ଅରୁଣ କୁମାର ତ୍ରିପାଠୀ
ସମୟ ସକାଳ ସାଢେ ତିନି । କାଳେ କିଏ ଆଗ ମେସେଜ କରିଦବ ଭାବି ବାବୁନା ସବନମକୁ ଗୁଡ଼ ମର୍ଣ୍ଣଂ ହନି ବୋଲି ମେସେଜ କଲା । ଏକଡ଼ସେକଡ଼ ଲେଉଟି ହେଉଥିବା ପ୍ରାଣଟି ସତେକି ଏୟାର କଣ୍ତିସନରର ଶୀତଳତା ଅନୁଭବ କଲା । କାଳବୈଶାଖି ପ୍ରଭାବରେ ରାତି ସାଢେ ଏଗାରରୁ ଲାଇନ ନଥାଏ । ଗଦି ତଳର ବେଡ଼ସିଟ୍ ତା କୋମଳ ତନୁରୁ ବାହାରିଥିବା ଝାଳରେ ଓଦା ହେଇଯାଇଥାଏ । ସେପଟେ ଗୋଟିଏ ଯୋଡ଼େ ମଶା ନିୟମିତ ଆସିଥାନ୍ତି ତା ରକ୍ତ ଚାଖିବାକୁ । ଏମିତିରେ ପ୍ରାଣପ୍ରିୟ ପ୍ରେମିକର ମେସେଜ ଦେଖି ସେ ସବୁ ଯାତନାମାନଙ୍କୁ ପାଶୋରିଗଲା । ୱାଟସଅପ୍ ରେ ପପିର ଇମୋଜିଟେ ଦେଇ ସେ ପ୍ରତ୍ୟୁତ୍ତର ଲେଖିଲା ମିସ୍ ୟୁ ଭେରିମଚ୍ ସୋନା ଗୁଗୁ । ତଳେ ଦୁଇଟି ଲୁହ ବୋହୂଥିବା ଇମୋଜି । କ୍ୟା ହୁଆ ଜାନୁ କହି ସବନମର ଦୁଃଖ ପଚାରିଲା ବାବୁନା । ସେପଟେ ବୁଢାର ରଙ୍ଗଶାଳାରୁ ଗୀତଟି ଆସୁଥାଏ ଯାହାକୁ ଚାଟ୍ ରେ ଲେଖିଦେଲା ସବନମ , “ରାତି ପାହିଗଲା ଶେଯରେ ଶେଯରେ, ସବନମ ଶୋଇନାହିଁ ନିଦରେ ।
ଏମିତି କେତେ କଣ କଥାହେଇ ପରସ୍ପରର ସୁଖଦୁଃଖ ବାଣ୍ଟିଲେ, ଆହାଃ କରି କେତେବେଳେ ବିକଳ ହେଲେତ କେତେବେଳେ ଶୁଭେଚ୍ଛା ତଥା ହାସ୍ୟରୋଳରେ ଦୁଇଘଣ୍ଟା ବିତିଗଲା ଜଣାପଡ଼ିଲାନି । ଶେଷରେ ବାବୁନା ତା ସବୁଦିନର ଶେଷ ପାଉଣା ଫ୍ଲାଇଂ କିସ୍ ଟେ ମାଗିଲା । ଏପଟସେପଟ ଅନେଇ ଅତି ଯତ୍ନ ସହକାରେ ଆଖି ମାରିଦେଇ ସବନମ ଦେଇଦେଲା ଏକ ଉଡ଼ନ୍ତା ଚୁମା । କିନ୍ତୁ ତାପରେ ପୁଣି ବାବୁନା କହିଲା, ସବୁ ନିବାନିବି ସାବିତ୍ରୀ ବ୍ରତ ରଖୁଛନ୍ତି । ତୁ ଆମର ମୋ ପାଇଁ ରଖିବୁନି । ହଁ ଧନ କହି ସମ୍ମତି ଜଣେଇଲା ସବନମ । ତମେ ଆର ଗାଁ ମନ୍ଦିରରେ ସାଢେ ଦଶ ସୁଦ୍ଧା ଥିବ । କୌଣସି ବାହାନା କରି ମୁଁ ନିଶ୍ଚୟ ପହଁଚିବି । ଆଉ ତମ ଆୟୁଷ ବୃଦ୍ଧି ପାଇଁ ସମସ୍ତଙ୍କ ଗହଳିରେ ବ୍ରତ କଥା ଶୁଣିବି । ତମର ଅଇଁଠା ଟିକିଏ ଖାଇ ଆଶୀର୍ବାଦ ନେବି । ଆଉ ମନେ ରଖିଥିବ, ସାଢେ ଆଠରେ ମୁଁ ଭିଡୁଅ କଲ୍ କରି ତମ ନାମରେ ସିନ୍ଦୁର ପିନ୍ଧିବି । ସେ ସମୟଟା ଯେମିତି ଏପଟସେପଟ ନକର । ଡ୍ରେସ୍ ପାଲଟିବାରେ ଡେରି ହେଲେ ବୋଉର ସନ୍ଦେହ ବଢୁଛି । କହି ଦଉଛି, ଗୋଟେ ମିନିଟ ଡେରି ହେଲେ ଜାଣିବ । ନାମ ନବ ।
ଏୟା ତାଙ୍କର ପ୍ରଥମ ସାବିତ୍ରୀ । ମନରେ ବହୁତ ଆଶା, ଆକାଂକ୍ଷା, ଅଭିଳାସା ଥାଏ । ବିବାହ ନକଲେ କ’ଣ ହେଲା, ତା ଜାନୁ କ’ଣ ସାବିତ୍ରୀ ଓଷେଇତି ହେଇପାରିବ ନାହିଁ । ମୋ ବେବୁ ପାଇଁ କୌଣସି ଅବସର ସେ ନରଖିବା ପାଇଁ ଭାବିଲା । ତା ସାଙ୍ଗ ଟୁବୁନା ଯାହାକୁ ତା ଭାଇ ବୋଲି ଡାକେ ଆଉ ତାଙ୍କ ମିଳାମିଶାରେ ଏକ ସକ୍ରିୟ ଅଂଶ ରଖେ, ତାହାକୁ ଏ ବିଷୟରେ କହିବା ସହ ତା ଆକାଉଣ୍ଟ ନମ୍ବରରେ ଟଙ୍କା ପାଞ୍ଚଶହ ଛାଡ଼ିଦେଲା । କହିଲା ମୋ ହନିକୁ ଗୁଗୁଲ ପେ କରିଦବୁ ସେତକ । ଯଦିଓ ଟୁବୁନା କେବେ ପରିପ୍ରକାଶ କରିନଥିଲା, କିନ୍ତୁ ତା ସାଙ୍ଗର ଉଡ଼ବିକୁ ଦେଖିଲେ ତା ମନ କନକନ ହୁଏ । ଏମିତିରେ ତାଙ୍କୁ ଦେଖିଲେ କିଛିତ କହିପାରେନି କିନ୍ତୁ ଏକାନ୍ତରେ ବହୁତ ଝୁରେ । ସେ ସାଙ୍ଗକୁ ତା ନମ୍ବର ନଥିବା କହିଲା, ସତେକି ସେଥିପ୍ରତି ନିଘାନିଷ୍ଠା ନାହିଁ । ହଉ ମୁଁ ୱାଟସଅପ କରିଦଉଛି କହି ବୁଲିକି ଗଲାବେଳକୁ ଟୁବୁନାର ଶୁଖିଲା ତଣ୍ଟି ଓଦା ହେଇସାରିଥାଏ । ପୁଣି ସେ ସାଙ୍ଗର ସହାୟତା ନେଲା । ଚାଲ୍ ସାଙ୍ଗ ତାଙ୍କ ଘରେ ସାବିତ୍ରୀ ଭାର ଦେଇ ଆସିବ । କିରେ ପାଗଳୁ ହେଲୁ ନା’ କଣ କହନ୍ତେ, ସେ ତା ଚଉଡ଼ା ମସ୍ତିଷ୍କରେ ଥିବା ଯୋଜନାଟି କଲା । କହିଲା ମୁଣ୍ତରେ ଗାମୁଛାଟେ ବାନ୍ଧିବା । ଧଳା ସଫା ଟି’ସାର୍ଟରେ ମଇଳା ଟିକେ ବୋଳି ଘରେ ଦେଇ ଆସି କହିବା ଯେ, ଏହି ୱାର୍ଡ଼ରେ ସମସ୍ତଙ୍କ ଘରେ ଆମେ ଭାର ଦଉଛୁ । କାହାକୁ ବି ଭାଇର ଅଭାବ ବୋଧ କରେଇବାକୁ ଦେବି ନାହିଁ । ଆମକୁ କେବଳ ଆଶୀର୍ବାଦ ଦେବେ । ସାଢେ ସାତ ସୁଦ୍ଧା ସେତକ ଦେଇ ତା ଭାବି ଶାଶୂଙ୍କ ସହ ସେଲ୍ଫିଟେ ନେଇ ପ୍ରେମିକା ଫୋନ୍ ରେ ସେଣ୍ତ କରି ମନଖୁସିରେ ଯାଇ ଗାଧେଇ ହେଲା ।
ନଖାଇ ନପିଇ ଫୋନ୍ କୁ ଫୁଲ ଚାର୍ଜରେ ବସେଇକି ଅପେକ୍ଷା କଲା ପ୍ରାଣପ୍ରିୟା ସବନମ ରାଣୀର ଭିଡୁଓ କଲ୍ କୁ । ସମାନ ୮.୩୦ ରେ ଫୋନ୍ ଶବ୍ଦ ହେଲାନି ଯେ, ତା ବନ୍ଦ ଥିବା ହୃଦୟର ଗତି ଚଳଚଞ୍ଚଳ ହେଲା । ସବନମ ମୁଣ୍ତ ଧୋଇ ଟାୱାଲରେ ଆସିଥିଲା । ତା ସାମ୍ନାରେ ସେ ଚୁଟି ପୋଛିଲା । ହେୟାର ଡ୍ରାୟର ରେ ସୁଖେଇ ବେଣି ବାନ୍ଧିଲା । ଲୁଚେଇ ଆଣିଥିବା ତା ବୋଉର ଲାଲ ଶାଢି ପିନ୍ଧିଲା । ହେଲାଟି ବୋଲି କହିବା ବେଳେ ସେପଟୁ ବାବୁନା କହିଲା ଓଢଣା ଦିଅ । ଭିଡ଼ିଓ କଲ୍ ରେ ତା ପାଦେ ଦେଖେଇବାକୁ କହି ଆଶୀର୍ବାଦ ନେଲା । ସିନ୍ଥି ମଝିରେ ଚୁଟି ବଙ୍କେଇ ଭିତରକୁ ସିନ୍ଦୁର ଲଗେଇଲା । ଏହାଦେଖି ଟୁବୁନା ଦଶ ଡଜନ ଖଣ୍ତେ ଉଡ଼ନ୍ତା ଚୁମ୍ବନ ପ୍ରଦାନ କରୁଥାଏ । ଶେଷରେ ସେ ସାଲୱାର କମିଜ ପିନ୍ଧି ମନ୍ଦିରକୁ ସାଢେ ଦଶ ସୁଦ୍ଧା ପହଞ୍ଚିବାର ଆଦେଶ ଦେଲା ।
