ବହି: ବିଙ୍ଗ୍ ଦ ଚେଞ୍ଜ: ଇନ ଦ ଫୁଟ ଷ୍ଟେପ୍ସ୍ ଅଫ ମହାତ୍ମା
ଲେଖକ: ଆଶୁତୋଷ ଶଲିଲ ଏବଂ ବର୍ଖା ମାଥୁର
ପ୍ରଥମ ପ୍ରକାଶନ: ୨୦୨୨
ଏ ପୁସ୍ତକର ଦୁଇଜଣ ଲେଖକଙ୍କ ବିଷୟରେ ଆଗେ ଦୁଇପଦ କହିବା ଦରକାର । ଆଶୁତୋଷ ଶଲିଲ୍ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ । ବର୍ଖା ମାଥୁର ନାଗପୁରରେ ଅବସ୍ଥାପିତ ଜଣେ ସାମ୍ବାଦିକା । ଉଭୟଙ୍କ ମଧ୍ୟରେ କମନ୍ କଥାଟି ହେଲା ଉଭୟେ ସମାଜର ତୃଣମୁଳ ସ୍ଥରରେ ସକାରାତ୍ମକ କାର୍ଯ୍ୟ କଣ ହେଉଛି ଏବଂ କିଏ କରୁଛନ୍ତି ତାକୁ ଜାଣିବା ପାଇଁ ଆଗ୍ରହୀ ।
ଏହି ଆଗ୍ରହର ଫଳଶୃତି ହେଲା ଏ ପୁସ୍ତକ, ଯେଉଁଥିରେ ସାତଜଣ ଏମିତି ଲୋକଙ୍କ କଥା ଲେଖାଯାଇଛି, ଯେଉଁମାନେ ଅତ୍ୟନ୍ତ ପ୍ରତିକୁଳ ଅବସ୍ଥାରେ ସମାଜର ତୃଣମୁଳ ସ୍ତରରେ ନିର୍ଯାତିତ, ନିଷ୍ପେସିତ, ଅବହେଳିତ ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ସେମାନେ ଚୁପ୍ଚାପ୍ ନିଜ କାର୍ଯ୍ୟ କରୁଛନ୍ତି । ନିଜକୁ ବିଜ୍ଞାପିତ କରୁ ନାହାନ୍ତି । ତୃଣମୁଳ ସ୍ତରରେ ସକାରାତ୍ମକ ପରିବର୍ତ୍ତନର ଯେଉଁ ବାର୍ତ୍ତା ମହାତ୍ମା ଗାନ୍ଧୀ ଦେଇ ଯାଇଥିଲେ ତାକୁ ସେମାନେ ନିଜ ଜୀବନରେ କରି ଦେଖାଉଛନ୍ତି ।
ମହାତ୍ମା ଗାନ୍ଧୀ କହିଥିଲେ ଭାରତ ଗାଁରେ ବାସ କରେ ଆଉ ଗରିବ ଲୋକମାନଙ୍କ ପାଇଁ ଯଦି କାମ କରିବାର ଅଛି ତାହାହେଲେ ଆମକୁ ଗାଁରେ ଯାଇ କାମ କରିବାକୁ ପଡିବ । ଯେଉଁ ସାତଜଣଙ୍କ କଥା ଏ ବହିରେ ଲେଖାଯାଇଛି ସେମାନେ ମହାତ୍ମା ଗାନ୍ଧୀଙ୍କ ଏହି ବାଣୀକୁ ହିଁ ମନ୍ତ୍ରକରି ସମାଜର ସେବା କରିଚାଲିଛନ୍ତି ।
ଏମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର କାର୍ଯ୍ୟ ପାଇଁ ପରିଚିତି ପାଇଛନ୍ତି, ପୁରସ୍କାର ମଧ୍ୟ ପାଇଛନ୍ତି । କିନ୍ତୁ ବିଜ୍ଞାପିତ ବିଶେଷ ହେଇ ନାହାନ୍ତି । ଏମାନଙ୍କ ଭିତରୁ ଜଣେ ହେଲେ ମାର୍ଟିନ୍ । ମାର୍ଟିନ ଏମିତି ଏକ ଆଦିବାସୀ ସଂପ୍ରଦାୟର ଲୋକ ଯେଉଁମାନଙ୍କୁ ବ୍ରିଟିଶ ଅମଳରେ ‘ଅପରାଧି ଜାତି’ (କ୍ରିମନାଲ୍ ଟ୍ରାଇବ୍) ବୋଲି କୁହାଯାଉଥିଲା । ସ୍ୱାଧୀନତା ପାଇଲା ପରେ ଭାରତ ସରକାର ଏଭଳି ପରିଚୟ ପ୍ରତ୍ୟାହାର କରିନେଇଥିଲେ । ହେଲେ ସାମାଜିକ ସ୍ତରରେ ସେ ଅପବାଦ ରହିଯାଇଥିଲା । ମାର୍ଟିନର ବାପାଙ୍କୁ ୧୯୮୦ରେ ଚୋରି ଅପରାଧରେ ଜେଲଦଣ୍ଡ ଦିଆଯାଇଥିଲା । ମାର୍ଟିନ ବିଶ୍ୱାସ କରନ୍ତି ଯେ ତାଙ୍କ ବାପା ଏ କାମ କରିନଥିଲେ । ଏହାପରେ ମାର୍ଟିନ ପାଠ ପଢ଼ିଲେ, କାରଣ ସେମାନଙ୍କ ସାମ୍ନାରେ ଗୋଟିଏହିଁ ମାତ୍ର ରାସ୍ତା ଥିଲା ଯେକୌଣସି ମତେ ସେମାନେ ପାଠ ପଢ଼ିଲେ ଦାରିଦ୍ରର କବଳରୁ ସେମାନେ ମୁକ୍ତ ହେବେ ଏବଂ ଯେଉଁ ସାମାଜିକ ଅପବାଦ ତାଙ୍କୁ ଘେରି ରହିଛି ସେଥିରୁ ସେମାନେ ମୁକ୍ତ ହେବେ । ମାର୍ଟିନ ପାଠ ପଢ଼ିଲେ । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ)ରେ ଚାକିରି ଆରମ୍ଭ କଲେ । କିନ୍ତୁ ଅଧାରୁ ଚାକିରି ଛାଡି ସେ ନିଜ ଗାଁକୁ ଫେରିଆସିଲେ ଏବଂ ଗୋଟେ ସରକାରୀ ସ୍କୁଲରେ ଶିକ୍ଷକ ହେଲେ । ପରେ ପରେ ସେ ନିଜ ସଂପ୍ରଦାୟର ପିଲାମାନଙ୍କ ପାଇଁ ଗୋଟେ ସ୍କୁଲ କଲେ । ସ୍କୁଲର ନାଁ ଦେଲେ- ପ୍ରଶ୍ନଚିହ୍ନ ଆଦିବାସୀ ଆଶ୍ରମଶାଳା । ସାରା ମହାରାଷ୍ଟ୍ର ବୁଲି ବୁଲି ଟ୍ରାଫିକ ସିଗନାଲ ପାଖରେ, ଫୁଟପାଥରେ ଯେଉଁ ପିଲାମାନେ ଇଆଡେ ସିଆଡେ ବୁଲୁଥିଲେ, ତାଙ୍କୁ ଆଣି ନିଜ ସ୍କୁଲରେ ଭର୍ତ୍ତିକଲେ । ଯେଉଁଠି ସେ ସ୍କୁଲଟି ତିଆରି କରିଥିଲେ, ସେଟା ସରକାରୀ ଜାଗା ହୋଇଥିବା ଅଭିଯୋଗରେ ତାର ଗୋଟେ ଅଂଶକୁ ବୁଲଡୋଜରରେ ଭାଙ୍ଗିଦିଆଗଲା । ତଥାପି ମାର୍ଟିନ ସ୍କୁଲକୁ ବଜାୟ ରଖିଲେ । ଏବେ ସେ ସ୍କୁଲଟି ଅତ୍ୟନ୍ତ ପରିଚିତ ।
