ସତ୍ୟନାରାୟଣ ଗନ୍ତାୟତ

ଭବ ଓ ଅନୁଭବ ମିଶି ଭବାନୁଭବ । ଭବ ଶବ୍ଦଟି ସହ ତ କେତେ କେତେ କଥା ଯୋଡ଼ା ହୋଇ ରହିଛି । ତେବେ ଠାଏ ଭବ ରଙ୍ଗ ଭୂମି ବୋଲି ଯାହା କୁହାଯାଇଛି, ତାହା ଆମ ମଗଜକୁ ମନ୍ଥି ପକାଇଲା । କାରଣ ଏହା ସହ ସମତାଳରେ ଏ ଦୁନିଆକୁ ଏକ ରଙ୍ଗମଞ୍ଚ ଓ ଆମେ ସବୁ ଏଠି ଭିନ୍ନ ଭିନ୍ନ ଭୂମିକାରେ ତୁଚ୍ଛା ଅଭିନୟ କରିବାର୍ଥେ ହିଁ ସକଳ ଲୀଳାଖେଳା ଚଳାଇ ଥାଉ ବୋଲି ବି କୁହାଯାଇଥିବା କଥାଟି ମନେପଡ଼ି ଯାଆନ୍ତେ ଏ ଲୀଳାଖେଳା ସରିବା କେମିତି ଅବଧାରିତ ଓ ତଦୁତ୍ତାରେ ସଭିଏଁ ଯେ ବାହୁଡ଼ି ଯିବାକୁ ବାଧ୍ୟ, ସେକଥା ବି ପୁନଃ ପୁନଃ ଆମ ଅନ୍ତରରେ ଅନୁରଣିତ ହେବାରେ ଲାଗିଲା ।

ଅତଃ ଭବ ଅର୍ଥ ସଂସାରରେ ମଣିଷ ଜୀବନ ବିତାଇବା ଅବଧି ଆଉ କିଛି ନୁହେଁ, ବରଂ ଅନେକାନେକ ଅନୁଭବଙ୍କ ସମାହାର । ଜନମିବା ଅର୍ଥ ହସ କାନ୍ଦର ଏକ ଅନନ୍ୟ ଓ ଅନୁପମ ରାଜଯୋଟକ । କାରଣ ସନ୍ତାନଟି ଏ ଭବ ଭୂମି ଛୁଇଁବା ମାତ୍ରେ କାନ୍ଦିବାକୁ ବାଧ୍ୟ । ଆଉ ତାର ସେଇ କୁଆଁକୁଆଁ କାନ୍ଦ ଜନ୍ମଦାତ୍ରୀ ଓ ଜନ୍ମଦାତାଙ୍କ ସମେତ ସେଠାବରେ ସମବେତ ସଭିଙ୍କ ମୁହଁରେ ଖେଳାଇ ଦେଇଥାଏ ଆଶ୍ୱସ୍ତି ଓ ପ୍ରଶାନ୍ତିର ଏକ ଅନିର୍ବଚନୀୟ ମଧୁର ହସ !

ଏଥକୁ କିଞ୍ଚିତ ଦାର୍ଶନିକତାର ପୁଟ ଦେଇ କେହିକେହି ଏମନ୍ତ କହିଥାନ୍ତି ଯେ ଜନ୍ମ ପରର କୁଆଁକୁଆଁ କାନ୍ଦ ମାଧ୍ୟମରେ ଅସଲରେ ଜୀବ ପଚାରିଥାଏ ଏକ ମହାର୍ଘ ପ୍ରଶ୍ନ : କୋହମ୍ ଅର୍ଥାତ “କିଏ ମୁଁ ?” ଏହାର ଉତ୍ତର ଖୋଜିଖୋଜି ଯାବଜ୍ଜୀବନ ଧନ୍ଦି ହୋଇ ଅବଶେଷେ ସଶବ୍ଦ ଅନ୍ତିମ ନିଃଶ୍ଵାସ ତ୍ୟାଗ ବେଳେ ଯାଇ ଜଣା ପଡ଼ିଥାଏ ଯେ ସୋହମ୍ ଅର୍ଥାତ ମୁଁ ହେଉଛି ସେହି । ଏହି ସେହିଟି କାହା ପାଇଁ ଆତ୍ମା ତ କାହା ପାଇଁ ଚୈତ୍ୟ ସତ୍ତାଦି ଯାହା ବି ହୋଇଥାଉନା କାହିଁକି, ତାହା କିନ୍ତୁ ଚିର ଅବିନଶ୍ୱର ଓ ସତତ ଶାଶ୍ୱତ !

ଏହାରି ଭିତରେ ମଣିଷ ଆଜନ୍ମ ହସ କାନ୍ଦ ଓ ଆନନ୍ଦ ନିରାନନ୍ଦଙ୍କ ମିଶ୍ରିତ ଅନୁଭବ ଲଭିଥାଏ । ଚକ ପରି ଘୁରୁଥାନ୍ତି ନାନା ଜାତି ସୁଖ ଓ ଦୁଃଖମାନେ । କେହି କେବେ ଦାବି କରି କହି ପାରିବେନି ଯେ ସେ ସମ୍ପୂର୍ଣ୍ଣ ସୁଖୀ । ସେମିତି ଦୁଃଖ ବି ବିଦା ହୋଇ ଯାଏ ତା ବେଳ ଅଇଲେ । ଆପାତତଃ ଜନ ନେତ୍ରେ ସୁଖୀ ସୁଖୀ ଦିଶୁଥିବା ଜନେ ବି ଅସଲରେ ଛପାଇ ରଖିଥାନ୍ତି ଅନେକ ଅକୁହା ଦୁଃଖ । ତେଣୁ ତ କଥାରେ କହନ୍ତି “ଯା’ ବେଦନା, ତାକୁ ଜଣା !”

