ହୃଷିକେଶ ମହାରଣା
ଧୁଆଁ କୁଣ୍ଡଳୀଟିଏ ଘୁରି ଘୁରି ଉପରକୁ ଉଠିଲା । ବର୍ଷାଦିନେ ଓଦା ଚାଳରୁ ଧୁଆଁ ଉଠିଲାପରି । ଖୁଁ ଖୁଁ କାଶ ଶୁଭିଲା । “ଦେ ଦେ ଆଉ ଟିକିଏ ନିଆଁ ଲଗା “, କହି ବୁଢ଼ା ଲୋକଟି ଭାସିଆ ଆଡ଼କୁ ଚିଲମଟି ବଢାଇଦେଲା । ଦିଆସିଲି ଧରି ବସିଥାଏ ଭାସିଆ । କାନ୍ଧରେ ଝୁଲୁଥାଏ କାନରେ ତିଆରି ଗୋଟେ ବ୍ୟାଗ୍ । ଭସିଆ କେତେବେଳେ କୋଉଠି ଥାଏ ତାର କିଛି ଠିକ୍ ଠିକଣା ନଥାଏ । କିନ୍ତୁ ସେ ଯୋଉଠି ବି ଥାଉ ସେ ବ୍ୟାଗ୍ ଟି ସବୁବେଳେ ତା କାନ୍ଧରେ ଝୁଲୁଥାଏ । ବ୍ୟାଗଟା ଦୀର୍ଘଦିନ ଧରି ଧୂଆ ନହେବା କାରଣରୁ ଗଞ୍ଜେଇ ଟାଣିଲା ବେଳେ ଅଜାଣତରେ ତା ଉପରେ ନିଆଁ ଗୁଳାଟିଏ ପଡିଗଲେ ବି ତାହା ଜଳିଯାଏ ନାହିଁ ।
ପୁଣି ଏକ ଧୂଆଁ କୁଣ୍ଡଳୀ ଆକାଶ ଆଡ଼କୁ ଛୁଟିଲା । ନିଶା ଚଢ଼ିଆସୁଥାଏ । ସେଇ ଧୁଆଁ ଭିତରେ ଭାସିଆକୁ ଦିଶୁଥାଏ ତା ବିଗତ ଜୀବନର ସ୍ମୃତି ସବୁ । ବାପା ତା’ର ଜମିଦାର ଘରେ କୋଠିଆ ଥିଲା । କେତେ ଆଣେ କେତେ ଖର୍ଚ୍ଚ କରେ ତା’ର କିଛି ହିସାବ ନଥାଏ । ଘରେ ଥିଲେ ଖାଏ ନହେଲେ ଉପାସ ଶୋଇଯାଏ ।ବୋଉ କାନ୍ଦିବା ଅଭିଯୋଗ କରେ, କିନ୍ତୁ ବାପାଙ୍କୁ ବୁଝେଇ ପାରେନି । ଭାସିଆ ସେତେବେଳକୁ ଜମା ଦଶ ବର୍ଷର ହୋଇଥାଏ । ରୋଗରେ ପଡି ପଡି ବୋଉ ଆରପାରିକୁ ଚାଲିଗଲା । ବୋଉ ଗଲାଦିନୁ ବାପା ଆଉ ଜମିଦାର ଘରକୁ ଯାଇନାହିଁ । ମଠକୁ ଯାଏ , ନହେଲେ ଘର ଆଗରେ ବସି ଗଞ୍ଜେଇ ଟାଣେ । ଏଇ ଗଞ୍ଜେଇ ଧୂଆଁରେ ଜମିବାଡ଼ି ସବୁ ଧୂଆଁ ହେଇଗଲା ।
ଚିଲମ ତଳେ ରଖି ଭାସିଆ ଉପରକୁ ଚାହିଁଲା । ବାଡ଼ି ଖଣ୍ଡେ ଧରି ଉଠି ଛିଡାହେଲା । ବ୍ୟାଗ୍ ଟିକୁ ଧରି ଚାଲିଲା ବଜାର ଆଡ଼କୁ । ଇଏ ତାର ନିତିଦିନିଆ କଥା । ବଜାର ଘାଟ ନଗଲେ ହାଣ୍ଡିରେ ଚୁଲି ବସିବା ଅସମ୍ଭବ । ଦୁଇ ପ୍ରାଣୀ ବଞ୍ଚିବାକୁ ହେଲେ ଦାନା ମୁଠାଏ ତ ନିହାତି ଦରକାର । ଘରକୁ ଫେରୁ ଫେରୁ ଦିନ ବାରଟା । ପଡିଶା ଘର କୁନିଆ ରାଜନୀତି କରୁଛି । ଭାସିଆର ପୁଅ ନାହିଁ ବୋଲି କୁନିଆ ଢେର୍ ଦିନ ହେଲା ଭାସିଆ ପଛରେ ଲାଗିଛି ତା ଡିହ ଖଣ୍ଡିକ ନବା ପାଇଁ । ହେଲେ ଭାସିଆର ବଦ୍ ରାଗି ଗୁଣକୁ ସେ ଭଲ ଭାବରେ ଜାଣେ । ସେଇଥିପାଇଁ ଭାସିଆ ବଜାର ଯାଇଥିବା ବେଳେ କୁନିଆ ତା ଘରକୁ ଆସି ତା ସ୍ତ୍ରୀକୁ କହେ – “ବୁଝିଲ ଭାଉଜ ମୁଁ ହେଲି ତମର ପୁଅ ଭଳିଆ , ତେଣୁ ତମରି ଭଲ ପାଇଁ କହୁଚି । ଭାସିଆ ଭାଇ ସିନା ବୁଝୁନାହାନ୍ତି । ଆଜି ନହେଲେ କାଲି ବୁଢ଼ା ବୁଢ଼ୀ ଦିଟା ଶୁଖିଲା ପତ୍ର ପରି ଝଡିଁପଡିବ । ସେତେବେଳକୁ ଡିହଟାରେ ବିଲୁଆ ଡେଇଁବେ । ଏସବୁ ମୁଁ ଦେଖିଲେ ସହି ପାରିବିନି । ହେଇଟି ମୋତେ ଯଦି ଏଇ ଡିହ ଖଣ୍ଡକ ଦିଅନ୍ତ । ମୁଁ କଣ ତମକୁ ତଡ଼ି ଦଉଚି । ଯେତେଦିନ ବଞ୍ଚିଚ । ତମେ ଏଇଠି ରହିବ। ଶେଷ ବେଳକୁ ମୁଁ ହିଁ ତମର ସୁଦ୍ଧକ୍ରିୟା କରିବି । ଏବେ ଖାଲି ରେଜିଷ୍ଟ୍ରି କରିଦେଇ ଜମି ବାବଦ ଟଙ୍କା ଟା ନେଇ ଚାଲୁଥାଅ । ତମେ ଟିକେ ଏକଥା ଭାସିଆ ଭାଇକୁ ବୁଝେଇ ଦିଅ । କଣ ମିଳିବ ସେ ଗଞ୍ଜେଇ ବେପାରରୁ । ଆଜିକାଲି ଅବକାରୀ ବିଭାଗ ଯେମିତି ଚଢାଉ କଲେଣି , କେତେବେଳେ କୋଉ କଥା !!”
