ଗୀତାରାଣୀ ରଥ

ଘରେ ସମସ୍ତେ ସ୍ତବ୍ଧ ! ଏଯାଏଁ ଭାବିଥିଲେ ଏ କେବଳ ନିବିଡ଼ ବନ୍ଧୁତା ! ଏ ବନ୍ଧୁତାର ନିବିଡ଼ତା ଯେ ଏତେ ବିକଟାଳ ହେଇପାରେ ? ବାପା ଗର୍ଜନ ତର୍ଜନ କରିକରି ଥକି ଗଲେଣି ।
ମାଆର ମୁଣ୍ଡ ଦୁଇ ଆଣ୍ଠୁ ଭିତରେ ପୋତି ହେଇ ଭୂଇଁ ଓଦା କରି ସାରିଲାଣି, କିନ୍ତୁ ମିନତିର ଏକା ଜିଦ୍ ସେ ଶୋଭନାକୁ ବାହା ହେବ ! ଏମିତି କୁଆଡ଼େ ଏବେ ବାହାଘର ହେଉଛି । ଏଇଟା କୁଆଡ଼େ ଆଇନ୍ ସଙ୍ଗତ ! ମାଆ ପାଖରେ ବସି ପଡ଼ି ମିନତି ବୁଝେଇବାକୁ ଲାଗିଲା:
– ଦେଖ୍ ମାଆ, ବାହାଘର ଅର୍ଥ କଣ ଖାଲି ପିଲଛୁଆର ସଂସାର କରିବା ? ଯୋଉ ସମ୍ପର୍କକୁ ମନ ନାହିଁ, ତାକୁ ବାଧ୍ୟ ହୋଇ ମାନିବା ? ଏଥିରେ ମୁଁ ଖୁସି ହେଇ ପାରିବିନି ! ଆମେ ଦୁହେଁ ମରିଯିବୁ ..।
ମାଆ ହଠାତ୍ ମୁହଁ ଉଠେଇ ଗର୍ଜି ଉଠିଲେ:
– ତୋ ନିଜ ବଞ୍ଚିବା ମରିବା ଚିନ୍ତା ଛଡ଼ା ଆଉ କାହାର ଚିନ୍ତା ତୋର ଅଛି ? ତୋର ଏଇ ନିଷ୍ପତ୍ତି ତୋ ବାପାକୁ ଅକାଳରେ ମୃତ୍ୟୁ ଦେବ । ଏ ଅପବାଦ ତାଙ୍କୁ ଏବେଠୁ ଅଧା ମାରି ସାରିଲାଣି ! ଆଉ ମୁଁ ବା କୋଉ ଆଶା ଭରସାରେ ବଞ୍ଚିବି ? ଯା’ ସମସ୍ତଙ୍କ ଶବ ଉପରେ ତୋ ସୁଖର ବେଦୀ ତିଆରି କର ! ତୋତେ ଜନ୍ମ ଦେଇ ଦିନେ ଗର୍ବ କରୁଥିଲି । ଆଜି ଧିକ୍କାରୁଛି ନିଜକୁ ।
ମାଆର କ୍ରୋଧ ବେଳକୁବେଳ ତରଳି ଯାଇ ବେଦନାର ଘନଘୋର ମେଘରେ ବଦଳୁଥିଲା …। ସାରା ଘରଟାରେ ଆଜି ଶ୍ମଶାନର ନିରବତା ! ବାପା ମାଆ ପରସ୍ପରର ମୁହଁକୁ ଚାହୁଁନାହାନ୍ତି ! ସତେ ଯେମିତି ଦୁହେଁ ଏମିତି ସନ୍ତାନକୁ ଜଗତକୁ ଆଣି ପାପ କରିଛନ୍ତି !ସନ୍ଧ୍ୟାର ଅନ୍ଧାର ଘନେଇ ଆସିଲାଣି, ଶୋଇବା ଘରର ଆଲୁଅ ଜଳିନି । ମାଆ ଆଲୁଅ ଜାଳିବାକୁ ଗଲାବେଳେ ଦେଖିଲେ ବାପାଙ୍କ ଆଖି ଲାଲ୍, ମୁହଁ ଫୁଲି ଯାଇଛି । ହାତରେ ଝିଅର ଛୋଟବେଳର ଫଟୋ !! କୁଣ୍ଢେଇ ଧରି ପତ୍ନୀଙ୍କୁ କହିଲେ:
– ସେବ ! କଣ ଭୁଲ୍ ହେଇଗଲା ଆମ ଝିଅକୁ ପାଳିବାରେ ! ଏତେ ଭଲ ଶିକ୍ଷା ଦେଲୁ, ସ୍ଵାଧୀନତା ଦେଲୁ , ସ୍ନେହ ମମତା ଦେଲୁ, ତଥାପି ଏମିତି କାହିଁକି କଲା ସିଏ ? ନିଜକୁ ସମ୍ଭାଳି ନେଇ ମାଆ କହିଲେ:
