କହ୍ନେଇ ସାହୁ
କବିର ମୃତ୍ୟୁ ପରେ
ହାତ ତାର ଛିଣ୍ଡି ପଡ଼ିଲା ଶିକୁଳିରୁ
ବର୍ଷା ଘନେଇ ଆସିଲା
ଇତସ୍ତତ ହୋଇ ପଡ଼ି ରହିଲେ ଗଛମାନେ
ଆକାଶ ବରଫ ପାଲଟିଗଲା,
ମାଟି ଉର୍ବର ହେଲା କବିର ରକ୍ତରେ l
କବି ଜନ୍ମିବାର ଗୋଟେ ପ୍ରାନ୍ତ ନାହିଁ
ସବୁଠି ଜନ୍ମେ, ହେଲେ ମୃତ୍ୟୁ ହୁଏ କି ନା ଜାଣିନି ?
କବି ବାଉଁଶ ବଣରେ ଜନ୍ମେ
କବି ପାହାଡ଼ ଗାତରେ ଜନ୍ମେ
କବି ତତଲା ଇଟା ଭାଟି ଉପରେ ଜନ୍ମେ
କବି କାଶୀପୁରରେ ଜନ୍ମେ
କବି ପ୍ରବାସୀ ରାଜ୍ୟରେ ଜନ୍ମେ
କବି ମଜଦୁର ପିଠିରେ, ଦାଦନର କଟା ହାତରେ ଜନ୍ମେ
କବି ଗଛର ଦେହରେ ବି ବେଳେବେଳେ ଜନ୍ମେ
କବି ମାଟି ପିଠା ଖାଇ ଜନ୍ମେ
କବି ସେଦିନ ଛୁଆଟାକୁ ବିକିଦେଲା, ଭୋକରେ
ଆମ୍ବ ଟାକୁଆ ଯାଉ ଖାଇ ମଲା ବୋଲି
ଅନେକ କହିଲେ କବିକୁ,
କବି ବେକରେ ଦଉଡ଼ି ଲଗାଇ
ଗଛରେ ଓହଲୁଥିବାର ଦେଖିଲେ,
ଧାନ ତାର ଚକଡ଼ା ଚରିଯାଇଥିଲା ବୋଧେ !
କବିର ଦରସିଝା ମାଂସ
ଇଟା ଭାଟିରୁ କୁକୁର ଘିଂଚି ଖାଇବାଟା
କବିପଣକୁ ପ୍ରଶ୍ନ,
କବିର ଲାସ୍, କଟା ହାତରେ ଗାଁକୁ ଫେରେ,
ଛୁଆ କବିର ଦେହକୁ ପରା ଶାଗୁଣା ଖାଏ !!
କବି କେବେ କାନ୍ଦେ ନାହିଁ,
ସତ ହୋଇପାରେ ?
ସେ କାନ୍ଦିଲେ ପରା ସୂର୍ଯ୍ୟ ବରଫ ପାଲଟି ପଡ଼େ,
ଚନ୍ଦ୍ରରେ ନିଆଁ ଲାଗେ,
କବିର ରକ୍ତ ଟିକେ ଶସ୍ତା, ମଣିଷଙ୍କଠୁ
ସେଥିପାଇଁ ତ
କବିର ଦେହ ବଳି ପଡ଼େ
ଦେବୀ ମୁହଁରେ
ପୃଥିବୀକୁ ଉର୍ବର କରିବା ପାଇଁ
ମାଟିକୁ ପବିତ୍ର କରିବା ପାଇଁ l
କବି ସୁନିଲ ଗଙ୍ଗୋପାଧ୍ୟାୟ କିପରି
“କବିର ମୃତ୍ୟୁ” ଲେଖି ପାରିଲେ ଯେ,
କବିର କଣ ଜନ୍ମ-ମୃତ୍ୟୁ ଅଛି କି ?
ତଥାପି
ଯଦି କବି ଜନ୍ମିବାର ଜାଣୁଛ, ହେଲେ
ସବୁବେଳେ ତାର ମୃତ୍ୟୁ ହିଁ କାହିଁକି ?
ଏବେ ଉତ୍ତର ଦିଅ
ନଚେତ କବିର ମୃତ୍ୟୁ ପରେ
ଆଉ କିଛି ବି ନଥିବ
ଶୂନଶାନ ହୋଇଯିବ ଏ ପୃଥିବୀ
କଞ୍ଚା ରକ୍ତରେ ଭିଜି ପଡ଼ିଥିବ ଏ ମାଟି l
ଧୂଲୁଣ୍ଡା, ଝାରସୁଗୁଡ଼ା
ଲେଖକ ପରିଚୟ
ଏକ ଉପାନ୍ତ ବିଚ୍ଛିନ୍ନାଞ୍ଚଳ ଝାରସୁଗୁଡ଼ା ଜିଲ୍ଲା ୧୯ ଖଣ୍ଡ ମୌଜା ଧୂଲୁଣ୍ଡାରେ ଘର, ଯେଉଁଠି ଶିକ୍ଷା ଓ ଖାଦ୍ୟ ଭିତରେ ଗୋଟେ ବିରାଟ ସଂଘର୍ଷ । ମାଟିକୁ ଭଲପାଉଥିବା କିଛି ଶବ୍ଦ ନେଇ କବିତା ମୋର l