ କହିଲି ଯଦିଓ ମୁଁ ଗୋଟେ ଧାଡି ମନେ ପକେଇ
କହିପାରିନଥାନ୍ତି।
“ତୁ କବିତା ଲେଖା ଛାଡି ତାଳି ପକା।” ବବି ଭାଇ ହଠାତ୍ ଖୁବ୍ ଗୋଟେ ମହାଜାଗତୀକ ପ୍ରେରଣା ପାଇବା ଭଳି
ମନେ ହେଲା। ସେ କହିଲେ, “କି କବିତା ପଢିଛୁ ତୁ? କଣ ତୁ ବୁଝୁ? ମୁଁ ଯୋଉ ସବୁ କବିତା ଲେଖିନି, ସେସବୁ କଣ ତୁ ପଢିଛୁ?”
ମୁଁ ଅପରାଧୀ ଭଳି କୁଁ କୁଁ ହେଲି—“ନାଁ ଭାଇ, ମୁଁ ତ ପଢିନି।”
“ମୁଁ ଯୋଉ ସବୁ କବିତା ଲେଖିନି, ତୁ କଣ ପଢିଛୁ? ବାପଧନ, ମୁଁ ଜାଣେ ତୁ ପଢିନୁ। ତୁ ସେସବୁ କାଇଁ ପଢିବୁ? ତୁ
ଥରେ ଖାଲି ମୋର ସେ କବିତାଗୁଡା ପଢିଥାନ୍ତୁ, ଆଜି ଏସବୁ ସ୍ମରଣୀୟ ମନେ ହେଇନଥାନ୍ତା, ହୁଁ।” ବବି ଭାଇ
ଏକଦମ୍ କ୍ଷୁବ୍ଧ।
“ଭାଇ, ତୁମେ ରାଗନା। ତୁମେ ଯଦି ରାଗିବ, ମୁଁ କାନ୍ଦିବି। ମୁଁ ସତ କହୁଛି ମୁଁ କାନ୍ଦିବି।”
ମୁଁ କାନ୍ଦୁଣୁମାନ୍ଦୁଣୁ ହଉଛି ଗଦା ଡାକ ଦେଲା, “ଆଉ ଡେରି କରନାରେ, ମଣି! ଶୀଘ୍ର ଭୋଜନ କାମଟା ସାର।
ଖବରକାଗଜକୁ ଛବି ସମୟରେ ପଠେଇଲେ ତ ବାହାରିବ। ନହେଲେ କାଲି ସକାଳେ ସଫଳ ଆୟୋଜକ ବୋଲି ମୋତେ ଚାରିଟା ଲୋକ କି ଭାଉ ଦେବେ!”
ଲେଖକ ପରିଚୟ
ସୁପ୍ରିୟା ପ୍ରଶାନ୍ତ ଜାତୀୟସ୍ତରରେ ଜଣେ ପ୍ରତିଷ୍ଠିତ ଲେଖିକା ।
Supriya.prasanta@gmail.com
ବହୁତ୍ ସୁନ୍ଦର ଲେଖା ଗୁଡାକୁ ନେଇ ପ୍ରକାଶିତ ଏଇ ପତ୍ରିକା ବହୁତ ଭଲ ଲାଗିଲା। ଆଶା କରୁଛି ଆଗାମୀ ଦିନରେ ଆହୁରି ଅନେକ ବିଭାଗ କୁ ନେଇ ପ୍ରକାଶିତ ହେବ। ଅଭିନନ୍ଦନ ଜଣାଉଛି ଏଇ ଇ-ପତ୍ରିକାକୁ।