ଶରତ କୁମାର ରାଉତ

ଫୋନ୍ ରିସିଭର ରଖିଲେ ସୁମନ ମହାନ୍ତି । ବିଧାୟକଙ୍କ ଫୋନ୍ ଥିଲା । ସେହି ଗୋଟିଏ କଥା -ରଂଜନ ଦାସ ଯାହା କହୁଛି କର । ସେ ମୋ ଲୋକ । ଏଇ ଛଅମାସ ଭିତରେ ବିଧାୟକଙ୍କର ଏଇ ସମାନ ପରାମର୍ଶମୂଳକ ଫୋନ୍ ସେ କେତେଥର ରିସିଭ୍ କଲେଣି, ତା’ର ହିସାବ ରଖିନାହାଁନ୍ତି । ଏବେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି । ପ୍ରଥମେ ପ୍ରଥମେ ସେ ବିରକ୍ତି ଅନୁଭବ କରୁଥିଲେ । ସିଧା ପ୍ରତିବାଦ କରିବାକୁ ଚାହୁଁଥିଲେ । କିନ୍ତୁ କିଛି କରିପାରୁନଥିଲେ । ଅଫିସର୍ ହେବାର ଖୁସି ତାଙ୍କ ଭିତରୁ ଉଭାନ ହୋଇ ଯାଉଥିଲା । ହୁଏତ ସେ ପଢ଼ିବା ବେଳେ ଜାଣି ନଥିଲେ ଯେ, ଅଫିସର୍‌ମାନଙ୍କୁ ନେତାମାନଙ୍କର ବେଆଇନ କଥା ମାନିବାକୁ ପଡ଼େ ଓ ତାଙ୍କ କଥାରେ ଉଠ୍ ବସ୍ ହେବାକୁ ପଡ଼େ! ନିଜ ଇଛା ବୋଲି କିଛି ନଥାଏ, ସେ କେବଳ ରବର ଷ୍ଟାମ୍ପ୍ ଭଳି ବ୍ୟବହୃତ ହୁଅନ୍ତି ।
ଅବଶ୍ୟ ତାଙ୍କର ପ୍ରଥମ ଚାକିରି ସ୍ଥାନରେ ସେ ଏପରି ଚାପର ସମ୍ମୁଖୀନ ହୋଇ ନଥିଲେ । ୭୫ଭାଗ କାମ ସେ ନିଜ ଇଛାରେ କରୁଥିଲେ । ବାକି ନେତାଙ୍କ ଇଛାରେ । ସେ ନିଜର ବିଡ଼ିଓ ପଦବୀ ନେତାଙ୍କ ଖେଳ ବୋଲି ଆଗରୁ ଅନୁଭବ କରି ନଥିଲେ । ପିଲା ଦିନୁ ସେବା ମନୋଭାବାପନ୍ନ ସୁମନ୍ତ ମହାନ୍ତି ପ୍ରଥମ ଚାକିରି ଜୀବନରେ ନିଜ ଇଛାରେ ଲୋକଙ୍କ ସେବା କରିଛନ୍ତି । ଗତାନୁଗତିକ ଶାସନ ବ୍ୟବସ୍ଥାନୁଯାୟୀ ଜଣେ ଓ.ଏ.ଏସ୍‌. ଅଫିସର୍‌ଙ୍କ ସ୍ୱାଧୀନତାକୁ ସେ ଅନୁଭବ କରିଥିଲେ ।.......
