ଶରତକୁମାର ରାଉତ
ଲୋକେ ଏବେ ଭାରି ଖୁସି । ୬୪ବର୍ଷ ତଳୁ ଦେଶ ସ୍ୱାଧୀନ ହେଲାଣି, ହେଲେ ଏଯାଏ ସେମାନେ ମୋହରମ୍ ରାସ୍ତାଟିଏ ଦେଖିପାରିଲେ ନାହିଁ । କୁନ୍ଦୁପୁର-ବାବର ମଧ୍ୟରେ ଥିବା ୧୬ କିଲୋମିଟର ରାସ୍ତାରେ ଚାଲିବାକୁ ପରମିଟ୍ ଥିବା ଯାତ୍ରୀବାହୀ ଯାନ ଗୁଡ଼ା ପ୍ରାୟ ଚାଲୁନାହିଁ । ଏଇ ରାସ୍ତାର ଉଭୟ ପାଶ୍ୱର୍ରେ ତିନିଟି ବ୍ଲକ୍ ଅଞ୍ଚଳ । ଥାନା, କଚେରୀ, ବ୍ଲକ, ତହସିଲ ଓ ଅନ୍ୟ ଅଫିସ୍ ତଥା ବ୍ୟବସାୟ ଉଦ୍ଦେଶ୍ୟରେ ଏହି ରାସ୍ତା ଉପରେ ଲକ୍ଷାଧିକ ଲୋକେ ନିର୍ଭର କରନ୍ତି । ରାସ୍ତାର ଶୋଚନୀୟତା ଯୋଗୁଁ ଗାଡ଼ିମାଲିକମାନେ ଏଇ ରାସ୍ତାରେ ଗାଡ଼ି ଚଳାଇବାକୁ ଭୟ କରୁଛନ୍ତି । ବାର୍ଷାଦିନେ ରାସ୍ତା କାଦୁଅ ହୋଇ ଯାଉଥିବାରୁ ଲୋକେ ପାଦରେ ଚାଲିଯିବା ମଧ୍ୟ ସମ୍ଭବ ହେଉନି । ବହୁ ଦିନରୁ ଏଇ ରାସ୍ତା ମରାମତି ହୋଇନାହିଁ । କେତେକ ଠିକାଦାର ମରାମତି ନାଁରେ ସମ୍ପୂର୍ଣ୍ଣ ବିଲ୍ ଅର୍ଥ ମଧ୍ୟ ପାଇଛନ୍ତି । ସେ ଯାହା ହେଉ ବର୍ତ୍ତମାନ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ କୃପା ଦୃଷ୍ଟିରୁ ପିଚୁ କାର୍ଯ୍ୟ ଚାଲିଛି । ଏଣୁ ଲୋକଙ୍କ ଆନନ୍ଦ କହିଲେ ନ ସରେ ।
ଅମରେଶବାବୁ ଭାରି ଖୁସି । ବଡ଼ ଠିକାଦାର, ଏତେ ବଡ଼ କାମଟା ପାଇବା କ’ଣ ଛୋଟିଆ କଥା । ୫ ବର୍ଷ ଧରି ତାଙ୍କ ଦଳ ସରକାରରେ ନଥିବାରୁ ହାତ ଜାକିଜୁକି ଘରେ ବସିଥିଲେ । ତାଙ୍କ ଦଳ ସରକାରକୁ ଆସିବା ପରେ ଏଇଟା ତାଙ୍କର ପ୍ରଥମ କାମ । ଅଠର଼ କୋଟି ଟଙ୍କାର କାମ । କାମ ଦେବା ପାଇଁ ପୂର୍ତ୍ତ ମନ୍ତ୍ରୀ ୫୦ ଲକ୍ଷ ଟଙ୍କା ନେଲେ । ଆଉ କାମର ମୂଲ୍ୟ ନିରୂପିତ ବେଳେ ମୁଖ୍ୟଯନ୍ତ୍ରୀ ୫ ଲକ୍ଷ ଟଙ୍କା ଓ ଚୁକ୍ତିନାମା ବେଳେ ନିର୍ବାହୀ ଯନ୍ତ୍ରୀ ୨ ଲକ୍ଷ ଟଙ୍କା ନେଇଛନ୍ତି । କନିଷ୍ଠ ଯନ୍ତ୍ରୀ କାମ ଦେଖିବା ବେଳେ କିଛି ନେବେ ଆଉ ଫାଇନାଲ ବେଳେ କିଏ କେମିତି କିଛି କିଛି ନେବେ । ବାସ – ମନ୍ତ୍ରୀଙ୍କ ପାଖରୁ କନିଷ୍ଠ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ କହିଛନ୍ତି, କାମ ଯାହା ବି ହେଉ ଚଳିବ । ତାଙ୍କ ହିସାବ ଅନୁଯାୟୀ ସେ ଅତିକମରେ ୬/୭ କୋଟି ଟଙ୍କା ଲାଭ ପାଇବେ । ଏଷ୍ଟିମେଟ୍ ହୋଇଛି ୬ ଫୁଟ୍ ଚଉଡ଼ା ଓ ୮ ଇଞ୍ଚ ମୋଟାର ପିଚୁ ହେବ । ସିଏ ୫ ଫୁଟ ଚଉଡ଼ା ଓ ୨ ଇଞ୍ଚ ମୋଟାର ପିଚୁ କଲେ କହିବାକୁ କିଏ ଅଛି? ସମସ୍ତେ ତ ଲାଞ୍ଚ ଆଗୁଆ ନେଇଛନ୍ତି । ଆଉ ବି ନେବେ! ତେବେ ?………… ଏଇ ଭରଷାରେ ଉତ୍ଫୁଲିତ ଅମରେଶ ନିଜେ ବି ଉପସ୍ଥିତ କାମ ପାଖରେ ।
ଅମରେଶ ବାହାରୁ କିଛିି ଆଦିବାସୀ କୁଲି ଆଣିଛି । ସମସ୍ତେ ଅସଚେତନଶୀଳ! ଯାହା ଦେଲେ, ତାହା ନେବେ, କାହାକୁ କହିବେନି । ବାକି କାମ ମେସିନ୍ କରୁଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମ୍ପର୍କରେ ଇୟେ ମଫସଲରେ କିଏ ଜାଣିଛି କ’ଣ? ମଫସଲିଆ ମାନଙ୍କର କି ଜ୍ଞାନ ଅଛି ସରକାରୀ ଯୋଜନା ବିଷୟରେ ।……. ଏହି ଖୁସିରେ ଅମରେଶ୍ ଜୋର୍ କରି ହସିଦେଲା ଓ ରୋଲର୍ ଡ଼୍ରାଇଭର ସହ କଥାବାର୍ତ୍ତା ହେଲା ।
ସେପର୍ଯ୍ୟନ୍ତ ଅମରେଶର ଆଦୌ ଦୃଷ୍ଟି ନଥିଲା ଯେ ତା’ ଚାରି ପାଖରେ ବହୁ ଲୋକ ଛିଡ଼ା ହୋଇଥିଲେ । ସମସ୍ତେ ସ୍ଥାନୀୟ ବାସିନ୍ଦା । ସେ ସେମାନଙ୍କୁ ଦେଖି ସାରିବା ପରେ ବି ଭାବି ପାରିନଥିଲା ଯେ, ସେମାନେ ତାରି ପାଖକୁ ଆସିଛନ୍ତି- କିଛି ପ୍ରତିବାଦ କରିବାକୁ କି ସତର୍କ କରାଇବାକୁ । ସେ ହଠାତ୍ ବେପରୁଆ ଢ଼ଙ୍ଗରେ କହିଲା, ‘ମୋର ଆଉ କୁଲି ଦରକାର ନାହିଁ । ମୁଁ ସିଆଡ଼ୁ କୁଲି ନେଇ ଆସିଛି ।’ ଲୋକେ କାମ ପାଇଁ ଆସିଛନ୍ତି ବୋଲି ତା’ର ଧାରଣା ।
ସେମାନଙ୍କ ମଧ୍ୟରୁ ପ୍ୟାଣ୍ଟ-ସାର୍ଟ ପିନ୍ଧା ପତଳା ଯୁବକଟି ପଚାରିଲା – “ଆପଣ ଏଇ କାମର ଠିକାଦାର?”
