ଶରତ କୁମାର ରାଉତ
ଏଠି ଟିକେ କାମ କମ୍ । ଖୁବ୍ ଅଳ୍ପ ସମୟର କାମ । ହେଲେ ଆଠ ଘଣ୍ଟା ହସ୍ପିଟାଲ୍ରେ ରହିବାକୁ ପଡ଼େ । କିନ୍ତୁ ରୋଗୀ ଝଂଝଟ ଏତେଟା ନାହିଁ । ଏଠାରେ ମୁଖ୍ୟତଃ ପାରାଲିସିସ୍, ଫାଇଲେରିଆ ଆଦି ଦୁଃସାଧ୍ୟ ଓ ଦୀର୍ଘକାଳୀନ ରୋଗର ଚିିକିତ୍ସା ହୁଏ । ରୋଗୀ ମାନେ ଆରୋଗ୍ୟ ହୁଅନ୍ତି । ଜଣେ ଜଣେ ରୋଗୀ ବର୍ଷେ ଦିବର୍ଷ ଧରି ରହନ୍ତି ରୋଗ ଭଲ ହେବା ପର୍ଯ୍ୟନ୍ତ । ନିଜ ଘର ଭଳି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡ଼ାକ୍ତର ଓ କର୍ମଚାରୀ ମାନଙ୍କ ଆଖି ଥାଏ ଏହି ହସ୍ପିଟାଲ୍ ଉପରେ । କୌଣସି ପ୍ରକାର ଏଠିକୁ ଆସିବାକୁ ଚେଷ୍ଟା କରନ୍ତି । ଜଣେ କେହି ଅବସର ନେଲେ, ସେହି ସ୍ଥାନକୁ ବଦଳି ପାଇଁ ଲାଗି ପଡ଼ନ୍ତି । ଆଉରି ମଧ୍ୟ କେହକେହି କାହାକୁ ଡ଼ିଷ୍ଟର୍ବ କରି ଏଠିକୁ ଆସିବା ପାଇଁ ବର୍ଷ ସାରା ନେତା ଓ ଅଧିକାରୀଙ୍କ ସହ ସଲାସୁତୁରା କରନ୍ତି । ସ୍ୱାସ୍ଥ୍ୟ ମୁଖ୍ୟାଳୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନେ ନାକେଦମ୍ ହୁଅନ୍ତି । ତାଙ୍କ ପାଖକୁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀ, ଉଚ୍ଚ ପଦସ୍ଥ ଅଧିକାରୀ ମାନେ କର୍ମଚାରୀଙ୍କ ସପକ୍ଷରେ ସୁପାରିସ ପତ୍ର ପଠାନ୍ତି, ଫୋନ୍ରେ ସେହି କର୍ମଚାରୀଙ୍କ ସପକ୍ଷରେ ସଫେଇ ଦିଅନ୍ତି । ଜଣ ଜଣଙ୍କ ସପକ୍ଷରେ ତ ୫୦-୧୦୦ ସୁପାରିସ୍ ପତ୍ର ଆସିଥାଏ । ସ୍ୱାସ୍ଥ୍ୟ ଅଧିକାରୀ ମାନେ ନିଜକୁ ଅସହାୟ ମନେ କରନ୍ତି । କାହା କଥା ସେ ମାନିବେ! କାହାକୁ ଫାଙ୍କିବେ! ସ୍ୱାସ୍ଥ୍ୟସେବା ପାଇଁ ସେ ସରକାରଙ୍କ ପାଖରେ ଉତ୍ତରଦାୟୀ । ହେଲେ ସୁପାରିସ୍ ଓ ଫୋନ୍ରେ ସ୍ୱାସ୍ଥ୍ୟ ପ୍ରଶାସନକୁ ଚଳାଇବାକୁ ସରକାରଙ୍କ ଏହି ବାବୁମାନେ ଚାପ ପକାଇବା କେତେଦୂର ଗଣତାନ୍ତ୍ରିକ ବ୍ୟବସ୍ଥା?….ସରକାର ସ୍ୱାସ୍ଥ୍ୟସେବା ସଂପର୍କରେ ଯେଉଁ ଆଇନ ତିଆରି କରି କାର୍ଯ୍ୟକାରୀ କରୁଛନ୍ତି, ପ୍ରଥମେ ସେହି ଆଇନ ସ୍ୱୟଂ ଆଇନ ନର୍ମାତା ମାନେ ଉଲଘଂନ କରନ୍ତି! ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ପାଇଁ ବେଆଇନ ସୁପାରିଶ ଏବଂ ଅନଧିକାର ହସ୍ତକ୍ଷେପ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।……..