– ତମେ କାହିଁକି ଏମିତି ହେଉଛ କହିଲ ? ଏଇଟା ପିଲା ମନର ବାଚାଳାମି, ସବୁ ଠିକ୍ ହୋଇଯିବ । ମୁଁ ସବୁ ସୁଧାରିଦେବି । ହେଲେ ତମେ ଦମ୍ଭ ନରଖିଲେ ମୁଁ କାହାକୁ ଧରି ଚାଲିବି କହିଲ ? ଏ ବିପତ୍ତିରେ ହାରିଯିବା ନା ଏକାଠି ଲଢିବା ? ଦୁହେଁ ଦୁହିଁଙ୍କୁ ସାହାରା ଦେଇ ସେଇଠି ଅଜାଡ଼ି ଦେଉଥିଲେ ଯେମିତି ସବୁ ଲୁହକୋହ !
ମାଆ ଗଲେ ଝିଅର ଶୋଇବା ଘରକୁ ଝିଅକୁ ବୁଝାଇବା ପାଇଁ । ଝିଅ କଥା ହେଉଥିଲା ଫୋନ୍ ରେ ।
– ଦେଖ୍ ଆମର ସୁଖଶାନ୍ତି ଏ ଦୁନିଆ ଦେଖି ପାରିବନି । ଆମେ କାହିଁକି ସେମାନଙ୍କ ପାଇଁ ନିଜ ଇଚ୍ଛାକୁ ବଳିଦେବା ? କାହା କଥା ଶୁଣିବାର ନାହିଁ । ଆମକୁ ଯାହା ଭଲଲାଗିବ, ଆମେ କରିବା ।
କ୍ରୋଧରେ ମାଆ ଝପଟି ପଶୁଥିଲେ ଘରେ, ପଛପଟୁ ବାପା ଅଟକେଇ ଦେଲେ ଓ କହିଲେ :
– ବଢ଼ନ୍ତା ନଈ ସୁଅରେ ପତରଟେ ପକେଇ ଦେଇ ବାନ୍ଧି ପାରିବ ତାର ଗତି ? ବୃଥା ଚେଷ୍ଟା କରି କି ଲାଭ ? ନିଜ ଭିତରୁ ଭାଙ୍ଗି ପଡୁଥିଲେ ବାପାମାଆ, ଉଜୁଡ଼ି ଯାଉଥିଲା ସ୍ଵପ୍ନର ନିଡ଼ ।
ସକାଳୁ ମାଆ ଦେଖିଲେ ବାପା ନାହାନ୍ତି ଶେଯରେ,ଏତେ ଶୀଘ୍ର କେବେ ନଉଠିବା ଲୋକ ଆଜି ବିଛଣାରେ ନାହାଁନ୍ତି ? ବୋଧେ ଶୋଇ ନଥିବେ ରାତିସାରା ? ସବୁ ଜ୍ବାଳାଠୁ ଅପମାନର ଜ୍ବାଳା ଯେ କେଡେ ତୀବ୍ର, ତା ଅନୁଭବି ବୁଝେ, ତା ପୁଣି ପୁରୁଷ ପାଇଁ, ଆଉ ବାପାଟେ ପାଇଁ ଅସହ୍ୟ ! ଯୋଉ ଝିଅକୁ ନେଇ ଗର୍ବ ଥିଲା, ତା ଆଜି ବିଦ୍ରୁପର କାରଣ ହେଇଛି ! ମାଆ ଭାବିଲେ “ଯାଇଥିବେ ଛାତ ଉପରକୁ ??ସବୁ ଖୋଜିଗଲେ, କେଉଁଠି ନଥିଲେ ସେ ! ବ୍ୟସ୍ତ ବିକଳ ହୋଇଉଠିଲେ ମାଆ । ସବୁଆଡକୁ ଫୋନ୍ କଲେଣି। କେଉଁଠି ନାହାଁନ୍ତି ବାପା ।
ହଠାତ ଖଟ ପାଖର ଟେବୁଲ୍ ଉପରେ ନଜର ପଡିଲା “ଚିଠି” । ଖୋଲି ପକେଇଲେ ମାଆ । ମିନତି ଆସି ଦେଖିଲା ମାଆ ଥରୁଛନ୍ତି, ଚିଠିଟି ନେଇ ପଢିବାକୁ ଲାଗିଲା :
