ଜଳବାୟୁ ପରିବର୍ତ୍ତନର ରୂପରେଖ

ବହି – ସ୍ପିଡ୍‍ ଆଣ୍ଡ ସ୍କେଲ୍‍: ଆନ୍‍ ଆକସନ୍‍ ପ୍ଲାନ ଫର ସଲଭିଂ ଆୱାର କ୍ଲାଇମେଟ୍‍ କ୍ରାଇସିସ୍‍ ନାଓ
ଲେଖକ – ଜନ ଡୁଅର
ପ୍ରକାଶକ – ପେଙ୍ଗୁଇନ୍‍
ପୃଷ୍ଠା – ୪୪୮, ମୂଲ୍ୟ – ୭୯୯ ଟଙ୍କା

ପଚିଶ ବର୍ଷ ତଳେ ବି ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ କେବଳ ଶିକ୍ଷାୟତନମାନଙ୍କରେ ଏବଂ ପରିବେଶବିଦମାନଙ୍କ ଆଲୋଚନାର ବିଷୟବସ୍ତୁ ଥିଲା । ୨୦୦୬ରେ ଆମେରିକାର ଉପରାଷ୍ଟ୍ରପତି (୧୯୯୩-୨୦୦୧) ଆଲ୍‍ ଗୋରେ ଆନ୍‍ ଇନ୍‍କନ୍‍ଭିନିୟେଣ୍ଟ୍‍ ଟ୍ରୁଥ୍‍ (ଏକ ଅସହଜ ସତ୍ୟ) ଶିରୋନାମାରେ ଏକ ବୃତ୍ତଚିତ୍ରରେ ଏ ବିଷୟଟି ପ୍ରତି ବିଶ୍ୱର ମନୋଯୋଗ ଆକର୍ଷଣ କରିଥିଲେ । ପଚିଶ ବର୍ଷ ଭିତରେ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସାଧାରଣରେ ଆଲୋଚନା ଏବଂ ଆଶଙ୍କାର ବିଷୟ ହୋଇ ଉଠିଲାଣି । ସାରା ପୃଥିବୀ ଏବେ ଜଳବାୟୁ ପରିବର୍ତ୍ତନର ଫଳକୁ ଅଙ୍ଗେ ନିଭାଉଛନ୍ତି । ଏହାର ସାମାଜିକ ଏବଂ ଅର୍ଥନୈତିକ ପ୍ରଭାବକୁ ମଧ୍ୟ ଅଙ୍ଗେ ନିଭାଉଛନ୍ତି । କ୍ରମଶଃ ଅନିୟମିତ ହୋଇଉଠୁଥିବା ବର୍ଷା, ବୃଷ୍ଟିପାତର ଧରଣରେ ପରିବର୍ତ୍ତନ, ଅଧିକ ବାତ୍ୟା, ବନ୍ୟା ଏବଂ ମରୁଡ଼ି, ଗ୍ରୀଷ୍ମରେ ତାପମାତ୍ରାର ଅତ୍ୟଧିକ ବୃଦ୍ଧି- ଏସବୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି ଏବେ ସାଧାରଣ ଲୋକ ମଧ୍ୟ ଜାଣିଲେଣି ଏବଂ ଆଶଙ୍କା ପ୍ରକାଶ କଲେଣି ।

