ପଦ୍ମଲୋଚନ ପ୍ରଧାନ
ମୁଁ ଫୁଲକୁ ଭଲ ପାଏ । ଫୁଲ ଗଛ ଲଗାଏ । ତାକୁ ଯତ୍ନ କରେ । ଗେହ୍ଲ ବି କରେ ।
ମୋ ବାପା କିନ୍ତୁ ଏ ସବୁ ପସନ୍ଦ କରନ୍ତିନି । ସବୁବେଳେ ଗାଳି କରନ୍ତି । ‘ଫୁଲ ଗଛ ଲଗାଉଥା । କଣ ମିଳିବ ସେଠୁ? ଲଙ୍କା କି ବାଇଗଣ ଗଛ ଲଗେଇବନି । ଖାଲି ଖାଇବ । ଫୁଲରେ ଯେମିତି ପେଟ ପୂରେ ! …’
ବାପା ପନିପରିବା ଚାଷ କରନ୍ତି । ତାଙ୍କର ସେଇଠି ନିଘା । ସକାଳ ପହରୁ ବଗିଚାରେ ଲାଗିଥିବା ଯେ, ସଞ୍ଜ ଯାଏ । ସେଇଠି ଦିନରାତି ଝାଳ ବୁହାଇ ଆମକୁ ବଡ଼ କରିଛନ୍ତି ।
ହେଲେ ମୋର ଛୁଆ ବେଳୁ ଫୁଲ ପ୍ରତି ଶ୍ରଦ୍ଧା । ସ୍କୁଲରୁ ଫେରିଲେ, ଘରକୁ ଲାଗି ଛୋଟ ଜାଗାଟିରେ ଗଛ ପୋତେ, ପାଣି ଦିଏ, ଜଙ୍ଗଲରୁ ବାଉଁଶ ଆଣି ବାଡ଼ ଦିଏ । ସେବେଠୁ ବାପାଙ୍କର ବିରୋଧ । ଆଉ ପନିପରିବା ଗଛ ସହ ଫୁଲ ଗଛର ତୁଳନା ।
ଏବେ ମୁଁ ବାହାରେ ରହେ । ଯେବେ ଘରକୁ ଯାଏ, କିଛି ନା କିଛି ଗଛ ନେଇକି ଯାଏ । ରାଉରକେଲାଠୁ ବ୍ରହ୍ମପୁର ଯାଏ, ସବୁ ସହରରୁ ଗଛ ବୋହି ଗାଁକୁ ନେଇଛି । ଘରେ ଲଗାଏ, ନ ହେଲେ ଦାଣ୍ଡରେ । ନଳକୂଅ ମୂଳେ, ସ୍କୁଲ ପାଖରେ, ପୋଖରୀ ହିଡ଼ରେ… ଯେଉଁଠି ସ୍ଥାନ ପାଏ, ସେଇଠି ଲଗାଏ । ସେଥିରୁ ଅଧା ମରିଯାଏ, ଅଧା ବଞ୍ଚେ । ଗଛ ବଢ଼େ, ଛୁଆରୁ ବଡ଼ ହୁଏ । ଫୁଲ ଫୁଟେ । ଆନନ୍ଦ ଲାଗେ ।
ଆମ ଘରେ ମା’ ନ ହେଲେ ସାନ ବୋହୂ ପାଣି ଦିଅନ୍ତି । ଦାଣ୍ଡରେ ଲାଗିଥିବା ଗଛରେ ଗାଁର ଅନେକ ଲୋକ ପାଣି ଦିଅନ୍ତି । ଯତ୍ନ କରନ୍ତି । କିଛି ଗଛ ଅଲୋଡ଼ା ହୋଇଯାଏ । ଯତ୍ନ ପାଏନି । କିଛି ଗଛକୁ ଲୋକେ ବି ଉପାଡି଼ ଦିଅନ୍ତି । ଯେଉଁ କେତୋଟି ଗଛ ବଡ଼ ହୋଇ ଫୁଲ ଫୁଟେ, ସେତିକି ଗାଁର ଶୋଭା ବଢ଼ାଏ । ଫୁଲ ଫୁଟିଲେ ଗାଁଟା ସାରା ଲୋକେ ତୋଳନ୍ତି । ଠାକୁରଙ୍କ ପାଖରେ ଲଗାନ୍ତି ।
ଗାଁକୁ ଯେବେ ଯାଏ, ଆଗ ଫୁଲ ଗଛକୁ ଦେଖେ । ତାକୁ ଟିକେ ସ୍ନେହ କରେ । ଫୁଲ ଫୁଟିଥିଲେ ନିରେଖି ଦେଖେ । ଗୋଟେ କି ଦୁଇଟା ଯତ୍ନରେ ତୋଳେ । ତାକୁ ଧରି ଏଣେ ତେଣେ ବୁଲେ । ଆନନ୍ଦ ପାଏ ।
ସବୁ ଭଲ ଯେ, ଗୋଟେ କିନ୍ତୁ ଅବଶୋଷ- ବାପା କାହିଁକି ଫୁଲକୁ ଏତେଟା ଭଲ ପାଆନ୍ତି ନାହିଁ । ବାପାଙ୍କ ଯୁକ୍ତିକୁ ନେଇ ଅନେକ ଥର ଭାବିଛି । ଲଙ୍କା, ବାଇଗଣ ଗଛ ଲଗାଇଲେ ପେଟ ପୂରେ । ପେଟ ପୂରିଲେ ହିଁ ଜୀବନ, ସଂସାର, ଦୁନିଆ ଚାଲେ । ଏ କଥା ତ ପୂରା ଠିକ୍ । ସେ ଦୃଷ୍ଟିରୁ ବାପାଙ୍କ କଥାରେ କେବେ ଉତ୍ତର ଦିଏନି । ଚୁପ୍ ରହେ ।
ଏବେ ଥରେ ଗାଁକୁ ଯାଇଥାଏ । କାଗଜୀ ଗଛରେ ଲେନ୍ଥା ଲେନ୍ଥା ଫୁଲ ଫୁଟିଛି । ଗୋଲାପି ରଙ୍ଗ । ଘରର ଗୋଟିଏ କୋଣକୁ ପୂରା ମାଡି଼ ବସିଛି । ଚାରିଆଡ଼େ ଖାଲି ଗୋଲାପି ରଙ୍ଗର କୋମଳ ଫୁଲଗୁଡି଼କ ଝୁଲି ରହିଛି ।
ଗଛଟିକୁ କେହି ଜଣେ ଯତ୍ନର ସହ ବାନ୍ଧିଛି । ନ ହେଲେ ଏଣେତେଣେ ଓହଳି ପଡି଼ଥାନ୍ତା । ଏବେ ଯେମିତି ଗୋଲ ହୋଇ ରହିଛି, ଭଲ ଦିଶୁଛି, ସେମିତି ହୋଇନଥାନ୍ତା । ଖୁସି ହେଲି । କିନ୍ତୁ ଭାବିଲି, କଲା କିଏ?
ଘରେ ପଚାରିଲି, ଉତ୍ତର ଶୁଣି କାବା ହୋଇଗଲି! ବାପା କରିଛନ୍ତି! ପୁଣି କୁଆଡ଼େ ଗଛଟା ତାଙ୍କୁ ପସନ୍ଦ ଆସିଛି । ସାନ ଭାଇର ବାହାଘର ବେଳେ ଗଛର ଡାହିକୁ ସଜାଡି଼ ତୋରଣ କରିଛନ୍ତି । କିଏ ସେ ଗଛରୁ ଫୁଲ ଛିଣ୍ଡାଇଲେ, ବାପାଙ୍କର ମନ ଦୁଃଖ ହେଉଛି ।
ମୁଁ ଏକବାର ଆଶ୍ଚର୍ଯ୍ୟ ! ଇଏ କି ପରିବର୍ତ୍ତନ !