– ମାଆ ମିନୁ, ତତେ ଏଥର ଛାଡ଼ିଦେଲି ତୋ ଇଛାରେ ବଞ୍ଚିବାକୁ ।କିନ୍ତୁ ଏଇ ଅପମାନର କଷଣକୁ ସହିବାର ଶକ୍ତି ମୋ ପାଖରେ ନାହିଁ ।ମୋତେ କ୍ଷମା କରିଦେବୁ କାରଣ ସେ ଉପାଦାନରେ ଗଢା ହେଇ ପାରିନୁ ଆମେ । ଆମେ ଘର ପରିବାର ଆଉ ଗୁରୁଜନଙ୍କର ଇଛା ପାଖରେ ନିଜକୁ ବଳିଦାନ ଦେବା ଶିଖି ଆସିଛୁ । ତୋ ମାଆକୁ ବାହା ହେଇଥିଲି ମୋ ବାପାଙ୍କ ଇଚ୍ଛାରେ । ତୋ ମାଆର ରଙ୍ଗ ମଳିନ । ମୁଁ ସେତେବେଳେ ମନେମନେ ଅଭିମାନ କରିଥିଲି “ମୋ ଭଳି ଗୋରା ପାଇଁ ବାପା ଏମିତି କାହିଁକି ଝିଅ ବାଛିଲେ ?” ବାପା ମୋ ପିଠି ଆଉଁସି ଦେଇ କହିଥିଲେ “ତୋ ପାଇଁ ହୀରାଟିଏ ଆଣିଛି ରେ । ସବୁ ହୀରା ଧଳା ହୋଇ ନପାରେ, କିନ୍ତୁ ତାର ଚମକ କହିଦେବ ତାର ପରିଚୟ !”ସତରେ ତୋ ବୋଉ ଭଳି ମଣିଷ ମିଳିବା ଭାଗ୍ୟର କଥା ।
ହେଲେ ମୁଁ ତତେ କୌଣସି କଥା ପାଇଁ ବାଧ୍ୟ କରିପାରିବିନି,ତୁ ଆଜିର ପିଲା । ତୁ ତୋ ମନ ଯାହା କହିବ, ସେ କଥା ଶୁଣି ଚାଲିବୁ। ସେଥିରେ ତତେ ଜନ୍ମ ଦେଇ ପାଳି ପୋଷି ବଡ କରିଥିବ ଜୀବନ ବଳି ପାଇଗଲେ କିଛି ଚିନ୍ତା ନାହିଁ । ହେଲେ ଗୋଟେ କଥା ମନେ ରଖିବୁ, ମଣିଷ ପଶୁ ହେବା ସହଜ, ମାତ୍ର ଦେବତା ହେବା କଷ୍ଟ । ଆଜିର ଜୀବନ ସହଜ ବାଟଟାକୁ ଆଗ ଧରୁଛି । ତୁ ବା ଏଥିରୁ କେମିତି ବାଦ୍ ଯିବୁ ? ଠିକ୍ ଅଛି । ତୁ ତୋ ରାସ୍ତା ବାଛିଛୁ, ମୋତେ ବି ମୋ ରାସ୍ତା ବାଛିବାକୁ ଦେ । ଯଦି ପାରିବୁ ତୋ ମାଆଟାକୁ ଦେଖୁଥିବୁ ।ଜୀବନସାରା ମୋ ପାଇଁ ବହୁତ ସନ୍ତୁଳି ହେଲା । ଶେଷ ବେଳଟା ତାର ଟିକିଏ ଶାନ୍ତିରେ କଟୁ ଯେମିତି …ଚିଠିଟାକୁ ଶେଷ କରି ପାରିଲାନି ମିନତି । ଧାଇଁଲା ଡ୍ରେସ୍ ଟାକୁ ଗଳେଇ ଦେଇ …
ସବୁଠି ପଚାରି ପଚାରି ଥକି ଗଲାଣି ମିନୁ । କୋଉଠି ପାଉନି ବାପାଙ୍କୁ । ମନେପଡୁଛି ବାପାଙ୍କ ସ୍ନେହ, ବାପାଙ୍କ ତ୍ୟାଗ । ମନେପଡୁଛି ତାକୁ ନେଇ ବାପାଙ୍କ ସ୍ବପ୍ନ । ଲଥ୍ କରି ବସି ପଡିଲା ରାସ୍ତାକଡର ଚା ଦୋକାନର ବେଞ୍ଚରେ । ହଠାତ୍ କାହାର ଡାକରେ ଚମକି ଚାହିଁଲା, ନିରାକାର ମଉସା । ବିକଳରେ ପଚାରିଲା :
– ମଉସା ,ବାପାଙ୍କୁ ଦେଖିଛ ?