ଏହା ଏକ ଏଲୋପାଥୀ, ହୋମିଓପାଥୀ ଓ ଆୟୁର୍ବେଦିକ୍ର ଫେଣ୍ଟାଫେଣ୍ଟି ଚିକିତ୍ସାସେବା ଯୋଗାଣକାରୀ ହସ୍ପିଟାଲ୍ । ଏବେ ତ ଦେଶର ପ୍ରାୟ ସମସ୍ତ ହସ୍ପିଟାଲ୍ରେ ଏଭଳି ବ୍ୟବସ୍ଥା ହୋଇ ଗଲାଣି । ଏହାର କାରଣ ଭାରତୀୟ ଚିକିତ୍ସା ପଦ୍ଧତିର ବିକାଶ ।
“ମୁଁ ଗୀତା ଅପା କହୁଛି ସୀମା! ଆମେ ୭ଜଣ ଦୁଇ ହଜାର ଟଙ୍କା ଲେଖାଏଁ ଆଦାୟ କରି ସାରିଛୁ! ତୁମକୁ ଅପେକ୍ଷା! ତୁମେ ଦେଲେ, ସାଙ୍ଗ ହୋଇ ଡ଼ିଲିଙ୍ଗ୍ ଆସିଷ୍ଟାଣ୍ଟ ରବିନ୍ ପଣ୍ଡାକୁ ତା’ ଘରେ ଦେଇ ଆସିବା! ଆମର ପରିବର୍ତ୍ତିତ ବେତନ ମଞ୍ଜୁର ନହେବାର କାରଣ ହିଁ ଲାଞ୍ଚ! ସେମାନଙ୍କ କଥା ତ ସମସ୍ତେ ଜାଣନ୍ତି । ଲାଞ୍ଚ ନପାଇଲେ, ଫାଇଲ୍ ଇଞ୍ଚେ ବି ଘୁଞ୍ଚିବନି! ଦେଖୁନ…ଦେଢବର୍ଷ ହେଲା ପଡ଼ି ରହିଛି! ରବିନ୍ ପଣ୍ଡା ପାଖକୁ ମୁଁ ଅନେକ ଥର ଗଲିଣି, ଗୋଡ଼ ଭାଙ୍ଗି ଛିଡ଼ା ହୋଇଛି, ଭଲ କଥା ବି ପଦେ ନାହିଁ । ‘ହଁ, ୟା’ ଭିତରେ ହୋଇଯିବ….’ ବାସ୍, କୁକୁର ମୁହଁକୁ ଅଇଁଠା ଫିଙ୍ଗିଲା ଭଳିଆ କଥା! ଲାଞ୍ଚ ଖାଇବା ତ ସେମାନଙ୍କର ଅଭ୍ୟାସ । ତେଣୁ ଟଙ୍କା ଯାଉ ପଛେ, କାମ ଟା ତ ହୋଇଯିବ!……………..”
ସୀମା ମନରେ କ’ଣ ଢୁକିଲା କେଜାଣି, କୌଣସି ଉତ୍ତର ନଦେଇ ଚଟ୍କିନା କହିଲା, “ଅପା, ୟାଙ୍କ ସାଙ୍ଗରେ କଥା ହୁଅ…….” ମୋବାଇଲ୍ ଫୋନ୍ ଧରାଇ ଦେଲା ସ୍ୱାମୀ ରାକେଶକୁ ।
“ଶୁଣନ୍ତୁ ଅପା, ତାଙ୍କ ନିଜ ଅଫିସ୍ କର୍ମଚାରୀଙ୍କର ଏଯାଏ ହୋଇନି! ବିଭିନ୍ନ ଅଞ୍ଚଳର ଶହଶହ ପ୍ରପୋଜାଲ୍ ବି ପଡ଼ି ରହିଛି । ଏଣୁ ସିଏ ଲାଞ୍ଚ ନପାଇବା ଯୋଗୁ କରୁ ନାହାନ୍ତି ବୋଲି ଭାବିବା ଠିକ୍ ନୁହେଁ! ମୁଁ ଭଲ ଭାବେ ଜାଣେ ଯେ, ଅଫିସରମାନଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁ ସ୍କ୍ରିନିଙ୍ଗ୍ କମିଟି ବସି ପାରୁନି! ମୁଁ ଯେତିକି ଜାଣିଛି, କୌଣସି ସରକାରୀ କର୍ମଚାରୀ ଏତେ ଲୋଭୀ ନୁହନ୍ତି ଯେ ଲାଞ୍ଚ ନପାଇଲେ କାହାର କାମ କରନ୍ତି ନାହିଁ! ଜିଲ୍ଲା ଅଫିସ୍ରେ ତ ୟା’ ଭିତରେ ସେବିକାଙ୍କର ୩ଥର ହୋଇ ସାରିଲାଣି! ଏଣୁ ତାଙ୍କୁ ଟଙ୍କା ଦେବା କଥା କ’ଣ ଭାବୁଛ? ବରଂ ସେ ଆମକୁ ଟଙ୍କା ଦେବା ସହ କାମ କରିବା ଉଚିତ ।…………”
