ନୀଳିମା ନିବେଦିତା

ଦେହଟେ ଅଛି ମାନେ
ଦହନ ଅଛି ନାନା ଜିଜ୍ଞାସାର

ଦେହଟେ ଅଛି ମାନେ
ଜୁଆର ଅଛି ଉଚ୍ଚାଟ ମନର

ଦେହଟେ ଅଛି ମାନେ
ଅଛି ଲୋଭ ଧାପେ, ମୋହରୁ ଚେନାଏ
ଅଛି ସ୍ୱଳ୍ପ ଭୟ, ଅଛି ବି ରାଗରୁ କେରାଏ

ଦେହଟେ ଅଛି ମାନେ
ଆପେ ଆପେ ମାୟା ଜାଲରେ
ଛନ୍ଦି ହୁଅନ୍ତି ହଜାରେ ସମ୍ପର୍କର ଗୁମାନ
ଛାଏଁ ଛାଏଁ ଧରା ଦିଅନ୍ତି
କେବେ ସୁଖ, କେବେ ଦୁଃଖର ଅଭିମାନ

ଦେହଟେ ଅଛି !
ହଁ, ଦେହଟେ ଅଛି ବୋଲି ତ
ଅତୀତ, ଇତିହାସ ଆଉ ସ୍ମୃତିର ଗୋଲକଧନ୍ଦା
ରୁଟ୍ କିନା କେତେବେଳେ କେମିତି
କାମୁଡ଼ି ଦିଏ ବି ଈର୍ଷାର ସେ ଧୂଳିଆ ଜନ୍ଦା

ଏଇ ଦେହ ହିଁ ଦେଉଳ, ପୂଜା ଘର
ଯେଉଁଠି ଚେକା ପାରି ବସିଥାଏ ଅହଂକାର
ମୁଁ ମୁଁ ଗୁଞ୍ଜରଣରେ ଅନବରତ କୋଳାହଳ
ପଞ୍ଚେନ୍ଦ୍ରିୟ, ଷଡ଼ ରିପୁ ଆଉ ମନର ବେତାଳ

ଦେହ ଦେଇ ବୋହୁଥାଏ
ଆଶାର ବୈତରଣୀ
ଦେହ ଦେଇ ପାରି ହୁଏ
‘ଚେତନା’ ଯେ ଅଗ୍ରଣୀ

ଦେହ ! ଦେହ ! ଦେହ !
ଦେହ ଭିତର ହିଁ ଅନ୍ଧାରରୁ ଅନ୍ଧାରତମ ଇଲାକା
ଯେଉଁଠି ଜୁଳୁ ଜୁଳୁ ଜଳୁଥାଏ
ଉର୍ଦ୍ଧ୍ଵଗାମୀ ହେବାକୁ ଉତ୍ସୁକ ଚେତନା’ର ଶିଖା

କେହିଜଣେ ଭାଙ୍ଗୁଥାଏ ଗଢୁଥାଏ
ଅହରହ
ଦେହର ଅଣୁ ପରମାଣୁ
ନାସା ପୁଟ ଦେଇ
ଛାଣୁଥାଏ ଜୀବନ’ର ରେଣୁ
ଦେହ, କେବଳ ଦେହ ହେଇଥିଲେ
ଚଳେଇ ନେଇଥାଆନ୍ତି ବୋଧ ହୁଏ
ବୋଧ ହୁଏ ବାଢି ଦେଇ ପାରିଥାଆନ୍ତି ତା ପାଇଁ
ସାତ ସୂର, ସାତ ରଙ୍ଗ, ଦଶ ଦିଗର ବେଣୁ

ଦେହ କିନ୍ତୁ ଗନ୍ତାଘର ଅନୁସରଣର
ନିର୍ଦ୍ଧିଷ୍ଟ ଢାଞ୍ଚାରେ ଆତଯାତ ହାନିଲାଭର
ଦେହ କହେ, ଫେରିବିନି ସହଜେ ପଞ୍ଚତତ୍ତ୍ଵକୁ
ହଁ, ଆଘାତ ହେଲେ ଅହଂକୁ
ଭାଙ୍ଗିଦେବି ନିଜକୁ, ଘେନିବି ଆତ୍ମଘାତକୁ ।

କଳିଙ୍ଗ ବିହାର, ଭୁବନେଶ୍ଵର

ଲେଖକ ପରିଚୟ

ନିଜକୁ ଯେତେବେଳେ ଖୁବ୍ ଅସହାୟ ମଣେ ଏବଂ ଶବ୍ଦମାନେ ଛାଟିପିଟି ହୁଅନ୍ତି ଛାତି ତଳେ, ଠିକ୍ ସେଇବେଳେ ଉତ୍ତାରି ହୁଏ ଭାବ, ଅନ୍ତର୍ନିହିତ କୋହ, କିଛି ଅସ୍ପଷ୍ଟ ଅବ୍ୟକ୍ତ ସ୍ଵର । ସେଗୁଡ଼ିକୁ ବିଭାଗୀକରଣ କଲେ ଗଢି ହୁଏ କବିତା, ଗଳ୍ପ, ପ୍ରବନ୍ଧ ଅବା ସ୍ତମ୍ଭ । ପ୍ରାୟ ଦଶ ବର୍ଷ ତଦୁର୍ଦ୍ଧ ହେବ ଲେଖାଲେଖି କ୍ଷେତ୍ରରେ ମୁଁ । ‘ସୃଜନ ଇଣ୍ଡିଆ’ ପ୍ରକାଶନୀରେ ଏଯାବତ୍ ଦୁଇ ଖଣ୍ଡ ବହି (ଖଣ୍ଡେ କବିତା ବହି “ନୀଳ ନିରବତା” ଏବଂ ଖଣ୍ଡିଏ ଗଳ୍ପ ବହି “ବାକିଟା ବ୍ୟକ୍ତିଗତ”) ପ୍ରକାଶିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *