ଶରତ କୁମାର ରାଉତ
ମତେ ଖୁବ୍ ଅଡ଼ୁଆ ଲାଗୁଥିଲା । କଥାଟା କେମିତି ପଚାରିବି, ସ୍ଥିର କରିପାରୁ ନଥିଲି । ଦୀର୍ଘଦିନ ପରେ ଦେଖା । ତିନିଦିନ ତଳେ ଜାମିନ୍ରେ କୋର୍ଟରୁ ଆସିଛନ୍ତି । କିଛି ସମୟ ପୂର୍ବରୁ ଫୋନ୍ କରିଥିଲେ, ‘ସମୁଦି ଘରେ ଅଛି, ଆସ ଦେଖା ହେବା ।’ ଡ଼େରି ବି ଠିକ୍ ନୁହେଁ । ଅବଶ୍ୟ ମୁଁ ସେହି ଅଘଟଣର ସଂପୂର୍ଣ୍ଣ ବୃତାନ୍ତ ପଚାରି ବୁଝିବାକୁ ଆଗରୁ ଭାବିଥିଲି । ଯଦିଓ ଘଟଣା ସଂପର୍କରେ ବନ୍ଧୁମାନଙ୍କଠାରୁ ଶୁଣିଥିଲି, ହେଲେ ତାଙ୍କଠୁ କଥାଟା ଶୁଣିଲେ, ସତ୍ୟ ସ୍ପଷ୍ଟ ହୋଇଯିବ । ତାଙ୍କ ପାଖରେ ବସିଥିଲେ, ତାଙ୍କ ସ୍ତ୍ରୀ , ସମୁଦି ଓ ସମୁଦୁଣୀ ।
ସେ ହେଲେ ଡ଼ାକ୍ତର ରଘୁନାଥ ମିଶ୍ର । ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ । ଜଣେ ଅଭିଜ୍ଞ ଡ଼ାକ୍ତର ଭାବେ ଜଣାଶୁଣା । କୌଣସି ରୋଗ ଚିକିତ୍ସାରେ ସେ ଫେଲ୍ ମାରିଥିବା କେହି କେବେ ଶୁଣି ନାହାଁନ୍ତି । ଚିକିତ୍ସା ସେବାରେ ସେ ଅସମ୍ଭବକୁ ସମ୍ଭବ କରନ୍ତି । ତାଙ୍କ ହାତ ବାଜିଲେ, ଯେକୌଣସି ରୋଗୀ ଆରୋଗ୍ୟ ହେବା ପ୍ରାୟ ନିଶ୍ଚିତ । ସେଥିପାଇଁ ଏହି ଆଦିବାସୀ ଅଞ୍ଚଳରେ ସେ ଦ୍ୱିତୀୟ ଈଶ୍ୱର ରୂପେ ସମ୍ମାନୀତ ହୁଅନ୍ତି । ତାଙ୍କର ହସହସ ମୁହଁ, ଅମାୟିକତ୍ୱ, ବନ୍ଧୁ ବତ୍ସଳତା, ମଣିଷ ପଣିଆ ମୁଗ୍ଧ କରେ ସମସ୍ତଙ୍କୁ । ରୋଗୀଟି ସହ ସେ ଯେଭଳି ସାଙ୍ଗ ଭଳି ମିଶନ୍ତି, ଯଥେଷ୍ଟ ମାନସିକ ସହାୟତା ଦିଅନ୍ତି, ସେଥିରେ ତା’ର ଅଧାଅଧି ରୋଗ ଭଲ ହୋଇଯାଏ । ଏହି ଅଂଚଳରେ ସେ ଦୀର୍ଘ ୩୫ବର୍ଷ ଧରି ସରକାରୀ କାର୍ଯ୍ୟ କଲାପରେ ତିନିବର୍ଷ ତଳେ ଅବସର ନେଇଛନ୍ତି । ଏହାର ବର୍ଷକ ପରେ ତାଙ୍କ ସ୍ତ୍ରୀ ମଧ୍ୟ ଅବସର ନେଇଛନ୍ତି । ସେ ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ । ଅବସର ପରେ ଆଦିବାସୀ ଲୋକେ ତାଙ୍କୁ ସେଠାରେ ରହି ପୂର୍ବ ପରି