ଅର୍ତକିତ ଭାବେ ତାଙ୍କର ବଦଳି ହେଲା ୭୦୦ କିଲୋମିଟର ଦୂରକୁ, ଏକ ଅବହେଳିତ ଆଦିବାସୀ ଅଞ୍ଚଳକୁ । କିନ୍ତୁ ସେ ଖୁସି ହୋଇଥିଲେ । କାରଣ ସେ ଆଦିବାସୀ ମାନଙ୍କ ଦୂରବସ୍ଥା ସଂପର୍କରେ ଶୁଣିଥିଲେ । ଅନାହାର ଓ ଅଳ୍ପାହାର ମଧ୍ୟରେ ବଂଚୁଥିବା ଖବର କଗଜରୁ ପଢ଼ିଥିଲେ । ସେମାନଙ୍କର ସେବା କରିବାକୁ ତାଙ୍କର ପ୍ରବଳ ଆଗ୍ରହ ମଧ୍ୟ ଥିଲା । ଏଣୁ ବଦଳି ନିର୍ଦ୍ଦେଶକୁ ସେ ସ୍ୱାଗତ କରିଥିଲେ । ଏଠାରେ ଯୋଗ ଦେବାର ମାତ୍ର ସାତ ଦିନ ପରେ ହିଁ ତାଙ୍କୁ ବଡ଼ ଧକ୍କା ଲାଗିଥିଲା, ଯେତେବେଳେ ଏହି ସମାନ କଥା ହିଁ ବିଧାୟକ ତାଙ୍କୁୁ ଫୋନରେ କହିଥିଲେ । ସେ ନରିବରେ ବିଧାୟକଙ୍କ କଥା ଶୁଣି ଯାଇଥିଲେ ଓ ତାଙ୍କ ଆଦେଶ ନ ମାନିବାକୁ ମନେ ମନେ ସ୍ଥିର କରିଥିଲେ ।
ପରଦିନ ସେ ଏକ ସ୍ୱତନ୍ତ୍ର ଗସ୍ତରେ ଯାଇ ପହଞ୍ଚିଥିଲେ ମୋତିଗୁଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ । ସେଠିକା ଲୋକ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ୱାର୍ଡ଼ ମେମ୍ବର, ଗ୍ରାମ ସେବକ, ପଞ୍ଚାୟତ ସେକ୍ରେଟାରୀ ପ୍ରମୁଖଙ୍କ ସହ ଆଲେଚନା କରିଥିଲେ । କଥାବାର୍ତ୍ତାର ସେହି ଅଳ୍ପ ସମୟ ଭିତରେ ସେ ସେହି ଗାଁ ଓ ଗ୍ରାମ ପଞ୍ଚାୟତ ସଂପର୍କରେ ଅନେକ କଥା ଜାଣି ପାରିଥିଲେ । ପଞ୍ଚାୟତର ୯୮ଭାଗ ଆଦିବାସୀ ବାସିନ୍ଦା ଦାରିଦ୍ର‌୍ୟ ସୀମାରେଖାତଳେ ରହିଥିଲେ । ୬୦ ଭାଗ ଆଦିବାସୀ ଅନାହାର ଓ ଅଳ୍ପାହାର ଭିତରେ ବଞ୍ଚୁଥିଲେ । ସ୍ୱାଧୀନତା ପରଠାରୁ ସେମାନେ ଯେମିତି ସରକାରୀ ସେବା ପାଇବାରୁ ବଂଚିତ ଥିବା ସେ ଅନୁମାନ କରିଥିଲେ । ସବୁଠୁ ବଡ଼କଥା ସେ ଅନୁଭବ କରିଥିଲେ, ସେହି ନିରକ୍ଷର ଆଦିବାସୀମାନେ ନେତା, ଅଫିସର, ସରକାରୀ ସେବା ସଂପର୍କରେ କିଛି ଜାଣନ୍ତି ନାହିଁ । ଖାଦ୍ୟ - ଅଖାଦ୍ୟ, ଭଲ-ମନ୍ଦ, ଲାଭ-କ୍ଷତି, ଦୁର୍ନୀତି ଆଦି ସଂପର୍କରେ ମଧ୍ୟ ସେମାନଙ୍କର କୌଣସି ଧାରଣା ନଥିଲା । ପଶୁ ଭଳି ଜୀବନ ବିତାଇବା ଛଡ଼ା ହିଁସା, ଇର୍ଷା, ବିରୋଧ ଆଦି ଭାବର ବହୁ ଉର୍ଦ୍ଧ୍ୱରେ ଥିଲେ ସେମାନେ! ସେମାନେ କେବଳ ଜାଣିଥିଲେ, ବିଧାୟକ ସେମାନଙ୍କର ମୁରବୀ, ଆଉ ତାଙ୍କର ଆଦେଶ ମାନିବା