ବିନୟ ମହାପାତ୍ର

ମୁଁ ନୃଶଂସ ନୁହେଁ,
ତଥାପି ପ୍ରତିଦିନ
ଜୀବନ୍ତ ଜୀବର ପ୍ରାଣ ନେଇଯାଏ,
ମାଂସ ଲୋଭି କ୍ଷୁଧାର୍ତ୍ତ ମଣିଷ ଥାଳିରେ,
ନିକିତିରେ ତଉଲି ତଉଲି
ନିତି ନିତି, ତାଜା ମାଂସ ପରଶି ଦିଏ ।
ସମ୍ଭୋଗ ମୋ ନିଶା ନୁହେଁ
ରତି ମୋ ସଉକ ନୁହେଁ,
ତଥାପି,
ପ୍ରତି ସଂଧ୍ୟା ପରେ
ସଂସାରର ଦେହ ବଜାରରେ
ରାତ୍ରୀ ଯେବେ ଘନେଇ ଆସେ,
ଆତ୍ମାକୁ ମୋ କାଟିକୁଟି
ନିତି ରାତି ପରଶି ଦିଏ
କାମାତୁର ପୁରୁଷ ଶେଯରେ ।
ଦୀପ ନୁହେଁ, ପେଟ ଜଳେ
ପ୍ରତି ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ସାଥିରେ
ପେଟ ସାଥେ ଆତ୍ମା ବି ଜଳେ
ନିଷ୍କଳଙ୍କ ଆତ୍ମାର ଶବ ଉପରେ,
କ୍ଷୁଧା ଯେବେ ତାଣ୍ଡବ କରେ ।
ଦେହ ଜଳେ, ଆତ୍ମା ବି ଜଳେ
କିନ୍ତୁ ଲେଲିହାନ ଅଗ୍ନି ଯେ ଦିଶେନା,
ତିଳେମାତ୍ର ଆଲୋକ ଦିଏନା,
ତଥାପି, ଘନ ଅନ୍ଧାକାରେ
ଜୀବନ୍ତ ମଣିଷର ଶବ,
ତିଳ ତିଳ ଦଗ୍ଧ ହୋଇଯାଏ ।
ସମ୍ପର୍କ ହୃଦୟର ନୁହେଁ
ଦାନ, ଧର୍ମ, ଦୟା, କ୍ଷମା
ଧର୍ମାନ୍ଧର ଗ୍ରନ୍ଥେ ଲେଖା
କେବଳ କେତୋଟି ଅକ୍ଷର,
ସଂସାରେ ସମ୍ପର୍କ ଯେତେକ,
କେବଳ ଖାଦ୍ୟ ଆଉ ଖାଦକର ।
ଉର୍ବଶୀର ନୂପୁର ଝଙ୍କାର,
ନିର୍ବିକଳ୍ପ ସମାଧୀରେ
ହଟ୍ଟଯୋଗୀର ଧ୍ୟାନ ଭାଙ୍ଗିପାରେ,
କ୍ଷୁଧାଗ୍ରସ୍ତ ମଣିଷର ଧ୍ୟାନ କିନ୍ତୁ
ତିଳେମାତ୍ର ବିଚଳିତ ହୁଏ ନାହିଁ
କ୍ଷୁଧାରୁ ହଟେ ନାହିଁ ଧ୍ୟାନ,
ନିରନ୍ତର ଯୋଗାବିଷ୍ଟ ମନ
ପେଟ ପାଇଁ ନାଟ କରିବାରେ ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।