ଚିକିତ୍ସା ସେବା ଯୋଗାଇବାକୁ ଅନୁରୋଧ କରିଥିଲେ । ସେ ସେମାନଙ୍କୁ ଏଡ଼ାଇ ନପାରି ଆରମ୍ଭ କରିଥିଲେ ନିଜର ଏକ କ୍ଲିନିକ୍ । ଦିନରାତି ରୋଗୀ ଆସନ୍ତି । ଉପଯୁକ୍ତ ଚିକିତ୍ସା ସେବା ପାଇ ଆରୋଗ୍ୟ ହୋଇ ହସହସ ମୁହଁରେ ଫେରନ୍ତି । ରୋଗୀର ହସହସ ମୁହଁ ଓ ଆତ୍ମସନ୍ତୋଷ ଦେଖି ଦିନରାତି ପରିଶ୍ରମ କରି ବି କ୍ଲାନ୍ତ ଅନୁଭବ କରନ୍ତିନି କି ବିରକ୍ତି ପ୍ରକାଶ କରନ୍ତିନି ଡ଼ାକ୍ତର ରଘୁନାଥ ।
ଟିକେ ଅବସର ମିଳିଲେ, ଡ଼ାକ୍ତର ରଘୁନାଥ ଲେଖି ବସନ୍ତି ଗଳ୍ପ, ପ୍ରବନ୍ଧ ଓ ଅନ୍ୟାନ୍ୟ ଲେଖା । ସେ ଏକାଧାରରେ ଜଣେ ଭଲ ଗାଳ୍ପିକ, ପ୍ରାବନ୍ଧିକ, ସ୍ତମ୍ଭକାର ଓ ଜୀବନୀ ଲେଖକ ଭାବେ ଜଣାଶୁଣା । ବାସ୍ତବରେ ତାଙ୍କ ଭିତରେ ଯେତିକି ଡ଼ାକ୍ତରୀ ଜ୍ଞାନ କୌଶଳ ଭରି ରହିଥିଲା, ସେତିକି ସାହିତ୍ୟିକତା । ହେଲେ ଚିକିତ୍ସା ସେବାରେ ରହି ଅଧିକ ସମୟ ଦେଇ ପାରନ୍ତିନି ଲେଖାଲେଖିରେ । ତଥାପି ତାଙ୍କର କେତେକ ଗଳ୍ପ, ସ୍ତମ୍ଭ ଲେଖା ଓ ଜୀବନୀ ପୁସ୍ତକ ପାଠକ ମାନଙ୍କ ଭିତରେ ଚର୍ଚ୍ଚିତ ହୋଇଛି । ଏଥିପାଇଁ ସେ ବିଭିନ୍ନ ପ୍ରତିଷ୍ଠିତ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି । ନିକଟରେ ରାଜ୍ୟ ସାହିତ୍ୟ ଏକାଡ଼େମୀ ଦ୍ୱାରା ସମ୍ବ୍ର୍ଦ୍ଧିତ ହୋଇଛନ୍ତି । ମୋ ସହିତ ତାଙ୍କର ପରିଚିତ ହୋଇଥିଲା ୧୫ବର୍ଷ ତଳେ । ଆମ ଅଂଚଳରେ ତାଙ୍କ ଘର । ମୋ ସ୍ତ୍ରୀ ସେହି ଆଦିବାସୀ ଅଂଚଳରେ ସରକାରୀ ଚାକିରିରେ ଯୋଗ ଦେବା ପରେ ମୁଁ ତାଙ୍କ ସଂସ୍ପର୍ଶରେ ଆସିଥିଲି । ଦିନ ଆସିଲା, ଆମେ ଦୁହେଁ ଅହରହ ମିଶି ରହିଲୁ । ସାଂପ୍ରତିକ ସାହିତ୍ୟ, ସଂସ୍କୃତି, ସମ୍ବାଦ, ରାଜନୀତି, ଅର୍ଥନୀତି, ଅସହାୟ ଆଦିବାସୀ ମଣିଷର ଅବସ୍ଥା-ବ୍ୟବସ୍ଥା ଓ ପ୍ରଶାସନିକ କାର୍ଯ୍ୟ ସଂପର୍କରେ ଆଲୋଚନା ହିଁ ଆମ ଭିତରେ କଥାବାର୍ତାର ମୂଳ ବିଷୟ । ମୋ ସ୍ତ୍ରୀର ଭୁବନେଶ୍ୱର ବଦଳି ହୋଇଗଲା । ତଥାପି ଆମ ସଂପର୍କରେ ଭଟ୍ଟା ପଡ଼ିଲାନି । ପ୍ରତିଦିନ ଘଂଟାଘଂଟା ଧରି ଫୋନ୍ରେ ଗପୁ । ଦୁଇ ତିନି ମାସରେ ଥରେ ସେ ଭୁବନେଶ୍ୱର ଆସନ୍ତି ଏବଂ ଆମେ ମିଶି ଆମର ପୁରୁଣା ଦିନକୁ ସ୍କରଣ କରୁ ତଥା ସାଂପ୍ରତିକ ଘଟଣାବଳୀ ଉପରେ ଆଲୋଚନା କରୁ ।
ମୁଁ ତାଙ୍କୁ ପଚାରିବାକୁ ଚାହୁଁନଥିଲି ଯେ, ଆପଣ କାହିଁକି ଗିରଫ୍ ହେଲେ ବା ଚାଟୁକାର ଭଳି କହିବାକୁ ଚାହୁଁନଥିଲି, ଆପଣ ଗିରଫ୍ ହେବା ଖବର ଶୁଣି ମୁଁ କିପରି ମର୍ମାହତ ହୋଇ ସ୍ତମ୍ଭ ପାଲଟି ଯାଇଥିଲି ଓ ନିଜ ଭିତରେ କିପରି ସମାଜ ପ୍ରତି ଏକ ଅସୂୟା ଭାବ ଆସିଯାଇଛି । ବାସ୍ତବରେ ଅସହାୟ ମଣିଷର ସେବା କରି ଯଦିଓ କାହାକୁ ଏଭଳି ଅବସ୍ଥାର ସାମ୍ନା କରିବାକୁ ପଡ଼େ, ତେବେ ମଣିଷ କାହିଁକି ସେବକ ସାଜିବ? ଅବଶ୍ୟ ମୁଁ ତାଙ୍କର ନିକଟତମ ମହଲରୁ ପୂର୍ଣ୍ଣାଙ୍ଗ ଘଟଣା ଶୁଣିଥିଲି ଓ ତାଙ୍କର କୌଣସି ଦୋଷ ନାହିଁ ବୋଲି ଜାଣିଥିଲି । ବାସ୍ତବରେ ତାଙ୍କର ଦୀର୍ଘ ଚିକିତ୍ସକ ଜୀବନରେ ସେ କେବେ କୌଣସି ରୋଗୀଙ୍କ ମନରେ ଆଘାତ ଦେଇ ନାହାଁନ୍ତି କି ତୃଟିପୂର୍ଣ୍ଣ ଚିକିତ୍ସା କରି କାହା ପାଇଁ ଅଭିସାପ ହୋଇ ନାହାଁନ୍ତି । ହେଲେ ତାଙ୍କ ଦ୍ୱାରା ଚିକିତ୍ସା ହୋଇ ବେଶ୍ ଉପକୃତ ହୋଇଥିବା ଜଣେ ଆଦିବାସୀ ବ୍ୟକ୍ତିର ଅଭିଯୋଗ କ୍ରମେ ତାଙ୍କୁ ପୋଲିସ୍ ଗିରଫ୍ କରିଥିଲା । ଦୀର୍ଘଦିନ ପର୍ଯ୍ୟନ୍ତ ତାଙ୍କୁ ଜେଲ୍ରେ ରଖାଯାଇଥିଲା । ଖାଲି ଚିକିତ୍ସାସେବା ନୁହେଁ, ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଦେଇଥିବା ଜଣେ ନିଃସ୍ୱାର୍ଥପର ଡ଼ାକ୍ତରଙ୍କର ଏଭଳି ଅବସ୍ଥାରେ ସଂପୃକ୍ତ ଅଂଚଳବାସୀଙ୍କ ସମେତ ତାଙ୍କ ବନ୍ଧୁ-ସଂପର୍କୀୟ ମାନେ ଭାଙ୍ଗି ପଡ଼ିଥିଲେ ଓ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ନିଜର ଦୀର୍ଘ ଚାକିରି କାଳ ଭିତରେ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥିବାବେଳେ ଜୀବନର ଅପରାହ୍ନରେ ଏହି ଅବସ୍ଥା? ତେବେ ସାମାଜିକ କାର୍ଯ୍ୟର ସଂଜ୍ଞା କ’ଣ? ବେଳେବେଳେ କିଛି ସାମାଜିକ କାର୍ଯ୍ୟ ମଧ୍ୟ ଆଇନ ଦୃଷ୍ଟିରେ ଦୋଷାବହ ହୋଇଥାଏ । ସମାଜର ଉନ୍ନତି ପାଇଁ କରାଯାଉଥିବା କାମକୁ ସାମାଜିକ କାର୍ଯ୍ୟ କୁହାଯାଏ । ସାମାଜିକ କାର୍ଯ୍ୟ କହିଲେ, ବ୍ୟକ୍ତିବିଶେଷ ବା ଗୋଷ୍ଠୀ ବା ରାଜ୍ୟ କି ଦେଶର ଉନ୍ନତି ପାଇଁ ବା ଉପକାର ହେବା କାର୍ଯ୍ୟକୁ ବୁଝାଏ । ତାଙ୍କ କାର୍ଯ୍ୟକୁ କ’ଣ କୁହାଯିବ, ମୁଁ ବୁଝି ପାରୁନଥିଲି । ମୁଁ ଭାବୁଥିଲି, ସମାଜରେ ବିଭିନ୍ନ କାର୍ଯ୍ୟ ଚାଲିଛି-ସାମାଜିକ, ଅସାମାଜିକ, ଦୁର୍ନୀତି, ଭ୍ରଷ୍ଟାଚାର, ହତ୍ୟା, ବଳାତ୍କାର, ଲୁଣ୍ଠନ ଇତ୍ୟାଦି । ହେଲେ ଯାହା କୌଣସି ପ୍ରକାରେ ଅଭିଯୋଗ ହୁଏ, ତାହା ଆଇନ ଆଖିକୁ ଆସେ!
ଏକ ବେଆଇନ ଆବୋର୍ସନ କେଶ୍ର ଅଭିଯୋଗ ଥିଲା ଡ଼ାକ୍ତର ରଘୁନାଥଙ୍କ ନାଁରେ । ଉକ୍ତ ଆଦିବାସୀ ଅଞ୍ଚଳରେ କାର୍ଯ୍ୟରତ ଜଣେ ପ୍ରଶାସନିକ ଅଧିକାରୀ ରଞ୍ଜନ ଶତପଥୀ । ଏକୋଇଶ ବର୍ଷ ବୟସ୍କ ତାଙ୍କ ପୁତ୍ର ଅମିତ୍ । ତାଙ୍କ ଘରକୁ ବାସନ ମାଜିବାକୁ ଆସୁଥିବା ଜଣେ ୧୪ବର୍ଷ ବୟସ୍କା ଅସହାୟା ଆଦିବାସୀ ନାବାଳିକାକୁ ଅମିତ୍ କୁଆଡ଼େ ଭଲ ପାଉଥିଲା ଓ ତାକୁ ବାହା ହେବାକୁ ପ୍ରତିଶ୍ରୂତି ଦେଇ ସବୁଦିନେ ତା ସହ ଯୌନ ସଂପର୍କ ସ୍ଥାପନ କରୁଥିଲା । କିଛିଦିନ ପରେ ଦେଖାଗଲା, ଝିଅଟି ସାତ ମାସର ଗର୍ଭବତୀ । ଆଦିବାସୀ ସମାଜର ସଭା ବସିଲା । ଏ ବିଷୟରେ ବ୍ୟାପକ ଆଲୋଚନା ପରେ ଫଇସଲା ହେଲା ଯେ, ଅମିତ୍ କୋଡ଼ିଏ ହଜାର ଟଙ୍କା ଜୋରିମାନା ଦେବା ସହ ଝିଅଟିର ଗର୍ଭନଷ୍ଟ କରିବାର ଦାୟିତ୍ୱ ନେବ । ଏଥିରେ ଉଭୟ ପକ୍ଷ ରାଜି ହେଲେ ।
