ସସ୍ମିତା ରାଉତ
ପୁରୁଣା ମନ୍ଦିରର ଭଗ୍ନ ଜଗମୋହନ ସଦୃଶ ମନର ଅତଳ ସାଗରରେ ପଡ଼ିରହିଛି ପୁରୁଣା ସ୍ମୃତି । ସ୍ମୃତି ସଦା ଜୀବନର ଇତି । ଜୀବନ ସରିଯାଏ କିନ୍ତୁ ସ୍ମୃତି ରହିଯାଏ । ଦର୍ଶନା ବୁଝି ପାରୁନଥିଲା ଅନେକ ସମୟରେ ପ୍ରେମ କାହାଣୀ ଗଢ଼ିବା ଆଗରୁ ଭାଙ୍ଗି ଯାଇଥାଏ କାହିଁକି !
ଆକାଶରେ ହସୁଛି କୁଆଁରପୁନେଇଁ ଜହ୍ନ, ସୁଦୂର ବେଙ୍ଗାଲୁରୁର କମୁନିଟି ହଲରୁ କୁଆଁରପୁନେଇଁ ଗୀତ ପବନ ଚିରି ଦର୍ଶନାର ବୁକୁକୁ କ୍ଷତାକ୍ତ କରୁଛି । ଏଠାରେ ଓଡ଼ିଆ କମ୍ୟୁନିଟି ସୋସାଇଟି ତରଫରୁ କୁଆଁରପୁନେଇଁ ପ୍ରୋଗ୍ରାମ ଏରେଞ୍ଜ କରାଯାଇଛି । ତାକୁ ମଧ୍ୟ ଏହି ପ୍ରୋଗ୍ରାମକୁ ଇନଭାଇଟ୍ ହୋଇଥିଲା, ହେଲେ ସେ କୋଉ ହିସାବରେ ଯିବ ଭାବି ପାରୁନଥିଲା । ଜୀବନର ହିସାବନିକାଶ ଠିକରେ କରି ପାରିଲା ନାହିଁ ବୋଲି ତ ଆଜି ସେ ହାରି ଯାଇଥିବା ଜୀବନ-ପଥିକ ।
ବିବାହ ପୂର୍ବରୁ କୁଆଁରପୁନେଇଁ ଓଷା କରୁଥିଲାବେଳେ କଇଁ ଫୁଲର ଚାନ୍ଦ କରି ଜହ୍ନକୁ ବନ୍ଦାପନା କରୁଥିଲା ଯେବେ, ବୁଢୀମା କହୁଥିଲା ନିଷ୍ଠାର ସହିତ କୁଆଁରପୁନେଇଁ ଓଷା ପାଳନ କଲେ ଚନ୍ଦ୍ରଉଦିଆ ବର ମିଳିବ । ଉପର ଦେଖାଣିଆ ସେ ଅନ୍ଧବିଶ୍ୱାସ କହି ବୁଢୀମାକୁ ଚିଡାଉ ଥିଲା ସିନା ଅନ୍ତରରୁ କିନ୍ତୁ ନିଷ୍ଠାର ସହିତ ସବୁ ବିଧି ପାଳନ କରୁଥିଲା । ତା’ର ସାଙ୍ଗମାନେ ସୌରଭଙ୍କୁ ଦେଖି ସେଥିପାଇଁ ତୋ ଚିଡ଼ାଇ କହୁଥିଲେ କୁମାର ପରି ବର ପାଇଛୁ ପୁଣି ବଡ଼ ସହରରେ ରହିବୁ । ଆଉ କୋଉ କୁମାରପୂର୍ଣ୍ଣିମା, ଖୁଦୁରୁକୁଣୀ, ଭାଲୁକୁଣି ଓଷା, ରଜଦୋଳି କଥା ମନେ ପକାଇବୁ ଯେ !
