ଜ୍ୟୋତି ପ୍ରକାଶ ମହାପାତ୍ର
ଯାଜପୁର କଲେଜ ଆଗ ଦେଇ ରାସ୍ତାଟି ଥିଲା ସାପ ପରି କଳା ମଚମଚ ଓ ପତଳା। ଦିନଯାକ ପିଲାଙ୍କ ଗହଳଚହଳ। ସଂଜକୁ ସବୁ ଅପସରି ଯାଆନ୍ତି । କଲେଜ ପଡ଼ିଆରେ ଖେଳ ସାରି ବସି ଥାଆନ୍ତି କିଛି ପିଲା । ତାଙ୍କ ଟୁପଟାପ ଗପକୁ ଅମାନିଆ ପବନ ଉଡ଼େଇ ନେଇ ଯାଉଥାଏ।
ନିଅନ ଆଲୁଅ ସେ ରାସ୍ତା ଉପରେ ଝାପସା ହୋଇ ପଡ଼ିଥିବ । ଏଇ ସମୟରେ କୋଉଠୁ ଥିବ, ଚାଲି ଆସିବ-ଜଇଆ`। ଜଇଆ ପାଗଳା । ଲମ୍ବା ଦାଢି, ବେକ ତଳକୁ ଓହଳି ପଡ଼ିଥିବା ବାଳ । ଘୋଷାଡ଼ି ହୋଇ ଛିଡ଼ି ଛିଡ଼ି ଆଣ୍ଠୁ ଉପରକୁ ଉଠି ଆସିଥିବା ପେଂଟ ଓ ଚିରା ଜାମା ଓ ବୁଚୁଳାଟେ ତା’ କାଖରେ ।
କାହାକୁ ଗାଳି ଦେଇ ଦେଇ ଆସୁଥିବ । ସିଧା ଅନ୍ଧାର କଣକୁ ଯାଇ ଫିଜିକ୍ସ ଡିପାର୍ଟମେଂଟ ପାଖରେ ବସିଯିବ । ବିଡ଼ି ପିଇବ ।
ପୁଣି ଆଲୁଅରେ ଆସି ଅଙ୍ଗାର ଧରି ଚିତ୍ର ଆଙ୍କିବ । ବସ, ଟ୍ରକ, ଗାଡ଼ି ବ୍ୟାଟେରି, ବାଟା ଚପଲ। ଯଦି ଚକ ଖଡ଼ି ଥିବ, କଳା ପିଚୁ ରାସ୍ତା ଉପରେ ବି ଆଙ୍କି ପକେଇବ ।
ଏଡ଼େ ସୁନ୍ଦର, ଏତେ କଳ୍ପନା ଏ ଅଧା ପାଗଳ ମଣିଷ ଭିତରେ ଯେ ଜୀଇଁଛି, ଭାବିଲେ ମତେ ଆଶ୍ଚର୍ଯ୍ୟ ଲାଗେ । ମୁଁ ବେଳେ ବେଳେ ଯାଇ ତା’ ପାଖେ ବସେ । ଜଇଆ ରାଗିବ । କହିବ- ଯାଉନୁ । ଯା ଏଠୁ ।
ମୁଁ ଯଦି ନ ଯିବି, ସେ ଉଠିକି ପଳେଇବ ।
କେହି ତାର ଇତିହାସ ଜାଣିନି, କେହି ତାର ଠିକଣା ଜାଣିନି । ଖାଲି ଲୋକଥାରେ ତାର ଗୋଟେ ପରିଚୟ ଅଛି । ସେ କୂଆଡ଼େ ଜଳସଂପଦ ବିଭାଗରେ ଆର୍ଟିଷ୍ଟ ଭାବେ ଚାକିରି କରୁଥିଲା । ଗୋଟେ ଝିଅକୁ ଭଲ ପାଇ ବାହା ହୋଇଥିଲା । ତା’ ପାଇଁ ଘର କରିଥିଲା । ସ୍ୱପ୍ନ ଗୁନ୍ଥିଥିଲା । ଆଖି ତାର ସ୍ୱପ୍ନରେ ହେଉଥିଲା ଉବୁଟୁବୁ ।
ଆଉ ଦିନେ ଜଇଆ ଉଠିଲା ବେଳକୁ ସେ ଝିଅ କୁଆଡ଼େ ପଳେଇ ଯାଇଛି । ନା ମୋବାଇଲ୍ ଥିଲା, ନା ଇ-ମେଲ୍ । ଗଲା ଯେ ଗଲା ଆଉ ଫେରିଲାନି।