ହଁ, ସେଇ ପାର୍କ ଆଡେ ଯାଉଥିଲା । ମୁଁ ଡାକିଲି ଶୁଣିଲାନି । ମିନତି କିଛି ନକହି ଧାଇଁଲା । ବାପା ବସିଥିଲେ ମୁହଁ ପୋତି । ବାପାଙ୍କ ପାଦ ଦୁଇଟିକୁ ଜାବୁଡି ଧରି କାନ୍ଦି ଉଠିଲା ।
– ବାପା ତୁମ ମିନୁକୁ କ୍ଷମା କରିଦିଅ…ତୁମେ ଯାହା କହିବ, ତା ହେବ । ମୁଁ ତୁମର ସେଇ ସୁନା ଝିଅ ହେଇ ବଞ୍ଚିବାକୁ ଚାହେଁ।
ରାତିରେ ବାପାଙ୍କ ପାଦ ପାଖରେ ବସି ମିନୁମାଆ ଅଭିମାନରେ କାନ୍ଦି ଉଠି କହିଲେ “ତୁମେ ଏତେ ନିଷ୍ଠୁର ? ଟିକିଏ ମୋ କଥା ଭାବିଲନି ! ଲୁହ ପୋଛିଦେଇ କହିଲେ ମିନୁର ବାପା “ପାଗଳ ହେଲ ? ମୁଁ ସତରେ କଣ କିଛି କରିଥାନ୍ତି ? ମିନୁକୁ ବାଟକୁ ଆଣିବାକୁ ଆଉ ଭଲ ଉପାୟ କିଛି ନଥିଲା !! ମୋତେ ଚିହ୍ନିନ ଏଯାଏଁ ? ଏତେ ଶୀଘ୍ର ଭାଙ୍ଗି ଯିବା ଜନ୍ତୁ ନୁହେଁ ତୁମ ସ୍ବାମୀ, ତୁମେ ଏକଥା ଭଲଭାବରେ ଜାଣ ।
ଦୁହିଁଙ୍କ ମୁହଁରେ ଆନନ୍ଦର ବିମଳ ଛବି ।
ଜଟଣୀ, ଖୋର୍ଦ୍ଧା
ଲେଖକ ପରିଚୟ
ସାହିତ୍ୟ ସହିତ ପରିଚୟ ମୋର ଖୁବ ପିଲାବେଳୁ । ସପ୍ତମ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ କରିଥିଲି । କଲେଜ ପଢିଲାବେଳେ ମୋ ଲିଖିତ ନାଟକ ମଞ୍ଚସ୍ଥ ବି ହେବାରେ ଲାଗିଲା । ଏହା ମଧ୍ୟରେ ବହୁ ପୁରସ୍କାର ମିଳିବା, ଓ ପରେ ପରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଗୁଡ଼ିକ ସହିତ ସଂଶ୍ଳିଷ୍ଟ ହେବା ସହିତ ନାନା ସାହିତ୍ୟ ପତ୍ରିକାଗୁଡ଼ିକରେ ସମ୍ପାଦନା କରିବାରେ ସାହିତ୍ୟର ଗତି ବଢିଛି । ମୋ ମତରେ ଜଣେ ସ୍ଵ-ଇଚ୍ଛାରେ କବି ବା ଲେଖକ ହୋଇପାରେନା । ଉର୍ଦ୍ଧ୍ଵ ଜଗତର ପ୍ରେରଣା ହିଁ ଜଣଙ୍କୁ ସାହିତ୍ୟ ସ୍ପ୍ରଷ୍ଟା କରିଥାଏ ।