ଏହା ଭିତରେ ଓଡ଼ିଶା ଛାଡ଼ିବା ଅନେକ ଦିନ ହେଲାଣି ହେଲେ ସବୁ ରାତି ସେ ତାର ସ୍ଵପ୍ନ ସବୁକୁ ସାଉଁଟି ସେମାନଙ୍କ ଶେଯ ସଜାଡ଼େ । ବିଳମ୍ବିତ ରାତିରେ ସୌରଭ ଆସନ୍ତି । ଅନେକ ସମୟରେ ଷ୍ଟଡ଼ି ରୁମରେ ତାଙ୍କର ରାତି ବିତିଯାଏ । ଦର୍ଶନା ଯେବେ କିଛି ପଚାରିବାକୁ ଚାହେଁ, ତାକୁ ବୁଝାଇ ଦିଅନ୍ତି ଆମେରିକାନ ବେଶ୍ଡ କମ୍ପାନୀ ଆମର । ଏଠି ରାତିବେଳେ ଅଫିସ ଆଓ୍ବାର । ରାତି ସମୟରେ ମେଲ୍ ଆଦାନପ୍ରଦାନ ହୁଏ । କାଳେ ତୁମର ଡିଷ୍ଟର୍ବ ହେବ ସେଥିପାଇଁ ଷ୍ଟଡ଼ି ରୁମରେ ମୁଁ ମୋ କାମ କରେ ।
ଅନେକ ଏକଲା ସମୟରେ ମିରର ଆଗରେ ସେ ନିଜକୁ ଦେଖେ ତାର ସୁଢଳ ଛାତିକୁ ଦେଖି ତାର ନିଜ ପ୍ରତି ଲୋଭ ଆସୁଛି ଅଥଚ ସୌରଭ କ’ଣ…? ଏମିତି ଅସରନ୍ତି ପ୍ରଶ୍ନର ବୁଢିଆଣୀ ଜାଲରେ ଛନ୍ଦି ହୋଇ ସେ ପତଙ୍ଗ ସଦୃଶ ଡହଳବିକଳ ହେଉଥାଏ ।
ପ୍ରଥମ ଥର ସେ ସୌରଭଙ୍କ ଅଫିସ ପାର୍ଟିକୁ ଇନଭାଇଟ୍ ହୋଇଥିଲା । କହିବାକୁ ଗଲେ ଯେହେତୁ କପୁଲ୍ ପାର୍ଟି ସେଥିପାଇଁ ସୌରଭ ହୁଏତ ବାଧ୍ୟ ହୋଇ ତାକୁ ନେଇଥିଲେ । ସହଜେ ପାର୍ଟିଫାଟି ତା’ର ପସନ୍ଦ ନୁହେଁ । ସେଥିରେ ପୁଣି ଏଠି କାହାରିକୁ ସେ ଭଲଭାବରେ ଚିହ୍ନି ନାହିଁ । ଏ ସହରୀମାନଙ୍କ ଭିତରେ ସେ ଜଙ୍ଗଲି ଜୀବ ପରି ପ୍ରତ୍ୟୟମାନ ହେଉଥିଲା । ପାର୍ଟି ଥିମ୍ ବିଷୟରେ ସେ ଜାଣିଥିଲେ ହୁଏତ ସେ ନିଜକୁ କିଛିଟା ପ୍ରସ୍ତୁତ କରି ପାରିଥାନ୍ତା । ହେଲେ ସୌରଭ ତାକୁ ଏ ବିଷୟରେ କିଛି କହିନଥିଲେ, କିମ୍ବା କହିବା ଜରୁରୀ ଭାବି ନଥିଲେ ବୋଧେ !
ସେହି ପାର୍ଟିରେ ପ୍ରଥମଥର ରୋଜି ମେମଙ୍କ ସହିତ ଦର୍ଶନାର ଭେଟ ହୋଇଥିଲା । ବ୍ଲାକ ଗାଉନରେ ରୋଜି ମେମ୍ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ହେଲେ ତାଙ୍କ ଆଖିର ଖାଲିପଣ ତାଙ୍କର ସ୍ମାର୍ଟ ଲୁକ୍ କୁ ଜମାରୁ ମ୍ୟାଚ୍ କରୁନଥିଲା । ମି. ଡିସୋଜା ଖୁବ୍ ଭଲ ପାଉଥିଲେ ରୋଜି ମ୍ୟାମ୍ ଙ୍କୁ ବୋଲି ଅନେକ ସମୟରେ ସୌରଭଙ୍କଠାରୁ ଶୁଣିଛି ସେ । ପୁଣି ରୋଜି ମ୍ୟାମଙ୍କ ସୁନ୍ଦର ମୁଖମଣ୍ଡଳରେ ଏ ଉଦାସପଣ କାହିଁକି ?
ସେ ପାର୍ଟିରୁ ପଳେଇ ଆସିବା ପାଇଁ ଚାହୁଁଥିଲା, ହେଲେ ସୌରଭକୁ ସେ ପାର୍ଟିରେ ଦେଖିବାକୁ ପାଉନଥିଲା । ସେ ଚାରିଆଡ଼େ ଆଖି ପହଁରାଇ ଆଣିଲା । ସମସ୍ତେ ପାର୍ଟିର ମଜା ନେଉଥିଲେ । ସେ ଭାବିଲା ବାଲକୋନୀରେ ନିଶ୍ଚଳ ହୋଇ କିଛି ସମୟ ବସିବ । ସୌରଭଙ୍କ ପାର୍ଟି ସରିଲେ ସେ ତାକୁ ବଳେ ଡାକିବେ । ବାଲକୋନୀ ଅନ୍ଧାର କରିଡ଼ର ଆଡୁ କିଛି ଆବାଜ ଆସିଲା ପରି ଲାଗିଲା । ସେ ସେଆଡ଼କୁ ପାଦ ବଢ଼ାଇଛି କି ନାହିଁ ରୋଜି ମ୍ୟାମ୍ ହଠାତ୍ ଅନ୍ଧାର ଚିରି ବାହାରି ଆସିଲେ । ସାମ୍ନାରେ ଦର୍ଶନାକୁ ଦେଖି ସେ ଟିକେ ଇତସ୍ତତଃ ହୋଇଗଲେ । ଝାପସା ଆଲୁଅରେ ମଧ୍ୟ ଦର୍ଶନା ଦେଖି ପାରୁଥିଲା ତାଙ୍କ ଆଖିର ଲୁହକୁ ।
ଦର୍ଶନାକୁ ପାର୍ଟିରେ ଅଣନିଃଶ୍ଵାସୀ ମନେ ହେଉଥିଲା । ସେ ବାହାର ଲନରେ ହିଁ ସୌରଭଙ୍କୁ ଅପେକ୍ଷା କରିବ ଭାବି ବାହାରକୁ ଆସିଲା ବେଳକୁ ଦେଖିଲା, ମି. ଡିସୋଜା ଓ ସୌରଭ କାରରେ କୁଆଡେ ବାହାରି ଗଲେ । ସିଏ ବୁଝିପାରୁ ନଥିଲା ସୌରଭ ତାକୁ କିଛି ନକହି କେମିତି ପଳେଇ ଗଲେ ? ପୁଣି ଭାବିଲା ହୁଏତ ଅର୍ଜେଣ୍ଟ କାମ କିଛି ଆସି ଯାଇଥିବାରୁ ଉଭୟ ପାର୍ଟନର ସାଙ୍ଗରେ ଗଲେ । ଏବେ ଘରକୁ କେମିତି ଏକା ଯିବ ଭାବି ବ୍ୟସ୍ତ ହୋଇ ଯାଇଥିଲା ସେ । ରୋଜି ମ୍ୟାମ୍ ମଧ୍ୟ ଆସି ଯାଇଥିଲେ ସେଠାକୁ । ସେ ରୋଜି ମ୍ୟାମଙ୍କୁ କ’ଣ କହିବ ଭାବୁଥାଏ । ରୋଜି ମ୍ୟାମ ତାକୁ କହିଲେ- ଡ୍ରାଇଭରକୁ କହୁଛି ସେ ତୁମକୁ ନେଇ ତୁମ ଫ୍ଲାଟରେ ଛାଡ଼ିଦେବ । ଦର୍ଶନା ମନା କରିବ ଭାବୁଥିଲା, ଏଣେ ଏତେ ରାତିରେ ଫ୍ଲାଟକୁ କେମିତି ଯିବ ଏସବୁ ଭାବନା ଭିତରେ ଗାଡ଼ି ଆସି ସାମନାରେ ପହଞ୍ଚି ଯାଇଥିଲା । ସେ ଅଧିକ କିଛି ନଭାବି ଗାଡ଼ିରେ ବସିଗଲା ।
