ବହି: ଦି ଇଣ୍ଡିଆନ କଣ୍ଟିଜେଣ୍ଟ : ଦି ଫରଗଟନ ମୁସଲିମ୍ ସୋଲଜରସ୍ ଅଫ ବାଟଲ୍ ଅଫ ଡନକିର୍କ
ଲେଖକ : ଘି ବଊମାନ
ପ୍ରକାଶକ: ପାନ ମ୍ୟାକମିଲନ
ପୃଷ୍ଠା: ୩୧୦ ମୂଲ୍ୟ: ୬୯୯ ଟଙ୍କା
ଡନକିର୍କ ହେଉଛି ଫ୍ରାନ୍ସର ଉତ୍ତରରେ ଅବସ୍ଥିତ ଏକ ସାମୁଦ୍ରିକ ବନ୍ଦର । ୧୯୪୦ ରେ ବିଶ୍ଵଯୁଦ୍ଧ ବେଳେ ଜର୍ମାନୀର ସେନା ନେଦରଲ୍ୟାଣ୍ଡ, ଓ ବେଲଜିୟମ୍ ଅଧିକାର କଲାପରେ ଉତ୍ତର ଫ୍ରାନ୍ସ ବାଟେ ସମଗ୍ର ଫ୍ରାନ୍ସକୁ ଅଧିକାର କରିବା ପାଇଁ ଅଗ୍ରସର ହେଉଥିଲେ । ଇଂଲଣ୍ଡ, ଫ୍ରାନ୍ସ ଏବଂ ଅନ୍ୟାନ୍ୟ ମିତ୍ର-ଶକ୍ତି ଦେଶର ପାଖାପାଖି ସାଢ଼େ ତିନି ଲକ୍ଷ ସେନାଙ୍କୁ ସେଠୁ ସୁରକ୍ଷିତ ଅନ୍ୟତ୍ର ସ୍ଥାନାନ୍ତର କରିବାର ଜରୁରୀ ଆବଶ୍ୟକତା ପଡ଼ିଲା । ଜର୍ମାନୀ ସେନା ସହିତ ଯୁଦ୍ଧ ସହିତ ଏହି ବନ୍ଦର ବାଟେ ଏତେ ସଂଖ୍ୟକ ସେନାଙ୍କୁ ସମୁଦ୍ର ପଥରେ ଇଂଲଣ୍ଡକୁ ସ୍ଥାନାନ୍ତର କରାଯାଇପାରିଥିଲା । ପୃଥିବୀର ସାମରିକ ଇତିହାସରେ ଏହା ଏକ ଚର୍ଚ୍ଚିତ ସମର ।
୨୦୧୭ରେ ଖ୍ରୀଷ୍ଟଫର ନୋଲନ ‘ଡନକିର୍କ’ ଶୀର୍ଷକ ଏକ ଚଳଚିତ୍ର ନିର୍ମାଣ କରିଛନ୍ତି । ଏ ଚଳଚିତ୍ରରେ ଦେଖାଯାଇଛି ଯେ ମିତ୍ରଶକ୍ତିର ଶ୍ଵେତାଙ୍ଗ ସୈନ୍ୟମାନେ କେମିତି ଏ ଯୁଦ୍ଧରେ ବିପୁଳ ସଂଖ୍ୟକ ସେନାଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରି ପାରିଲେ । ଏ ଯୁଦ୍ଧରେ କିନ୍ତୁ ଅନେକ ଭାରତୀୟ ସେନା (ସେମାନଙ୍କ ଭିତରୁ ପୁଣି ଶିଖ୍ ଏବଂ ମୁସଲ୍ମାନଙ୍କ ସଂଖ୍ୟା ଥିଲ ଅଧିକ) ବି ବ୍ରିଟିସ୍ ସୈନ୍ୟବାହିନୀର ଅଙ୍ଗ ଭାବେ ଅଂଶ ଗ୍ରହଣ କରିଥିଲେ । ଏ ଚଳଚ୍ଚିତ୍ରରେ କିନ୍ତୁ ସେମାନଙ୍କର କୌଣସି ଉଲ୍ଲେଖ ନାହିଁ । କୌଣସି ଦୃଶ୍ୟରେ ବି ସେମାନେ ନାହାନ୍ତି ।
ଘି ବଊମାନଙ୍କ ଲିଖିତ ପୁସ୍ତକରେ ଏଭଳି ଅନେକ ଯୁଦ୍ଧରେ ଭୁଲି ହୋଇଯାଇଥିବା ଭାରତୀୟ ସେନାମାନଙ୍କର କଥା ଲେଖାଯାଇଛି । ଇତିହାସକୁ ଅନେକେ ଭୁଲି ଯାଆନ୍ତି । ଇତିହାସର ସବୁ ପୃଷ୍ଠାକୁ ଅନେକ ମନେରଖନ୍ତି ନାହିଁ । ସମୟକ୍ରମେ ସେଥିରେ କଳ୍ପନାର ଅନୁପ୍ରବେଶ ଘଟେ । ମିଥ୍ର ପରଳ ପଡ଼ିଯାଏ । ପ୍ରଶିକ୍ଷିତ ଐତିହାସିକମାନେ ଅତ୍ୟନ୍ତ କଷ୍ଟ ସ୍ଵୀକାର କରି ପୁଣି ଇତିହାସର ସେହି ବିସ୍ମୃତ ଅଧ୍ୟାୟଗୁଡିକର ଅଳନ୍ଧୁ ଝାଡ଼ି ସତ୍ୟକୁ ସାମ୍ନାକୁ ଆଣନ୍ତି । ତଥ୍ୟଗୁଡ଼ିକୁ ଲିପିବଦ୍ଧ କରି ରଖନ୍ତି ।
ଲେଖକ ଘି ବଉମାନ ସେଇ କାମଟି ବଡ଼ ଯତ୍ନ ସହକାରେ କରିଛନ୍ତି । ଦ୍ଵିତୀୟ ବିଶ୍ଵଯୁଦ୍ଧବେଳେ ବ୍ରିଟିଶ୍ ସେନାବାହିନୀରେ ଭାରତୀୟ ସେନାର ଭୂମିକା ଓ ସ୍ଥିତି କଥା ସେ ବିଶଦ ଭାବେ ଉଲ୍ଲେଖ କରିଛନ୍ତି । ଏଥିରେ ସେ ଦେଖେଇବାପାଇଁ ଚାହିଁଛନ୍ତି ଏକ ଅଦ୍ଭୁତ ବିଡ଼ମ୍ବନା । ତାହାହେଲା ବ୍ରିଟିସ୍ ସେନାବାହିନୀରେ ଯେଉଁ ଭାରତୀୟ ସୈନ୍ୟମାନେ ଥିଲେ ସେମାନେ ଦେଶଠୁ ବହୁ ସହସ୍ର କିଲୋମିଟର ଦୂରରେ କାହିଁ ଦକ୍ଷିଣପୂର୍ବ ଏସିଆର ଅରଣ୍ୟରୁ ଉତ୍ତର ଆଫ୍ରିକାର ମରୁଭୂମି ଏମିତକିି ନରୱେର ବରଫାଛନ୍ନ ଅଂଚଳରେ ମଧ୍ୟ ଯାଇ ଲଢ଼େଇ କରିଛନ୍ତି । ସେମାନେ ବ୍ରିଟେନ୍ ସେନ୍ୟବାହିନୀରେ ବ୍ରିଟେନ୍ର ସ୍ଵାର୍ଥରକ୍ଷା ପାଇଁ ଲଢ଼ୁଥିବା ବେଳେ, ନିଜ ଜୀବନ ଦେଉଥିଲାବେଳେ ତାଙ୍କ ଦେଶରେ ବ୍ରିଟିସ୍ ଶାସନରୁ ସ୍ଵାଧୀନତା ପାଇବାର ଆନ୍ଦୋଳନ ତୁଙ୍ଗରେ ଥିଲା । ଏହା ଏକ ଐତିହସିକ ବିଡମ୍ବନା ।
ପ୍ରଥମ ବିଶ୍ଵଯୁଦ୍ଧ ଏବଂ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ବ୍ରିଟିସ୍ ସେନାବାହିନୀରେ ଭାରତୀୟ ସୈନ୍ୟମାନଙ୍କର ଏକ ପ୍ରମୂଖ ଭୂମିକା ରହିଥିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧରେ ମିତ୍ର ବାହିନୀରେ ବହୁ ସହସ୍ର ଭାରତୀୟ ସେନା ଥିଲେ । ସେମାନଙ୍କ କଥା ଏ ବହିରେ ପ୍ରାଞ୍ଜଳଭାବେ ଉଲ୍ଲେଖ କରାଯାଇଛି । ଭି ବଉମାନ ଲେଖିଛନ୍ତି: ଡନକିର୍କରେ ଅଟକିପଡିଥିବା ଲକ୍ଷ ଲକ୍ଷ ସେନା ଭିତରୁ ଭାରତୀୟ ସେନା ମଧ୍ୟ ଥିଲେ । ତା ଭିତରେ ଥିଲେ ସିପାହୀ, ଡ୍ରାଇଭର, ନାଏକ, ଦଫାଦାର, କମାର, ରୋଷେଇଆ ଏବଂ ଜଣେ ଇମାମ । ଅର୍ଥାତ ଅନେକ ଭାରତୀୟ ମୁସଲମାନ ଏ ସେନାବାହିନୀରେ ସାମିଲ୍ ଥିଲେ ।