ବର୍ତ୍ତମାନ ପ୍ରଶ୍ନ: ଜଳବାୟୁ ପରିବର୍ତ୍ତନକୁ କେମିତି ରୋକିହେବ । ପ୍ରକୃତିର ଯେତିକି କ୍ଷତି ଘଟି ଯାଇଛି ତାକୁ କେମିତି ଭରଣା କରିହେବ ଏବଂ ଭବିଷ୍ୟତରେ କେମିତି ଏହା ନହେବ ସେ ବିଷୟରେ ପଦକ୍ଷେପ ନେଇହେବ । ଇତି ମଧ୍ୟରେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବହୁତ ବିଳମ୍ବ ହୋଇଯାଇଛି । ଏତେ ବିଳମ୍ବ ହୋଇଯାଇଛିଯେ ଯେଉଁ କ୍ଷତି ହୋଇଯାଇଛି ସେଥିରୁ ଅନେକ କିଛି ଆଉ ଭରଣା କରିବା ସମ୍ଭବ ନୁହଁ । ପୃଥିବୀର ବହୁ ପଶୁପକ୍ଷୀ ପ୍ରଜାତି ସଂପୁର୍ଣ୍ଣ ଲୋପ ପାଇଯାଇଛନ୍ତି । ଅନେକ ଭୁମି ମରୁଭୁମି ହୋଇ ସାରିଛି । ଜଙ୍ଗଲ ନଷ୍ଟ ହୋଇ ସାରିଛି । ତାକୁ ଆଉ ଭରଣା କରିବା ହୁଏତ ସମ୍ଭବ ନୁହଁ । କିନ୍ତୁ ବର୍ତ୍ତମାନେ ଯେତିକି ଅଛି ତାକୁ କଣ କରାଯାଇପାରେ ଏ ବିଷୟରେ ଏବେ ସାରା ପୃଥିବୀ ଚିନ୍ତା କରିବାକୁ ଲାଗିଲାଣି ।

‘ସ୍ପିଡ୍‍ ଆଣ୍ଡ ସ୍କେଲ’ ପୁସ୍ତକରେ ଲେଖକ ଜଳବାୟୁର ସଂକଟରୁ ଉଧୁରିବାର କେତେଗୁଡିଏ କାର୍ଯ୍ୟକାରୀ ପଦକ୍ଷେପ ସଂପର୍କରେ ଲେଖିଛନ୍ତି । ଏ ପଦକ୍ଷେପ ଗୁଡିକ କାର୍ଯ୍ୟକାରୀ କରିହେବ ଏବଂ ଏହାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

ଜନ ଡୁଅର ଜଣେ ଅତ୍ୟନ୍ତ ସଫଳ ଭେଞ୍ଚର କ୍ୟାପିଟାଲିଷ୍ଟ । କମ୍ପାନି ପରିଚାଳନାରେ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି । ଏ ପୁସ୍ତକରେ ସେ ଜଳବାୟୁ ପରିବର୍ତ୍ତନ କେମିତି ସଂପୁର୍ଣ୍ଣ ପୃଥିବୀକୁ ଧ୍ୱଂସ କରିଦେଇପାରେ ସେକଥା ବଡ ନିଷ୍ଠୁର ଭାବରେ କହିଛନ୍ତି । ସେ ଏକଥା ସ୍ୱୀକାର କରିଛନ୍ତି ଯେ ଏଥିପାଇଁ ବର୍ତ୍ତମାନ ଏବଂ ଏହା ପୂର୍ବ ପ୍ରଜନ୍ମର ମଣିଷମାନେ ଅଧିକ ଦାୟୀ । ବିଶେଷ କରି ପାଶ୍ଚାତ୍ୟ ଉନ୍ନତ ଦେଶମାନେ ଅଧିକ ଦାୟୀ । ସେମାନେ ପ୍ରକୃତିର ଅଧିକ କ୍ଷତି କରିଛନ୍ତି । ପ୍ରଦୁଷଣ ଅଧିକ କରିଛନ୍ତି । ଡୁଅରଙ୍କର ମତହେଲା ଯେ ସେମାନେ ଜଳବାୟୁ ପରିବର୍ତ୍ତନକୁୂ ରୋକିବା ପାଇଁ ଆଗଭର ହବାର ଆବଶ୍ୟକତା ରହିଛି ।