ସେମାନଙ୍କର କର୍ତ୍ତବ୍ୟ! ଏହାଥିଲା ସେମାନଙ୍କର ପରୋକ୍ଷ ଧାରଣା । ପ୍ରତ୍ୟକ୍ଷରେ ସେମାନଙ୍କର ମୁଖିଆ ଥିଲା ରଂଜନ ଦାଶ । ରଂଜନ ଦାସ ଜଣେ ଅଣ- ଅଦିବାସୀ, ଅନେକ ବର୍ଷ ତଳୁ ୭୦୦ କିଲେମିଟର ଦୂରରୁ ଆସି ଏହି ଗାଁରେ ରହିଛି । ଖାଲି ହାତରେ ଆସିଥିବା ରଂଜନ ଦାସ ଏବେ ଅଚଳାଚଳ ସଂପତିର ମାଲିକ! ଟ୍ରକ, ଟ୍ରାକ୍ଟର, ବସ ଆଦି ସବୁକିଛି ଅଛି ତା’ର! ଦୁଇ ଶହ ଏକର ଜମିରୁ ପ୍ରତିବର୍ଷ ପ୍ରଚୁର ମକା, ଧାନ, କାନ୍ଦୁଲ ଆଦି ଫସଲ ଆମଦାନୀ ହେଉଛି । ଏହି ଗାଁର ଆଦିବାସୀ ମଣିଷଙ୍କୁ ଲଗେଇ ପାଖ ଘଞ୍ଚ ଜଙ୍ଗଲ କାଟି  ପାଖାପାଖି ୧୦୦ ଏକର ଜମି ପ୍ରସ୍ତୁତ କରିଛି । ବାକି ଜମି ଏହି ଆଦିବାସୀ ମଣିଷର । ଥିଲା ନଥିଲା ବେଳେ ୫୦/୧୦୦ଟଙ୍କା ଦେଇ ବନ୍ଧକ ରଖିଛି । ଆଉ ସେହି ଜମିରେ ଏଇ ଆଦିବାସୀ ମାନେ ପଶୁଭଳି ଖଟୁଛନ୍ତି! କେତେବର୍ଷ ତଳୁ ରଂଜନ ଦାସ ନିଜ ଗାଁ ଆଡୁ ୪/୫ ଜଣ ଯୁବକକୁ ଆଣି ବିଭିନ୍ନ କାମରେ ଲଗାଇଛି ।
ସବୁଠୁ ଅସଚେତନଶୀଳ - ନିମ୍ନମାନସିକତା ସଂପନ୍ନ-ନିରକ୍ଷର ଆଦିବାସୀଟି ହିଁ ଏଠାରେ ସରପଞ୍ଚ । ଅର୍ଥାତ ରଂଜନ ଦାସର ରବର ଷ୍ଟାମ୍ପ ଭଳି ବ୍ୟବହୃତ ହେଉଛି । ବିଧାୟକ ନିଜର ଭୋଟ ବ୍ୟାଙ୍କ ବଢ଼େଇବାକୁ ଯେମିତି ରଂଜନ ଦାସକୁ ଏଠାରେ ନିଯୁକ୍ତି ଦେଇଥିବା ସେ ଅନୁଭବ କରୁଥିଲେ ।...... 
ସେ ଦିନ ରାତିସାରା ଶାନ୍ତିରେ ଶୋଇ ପାରି ନଥିଲେ ସୁମନ ମହାନ୍ତି । ସେ ନିଜକୁ ଅସହାୟ ମନେ କରୁଥିଲେ । ଆଦିବାସୀ ଅଞ୍ଚଳ ଓ ଅନ୍ୟ ଅଞ୍ଚଳକୁ ନେଇ ସେ ଭାବୁଥିଲେ । ଆଦିବାସୀ ମଣିଷର ବିକାଶରେ ପ୍ରତିବନ୍ଧକ ଗୁଡ଼ିକ ସେ ଅନୁଭବ ପରିପାରୁ ଥିଲେ । ବିଧାୟକଙ୍କ ନୀତିକୁ ନେଇ ସେ ମର୍ମାହତ ହେଉଥିଲେ । ଜଣେ ଆଦିବାସୀ ହୋଇ ନିଜ ଜାତି ଲେକଙ୍କ ବିକାଶ କଥା ନ ଭାବିବା ବର୍ବରତା ନୁହେଁ ତ ଆଉ କଣ ? ଆଦିବାସୀର ବିକାଶ ବା ସଚେତନତା ରାଜନୀତି ପାଇଁ ଅଶୁଭ ସଂକେତ ବୋଲି ଭାବିବା ଦେଶଦ୍ରୋହୀ ନୁହେଁକି?.. କଅଣ ପାଇଁ ସ୍ୱାଧୀନତାର ୬୫ ବର୍ଷ ପରେ ମଧ୍ୟ ଆଦୀବାସୀ ମଣିଷ ନିଜ ଅଧିକାର ଓ କ୍ଷମତା ବିଷୟରେ ଅଜ୍ଞ, ସ୍ୱାଧୀନତାର ସ୍ୱାଦ ପାଖରୁ ଦୂରରେ, ପରାଧୀନତାର ଶୃଙ୍ଖଳରେ ବନ୍ଧା, ସ୍ୱେଚ୍ଛାଚାରିତାର ଆତଙ୍କ ଭିତରେ ବଂଚିବାକୁ ବାଧ୍ୟ???..... ଏ ସବୁ ସଂପର୍କରେ ସମୀକ୍ଷା କରି ଚାଲିଥିଲେ ସୁମନ ମହାନ୍ତି । 