ବ୍ରିଟିସ୍ ସେନ୍ୟବାହିନୀର ଅଙ୍ଗ ଭାବେ ଯେଉଁ ଭାରତୀୟ ସେନା ପୃଥିବୀର ବିଭିନ୍ନ ଅଂଚଳରେ ଯାଇ ଲଢ଼େଇ କରୁଥିଲେ ସେମାନେ ବର୍ଣ୍ଣବୈଶମ୍ୟବାଦର ଶୀକାର ହୋଇଛନ୍ତି । ଶ୍ଵେତାଙ୍ଗ ଅଫିସରମାନେ ସେମାନଙ୍କୁ ଖୁବ୍ ଭଲଭାବରେ ଦେଖି ନାହାନ୍ତି ଏକଥା ମଧ୍ୟ ସତ୍ୟ । ଲେଖକ ସୁଭାଷ ଚନ୍ଦ୍ର ବୋଷଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସୁଭାଷ ଚନ୍ଦ୍ର ବୋଷ ଜର୍ମାନୀ ଏବଂ ଜାପାନ ସହାୟତାରେ ଭାରତରେ ବ୍ରିଟିସ୍ ଶାସନର ଅନ୍ତ କରିବାପାଇଁ ଚାହୁଁଥିଲେ । ତେବେ ଏ କଥା ଘି ବଉମାନ ସ୍ପଷ୍ଟ ଭାବେ ରେଖାଙ୍କିତ କରିଛନ୍ତିଯେ ସେ ମୁସୋଲିନ୍ଙ୍କ ଫାସିଜିମ୍କୁ ସେ ସମର୍ଥନ କରୁନଥିଲେ ହିଟଲରଙ୍କ ଦର୍ଶନକୁ ମଧ୍ୟ ସମର୍ଥନ କରୁନଥିଲେ । ସିଏ ଏମାନଙ୍କୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରି ଭାରତର ସ୍ଵାଧୀନତା ଚାହୁଁଥିଲେ ।
ଏ ବହିର ଶେଷ ଅଧ୍ୟାୟଟି ସବୁଠୁ ଉଲ୍ଲେଖନୀୟ । ଶୀର୍ଷକ ହେଲା: ଫରଗେଟିଙ୍ଗ୍ ଆଣ୍ଡ ରିମେମ୍ବରିଙ୍ଗ୍ । ଭୁଲିଯିବା ଏବଂ ମନେ ରଖିବା । ଏଥିରେ ସେ ଆମେ କେମିତି ଇତିହାସକୁ ଭୁଲିଯାଉ , କିଛି କଥା ମନେରଖୁ ଏବଂ କିଛିକଥା ଭୁଲିଯାଉ ଏ ପ୍ରକ୍ରିିୟା ଉପରେ ଆଲୋକପାତ କରିଛନ୍ତି । ଅତ୍ୟନ୍ତ କଷ୍ଟ ସ୍ଵୀକାର କରି ଭାରତୀୟ ସେନାରେ ସେ ସମୟରେ ସାମିଲ ବେଶ କିଛି ବ୍ୟକ୍ତିଙ୍କ ଉପରେ ଆହୁରି ଗବେଷଣାକରି, ସେମାନଙ୍କ ସଂପର୍କୀୟମାନଙ୍କ କଥାବାର୍ତ୍ତା କରି ତାଙ୍କର ଇତିହାସକୁ ଲେଖିଛନ୍ତି ।
ବ୍ରିଟିସ୍ ସୈନ୍ୟବାହିନୀରେ ଭାରତୀୟ ସେନାର ଭୂମିକା ବିଷୟରେ ଜାଣିବାକୁ ଚାହୁଁଥିବା ଲୋକ ଏବଂ ଏ ବିଷୟରେ ଗବେଷଣା କରୁଥିବା ଗବେଷକମାନଙ୍କ ପାଇଁ ଏହା ଏକ ଉପାଦେୟ ପୁସ୍ତକ ।
+++