ମି. ଡିସୋଜା ଓ ସୌରଭଙ୍କ ଏକ୍ସିଡେଣ୍ଟର ପରଠାରୁ ସବୁ ପରିସ୍ଥିତିକୁ ରୋଜି ମ୍ୟାମ୍ ପ୍ରାୟତଃ ହାଣ୍ଡେଲ୍ କରିଥିଲେ । ଏହି ଦୁଃସମ୍ବାଦ ପାଇବାକ୍ଷଣି ସେ ମଧ୍ୟ ଦଉଡି ଯାଇଥିଲା ଏକ୍ସିଡେଣ୍ଟ ସ୍ଥାନକୁ । ହେଲେ ମିଡ଼ିଆବାଲାଙ୍କ ଅଶ୍ଳୀଳ ପ୍ରଶ୍ନସବୁ ତାକୁ ଚେତାଶୂନ୍ୟ କରି ଦେଇଥିଲା । ସେ ସେଠାରେ ହିଁ ପଡ଼ି ଯାଇଥିଲା । ରୋଜି ମ୍ୟାମ୍ ବଡ଼ଭଉଣୀ ଭଳି ତା’ର ଯତ୍ନ ନେଇଥିଲେ । ଏତେସବୁ ପରେବି କାହିଁକି କେଜାଣି ରୋଜି ମ୍ୟାମ୍ ଦର୍ଶନାକୁ ଯେମିତି ଆଖି ସାମନାରେ ବରଦାସ୍ଥ କରିପାରୁ ନଥିଲେ ।
ଏକଥାକୁ ଦର୍ଶନା ମଧ୍ୟ ଏ କିଛିଦିନ ଭିତରେ ଭଲଭାବରେ ବୁଝି ସାରିଥିଲା । ସେଥିପାଇଁ ତ ତା’ ମନରେ ଉନ୍ମତ୍ତ ପ୍ରଶ୍ନ ସବକୁ ସେ ତା ହୃଦୟରେ କବର ଦେଇ ଦେଇଥିଲା । ସେ ଭଲ ଭାବରେ ଜାଣିଥିଲା ତା’ର ଅମିମାଂସିତ ପ୍ରଶ୍ନ ସବୁର ଉତ୍ତର ରୋଜି ମ୍ୟାମ୍ ଙ୍କ ପାଖରେ ଅଛି, ହେଲେ ସେ ସାହସ କରି କେବେ ତାର ପ୍ରଶ୍ନ ପଚାରି ପାରିଲାନାହିଁ ଆଜି ଯାଏଁ ।
ଜୀବନର ସବୁ ପ୍ରଶ୍ନର ଉତ୍ତର ମିଳି ନଥାଏ, କିଛି ପ୍ରଶ୍ନ ଅମିମାଂସିତ ହୋଇ ରହିବା ହିଁ ଜୀବନ ଜିଇଁବାରେ ସହାୟ ହୋଇଥାଏ । ରୋଜି ମ୍ୟାମଙ୍କ ଏ ଗୋଳମାଳିଆ କଥାସବୁ ଦର୍ଶନାର ବୁଝିବା ବାହାର । ସବୁଠାରୁ ଅଧିକ ଅବୁଝା ହୋଇ ରହିଗଲା ସେଦିନ ରାତିରେ ଏମିତି କ’ଣ ହେଲା ଯେ ମିଡ଼ିଆ ବାଲା ମି. ଡିସୋଜା ଓ ସୌରଭକୁ ନେଇ ଅନେକ କଥା କହୁଥିଲେ । କ’ଣ ମି. ଡିସୋଜା ଓ ସୌରଭ ଭିତରେ ଏମିତି କି ସମ୍ପର୍କ ଗଢ଼ି ଉଠିଥିଲା, ଯେ ସେ ସମ୍ପର୍କକୁ ନେଇ ରୋଜି ମ୍ୟାମ୍ ବ୍ୟସ୍ତବିବ୍ରତ ! ତାକୁ କ’ଣ ଏ ବିଷୟରେ କିଛି ଖୋଳତାଡ଼ କରିବା ଉଚିତ ? ସେ ଆଗକୁ ଅଧିକ କିଛି ଭାବି ପାରୁନଥିଲା !
