ବହି: ଚାଷବାସ (କବିତା ସଙ୍କଳନ)
ଲେଖକ: ଶ୍ରୀଦେବ
ପ୍ରକାଶକ: ଚନ୍ଦ୍ରଭାଗା
ପ୍ରଥମ ପ୍ରକାଶ: ଜାନୁଆରି ୨୦୨୧

ଚାଷବାସ କ୍ଷେତ୍ରରେ ଭାରତରେ ଏକ ଅଦ୍‍ଭୁତ ବିଡ଼ମ୍ବନା ଦେଖାଯାଏ । ଭାରତ ଏକ କୃଷିପ୍ରଧାନ ଦେଶ । ଜୀବନ ଓ ଜୀବିକା ପାଇଁ ଭାରତର ଗ୍ରାମାଞ୍ଚଳର ସତୁରି ଶତାଂଶ ଲୋକ କୃଷି (ଏହା ଭିତରେ ପଶୁପାଳନ, ମାଛଚାଷ, ପନିପରିବା ଚାଷ, ଇତ୍ୟାଦି ଅର୍ନ୍ତଭୁକ୍ତ) ଉପରେ ନିର୍ଭରଶୀଳ । ଏହା ଭିତରୁ ୮୨ ଶତାଂଶ ହେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଧାନ, ଗହମ, ଆଖୁ, କ୍ଷୀର ଆଦି ଅନେକ କିଛି ଉତ୍ପାଦନରେ ଭାରତ ସାରା ପୃଥିବୀରେ ପ୍ରମୁଖ ସ୍ଥାନରେ ରହିଛି । କିନ୍ତୁ ଚାଷୀର ଅବସ୍ଥା ଭଲ ନାହିଁ । ଚାଷରୁ ସେ ସନ୍ତୋଷଜନକ ଜୀବିକା ଉପାର୍ଜନ କରି ପାରୁନି । ଚାଷରେ ଉତ୍ପାଦନ ବଢ଼େଇବା ପାଇଁ- ସେ ଉନ୍ନତ ମାନର ମଞ୍ଜି, ରାସୟାନିକ ସାର ଏବଂ କୀଟନାଶକ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ୁଛି । ଅର୍ଥାତ୍‍ ଚାଷ ପାଇଁ ତାକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ସେ ବର୍ଷା ଉପରେ ନିର୍ଭର କରୁଛି । ବର୍ଷା କ୍ରମଶଃ ଅନିୟମିତ ହୋଇପଡ଼ୁଛି । ଫସଲ ନଷ୍ଟ ହେଲେ ଉପଯୁକ୍ତ କ୍ଷତିପୁରଣ ସେ ପାଉନାହିଁ । ପରବର୍ଷ ଚାଷ ପାଇଁ ଋଣ ନେଉଛି । କ୍ରମଶଃ ଋଣଜନ୍ତାରେ ଛନ୍ଦି ହୋଇଯାଉଛି । ଏକ ପରିସଂଖ୍ୟାନରୁ ଜଣାଯାଏ ୧୯୯୭ରୁ ୨୦୦୫ ଭିତରେ ପଅତି ୩୨ ମିନିଟ୍‍ରେ ଜଣେ ଚାଷୀ ଆତ୍ମହତ୍ୟା କରିଛି । ନ୍ୟାସନାଲ କ୍ରାଇମ୍‍ ରେକର୍ଡ ବ୍ୟୁରୋର ୨୦୧୨ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସେ ବର୍ଷ ଭାରତରେ ଯେତେ ଲୋକ ଆତ୍ମହତ୍ୟା କରିଥିଲେ ତାର ୧୧.୨ ଶତାଂଶ ହେଲେ ଚାଷୀ । ଚାଷୀର ଏମିତି ଦଶା ପଂଜାବ, ମହାରାଷ୍ଟ୍ର ପରି ଧନୀ ରାଜ୍ୟରେ ପୁଣି ଛତିଶଗଡ଼, ଓଡ଼ିଶା ପରି ଦରିଦ୍ର‌୍ୟ ରାଜ୍ୟରେ ଊଣାଅଧିକେ ଏକା ପ୍ରକାର ।