କନକ ଖାଲି ଶୁଣୁଥାଏ । ପ୍ରତ୍ୟୁତର ଦେବାକୁ ସାହସ ନଥାଏ । କୁନିଆ କେତେବେଳୁ ଚାଲିଗଲାଣି । କନକ କିନ୍ତୁ ସେଇବାରିପଟେ ଖଡ୍ ଖଡ୍ ଶବ୍ଦ ଶୁଭିଲା। ସରସ୍ଵତୀ ଝରକା ଖୋଲି ଚାହିଁଲା ବେଳକୁ କେହି କୁଆଡେ ନଥିଲେ । ଖାଲି ଗଛ ପତ୍ର କିଛି ହଲୁଥିଲା।
ସନ୍ଧ୍ୟା ବେଳକୁ ଭାସିଆ ଦୁଆର ପାଖରେ ବସି ଗଞ୍ଜେଇ ଦଳୁଥାଏ । ଛୋଟ ଛୋଟ ପୁଡ଼ିଆ କରି କାଗଜରେ ମୋଡ଼ୁଥାଏ । ଇଏ ଦଶ ଟଙ୍କିଆ ପୁଡ଼ିଆ ଇଏ କୋଡ଼ିଏ ଟଙ୍କିଆ ଏମିତି ସଜେଇ ରଖୁଥାଏ । ଘର ଆଗରେ ମଟର ଗାଡିଟିଏ ଆସି ପହଞ୍ଚିଲା । ଦୁଇ ଚାରିଜଣ ଲମ୍ବା ପେଣ୍ଟ୍ ପିନ୍ଧା ସରକାରୀ ବାବୁ ଗାଡିରୁ ଓହ୍ଲାଇ ପଡ଼ି ଭାସିଆ ପାଖକୁ ଆସିଲେ । ଅବକାରୀ ବିଭାଗ ପୋଲିସ ବାବୁମାନେ ଭାସିଆକୁ ମଟର ଗାଡିରେ ବସାଇ ଥାନାକୁ ନେଇଗଲେ । ସରସ୍ଵତୀ କାନ୍ଦି କାନ୍ଦି ଗଡ଼ିଯାଉଥାଏ । ବୁଟପିନ୍ଧା ବାବୁମାନେ ଖାତିର ନ କରି ଗଞ୍ଜେଇ ପୁଡ଼ିଆ ଜବତ କଲେ । ଭାସିଆକୁ କୋର୍ଟ ଚାଲାଣ କରିଦେଲେ । ଛଅ ମାସ ପାଇଁ ଜେଲ ଦଣ୍ଡ ଭୋଗୁଥିଲା ଭାସିଆ ।
ଜେଲ ଭିତରେ ଭାସିଆକୁ ପ୍ରଥମେ ପ୍ରଥମେ ଭାରି ଅସ୍ତବ୍ୟସ୍ତ ଲାଗେ । ଗଞ୍ଜେଇ ଧୂଆଁରେ ଅଭ୍ୟସ୍ତ ଭାସିଆକୁ ଗଞ୍ଜେଇ ଟିକିଏ ନ ମିଳିବାରୁ ଭାରି ଚିଡିଚିଡି ହୁଏ । ସମୟ କ୍ରମେ ଭାସିଆ ଜେଲ ଭିତରେ ନିଜକୁ ଖାପଖୁଆଇ ଚଲିଗଲା । ଅଭ୍ୟାସ ଭାଙ୍ଗିଗଲା ଗଞ୍ଜେଇ ପ୍ରତି ଆଉ ସେତେ ଆକର୍ଷଣ ନ ଥିଲା । ଭାସିଆ ପଶ୍ଚାତାପ କରୁଥିଲା ହେଲେ ଏଥିପାଇଁ ସେ ନିଜକୁ ନୁହେଁ ବରଂ ଭଗବାନଙ୍କୁ ଦାୟୀ କରୁଥିଲା ।
ଭାସିଆ ଯଦି ଅନ୍ୟମାନଙ୍କ ପରି ସୁସ୍ଥ ସବଳ ଲୋକଟିଏ ହେଇଥାନ୍ତା ତେବେ ବାପା ହାତରୁ ଗଞ୍ଜେଇ ପୁଟୁଳିଟି ତା ହାତକୁ କେବେ ଆସି ନଥାନ୍ତା I ଜନ୍ମରୁ ବାଆଁ ଗୋଡ଼ଟି ଡାହାଣ ଗୋଡ଼ ଠାରୁ କେତେ ଦୁର୍ବଳ ଦିଶୁଥିଲା । ଲମ୍ବରେ ଛୋଟ ଓ କେମ୍ପା । ସେ ଗୋଡ଼ଟିରେ ଭାରା ଦେଇ ଛିଡ଼ା ହେବା ମଧ୍ଯ ଅସମ୍ଭବ ହୋଇପଡେ ।