ଏହି ହସ୍ପିଟାଲ୍ରେ ଥିବା ଆଠଜଣ ସେବିକା ଜିଲ୍ଲା ସ୍ତରୀୟ କର୍ମଚାରୀ । ଅର୍ଥ ବିଭାଗର ଦିର୍ଦ୍ଦେଶ ରହିଛି, ନିଯୁକ୍ତି ଓ ବଦଳି କରୁଥିବା ଅଧିକାରୀ ହିଁ ସଂପୃକ୍ତ କର୍ମଚାରୀର ପରିବର୍ତ୍ତିତ ବେତନ ମଞ୍ଜୁର କରିବେ! ହେଲେ ରାଜ୍ୟ ମୁଖ୍ୟାଳୟ କାହିଁକି ଏଠାରେ ମଞ୍ଜୁର କରିବାକୁ ରଖିଛି, ତାହାର ଭିତିରି କାରଣ ସେହି ଅଫିସ୍ର କର୍ମଚାରୀ ଓ ଅଧିକାରୀ ମଧ୍ୟ ବୁଝି ପାରୁ ନଥିଲେ ।
ଦିନେ ରବିନ୍ ପଣ୍ଡାଙ୍କ ପାଖରୁ ସୀମାକୁ ଫୋନ୍ ଆସିଲା, ‘ଦିଦି, ତୁମ ସର୍ଭିସ୍ ବୁକ୍ରୁ ଜଣାପଡ଼ୁଛି, ତୁମର ସରକାରୀ ଚାକିରିରେ ସ୍ଥାୟୀ ହୋଇନି! ପୁଣି ତୁମର ସିସିଆର୍ ଓ ଅନ୍ୟାନ୍ୟ କାଗଜପତ୍ର ମିଳୁନି! ଏଣୁ ତୁମେ ତୁରନ୍ତ ରେଗୁଲାର୍ ପୋଷ୍ଟିଙ୍ଗ୍ ଅର୍ଡ଼ର ଓ ସିସିଆର୍ ୫ବର୍ଷ ର ଆଣିଦିଅ! ଅନ୍ୟଥା ମୋର ଦୋଷ ଦେବନି, ତୁମର କୌଣସି ମତେ ହୋଇ ପାରିବନି!” କହି ଫୋନ୍ କାଟିଦେଲେ । ଡ଼୍ୟୁଟୀରେ ଥିବାବେଳେ ଅନ୍ୟମାନଙ୍କ କଥାବାର୍ତ୍ତାରୁ ସୀମା ଶୁଣିଲା, ଲାଞ୍ଚ ନଦେବାର ଏହା ଫଳ! କଥାରେ ବା ଅଛି, ପଇସା କ୍ୟା ନକରେ କାମ୍!… ଜଣେ ଭଦ୍ରବ୍ୟକ୍ତି ବି ଅପ୍ରିୟ ସତ କଥା କହିଲେ, ‘ସୀମା, ତମେ ପରା ଟଙ୍କା ଦେଇନ, ତମର ହେବ କେମିତି? ତମ ସ୍ୱାମୀ ପରା କହିଛନ୍ତି, ଆମକୁ ଟଙ୍କା ଦେବେ ଓ ଆମ କାମ କରିବେ!….’ ସୀମାର ମନ ହଲଚଲ୍ ହୋଇଗଲା ।
ରାକେଶ ଆଶ୍ଚର୍ଯ୍ୟ ହେଲା । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉପରେ ଥିବା ତା’ର ଅଖଣ୍ଡ ବିଶ୍ୱାସ କ୍ଷଣକ ଭିତରେ ଭାଙ୍ଗି ଖଣ୍ଡଖଣ୍ଡ ହୋଇଗଲା । ମୁଖ୍ୟାଳୟର କର୍ମଚାରୀଙ୍କୁ ତୀବ୍ର ଭର୍ତ୍ସନା କରୁଥିବା ଗୀତାଦିଦି ରବିନ୍ ପଣ୍ଡା ପାଖରେ ଭଲେଇ ହେବାର ବାହାନା ତା’ ମନ, ପ୍ରାଣ ଓ ହୃଦୟକୁ କ୍ଷତବିକ୍ଷତ କରିଦେଲା । ମଣିଷର ପ୍ରକୃତି ପ୍ରତି ତା’ର ଘୃଣା ଆସିଲା । ମଣିଷ ଆଜି ସବୁ ଅସମ୍ଭବକୁ ସମ୍ଭବ କରି ପାରୁଛି, ଅଣୁବୀକ୍ଷଣ ଓ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସାରା ବ୍ରହ୍ମାଣ୍ଡକୁ ଦେଖି ବୁଝି ପାରୁଛି, ହେଲେ ମଣିଷ ଆଉ ଗୋଟିଏ ମଣିଷର ଭିତରକୁ ଦେଖିବାରେ ଓ ପରଖିବାରେ ସମର୍ଥ ହେଉନି କାହିଁକି?…୧୫ବର୍ଷ ତଳୁ ସେ ପ୍ରତିଦିନ ଏହି ମୁଖ୍ୟାଳୟକୁ ଆସେ । ଅଧିକାଂଶ କର୍ମଚାରୀ ଓ ଅଧିକାରୀଙ୍କ ସହିତ ତା’ର ଘନିଷ୍ଠ ସଂପର୍କ । ସେମାନଙ୍କ ମଧ୍ୟରୁ ସେ କାହା ଭିତରେ କେବେ ଦେଖିନି ଈର୍ଷା, ଘୃଣା, ଲାଞ୍ଚୁଆ କି କୋଉ ଅଧଃସ୍ତନ କର୍ମଚାରୀର ସର୍ବନାଶ କରିବାର ଭାବ । ଅନେକଙ୍କ ସହିତ ତା’ର ଅଧିକାଂଶ ସମୟରେ ଆଲୋଚନା ହୁଏ ଦେଶରେ ବଢି ଚାଲିଥିବା ଦୁର୍ନୀତି, ଠକେଇ, ଅନ୍ୟାୟ, ନାରୀ ନିର୍ଯ୍ୟାତନା ଓ ବିଭତ୍ସ କାଣ୍ଡ ସଂପର୍କରେ । ବେଳେବେଳେ ଗଣମାଧ୍ୟମର ଏକ ପାଖିଆ ନୀତି ଓ ଅନ୍ୟାୟକୁ ଚାପି ଦେବା ଘଟଣା ସଂପର୍କରେ ବ୍ୟାପକ ଆଲୋଚନା ହୁଏ ।……
ଏମିତି କିଛି ସରକାରୀ ଆଇନ କାନୁନ୍ ନାହିଁ, ଯାହା ରାକେଶ ଜାଣିନି ବା ସରକାରୀ ସ୍ତରରେ କୌଣସି କାର୍ଯ୍ୟ ସେ ଯଥାଶୀଘ୍ର କରି ପାରିବନି । ତା’ ପାଇଁ କୌଣସି କୃର୍ତ୍ତିମ ସମସ୍ୟା ସମାଧାନ ସାମାନ୍ୟ କଥା । ସମସ୍ତେ ଏକଥା ଜାଣନ୍ତିନି । ଖୁବ୍ କମ୍ ଲୋକେ ଜାଣନ୍ତି ଯେ, ସେ ଜଣେ ପ୍ରଚଣ୍ଡ ସଚେତନଶୀଳ ନାଗରିକ । ସରକାରୀ ଗୋଲକ ଧନ୍ଦାର ଚକ୍ରବ୍ୟୁହ ମଧ୍ୟକୁ ପସେ ଓ ବାହାରି ଆସେ । ଦେଶରେ ବହୁଚର୍ଚ୍ଚିତ ଖଣି, ପାଣି, ଡ଼ାଲି, ଜମି, ସ୍ୱାସ୍ଥ୍ୟ ପ୍ରକଳ୍ପ ଆଦି ମହାଦୁର୍ନୀତି ଓ ଚିଟ୍ଫଣ୍ଡ ଠକେଇର ପର୍ଦ୍ଦାଫାସ୍ କରିବାରେ ତା’ର ପ୍ରମୁଖ ଭୂମିକା ରହିଛି । ଗୀତାଦିଦି ଓ ରବିନ୍ ପଣ୍ଡା ବୋଧେ ତା’ ସଂପର୍କରେ ଏତେଟା ଜାଣନ୍ତିନି । ସେମାନଙ୍କର ଜ୍ଞାନ, ବୁଦ୍ଧି, ବିବେକ ଓ ପୃଥିବୀ ନିଜ ଘରର ଚାରିକାନ୍ଥ ଭିତରେ ସୀମିତ । ହୁଏତ ମଣିଷର ମୌନତା ଓ ସରଳତାର ଭାବକୁ କେହିକେହି ବୋକା ବୋଲି ଭାବନ୍ତି । ଏହା ସେମାନଙ୍କର ଅସଚେତନତା, ବର୍ବରତା କି ମୁର୍ଖତା କି ଅତି ଚାଲାକି, କେଜାଣି ।
କୋରିଆପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡ଼ା, ମୋ-୯୩୩୭୩୬୯୪୪୮