ମୋର କବିବନ୍ଧୁ ଶ୍ରୀଦେବ ଏକ ସ୍ୱାଧୀନତା ସଂଗ୍ରାମୀ ଓ ଚାଷୀ ପରିବାରର ଦାୟାଦ । ବାଲେଶ୍ୱରରୁ ଆଠ କିଲୋମିଟର ଦୂର ରସାଳପୁର ଗାଁରେ ତାଙ୍କ ଘର । ସ୍ୱେଚ୍ଛାସେବୀ ସଙ୍ଗଠନ ସହିତ ଦୀର୍ଘବର୍ଷ ଧରି ସେ ଜଡ଼ିତ । ତେଣୁ ସମାଜର ତୃଣମୂୂଳ ସ୍ତର ସହିତ ତାଙ୍କର ପରିଚୟ ଓ ସଖ୍ୟତା ଦୀର୍ଘବର୍ଷର । ସାହିତ୍ୟ ତାଙ୍କର ସଉକ ନୁହେଁ, ଜୀବନ । ସାହିତ୍ୟ ବଞ୍ଚନ୍ତି ସେ । ଆଉ ସେ ବିଶ୍ୱାସ କରନ୍ତି ସାହିତ୍ୟ କଳ୍ପନା ବିଳାସ ନୁହେଁ । ସାହିତ୍ୟ ନିପୀଡ଼ିତ ଲୋକମାନଙ୍କ କଥା କହି ସମାଜର ସାମୁହିକ ବିବେକର କାମ କରିବା ଉଚିତ ।
୨୦୨୧ ଜାନୁଆରିରେ ତାଙ୍କର ଏକ କବିତା ବହି ପ୍ରକାଶିତ ହୋଇଛି । ଚାଷବାସ । କଳେବର ଛୋଟ । ମାତ୍ର ୫୬ ପୃଷ୍ଠା । ଏଥିରେ ସେ ଚାଷୀର ଅବସ୍ଥାକୁ ନେଇ ୨୧ଟି ହୃଦୟସ୍ପର୍ଶୀ କବିତା ଲେଖିଛନ୍ତି । ବରିଷ୍ଠ କବି ଶୈଳଜ ରବି ଏଥିରେ ପୃଷ୍ଠବନ୍ଧ ଲେଖିଛନ୍ତି: ଏବଂ ଆଉ ଗୋଟିଏ ଚାଷୀ ଭାଇର ଜୁହାର, ସଲାମ ସେଥିରେ ସେ ଏ ସଙ୍କଳନର ମୁଖ୍ୟ ସ୍ୱର ବିଷୟରେ ଲେଖିଛନ୍ତି: “ଚାଷବାସ ବହିର ମୂଳକଥା ଚାଷ ଆଉ ଚାଷୀର କପାଳଫଟା କାହାଣୀ ବଖାଣିବା ।”
ଶ୍ରୀଦେବ ଏ ବହିର ନିର୍ଯ୍ୟାସକୁ ଆରମ୍ଭରେ ସ୍ପଷ୍ଟ କରିଛନ୍ତି ଗୋଟିଏ ବାକ୍ୟରେ- ଚାଷ ନାହିଁ ଯାହାର କି ଆନନ୍ଦ ତାହାର ।
ଏ ସଙ୍କଳନର ୨୧ଟି ଯାକ କବିତା (ଯାହାକୁ କବି ଅଶୁଭ କବିତା ବୋଲି ରେଖାଙ୍କିତ କରିଛନ୍ତି)ରେ ଚାଷୀର ଜୀବନଯନ୍ତ୍ରଣାର ସ୍ୱର ଶୁଣିପାରିବେ ପାଠକ । ଅନୁଭବ କରିପାରିବେ ଚାଷୀର ମର୍ମବେଦନା ।
ଗୋଟିଏ କବିତା ‘ସତ’ର କିଛି ଅଂଶ ଏପ୍ରକାର:
ଥିଲେତ
କିଛି ହାଣ୍ଡିରେ
ଫୁଟିବ ଭାତ
ଭୋକ ମରି
ପୁରିବ ପେଟ
ବାରମାସର ।
ଶ୍ରୀଦେବଙ୍କ କବିତାର ଶୈଳୀ ହେଲା: ଅଳ୍ପ ଏବଂ ସରଳ କଥାରେ ଗଭୀର ଅନୁଭବର କଥା କହିବା । ଏ ସଙ୍କଳନର କିଛି କବିତାରେ ଚାଷୀର ଜୀବନକୁ ବିଭିନ୍ନ ଦୃଶ୍ୟ ମାଧ୍ୟମରେ ପାଠକ ଆଖିସାମ୍ନାରେ ସ୍ପଷ୍ଟ କରାଯାଇଛି । କେତେକ କବିତାରେ ବର୍ତ୍ତମାନ ବ୍ୟବସ୍ଥା ବିରୋଧରେ ପ୍ରତିବାଦ ମଧ୍ୟ ରହିଛି ।
ବିପିଏଲ୍‍ ଚାଉଳ ମିଳୁଛି ଏବେ
ଯାହାକୁ ଯେତେ
କିଏ ବା କରନ୍ତା ଚାଷ?
(କବିତା- କ୍ରିୟା ପ୍ରତିକ୍ରିୟା)
ସଙ୍କଳନର ଶେଷ କବିତାଟି ଚାଷୀଙ୍କ ପାଇଁ କେବଳ ନୁହେଁ ସବୁ ଖଟିଖିଆ ମଣିଷ ପାଇଁ ଏକ ଇସ୍ତାହାର:
ଦୌଡ଼!
ପାରୁଛ ତ ଜିତିବା ପାଇଁ
ନତୁବା ମରିବାପାଇଁ
ଦୌଡ଼ ।
(କବିତା: ଦୌଡ଼)

Related Posts

Leave a Reply

Your email address will not be published. Required fields are marked *