ସୁତରାଂ ମଣିଷ କହିଲେ ଅଗଣନ ଇଚ୍ଛାଙ୍କ ସମାହାରକୁ ବୁଝାଏ । ଏସବୁ ଇଚ୍ଛା ନିଜର ତଥା ନିଜର ନିଜର ମଣୁଥିବା ଲୋକଙ୍କର ! ଗୋଟେ ଇଚ୍ଛା ପୂରଣ ହୋଇ ଟିକେ ନା’କୁ ଖୁସି ହେବ କଣ ଆହୁରି ଅନେକ ଇଚ୍ଛା ତଥାପି ଅପୂର୍ଣ୍ଣ ହୋଇ ନିରାନନ୍ଦେ ବିବଶ କରୁଥାନ୍ତି । ଏଣେ ନିଜ ଭିତରେ ଆଡ୍ଡା ଜମାଇ ରହିଥିବା ‘ମୁଁ’ଟି ବେଳୁବେଳ ଉଚ୍ଚାଟିତ କରୁଥାଏ ଦେଖୁଥିବା ଚୌଦିଗର ଏକନଟେ ଅଧୀଶ୍ୱର ହୋଇଯିବା ପାଇଁ ! ଫଳତଃ ମଣିଷ ମୂହୁର୍ମୂହୁ ମୋହଗ୍ରସ୍ତ ହୁଏ, ଯାହା ପ୍ରକାରାନ୍ତରେ ନାନାଦି ଦୁଃଖଙ୍କୁ ଆମନ୍ତ୍ରଣ କରି ଆଣେ । ଦେହ ମାନେ ହିଁ ମୋହ । ଆଉ ଦେହାତୀତ ଅନୁଭବିବା ହିଁ କୁଆଡ଼େ ମୋକ୍ଷ ।

ତେବେ ଆଜୀବନ ଦେହଧାରୀ ସୁଲଭ ଦୈହିକ କାମନା, ବାସନା, ଲୋଭ, ମୋହ, ଲାଳସାଧୀନ ହୋଇ ଅବଶେଷେ ସବୁ ଥାଇ କିଛି ବି ନଥିବା ପଣର ଅନୁଭବ ଯେବେ ଆରମ୍ଭ ହୁଏ, ମଣିଷ ଧୀରେଧୀରେ ତ୍ୟାଗ କଥା ଚିନ୍ତା କରେ ଓ ସେ ଆଡ଼କୁ ମୁହାଁଏ । ଏସବୁ ସତ୍ତ୍ୱେ ତଥା ଆକାଂକ୍ଷିତ ନିରାସକ୍ତି କିନ୍ତୁ ଦୂରନ୍ତ ହୋଇ ରହେ ଭୋଗାସକ୍ତ ସଂସାରୀ ମଣିଷ ପାଇଁ ।

ହଁ, କଦବା କ୍ୱଚିତ କେହିକେହି ସନ୍ନ୍ୟାସୀ ହେବା ଦିଗରେ ଅଗ୍ରସର ହୁଅନ୍ତି ସିନା ସେଠି ବି ତ୍ୟାଗକୁ ନେଇ ଆସକ୍ତି ତଥାପି ରହିଥାଏ । ତେଣୁ ତ କହନ୍ତି, “ସଂସାରୀ ଆସକ୍ତ ଭୋଗରେ, ସନ୍ନ୍ୟାସୀ ଆସକ୍ତ ତ୍ୟାଗରେ !” ସୁତରାଂ ଆତ୍ମିକ ଆନନ୍ଦ ପ୍ରାପ୍ତି ସହ ମୋହମୁକ୍ତ ହେବାର ଈପ୍ସିତ ଅନୁଭବଟି ତଥାପି ସୁଦୂର ପରାହତ ହୋଇ ରହିଯାଏ ।

ଏଣିକି ବନ୍ଧନ ଯୁକ୍ତ ଏକ ବନ୍ଦୀଶାଳା ପ୍ରାୟେ ପ୍ରତେ ହୁଏ ଏହି ଭବ । ଏହି ଭବ ବନ୍ଧନରୁ ମୁକ୍ତ ହୋଇ ଓ ଥଳକୂଳ ହୀନ ଭବ ସାଗରରୁ ପାରିହେବା ପାଇଁ ମନପ୍ରାଣ ଆକୁଳ ବ୍ୟାକୁଳ ହୁଏ । ତେବେ ପରୋପକାରାୟ ସ୍ୱର୍ଗାୟ ଭଳି ନୀତିଙ୍କୁ ଅନୁସରଣ ପୂର୍ବକ ଓ ଅନ୍ୟକୁ ଖୁସି କରିବା ମାଧ୍ୟମରେ ନିଜ ଖୁସି ସାଉଁଟିବା ଭଳି ସରଳ ପନ୍ଥାରେ ଆଗୁସାର ହେବା ହିଁ ସମ୍ଭବତଃ ଭବ ରହଣି ଭିତରେ ଏକ ଶାଶ୍ୱତ ଆନନ୍ଦଦାୟୀ ଭବାନୁଭବ ଅଟଇ ।

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *