ପୂରବୀ ଶତପଥି
ଘର ବୋଲି ଜାଗାଟିଏ ମୋର
ଯୋଉଠି ବେଶ୍ ସହଜ ମୁଁ,
ଆଖି ଖୋଲିବା ପରଠୁ ଯୋଉ ଜାଗାକୁ
ଜଲ୍ଦି ଛାଡ଼ି ବାହାରକୁ ଚାଲି ଆସିବାକୁ
ତରତର ମୁଁ ।
ପାହାନ୍ତିଆ ଚା’ ଦୋକାନରେ ପେପର୍ ପଢ଼ାରୁ,
କାନ ସାରା ପୃଥିବୀର ହାଲ୍ଚାଲ୍
ମୋ ଚାରିକଡ଼େ ଉଡ଼ିବୁଲେ ନଟୁ ଭଳି ।
ଏଇଠୁ ପାଞ୍ଚ ପଚାଶର ଲମ୍ବା ଦିନର ଆର ମ୍ଭ।
ସବୁଠୁ ବେଶୀ ହାକିମାତି
ଦେଖେଇ ହେଉଥିବା, ଘରେ ଏକୋଇର ମୁଁ,
ଏଣେ ଠିକ୍ ଟାଇମ୍ରେ ଅଫିସ୍ରେ ନପହଞ୍ଚି ପାରିଲେ
ହାକିମର ଭଦ୍ର-ଅଭଦ୍ର ଗାଳିଟିଏ ଥୁଆ ନିଶ୍ଚିତ ଉପହାର ।
ଘର ଓ ଘରଣୀକୁ କିଛି ସମୟ ପାଇଁ ଭୁଲେ ମୁଁ
ଭୁଲିଯିବାରେ କ୍ଷତି କଣ?
ପ୍ରେମ ବି କାଳେ ପୌରୁଷର ସ୍ବୀକୃତି !
କିନ୍ତୁ; ପ୍ରେମିକାକୁ ବି କଣ ଦେଖେଇହୁଏ ମନତଳ ଘା’;
ଏଇ ଟାଇମ୍ପାସ୍ର ଅଳ୍ପ ସମୟରେ?
ବଢେଇଚଢେଇ ନିଜ ପାରିଲାପଣର
ଶବ୍ଦ ଜାଲଟିଏ କରି ନପାରିଲେ
ପ୍ରେମିକାଟିଏ ବି କଣ କରିହୁଏ !
ସାଙ୍ଗସାଥୀ, ଲେଟ୍ ନାଇଟ୍ ପାର୍ଟି ,
ଦି ପେଗ୍ ହାର୍ଡ ଡ୍ରିଙ୍କ୍ସ, ସେକ୍ସି କନ୍ଭର୍ସେସନ୍,
ଦେହ ମନ ଉଭୟର ବଣ୍ଟା କିଛି ଉତ୍ତେଜନା,
ବାସ୍ ,ଘଣ୍ଟାରେ ରାତି ବାଜେ ବାର ।
ଏବେ ମନେପଡ଼େ ଏଇ
ନୀଡ଼ ବାହୁଡ଼ା ଜାଗା ମୋର ।
କ୍ଲାନ୍ତଶ୍ରାନ୍ତ ଆଖି ମୋର
ଯେବେ ପହଁରି ଆସେ ଏଇ
ଏଇ ଚାରି ଡେସିମଲ୍ ଜାଗା ଉପରେ !
ମୁଁ ଅନାୟାସରେପିଙ୍ଗି ଦେଇପାରେ
ମୋ ମସ୍ତିଷ୍କରୁ
ଅଧସ୍ତନତାର କାକୁସ୍ଥପଣ,
ସିଡିଉଠାର ପଶାପାଲି ଚାଲ୍,
କାମୁକତାର ଲାଲ୍ ଆଖି
ଚିନ୍ତାର ଘୂର୍ଣ୍ଣିଝଡ,ସବୁ…
ଅନ୍ତତଃ ପାଞ୍ଚ ଘଣ୍ଟା ପାଇଁ;
ଯେବେ ମୁଁ ଶୋଇଯାଏ ଘରେ
ଘୋଡା ବିକ୍ରୀ କରି ଫେରିଥିବା
ସୌଦାଗର ଭଳି ,ଶାନ୍ତିର ନିଦରେ ।
ଢେଙ୍କାନାଳ, ମୋ : ୮୮୪୭୮୨୫୬୮୮
ଲେଖକ ପରିଚୟ
କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଗୋଟିଏ ବହି “ରାଗପୂର୍ବୀ” ନାମରେ ପ୍ରକାଶିତ ହୋଇଯାଇଛି । କ୍ରାନ୍ତିଧାରା, ସମ୍ବାଦ କଳିକା, ନିର୍ଭୟ, ଧରିତ୍ରୀ, ଅମୃତ ଦୁନିଆ ଇତ୍ୟାଦି ସମ୍ବାଦପତ୍ର, ତଥା ରେବତୀ, ପଞ୍ଚବଟୀ, ଅମୃତାୟନ ଓ ଆହୁରି ଅନେକ ପତ୍ରିକାରେ କବିଙ୍କର ଅନେକ କବିତା ପ୍ରକାଶିତ ହୋଇଛି । ସଂପ୍ରତି ସେ ସାମାଜିକ ସେବାରେ କାର୍ଯ୍ୟରତ । ।