ଶୁଭଶ୍ରୀ ଶୁଭସ୍ମିତା ମିଶ୍ର
ସମ୍ବୋଧନ ସମ୍ପର୍କର ସମ୍ବେଦନଶୀଳତାକୁ ଜଣାଇଦିଏ । ଯେବେ ଆପଣଙ୍କୁ ‘ତୁମେ’ ଡାକିବାକୁ ଆପଣ ପ୍ରବର୍ତ୍ତାଉଥିଲେ ଓ ମୁଁ ବାରବାର ଅସ୍ଵୀକାର କରୁଥିଲି, ସେଇବେଳେ ଆପଣ ଏକଥା କହୁଥିଲେ । ମନେଅଛି, ଉତ୍ତରରେ ମୁଁ କଣ କହିଲି ?
– ଆପଣ ପାହାଚଟେ ତଳକୁ ଖସି ଯାଆନ୍ତୁ । ମୋତେ ଭଲ ଲାଗୁଛି ଭାରି । ମୋତେ କିନ୍ତୁ ସେଇ ପାହାଚରେ ଅବା ଆହୁରି ଉର୍ଦ୍ଧଗାମୀ ହେବାକୁ ଦିଅନ୍ତୁ । ଆପଣଙ୍କ ପ୍ରତି ମୋର ଅକୁଣ୍ଠ ସମ୍ମାନ ହିଁ ମୋର ଭଲପାଇବା । ତେଣୁ ଆପଣ ମୋତେ ତୁମେ ଅବା ତୁ ବି ନିଃସଙ୍କୋଚରେ ଡାକନ୍ତୁ । ମୋ ପାଇଁ ଆପଣ, କେବଳ ଆପଣ ।
ଆପଣ ହସିଲେ । ଏଇ ନଦେଖାଯାଉଥିବା ହସରେ ହିଁ ମୁଁ ସମ୍ମୋହିତ । ଏକଥାକୁ ମୁଁ ଜଣାଇବି କେମିତି ?
ବାଥରୁମରେ ନିଜକୁ ପଚାରିଲି, ତୁମକୁ ଆପଣ ସମ୍ବୋଧନ କରିବାରେ ବ୍ୟବଧାନଟିଏ ରହିଯାଉନି ତ ଅଜାଣତରେ ? ସମ୍ମାନକୁ କାଠଗଡ଼ାରେ ରଖି ନିବିଡ଼ପଣକୁ ଭୋଗିନେବାରେ ପାପ ଅବା କଣ ? ଛାଡ଼ । ସମୟକୁ ହାତବାରିସୀ କରିନେଲେ ମଙ୍ଗଳ ।
ଅର୍ଚ୍ଚିତାର ପାର୍ଟିରେ ଆମେ ପରସ୍ପର ନମ୍ବର ବଦଳେଇଲେ ।
ଘରକୁ ଫେରୁଫେରୁ ପ୍ରଥମ ପ୍ରିୟସ୍ଥାନ ମୋର ବାଥରୁମ । ଶୋଇବା ଆଗରୁ ନିଜକୁ ଭଲ ଭାବରେ ଧୋଇନେବା ମୋର ଏକ ପୁରୁଣା ଅଭ୍ୟାସ । ବାହାରେ ଋତୁର ଯାହାହେଉ, ମୁଁ ରାତିରେ ଭଲକି ଗାଧାଏ । କାରଣ ମୁଁ ରାତିକୁ ମୋ ପ୍ରେମିକ ବୋଲି କୁହେ ! ପ୍ରେମିକର ଆଶ୍ଳେଷ ଭିତରକୁ ଯିବା ଆଗରୁ ନିଜକୁ ପରିଚ୍ଛନ୍ନ କରିବା ବୋଧେ ସବୁ ନାରୀର ପ୍ରବୃତ୍ତି ।
ସେଦିନ ବି ମୁଁ ପାଣିରୁ ନିଜକୁ ଛାଣିନେଇ ଟାୱଲରେ ନିଜକୁ ଗୁଡ଼େଇ ଫେରୁଥିଲି, ଫୋନ ସାମାନ୍ୟ ହଲଚଲ ହେଲା । ଏ ବେଳ ନୁହେଁ ଫୋନ ଦେଖିବାର । ଏବେଳ ନିଜ ଦେହକୁ ଆଗ ବସ୍ତ୍ରଟେ ଦେବାର । ବାହାରେ ବର୍ଷା ମଥା ପିଟୁଥିଲା । ଅଗଷ୍ଟ ମାସର ସେ ରାତି ।
ମୋତେ ଜଣା ନଥିଲା, ବାହାରର ବର୍ଷା, ମୋ ଭିତରକୁ ଏତେ ତୀବ୍ର ରୂପେ ତିନ୍ତାଉଛି କେମିତି ?