ଅମିତ୍ ନିଜ କାର୍ରେ ସେହି ନାବାଳିକା ଓ ତା ବାପା ମା’ଙ୍କୁ ଧରି ଡ଼ାକ୍ତର ଓ ଡ଼ାକ୍ତରଖାନା ଖୋଜି ବୁଲିଲା । ଶେଷରେ ପହଂଚିଲା ଡ଼ାକ୍ତର ରଘୁନାଥଙ୍କ କ୍ଲିନିକ୍ରେ । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ସେ କିଛି କରିପାରିବେ ନାହିଁ ବୋଲି ବୁଝାଇ କହିଲେ ଡ଼ାକ୍ତର ରଘୁନାଥ । ହେଲେ ଅମିତ୍ ଓ ନାବାଳିକାର ବାପା-ମା’ଙ୍କ ଅନୁନୟ ଓ ଆଖିର ଲୁହ ଡ଼ାକ୍ତରଙ୍କୁ କିଛି ଭାବିବାକୁ ବାଧ୍ୟ କରିଥିଲା । ତାଙ୍କ ଭିତରର ମାନବିକତା ଜାଗି ଉଠିଲା । ସେ ଆଜିର ସମାଜ ଆଡ଼େ ଆଖି ବୁଲେଇଲେ । ଏଭଳି ଘଟଣା କୌଣସି ଅବିବାହିତା ଝିଅ ଓ ତା’ ପରିବାରର ମାନ ସମ୍ମାନ ଓ ଭବିଷ୍ୟତକୁ ଖିନ୍ଭିନ୍ କରିଦିଏ । ସମାଜର ବଡ଼ ଦାଣ୍ଡରେ ମୁଣ୍ଡ ଦେଖାଇ ଚାଲିବାକୁ ସେମାନଙ୍କର ଶକ୍ତି ନଥାଏ । ବେଳେବେଳେ ସେହି ଅବିବାହିତା ଝିଅ ଓ ତା’ ପରିବାରର ଲୋକେ ସମାଜର କୁତ୍ସାରଟନା ସହି ନପାରି ସମୂହ ଆତ୍ମହତ୍ୟା କରି ବସନ୍ତି । ସମାଜରେ ଶେଷ ହୋଇଯାଏ ସେହି ପରିବାରର ଜୀବନ ।….
ନାବାଳିକାର ବାପ-ମା’ଏକ ଚୁକ୍ତିପତ୍ର ଲେଖିଦେବା ପରେ ଡ଼ାକ୍ତର ରଘୁନାଥ ରାଜି ହୋଇ ନାବାଳିକାଟିର ଗର୍ଭନଷ୍ଟ କରିଥିଲେ ।
ଏହାର ତିନିଦିନ ପରେ ହଠାତ୍ ପୋଲିସ୍ ପହଂଚି ଗିରଫ୍ କରିଥିଲା ଡ଼ାକ୍ତର ରଘୁନାଥଙ୍କୁ । ଅମିତ୍ ପ୍ରମାଣ ନଷ୍ଟ କରିଦେଇଥିବାରୁ ନିଜକୁ ସ୍ୱାଧୀନ ମନେ କରିଥିଲା ଓ ଝିଅର ପରିବାରକୁ ନିର୍ଦ୍ଧାରିତ କୋଡ଼ିଏ ହଜାର ଟଙ୍କା ଦେଇନଥିଲା । ଯେଉଁଥିପାଇଁ ଆଦିବାସୀମାନେ ମିଳିତ ହୋଇ ଅମିତ୍ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ । ଥାନାବାବୁ ଅମିତ୍କୁ ଗିରଫ୍ କରି ତଦନ୍ତ ଆରମ୍ଭ କରିଥିଲେ । ଆଉ ତା’ କୁକର୍ମର ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ଡ଼ାକ୍ତର ରଘୁନାଥଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା ।
କୋରିଆପଲ୍ଲା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡା, ମୋ-୯୩୩୭୩୬୯୪୪୮