୨୦୫୦ ସୁଦ୍ଧା ପ୍ରଦୂଷଣକୁ ଶୂନ୍ୟ ସ୍ଥରକୁ ଆଣିବାର ଲକ୍ଷ୍ୟ ରଖାଯାଇଛି । ୨୦୩୦ ସୁଦ୍ଧା ସେ ଦିଗରେ ଅନ୍ତତଃ ଅଧାଅଧି ବାଟ ଯିବାର ଲକ୍ଷ ଧାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଲେଖକ । ବର୍ତ୍ତମାନ ଯେତିକି ଅଙ୍ଗାରକାମ୍ଳ ଆମେ ପରିବେଶକୁ ଛାଡୁଛୁ ତାର ପରିମାଣ ହେଉଛି୫୯ ଗିଗା ଟନ । ଏତେ ପରିମାଣର ପ୍ରଦୂଷଣକୁ କମାଇବା ପାଇଁ ୩ଟି ବାଟ କରାଯାଇପାରେ । ଏ ତିନୋଟି କାମ ଏକା ସାଙ୍ଗରେ କରିବାପାଇଁ ପଡିବ । ପ୍ରଥମ: ପ୍ରଦୂଷଣ କମ କରିବା, ଦ୍ୱିତୀୟ: ଯେଉଁଥିପାଇଁ ପ୍ରଦୂଷଣ ହେଉଛି, ଯେଉଁ ଯନ୍ତ୍ରପାତି ବା ଉପକରଣ ପାଇଁ ସେଗୁଡ଼ିକର ଦକ୍ଷତା ବଢ଼ାଇବା ଯେମିତି ପ୍ରଦୂଷଣର ମାତ୍ରା କମିବ ଏବଂ ତୃତୀୟ : ଯେତିକି ପ୍ରଦୂଷଣ ହେଉଛି ତାକୁ କେମିତି ପରିଶୁଦ୍ଧ କରିବା । ଏହି ତିନୋଟି ଯାକ କାମ ଏକା ସାଙ୍ଗରେ କରାଯିବା ଉପରେ ସେ ଜୋର ଦେଇଛନ୍ତି । ଯଦିଓ ସେ ଏକଥା ମଧ୍ୟ ରେଖାଙ୍କିତ କରିଛନ୍ତି ଯେ ଆମେ ଏତେ ପ୍ରଦୂଷଣ କରିସାରିଲୁଣି ଯେ ବେଶ କିଛି ପ୍ରଦୂଷଣ ଆମ ସହିତ ହଜାର ହଜାର ବର୍ଷଧରି ରହିବ । କିନ୍ତୁ ଆମକୁ ବଞ୍ଚିବା ପାଇଁ ହେଲେ ବର୍ତ୍ତମାନ ଏହାର ପରିମାଣ ନିହାତି କମେଇବାକୁ ପଡିବ ।

ପରିବେଶକୁ ପ୍ରଦୂଷିତ ନ କରୁଥିବା ଯନ୍ତ୍ରପାତିର ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେବା ବିଷୟରେ ସେ ଜୋର ଦେଇଛନ୍ତି । ଏଥିରେ ଉନ୍ନତ କାରିଗରୀ ଜ୍ଞାନର ଯେତିକି ଆବଶ୍ୟକତା ରହିଛି, ରାଜନୈତିକ ଇଛାଶକ୍ତି ଏବଂ ଏ ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଓ ରୂପାୟନର ମଧ୍ୟ ସେତିକି ଆବଶ୍ୟକତା ରହିଛି ଏବଂ ମଧ୍ୟ ସେତିକି ଆବଶ୍ୟକତା ରହିଛି । ଉନ୍ନତ କାରିଗରୀ ଜ୍ଞାନ, ରାଜନୈତିକ ଇଛାଶକ୍ତି ଏବଂ ଏ ସଂକ୍ରାନ୍ତୀୟ ନୀତି ବା ପଲିସି ଏ ତିନୋଟି ଯାକ ମିଶିଲେ ଯାଇ ପ୍ରଦୂଷଣକୁ କିଛି ମାତ୍ରାରେ କମେଇ ହବ ।