ଆଗରୁ ଥରେ ବି ଏମିତି ହୋଇଥିଲା । ଆମ ଗାଁ ହାଟରୁ ବାପା ୧୦ଟି ଫୁଲ କୁଣ୍ଡ ନେଇ ଆସିଥିଲେ । ଆମେ ଫୁଲ କୁଣ୍ଡ ଆଣିଲେ ଗାଳି କରନ୍ତି, ‘ପଇସା ବଳୁଛି ତ! ଘରର କରଜ କୁଆଡ଼େ ଲଗାଣି, ତା’କୁ ବୁଝିବାର ନାହିଁ । ଖାଲି ଖର୍ଚ୍ଚ ।’
କିନ୍ତୁ ଯେଉଁଦିନ ଫୁଲ କୁଣ୍ଡ ଆଣିଲେ, ଖତ ଦେଇ କୁଣ୍ଡରେ ମାଟି ଭରିଲେ, ସେଦିନ ଘରେ ସମସ୍ତେ ଆଶ୍ଚର୍ଯ୍ୟ ।
ପରେ ସେହି କୁଣ୍ଡରେ ସାନ ବୋହୂ ଗେଣ୍ଡୁ ଫୁଲ ଲଗାଇଥିଲେ । ସେ ଫୁଲ ବଡ଼ ବଡ଼ ହୋଇ ଫୁଟିଲା । ଅଗଣା ସାରା ରଙ୍ଗିନ ହେଇଗଲା ।
ସେଇ ଦିନଠୁ ଭାବିଲି ବାପା ବୋଧେ ଏବେ ଫୁଲକୁ ଭଲ ପାଇଲେଣି । ଆଉ ଆଗକୁ କିଛି କହିବେନି ।
ହେଲେ ସେମିତି ହେଲାନି, ମୁଁ କି ମୋ ସାନ ଭାଇ, ଏବେ ବି ଯେବେ ଫୁଲ ଗଛ ନେଇ ଯାଉ, ସେବେ ବି ସେଇ ସମାନ ଢଙ୍ଗରେ କହନ୍ତି, ‘ଖାଲି ଫୁଲ ଲଗାଉଥା । ସେ ବାଡି଼ ଗୋଟାକ ସାରା ତମ ପାଇଁ ଛାଡି଼ ଦେଉଛି । କିଛି ପରିବା କରିବିନି, ଖାଲି ସେଠି ଫୁଲ ଗଛ ଲଗାଅ ।’
ବାପାଙ୍କ ଏ ଉପହାସରେ ଆମେ କେହି କାନ ଦେଉନି । ଆମେ ଜାଣୁ, ବାପା ସେମିତି କହିବେ, ପୁଣି ଗଛକୁ ଯତ୍ନ କରିବେ, କେବେ କେବେ ଆଉଁସି ଦେବେ, ଖୁସି ବି ହେବେ ।
କିନ୍ତୁ ବାର ବାର ଆମକୁ କହିବାର କାରଣ ଏବେ ମୁଁ ବୁଝିପାରୁଛି । ବାପା ଆମ ପେଟ କଥା ଚିନ୍ତା କରୁଛନ୍ତି । ଆମେ ତ ମନର ରାଇଜରେ ଉଡୁଛୁ । ବୟସ ଆସିଲେ, ସଂସାରର ଜୁଆଳି ବେକରେ ପଡି଼ଲେ, ଆମେ ବି ବୋଧେ ବାପାଙ୍କ ପରି ପେଟ କଥା ଚିନ୍ତା କରି ଲଙ୍କା, ବାଇଗଣ ଗଛ ଲଗାଇବୁ!
—
ପଦ୍ମଲୋଚନ ଏବେ ଭାରତୀୟ ଜନ ସଂଚାର ସଂସ୍ଥାନରେ ଅଧ୍ୟାପନା କରୁଛନ୍ତି । ସେ ଓଡିଆ ସାହିତ୍ୟରେ ଗବେଷଣା ମଧ୍ୟ କରୁଛନ୍ତି । ତାଙ୍କର ଗଳ୍ପ ରଚନାରେ ରୁଚି ରହିଛି । ଅନିୟମିତ ଭାବେ ଲେଖାଲେଖି କରନ୍ତି ।