ରମାକାନ୍ତ ରଥଙ୍କ ‘ଶ୍ରୀ ପଳାତକ’ କବିତା ପରି । ସାଙ୍ଗ ହୋଇ ଶୋଇଥିବ ଦୁଇ ଜଣ । ପରସ୍ପରର ଗରମ ମାଲୁମ କରୁଥିବ । ଆଉ ସକାଳୁ ଉଠିଲା ବେଳକୁ ଆର ଲୋକଟି ନଥିବ। ବିଛଣା ଉଷୁମ ଲାଗୁଥିବ । ଘରର ସଦର ଦରଜା ମୁକୁଳା ଥିବ । କିନ୍ତୁ ସେ ନଥିବ ।
ସେ ଅନ୍ତରଂଗ ଓ ଛାତି ଭିତର ମଣିଷଟି ଗଲା ଯେ ବାହାରି ଗଲା । ଆଉ ଫେରିବନି ।
ଜଇଆ ଭାଗ୍ୟରେ ସେଇଆ ଘଟିଥିଲା । ଲୋକେ କହନ୍ତି ।
ତା’ପରେ ଜଇଆ ଚାକିରି ଛାଡ଼ିଦେଲା । ଖାଲି ବୁଲିଲା । କ୍ରମଶଃ ବାବନା ଭୂତ ହୋଇଗଲା।
କଲେଜ ଇଲେକ୍ସନ ସମୟରେ ସବୁ ପୁସିଂ କାର୍ଡ଼ ଗୋଟେଇ ତା’ ବୁକୁଚାରେ ପୁରେଇବ । ରଂଗବେରଂଗୀ ସେ ପୁସିଂ କାର୍ଡ଼କୁ ଚିରି କେବେ କେବେ ଅପରାହଣରେ ଉଡ଼େଇ ଦେବ ।
କହିବ- ଯାଃ, ଶଳା । ଇନ୍ଦ୍ରଧନୁ ହୋଇଗଲା ଯା । ତିଆରି କରିଦେଲି ଇନ୍ଦ୍ରଧନୁ ।
ପୁଣି କେବେ ଥିବ ଥିବ, ରାସ୍ତାରୁ ଉଠେଇ ଢେଲାଟେ ମାରିବ ସୂର୍ଯ୍ୟକୁ।କହିବ- ଲାଜ ଲାଗୁନି ବେ ! ଆଲୁଆ ପକେଇ ଜୀବନକୁ ଅଂଧାର କରି ଦେଉଛୁ । ଯା ଭାଗ୍ । ନ ହେଲେ ଟେକା ପକେଇ ତତେ ଖଣ୍ଡିଆ କରିଦେବି ।
ଏବେ ତ ଯାଜପୁର କଲେଜ ବଢି ଗଲାଣି । ସେ କଲେଜ କଲୋନୀ ଆମେ କେବେଠୁ ଛାଡ଼ି ସାରିଲୁଣି । ତଥାପି ମୁଁ ଗଲେ ତାକୁ ଖୋଜେ ।
ଆଉ ମିଳୁନି ସେ ।
କୋଉ ଦାମୀ ମଣିଷଟା ଯେ, କିଏ କାଇଁ ତା’ ଖବର ରଖିବ ?
—
ଇ-ସାହିତ୍ୟ ସୃଷ୍ଟି କରିବାରେ ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ଅବଦାନ ଢେର । ଅନ୍ଲାଇନରେ, ବିଶେଷ ଭାବେ ସାମାଜିକ ଗଣମାଧ୍ୟମରେ ଗଳ୍ପ, କବିତା, ଅନୁଭୂତି ଲେଖି ସେ ବେଶ୍ ଆଦୃତି ଲାଭ କରିଛନ୍ତି । ତାଙ୍କ ସୃଷ୍ଟିରେ ମଣିଷ ପ୍ରତି ନିରଳସ ଆବେଗ ଭରି ରହିଥାଏ । ପଢ଼ୁ ପଢ଼ୁ ପାଠକର ମନ ଉଚ୍ଛନ୍ନ ହୋଇଯାଏ । କେବେ କେବେ ପୁଣି ଉଦାସ । ଅଙ୍ଗେନିଭା କଥାକୁ ସ୍ୱତନ୍ତ୍ର ଢଙ୍ଗରେ ପ୍ରକାଶ କରିବାର ଢଙ୍ଗ ତାଙ୍କର ବେଶ୍ ନିଆରା ।
Moving narrative!