ତତ୍କ୍ଷଣାତ୍ ଧୋତି ପିନ୍ଧା ଜଣେ ଲୋକ ଅମରେଶ ଆଡ଼କୁ ଚାହିଁ କହିଲା , ‘ଠିକାଦାର ବାବୁ , ଇୟେ ଜଣେ ସାମ୍ବାଦିକ ! ଆମେ ସହରରୁ ଡ଼ାକି ଆଣିଛୁ । ଏଇଥିପାଇଁ ଯେ, ଏଇ କାମ ଅତି ନିମ୍ନମାନର! ବହୁ ପଇସା ଆପଣ ଖାଇବେ! କିନ୍ତୁ ଆମେ ଆପଣଙ୍କର କିଛି କରିପାରିବୁ ନାହିଁ । ଇୟେ ବାବୁ ଏଇ ବିଷୟରେ ଖବରକାଗଜରେ ଛପାଇବେ ।’
‘ଧେତ୍-ସାମ୍ବାଦିକ -ଫାମ୍ବାଦିକ ଛାଡ଼ ମ…! କେତେ ସାମ୍ବାଦିକ ମୋ ପକେଟ୍ରେ ଅଛନ୍ତି । ଆରେ ମୁଁ କିଛି ଶୁଣିବିନି । ମୂଳକଥା ମୁଁ କାହାକୁ ଡ଼ରେ ନାହିଁ । ପେପ୍ରରେ ବାହାରିଲେ ମନ୍ତ୍ରୀ ତ ଦେଖିବେ । ମନ୍ତ୍ରୀ ମୋ ହାତରେ! ତାଙ୍କଠୁ ଆଉ କିଏ ବଡ଼ ଅଛି? ଆଉ ଇନ୍କ୍ୱାରୀ ହେଲେ ବି ମୋ ସପକ୍ଷରେ ରିପୋର୍ଟ ତିଆରି ହେବ! କ’ଣ କରିପକେଇବ, କର!..’ କହିଲା ଠିକାଦାର ଅମରେଶ ।
ସଙ୍ଗେ ସଙ୍ଗେ ସାମ୍ବାଦିକ ଜଣଙ୍କ ଗମ୍ଭୀର କଣ୍ଠରେ କହିଲେ, ‘ଏ କଥା ସତ! କିନ୍ତୁ ଆମେ ଆମ କର୍ତ୍ତବ୍ୟ କରିବୁ, ତେଣିକି କିଛି ହଉ ବା ନ ହେଉ । ଯାହା ବହୁ ଲୋକଙ୍କ ମତ, ତାହାହିଁ ଖବରକାଗଜରେ ସ୍ଥାନ ପାଏ । ଆଉ ଗୋଟିଏ କଥା ହେଲା ସବୁବେଳେ ଚୋର ଘରେ ଅନ୍ଧାର ରହେନି ଠିକାଦାର ବାବୁ । ଆପଣ କେବଳ ମନ୍ତ୍ରୀଙ୍କୁ ଜାଣିଛନ୍ତି- ହେଲେ ଦେଶର ଆଇନ୍କାନୁନ୍ ଜାଣନ୍ତି ନାହିଁ । ଦେଖ, ଏଇ ରିପୋର୍ଟ ବିଧାନସଭାରେ ଆଲୋଚନା ହୋଇପାରେ । ଆଉ ସେତେବେଳେ ଆପଣଙ୍କର ଟଙ୍କା-ପ୍ରତିପତ୍ତି କିଛି କାମ କରିପାରିବ ନାହିଁ । ଏଇ କେଇଦିନ ତଳର କଥା ମନେ ଅଛି? ସେମାନେ ମଧ୍ୟ ଦେଶର ମନ୍ତ୍ରୀ ଥିଲେ, କ୍ଷମତାର ଶୀର୍ଷରେ ଥିଲେ । ଛାଡ଼ ପାଇଲେ ସେମାନେ? ଜଣକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଜୋରିମାନା ହେଲା । ଆଉ କେତେ ଜଣଙ୍କ କଥା ବିଚାରାଧୀନ ଅଛି । ମୋଟ ଉପରେ ଲୋକଙ୍କ ସ୍ୱାର୍ଥରେ ହାତ ମାରିଥିବା ବ୍ୟକ୍ତି କେବେ ଛାଡ଼ ପାଇପାରିବ ନାହିଁ । ଏ ଦେଶର ଆଇନକାନୁନ୍ ଛୋଟିଆ ନୁହଁ, ଠିକାଦାର ବାବୁ …. ‘ କହି ସାମ୍ବାଦିକ ଜଣଙ୍କ ଆଗକୁ ଚାଲିଲେ । ତାଙ୍କ ପଛରେ ଅନ୍ୟମାନେ ମଧ୍ୟ ବାହାରିଲେ ।
‘ଯା’….. ଯା’……., ଏମିତି ମୁଁ କେତେ ସାମ୍ବାଦିକ, କେତେ ଆଇନ୍-କାନୁନ୍ ଦେଖିଛି । ଶଳା, ମତେ ବୁଝଉଚି – ଧମକ ଦଉଚି…’ ପଛରୁ କହୁଥିଲା ଅମରେଶ ।
—
କୋରିଆପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡ଼ା-୭୫୪୨୧୭, ମୋ-୯୩୩୭୩୬୯୪୪୮