ଏଇ ଅକର୍ମଣ୍ୟ ଗୋଡ଼ଟି ଉପରେ ଭରସା କରି ଭାସିଆ ରୋଜଗାର କ୍ଷମ ହୋଇ ପାରିଲା ନାହିଁ। କେତେ ଦିନ ଆଉ ଉପାସ ରହିଥାନ୍ତା । ଶେଷରେ ବାପ ମଲାବେଳକୁ ଛାଡି ଦେଇ ଯାଇଥିବା ଗଞ୍ଜେଇ ପୁଟୁଳିଟି ଭାସିଆକୁ ରୋଜଗାର ବାଟ ଦେଖାଇଥିଲା ହେଲେ ସେ ବାଟ ଆସି ଏଇ ଅନ୍ଧାର ଘରେ ଶେଷ ହେବ ବୋଲି ଭାସିଆ ଜାଣି ନ ଥିଲା।
କାରାଦଣ୍ଡର ସୀମା ସରିଗଲା ଘରକୁ ଫେରିଲା ଭାସିଆ । ଏଣିକି ନିଶା କାରବାର ନ କରି ଛେଳି, କୁକୁଡା ପାଳି ବାକିତକ ଜୀବନ ଜୀଇଁବାର ପଣ କରୁଥିଲା । ଫେରିବା ବାଟରୁ ସରସ୍ଵତୀ ପାଇଁ ଶାଢ଼ି ଖଣ୍ଡେ କିଣିଲା । ଏତେ ଦିନ ପରେ ଘରକୁ ଫେରୁଛି କିଛି ଗୋଟେ ସାଙ୍ଗରେ ନ ନେଲେ ଭାସିଆକୁ ଖାଲି ଖାଲି ଲାଗୁଛି । ସରସ୍ଵତୀ ତା ଫେରିବା ବାଟକୁ ଚାହିଁ ବସିଥିବ । କିଏ ଜାଣେ ଆଜି ସେ ଭାସିଆକୁ ଗାଳିଦେବ କି ଦେଖୁ ଦେଖୁ ସ୍ନେହରେ ଲୁହ ଝରେଇବ।
ଘରେ ପହଞ୍ଚି କବାଟ ଠକ୍ ଠକ୍ କଲା। କେହି ଖୋଲିଲେ ନାହିଁ। ଚାରିପଟକୁ ଚାହିଁଲା ଘର ଚାରିପଟୁ ବଣୁଆ ଦିଶୁଛି। ଅନେକ ଦିନରୁ ସଫା ହୋଇ ନ ପାରି ଶାଗୁଆ ରଙ୍ଗ ଘରଟିକୁ ଯେମିତି ଆବୋରି ବସିଛି। ଚାଳ ଉପରେ ବର, ଅଶ୍ଵତ୍ଥ ଗଛ ସବୁ ଚେର ମେଲେଇଲାଣି। ଭାସିଆକୁ ରାଗ ଲାଗିଲା । ବୁଢୀଟା ଘରେ ଥାଉ ଥାଉ ଘରଟାକୁ ଏମିତି ଅବସ୍ଥାରେ ପକେଇ ରଖିଛି। ସରସ୍ଵତୀ ସରସ୍ଵତୀ କହି ଡ଼ାକିଲା। କିଛି ଉତ୍ତର ମିଳିଲାନି ଘର ଭିତର, ଦାଣ୍ଡ ଦୁଆର, ବାଡ଼ି, ପୋଖରୀ ଖୋଜି ସାରି ଚଉରା ପାଖରେ ବସି ପଡ଼ିଲା। ପଡ଼ିଶା ଘରେ ପଚାରି ବୁଝିଲା ସରସ୍ଵତୀ ମରିବା ପାଞ୍ଚ ମାସ ହେଲାଣି । ଭାସିଆକୁ ପୁଲିସି ବାନ୍ଧି ନେବା ଦିନୁ ବୁଢୀ ସଂଜ୍ଞାହୀନ ହୋଇ ପଡ଼ିରହିଲା ମାସଟିଏ ପଡ଼ି ପଡ଼ି ପ୍ରାଣ ଛାଡିଗଲା । ଗାଁ ଲୋକ ମିଶି ବୁଢୀକୁ ମଶାଣିରେ ପୋଡ଼ିଦେଲେ।ଭାସିଆର ପାଦତଳୁ ମାଟି ଖସିଗଲା । ଚାରିପଟ ଜାଳଜାଳୁଆ ଦିଶିଲା ।ବୁଢ଼ା ତା’ର ତେଲଚିକିଟା ଲୁଗା ବ୍ୟାଗରୁ ନୂଆ ଶାଢ଼ୀଟି କାଢି ଢେର୍ ସମୟ ଯାଏ ଧରି କାନ୍ଦିଲା ଶେଷରେ ସେଇ ବ୍ୟାଗରୁ ଦିଆସିଲି କାଢି ଶାଢ଼ୀଟାକୁ ପୋଡ଼ିଦେଲା ।