ଡୁଏର ନିର୍ଦ୍ଦିଷ୍ଟ ଭାବରେ କେତେଗୁଡିଏ କାମ କରିବାପାଇଁ ପରାମର୍ଶ ଦେଇଛନ୍ତି । ତାହା ହେଲା:
୧- ଯାତାୟତ ବ୍ୟବସ୍ଥାର ସଂପୁର୍ଣ୍ଣ ବିଦ୍ୟୁତିକରଣ ଅର୍ଥାତ ଗାଡ଼ି ମୋଟର, ରେଳ, ଉଡାଜାହାଜ, ଜାହାଜ- ଏସବୁ ଫସିଲ ଫୁଏଲ୍‍ ବଦଳରେ ଅନ୍ୟ ରେନ୍ୟୁଏବଲ୍‍ ବା ପୁନଃଚକ୍ରଣ ହୋଇପାରୁଥିବା ଶକ୍ତିରେ ଚଲାଇବା
୨ – ଯେଉଁଠି ଶକ୍ତିର ବ୍ୟବହାର ଆବଶ୍ୟକ ସେ କ୍ଷେତ୍ରରେ ପୁନଃଚକ୍ରଣ ହୋଇପାରୁଥିବା ଏବଂ ପ୍ରଦୂଷଣ କରୁନଥିବା ଶକ୍ତି ଉତ୍ସକୁ ଯିବାପାଇଁ ପଡିବ । ବିଦ୍ୟୁତ ତିଆରି ପାଇଁ ଯଦି କୋଇଲା ବ୍ୟବହାର କରାଯାଉଛି ତାହାହେଲେ ସେଥିରେ ପ୍ରଦୂଷଣ ବେଶୀ ତେଣୁ ଆମକୁ ଏମିତି ଭାବରେ ବିଦ୍ୟୁତ ଉତ୍ପାଦନ କରିବାକୁ ପଡିବ ଯେଉଁଥିରେ ପ୍ରଦୂଷଣ କମ ହେବ ।
୩- ଫିକ୍ସଙ୍ଗ ଫୁଡ , ଖାଦ୍ୟ କେମିତି ବିନା ପ୍ରଦୂଷଣରେ ଉତ୍ପାଦିତ ହୋଇପାରିବ ସେଥିପ୍ରତି ଆମକୁ ଦୃଷ୍ଟିଦେବାପାଇଁ ପଡିବ ।
୪ – ପ୍ରକୃତିକୁ ରକ୍ଷା କରିବା । ଜଙ୍ଗଲ ହେଉ, ଜୀବଜନ୍ତୁ ହେଉ ୱେଟ ଲ୍ୟାଣ୍ଡ୍‍ ବା ଆଦ୍ୟ ଭୂମି ହେଉ ତାକୁ ରକ୍ଷା କରିବା ଏବଂ
୫ – ମ୍ୟାନୁଫ୍ୟାକଚରିଂକୁ ଡି କାର୍ବୋନାଇଜ କରିବା । ଅର୍ଥାତ୍‍ ନିର୍ମାଣ ଶିଳ୍ପରେ ପ୍ରଦୂଷଣର ମାତ୍ରାକୁ କମାଇବା ।
୬ – ପ୍ରକୃତିରେ ଯେଉଁ ଅଙ୍ଗାରକାମ୍ଳ ଜମି ଯାଇଛି ତାକୁ କମ କରିବା ।

ଏସବୁଥିପାଇଁ ରାଜନୈତିକ ଇଛାଶକ୍ତି, ନୀତି ଏବଂ ଉନ୍ନତ କାରିଗରୀ ଜ୍ଞାନ ଏ ତିନୋଟିର ଏକ ସମନ୍ୱିତ ଚେଷ୍ଟା ଆବଶ୍ୟକ । ସ୍ପିଡ୍‍ ଆଣ୍ଡ ସ୍କେଲ୍‍ ବର୍ତ୍ତମାନ ସମୟ ପାଇଁ ଏକ ଅତ୍ୟନ୍ତ ଉପାଦେୟ ପୁସ୍ତକ । ବର୍ତ୍ତମାନ ସମୟରେ ଯଦି ଡୁଏର ରେଖାଙ୍କିତ କରିଥିବା କାର୍ଯ୍ୟଗୁଡିକ ଆମେ ନକରିବା ବା ନକରିପାରିବା ତେବେ ୫୦ ବର୍ଷ ପରେ ବଞ୍ôଚରହିବା ପାଇଁ ପୃଥିବୀଟି ହୁଏତ ଆଉ ରହିବ ନାହିଁ । ଆମ ହାତରେ ଆଉ ସତରେ ବେଶି ସମୟ ନାହିଁ ।

+++

Related Posts

Leave a Reply

Your email address will not be published. Required fields are marked *