ରାତି କେତେ ହେବ ? ଡେରି ଯାକେ ଅନିଦ୍ରା ରହିବା, ବହି ପଢିବା କି ଫିଲ୍ମ ଦେଖିବାର ଅଭ୍ୟାସ ଯୋଗୁ ଶେଖର ଏମିତିରେ ବି ରାଗନ୍ତି, ଯଦିଓ ତାଙ୍କର ମୋତେ ନେଇ ଅନେକ ଅନେକ ଅଭିଯୋଗମାନଙ୍କ ଭିତରୁ ଏ ଗୋଟିଏ । ତେବେ ବି ବିବାହର କୋଡ଼ିଏ ବର୍ଷ ପରେ ତାଙ୍କ ଅଭିଯୋଗମାନେ ଆଉ ଏତେ କଷ୍ଟ ଦିଅନ୍ତି ନାହିଁ । ବଂର ଦେହସୁହା ଲାଗନ୍ତି ।
ରାତି ବାରଟା ବାଜି ଅଠର ମିନିଟ୍, ସେପଟୁ ମେସେଜ ଆସିଲା;
– ମୁଁ କହୁଛି ।
ନମ୍ବର ସେଭ୍ ଥିଲା, ତଥାପି ଟିକେ ଆଶ୍ଚର୍ଯ୍ୟ ହେଲି ।
– ହଁ କୁହନ୍ତୁ .. ।
– ଶୋଇନ ?
– ନା, ଟିକେ ଡେରିରେ ଶୁଏ । କିନ୍ତୁ ଆପଣ କେମିତି ଏତେ ରାତିରେ ? ଆପଣ ତ ଜଲ୍ଦି ଶୋଇବା ଲୋକ !
– ହଁ ଆଜି ନିଦ ହେଉନି,
– ଆଚ୍ଛା !
ତା ପରେ ଏକ ଲମ୍ବା ଚାର୍ଟ । ପୁରୁଣା ଗୀତ, ଚଳଚ୍ଚିତ୍ର, ପୁରୁଣା ସମ୍ପର୍କ ଇତ୍ୟାଦି । ରାତି ତିନିଟା ବେଳେ ସେ କଡ଼ ମୋଡ଼ିଲେ ।
– ଖୁବ ହେଲାଣି । ଏଥର ଶୋଇବା ଚାଲ । ଏଥର ଦେହ ଖରାପ କଲେ ହସ୍ପିଟାଲ ଏକା ଯିବ !! ଶୁଭରାତ୍ରୀ ।
ମୁଁ ଫୋନ ବନ୍ଦ କଲି, ଶୋଇବାକୁ ଚେଷ୍ଠା କରାଯାଇପାରେ ଅବଶ୍ୟ ।
ଲୋକଟେ ଅଧାରାତିରେ କାହିଁକି ତୁମକୁ ମେସେଜ କରିବ ? ଆଉ କେହି ନୁହେଁ ତ ? ସନ୍ଦେହ ହେବା ସ୍ୱାଭାବିକ । ସନ୍ଦେହମୋଚନ ପାଇଁ ସେଇ ନମ୍ବରରେ ଫୋନ ଘୁରାଇଲି । ତୁମେ ଉଠାଇଲ ଆଉ କହିଲ;
– ହଁ, ମୁଁ କହୁଛି !
– କାଲି ରାତିର ମେସେଜରେ ଆପଣ ଥିଲେ ତ ?
– କାହିଁ ? କିଛି ଖରାପ ଲାଗିଲା ?
– ନା ନା, ମୁଁ ଖାଲି ଚେକ୍ କଲି ଯେ ଫୋନର ଆରପଟର ଲୋକ ଆପଣ ନିଜେ ତ ?
– ହଁ, ତେବେ ..