ସକାଳୁ ସକାଳୁ ସଜବାଜ ଦେଖି ସବନମ ବୋଉର ଡାଉବ୍ଟ ହେଲା । ଝିଅ ଖାଇବୁ ବୋଲି କହିବାକୁ ସେ ପେଟକୁ ଧରି ମୁହଁ ମୋଡ଼ିକି କହିଲା ବୋଉ ! ପେଟ କାମୁଡୁଛି । ଆଜି ଖାଇବି ନାହିଁ । ଯଦି ଭଲ ଲାଗେ ଦିପହରକୁ ଦେଖିବା । ସୁନୈନା ଘରକୁ ଯାଉଛି । ଗତ ଗୁରୁବାର କଲେଜ ଯାଇନଥିଲି, ସାର୍ ସେଦିନ ବହୁତ ଇମ୍ପୋର୍ଟାଣ୍ଟ ପାଠ ପଢେଇ ଦେଇଛନ୍ତି । ସେୟାର ଆଲୋଚନା ତଥା ନୋଟ୍ କରିବାର ଅଛି । ମୁଁ ଆସିଲା ବେଳକୁ ଦିପହର ହେଇଯିବ । ଜଗିବୁନି । ଖାଇଦେଇଥିବୁ ।
ବୋଉଠୁ ଯେତେ ବାଟ ପଛକୁ ଆସୁଥିଲା ସବନମର ମୁଚୁକୁନ୍ଦିଆ ହସଟି ସେତେ ବିକଶିତ ହେଉଥିଲା । ପୂର୍ବରୁ ସୁନୈନାକୁ ସବୁକଥା କହିସାରିଥାଏ ଅଶୀ ଟଙ୍କିଆ ଡାଏରିମିଲ୍କର ଲୋଭ ଦେଖେଇ । ତା ସ୍କୁଟିର ଏକ୍ସଲିରେଟର ମଧ୍ୟ ସେଇମିତି ବଢୁଥିଲା, ୧୦ କିମି ର ବାଟକୁ ୭ ମିନିଟରେ ପହଁଚିଗଲା । ଆଗୁଆ ପହଁଚି ବରଗଛମୂଳେ ଅପେକ୍ଷା କରୁଥିଲେ ପ୍ରେମିକ ପ୍ରବର । ସ୍କୁଟିକୁ ଯଥାସ୍ଥତା ଥୋଇଦେଇ ଟୁବୁନାର ସାମ୍ନାପଟୁ ଲାଉ ହେଇଗଲା ସୁନୟନା । ଦୁଇଜଣ କଥା ହେଇ ଆକାଶିଆ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ । ଛୁଆଙ୍କୁ ବୋକ ଦେଲାଭଳି ଖୁନ୍ଦାଖୁନ୍ଦି ହେଇଥିବା ଆବେଗରେ ଓଦା କରିଦେଉଥିଲା ସବନମ । ପୂଜା ସରିନି ମୋତେ ଅଇଁଠା କରିବୁ ନା କଣ ବେ କହି କ୍ଷୀଣତନୁକୁ ଓହ୍ଲେଇଦେଲା ଟୁବୁନା । ଏଥର ସେମାନେ ମନ୍ଦିର ସାମ୍ନା ଚଉତରାକୁ ଗଲେ । ଅନ୍ୟସମସ୍ତଙ୍କ ଭଳି ସେଠି ସବନମ ସାବିତ୍ରି ବ୍ରତ କଲା । ଗୋଡ଼ଛୁଇଁ ମୁଣ୍ତିଆ ମାରିଲା । ଗୋଡ଼ଧୋଇ ପାଦଦୋକ ଗର୍ଭକୁ କ୍ଷେପିଲା ।
ତାପରେ ଦିହେଁ ପାଖକୁ ପାଖ ବସି ଆଗାମୀ ଜୀବନ ବିଷୟରେ ବହୁତ ସାରା କଥା ହେଲେ । ଟୁବୁନାର ବିଶାଳ ଛାତିରେ ସବନମ ନିଜକୁ କୋକପିଲାଟେ ଭାବି ଆଖି ମୁଦି ଦେଇଥିଲା । ଘଡ଼ଘଡ଼ି ଶବ୍ଦରେ ସେମାନେ ପ୍ରକୃତିସ୍ଥ ହେଲେ । ବାଏ ଶବ୍ଦରେ ଦିହେଁ ବାହୁଡ଼ିଗଲେ ନିଜ ଘର ଅଭିମୁଖେ । ଯିବାକୁ ବାହାରନ୍ତେ ପାଖ ବାଟରେ ଥିବା ଚଉମିନ୍ ସେଣ୍ଟରରେ ନଜର ପଡ଼ିଲା । ଧନ ବୋଲି ଜୋର୍ ରେ ଡାକଛାଡ଼ିଲା । ଅମାବାସ୍ୟା ପୂଜା ତ ସରିଲା, ଚାଲୁନ ଟିକିଏ ଅଣ୍ତା ଚଉମିନ୍ ଖାଇନବା । ଆଦରରେ ଦିହେଁ ଖୁଆଖୁଇ ହେଲେ । ମନଶାନ୍ତିରେ ଘରକୁ ଫେରିଲେ ।
ସେ ରାତିରେ ସବନମ ଛଅଥର ପାଇଖାନା ଗଲା । ଆଉ ଟୁବୁନାର ବେଶି ନହେଲେ ମଧ୍ୟ ଅଳ୍ପ । ଦିହେଁ ଭିଡ଼ିଓ କଲ୍ ରେ ନିଜର ଦୁର୍ବିଧା କୁହାକୁହି ହେଲେ । କିଳା କଥା ତ ଘରେ ଆଉ କହିପାରିବେନି । ଲୁଚେଇକି ଘର ଔଷଧ ତ ଖାଇବି ହବନି । ତା ମମ୍ମିର ଚିଲ ଭଳି ଆଖି ସବୁବେଳେ ତା ଉପରେ ଘୁରୁଥାଏ । ଏତିକିରେ ଟୁବୁନା ତାକୁ ଦେଇଥିବା କେୟାର ବକ୍ସ କଥା ମନପକେଇଥିଲା । ସେଥିରେ ଥିବା ଓଟୁ ଗୋଟିଏ ଢୋକିଦେଲା । ତା ପରେ ପୁରା ଆରାମ , ଆଉ ଆଖି ଖୋଲିନି । ବାସିଦିନ ସକାଳ ଦଶଟାରେ ନିଦ ଭାଜିଲା ବେଳକୁ ତା ଜାନୁର ଦଶଟା ମିସଡ଼ କଲ୍ । ପୁଣି ପ୍ରେମର ଆୟୁଷ ବଢୁଥିଲା । ପୁଣି ସେମାନେ ଆଭାଷୀ ମଧ୍ୟମରେ ପରସ୍ପରର ଦୂରତା ଉଣା କରୁଥିଲେ ।
ଜୟପୁର, ମୋ – ୯୦୭୮୮୩୮୬୨୭
ଲେଖକ ପରିଚୟ
ପାଞ୍ଚଟି ବିଷୟରେ ସ୍ନାତକୋତ୍ତର, ଆଦିବାସୀ ଅଧ୍ୟୟନରେ ବିଦ୍ୟା ନିଶାନ୍ତ ସହ ମହିଳା ଅଧ୍ୟୟନରେ ସମ୍ପ୍ରତି ବିଦ୍ୟାବାରିଧିରେ ଗବେଷଣା ରତ । ୭ଟି ପୁସ୍ତକ ତଥା ୫ଟି ସମ୍ପାଦିତ ପୁସ୍ତକ ସହ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରବନ୍ଧ ପ୍ରକାଶ କରିଛନ୍ତି । ଏଯାବତ୍ ଲେଖକଙ୍କ ୧୮୬ ଟି ସ୍ତମ୍ଭ ପ୍ରକାଶ ପାଇବା ସହ ଅର୍ଦ୍ଧଶତକରୁ ଅଧିକ କବିତା ତଥା ଗଳ୍ପ ପ୍ରକାଶିତ ହୋଇସାରିଛି ।