ହୁତହୁତୁ ହୋଇ ଜଳୁଥିବା ଶାଢ଼ୀ ଧୂଆଁ ତାକୁ ଗଞ୍ଜେଇ ଧୂଆଁପରି ଦିଶିଲା ସେଇ ଧୂଆଁ ଭିତରେ ଖେଁ ଖେଁ କାଶି କାଶି ବୁଢ଼ା ପୋଖରୀ ଆଡକୁ ଗଲା । ଆଉ ଫେରିଲା ନାହିଁ ।
ପରଦିନ ପୋଖରୀ ଭିତରୁ ଗାଁ ଲୋକେ ଭାସିଆର ଫୁଲିଯାଇଥିବା ଶବଟି କାଢି ସେଇ ଡିହ ଉପରେ ପୋଡିଦେଲେ । ଝିଅ ଜ୍ବାଇଁ ନାତିକୁ ଧରି ଆସିଥିଲେ । ନାତି ଆସି ଭାସିଆ ମୁହଁରେ ନିଆଁ ଦେଲା ।
ସେଇ ଦିନଠୁ ଝିଅ ଜ୍ବାଇଁ ଆଉ ଫେରି ନାହାଁନ୍ତି । ଭାଇ ଭଗାରୀ ଘର ସ୍ବଳ୍ପ ଉପାର୍ଜନକୁ ନେଇ ଚଳିବା ଅସମ୍ଭବ ହେବାରୁ ପ୍ରତିଦିନ କିଛି ନା କିଛି କଳିଝଗଡା ଲାଗି ରହିଛି ଝିଅ ଜ୍ବାଇଁ ଆଉ ଫେରିବାକୁ ଚାହୁଁ ନ ଥିଲେ। ଡିହ ଖଣ୍ଡିକ ପଡିଆ ପଡିଛି। ପୁରୁଣା ଘରକୁ ମରାମତି କରି ସେଇଠି ରହିଯିବା ପାଇଁ ଚାହିଁଲେ। ପାଖ ସ୍କୁଲରେ ପୁଅର ନାମଲେଖା ହୋଇଗଲା।
ଏବେ ଭାସିଆର ଜ୍ବାଇଁ ଦୁଆର ମୁହଁରେ ବସି ଭାସିଆର ସେଇ ତେଲ ଚିକିଟା ବ୍ୟାଗଟିକୁ ଦେଖି ଭାବୁଥାଏ ସେ ଏବେ କ’ଣ କରିବ । ନିଜ ପାଇଁ ନିଜେ ରାସ୍ତା ଖୋଜିବ ନା ଭାସିଆର ରାସ୍ତାକୁ ଆପଣେଇ ନେବ।
ଲେଖକ ପରିଚୟ:
ହୃଷିକେଶ ମହାରଣା, କଟକ ଜିଲ୍ଲା ଅସୁରେଶ୍ଵର ନିକଟବର୍ତ୍ତୀ ତରୋତଶାସନ ଗ୍ରାମରେ ୧୯୯୫ ମସିହାରେ ବାବାଜି ଚରଣ ମହାରଣା ଓ ପ୍ରଭାତୀ ମହାରଣାଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ । ଉଭୟ ଗଳ୍ପ କବିତାରେ ରୁଚି ରଖୁଥିବା ହୃଷିକେଶ ରେଭେନ୍ସା ବିଶ୍ଵବିଦ୍ୟାଳୟ ଅଧୀନରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପକୁ ନେଇ ଗବେଷଣା କରୁଛନ୍ତି । ନବମ ଶ୍ରେଣୀରୁ ଗଳ୍ପ ଲେଖିବାର ମୋହରେ ପଡ଼ିଥିବା ହୃଷିକେଶ ୨୦୧୯ ମସିହାରେ “ସୂଚ୍ୟଗ୍ରେ ମେଦିନୀ” ଗଳ୍ପ ପାଇଁ ‘କଥା ନବପ୍ରତିଭା ସମ୍ମାନ’ ଲାଭ କରିଥିଲେ ।
ଅତି ଚମତ୍କାର