ଆପଣ ହୁଏତ ଆଉ କିଛି କହିଥାନ୍ତେ ମୁଁ ଫୋନ କାଟିଲି । ମୋର ଟିକିଏ ତୁମ କଣ୍ଠସ୍ଵର ଶୁଣିବାର ଥିଲା । ସମ୍ମୋହିତ ହେବାକୁ ଏତକ ଯଥେଷ୍ଟ ।
ଏପରି ଘଟଣାମାନେ ଖୁବ ଗତାନୁଗତିକ । କେବେକେବେ ଫୋନରେ ପରପ୍ପରକୁ ଭେଟିବାର ଏକ ନିରନ୍ତର ପ୍ରକ୍ରିୟା ।
ହୁଏତ ଆମେ ଏ ପ୍ରକ୍ରିୟାକୁ ଯେତେ ଗତାନୁଗତିକ କହିଲେ ବି ତାହା ଘଟେ । ବାରମ୍ବାର ଘଟେ ଆଉ ସମୟ, ବୟସ ନିର୍ବିଶେଷରେ ଏକାପରି ତାର କାୟା । ଏକାପରି ତାର ବ୍ରବାହମାନତା ଆଉ ଏକାପରି ଘଟଣାର ପ୍ରବାହ ।
ମୋର ଠିକ ମନେନାହିଁ । କିନ୍ତୁ ଆପଣଙ୍କୁ ଭେଟିବାର ଅଥୟପଣ ନଥିଲା ଯଦିଓ ଆଗ୍ରହଟେ ଥିଲା । ସ୍ଵାଭାବିକ ବି । ନୁହେଁ ତ ଆଉ କଣ ? କେବେକେବେ ପୁରୁଣା ଅତୀତମାନେ ଟିକେ ନିଜକୁ ଉଖୁରେଇ ଦିଅନ୍ତି । ଆଇନା ଆଗରେ ନିଜକୁ ଦେଖିଲେ ବୟସ୍କ ବୟସ୍କ ଲାଗେ ସମୟ । ମଥାର କିଛି ଧୁସରିତ ରଙ୍ଗ ବତାଇଦିଏ, ବୟସ କଣ ଆଉ ଏକ ନୂଆ ସମ୍ପର୍କର ପରିଚୟ !
ସତ କହିଲେ, ସମ୍ପର୍କ ତିଆରି ହେବାର ବୟସଟେ ଥାଏ କି ?
ତିଆରି ହେଇଥିବା ସମ୍ପର୍କମାନେ ତୁଟି ଯାଆନ୍ତି । ନୂଆ ସମ୍ପର୍କମାନେ ଦେହର ଡାଳରେ କଢ ଧରନ୍ତି ଆଉଥରେ ନୂଆ କରି । ସେ କଢମାନେ ଦିନେ ଫୁଲ ହେଲେ ଝରି ପଡ଼ିବେ ମନ ଅଗଣାରେ । ଦେହର ଗଛଟି ପୁଣି ଲତାଟେ ହେଇ ଆଗକୁ ଲଟେଇ ଯିବ ଆଉଏକ ନୂଆ କଢ ପାଇଁ ନୁଆ ଫୁଲର ସନ୍ଧାନରେ ।
ସତକଥା ହେଲା, ଏଇ କଥାଟି ଯେତେ ମାତ୍ରାରେ ସତ ହେଲେବି ଆମେ ଏ ସତକୁ ମାନୁନା । ଯେମିତି ମାନୁନା ମୁତ୍ୟୁକୁ ବି …
—- କ୍ରମଶଃ —-
ଶତାବ୍ଦୀ ନଗର, ଭୁବନେଶ୍ଵର, ମୋ – ୯୮୬୧୭୮୮୯୯୯
ଲେଖକ ପରିଚୟ
କବି ଓ ଲେଖକର ପରିଚୟ ତାର ଶଦ୍ଦ । ମୋର ପରିଚୟ ବି ମୋର ଶଦ୍ଦ ହେଉ । ‘ଅରଣ୍ୟା’, ‘ଅଗ୍ନିକା’, ‘ଗର୍ଭାଗ୍ନି’, ‘ଆୟୁଧା’, ‘ଅଗ୍ନି ସରସ୍ଵତୀ’ ଓ ‘ହିମାଗ୍ନି’ ନାମ୍ନୀ ପୁସ୍ତକ ସବୁ ମୋର ପରିଚୟର ଅନ୍ୟନାମ । ବାସ୍ ଯଦି କେବେ ଆଉକିଛି ଆସେ, ତେବେ ସେମାନେ ସାମିଲ ହେବେ ।