ଏବେ ରୋଜି ମ୍ୟାମ୍ ଓ ଦର୍ଶନା ଉଭୟେ ବିଜନେସ ପାର୍ଟନର ହେବା ସହ ଉଭୟେ ଉଭୟଙ୍କ ପଡୋଶୀ ହୋଇ ରହୁଥିଲେ । ଅଥଚ ଅପରିଚିତ ପରି ପରସ୍ପରକୁ ଦେଖିଲେ ବାଟଓଗାଳି ଚାଲି ଯାଉଥିଲେ । ପ୍ରତ୍ୟେକଦିନ ସକାଳେ କିନ୍ତୁ ଉଭୟଙ୍କ ଭେଟ ଖୁବ୍ ନିଆରା ଢଙ୍ଗରେ ହୁଏ । ଭୋଅରରୁ ଉଠି ନିତ୍ୟକର୍ମ ସାରି ମନ୍ଦିର ଯିବା ଅଭ୍ୟାସ ମା’ କରାଇଥିଲେ । ଏବେ ଦର୍ଶନା ପାଇଁ ଦିଅଁ ଦର୍ଶନ ବିନା ଯେମିତି ଦିନଟି ଦୂର୍ଭୋଗ୍ୟ ହୋଇଯାଏ । ସେମିତି ରୋଜି ମ୍ୟାମ୍ ପ୍ରଭୁ ଜିସସ୍ ଙ୍କୁ ନଭେଟିଲେ ରହି ପାରନ୍ତିନି । ଦର୍ଶନା ହାତରେ ଫୁଲ କିଛି ଧରି ମନ୍ଦିର ବାହାରିଲା ବେଳକୁ ରୋଜି ମ୍ୟାମ୍ ଲାଲ୍ ଗୋଲାପ ଧରି ଆସୁଥାନ୍ତି । ପ୍ରତ୍ୟେକଦିନ ଠିକ୍ ବ୍ରହ୍ମ ମୁହୂର୍ତ୍ତରେ ଉଭୟଙ୍କ ଭେଟ ହୁଏ ଆଉ ଉଭୟେ ଭୁଆଁବିରାଡି ପରି ଉଭୟେ ଉଭୟଙ୍କ ବାଟକାଟି ଚାଲିଯାଆନ୍ତି ।
ଜୀବନର ଗୂଢ ରହସ୍ୟ ଭେଦିବା ସାଧାରଣ ମଣିଷ ପାଇଁ ଖୁବ୍ କଠିନ । ସୌରଭ ଓ ମି. ଡିସୋଜା ଏହି କଲୋନୀରେ ପାଖାପାଖି ଏକା ସାଙ୍ଗରେ ଘର କିଣିଥିଲେ, ହୁଏତ ପାଖାପାଖି ରହିବାର ମନସ୍କାମନା ନେଇ । ସେମାନେ ସେମାନଙ୍କ ଜୀବିତ ସମୟରେ ଏଠାରେ ଏକ ସଙ୍ଗେ ରହିପାରିଲେ ନାହିଁ । ଯେଉଁ ଦୁଇଜଣଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଏହି ଘର ଦେଇଗଲେ ସେମାନେ ପାଖରେ ରହି ମଧ୍ୟ ଉଭୟେ ଉଭୟଙ୍କଠାରୁ ଥିଲେ ଖୁବ୍ ଦୂରରେ …
ସୋର, ବାଲେଶ୍ଵର
ଲେଖକ ପରିଚୟ
ପେଶାରେ ଜଣେ ଆଇନଜୀବୀ ହେଲେ ନିଶା ତାଙ୍କର ସାହିତ୍ୟ ସୃଜନ ନିକଟରେ ବନ୍ଧା ପଡ଼ିଛି । ଏଯାବତ ଦୁଇଟି କବିତା ସଂକଳନ ଓ ଗୋଟିଏ ଗଳ୍ପ ସଂକଳନ ପ୍ରକାଶିତ ହୋଇଛି । ପରିବାର, ଚାକିରି ଭିତରେ ଥିବା ନାନା ଜଞ୍ଜାଳ ତାଙ୍କୁ ଅଟକାଇ ପାରିନି ଶବ୍ଦର କାରିଗର ଭାବେ ନିଜର ଭିନ୍ନ ଏକ ପରିଚୟ ଗଢିବାରେ ।