ସେମିତି ନକ୍ସଲପନ୍ଥ଼ୀଙ୍କ ଦୂର୍ଗ ବୋଲି କୁହାଯାଉଥିବା ଗଡଚିରୋଲିରେ କାମକରୁଥିବା ମୋହନ ଏବଂ ଦେୱାଜୀଙ୍କ କଥା ମଧ୍ୟ ଏ ବହିରେ ଲେଖା ଯାଇଛି । ଏମାନେ ମହାତ୍ମା ଗାନ୍ଧୀଙ୍କର ଗ୍ରାମ ସ୍ୱରାଜର ସ୍ୱପ୍ନକୁ ସାକାର କରିବାପାଇଁ ଚେଷ୍ଟା କରୁଛନ୍ତି ।
ବହିରେ ଦୁଇଜଣ ଡାକ୍ତର ଦମ୍ପତିଙ୍କ କଥା ଲେଖା ଯାଇଛି । ସେମାନଙ୍କ ନାଁ ଆଶିଷ ଆଉ କବିତା । ସେମାନେ ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜରୁ ଏମ.ଡି. କରିଛନ୍ତି । ପୃଥିବୀର ଯେକୌଣସି ସ୍ଥାନରେ ଯାଇ ସେମାନେ ଡାକ୍ତରି କରିପାରିଥାନ୍ତେ । କିନ୍ତୁ ସେମାନେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ ଆଦିବାସୀ ବହୁଳ ବ୍ଲକ ଧର୍ମୀକୁ ଯାଇ, ଗାଁରେ ରହି ଗାଁ ଲୋକଙ୍କର ଚିକିିତ୍ସା କରିବାପାଇଁ ଲାଗିଲେ ।୧୯୮୪ରୁ ସେମାନେ ଲୋକଙ୍କ ଚିକିତ୍ସାସେବା ପାଇଁ କାମ କରୁଛନ୍ତି ।
ଏମିତି ଅନେକ ଲୋକ ପାଦପ୍ରଦୀପରୁ ଦୂରରେ, ପ୍ରାନ୍ତୀୟ ଅଗମ୍ୟ ଗାଁରେ ରହି ଗରିବ ଲୋକମାନଙ୍କ ପାଇଁ କାମ କରୁଛନ୍ତି । ଏ ବହିରେ ସେମିତି କେତେଜଣ ଲୋକମାନଙ୍କ କଥା କୁହାଯାଇଛି । ଏ ବହିଟି ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ଯେଉଁମାନେ ସବୁକଥାରେ ଅସନ୍ତୁଷ୍ଟ, ଯେଉଁମାନେ ସମସ୍ୟାର ସମାଧାନ ଦିଗରେ ନିଜର କିଛି ଯୋଗଦାନ ନଦେଇ କେବଳ ଦୋଷାରୋପରେ ମାତିଥାନ୍ତି । ଏ ବହିଟି ହୁଏତ ସେମାନଙ୍କୁ କହିପାରିବ ଯେ ଜଣେ ଯଦି ସମସ୍ୟାର ସମାଧାନ ଦିଗରେ ନିଜର ଯୋଗଦାନ ଦିଏ ତେବେ ପରିବର୍ତ୍ତନ ଆସିପାରିବ । ଏ ବହି ମାଧ୍ୟମରେ ସେମାନେ ଭାରତରେ ପରିବର୍ତ୍ତନର ଏକ ଝଲକ ଦେଖି ପାରନ୍ତି ।
++