ବର୍ତ୍ତମାନ ସୁମନ ମହାନ୍ତିଙ୍କ ପାଇଁ ଅଗ୍ନି ପରିକ୍ଷାର ବେଳ । ସିଏ କି ପରାମର୍ଶ ଦେବେ ନିଜର ଜଣେ ଅଧସ୍ତନ କର୍ମଚାରୀଙ୍କୁ, ଭାବିପାରୁ ନଥିଲେ । ଗ୍ରାମ୍ୟ ସ୍ୱର୍ଣ୍ଣ ଜୟନ୍ତି ସ୍ୱରୋଜଗାର ଯୋଜନାରେ ୩୦ ଜଣ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଆଦିବାସୀଙ୍କ ନାମ ୠଣ ପାଇଁ ସୁପାରିଶ ହେବ । ଏଥିପାଇଁ ରଂଜନ ଦାସ ଦେଇଥିବା ହିତାଧିକାରୀ ତାଲିକା ଗ୍ରାମ ସେବକ ପଣ୍ଡା ବାବୁ ବିଡ଼ିଓଙ୍କୁ ଧରାଇ, ଏହାଠିକ ନୁହେଁ ବୋଲି କହିଥିଲେ । 
‘ତମେ ଏହି ତାଲିକା ସଂପର୍କରେ କଅଣ ଭାବୁଛ ?’ ବିଡ଼ିଓ ପଚାରିଲେ । ‘ମୁଁ ତ କହିବି, ଏ ତାଲିକା ଠିକ ନାହିଁ, ୟା’କୁ ରଦ୍ଦ କରାଯିବା ଉଚିତ, ହେଲେ ସାର୍ ସବୁ ଲୋକଗୁଡ଼ା ତା’ର! ସେମାନଙ୍କର ଯେତେଯାହା କ୍ଷତି ହେଉ,ଦରକାର ବେଳେ ସମସ୍ତେ ରଂଜନ ଦାସ ସପକ୍ଷରେ ହିଁ କହିବେ! ସହଜେ ନେତା, ବିଧାୟକ ସମସ୍ତେ ତା’ସପକ୍ଷରେ! ଦେଖୁନାହାନ୍ତି ସାର, କଣ୍ଟ୍ରୋଲ ସାମଗ୍ରୀ କଥା ଛାଡ଼, ବିପିଏଲ୍ ଚାଉଳ ବି କଳାବଜାରରେ ବିକ୍ରି ହେଉଛି! ଲୋକଗୁଡ଼ା ଖାଇବାକୁ ନ ପାଇ ଅଖାଦ୍ୟ ଖାଉଛନ୍ତି । ଅନାହାରରେ ରହୁୁଛନ୍ତି! ପୋକ ମାଛି ଭଳି ମରୁଛନ୍ତି ।’
ଏ ସବୁ କଥା ବହୁ ପୂର୍ବରୁ ବିଡ଼ିଓ ଜାଣି ସାରିଥିଲେ । ଆଉରୀ ମଧ୍ୟ ଜାଣିଥିଲେ, ରଂଜନ ଦାସର ପୁତୁରା ପଞ୍ଚାୟତ ସେକ୍ରେଟାରୀ! ଏଣୁ ନିର୍ଭୟରେ ଦୁର୍ନିତୀ ଚାଲିଛି! ଫର୍ଜରୀ କାଗଜପତ୍ର କରାଯାଉଛି! ପଞ୍ଚାୟତ ଅନୁଦାନ ଅର୍ଥ ବାଟମାରଣା ହେଉଛି! ଆଦିବାସୀ ଉନ୍ନୟନ ସଂସ୍ଥା, ଲ୍ୟାମ୍ପ ଆଦିଦ୍ୱାରା ଦିଆଯାଉଥିବା ଆଦିବାସୀ ରୁଣ ସବୁ ରଂଜନ ଦାସ ପକେଟକୁ ଯାଉଛି । ଦସ୍ତଖତ ଆଦିବାସୀ ମଣିଷର, ହେଲେ ରୁଣ ଅର୍ଥ ରଜଂନ ଦାସର । ସେହିପରି ଇନ୍ଦିରା ଆବାସ ହିତାଧିକାରୀ ଚୟନ ଓ ପଞ୍ଚାୟତର ନିର୍ମାଣ ଦାୟିତ୍ୱ ରଂଜନ ଦାସର । ପଞ୍ଚାୟତରେ ବ୍ଲକ ରାସ୍ତା, ଅଙ୍ଗନୱାଡ଼ି କେନ୍ଦ୍ର,ସ୍କୁଲ୍ ଓ ଏଏନ୍ ଏମ୍ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ତା ଦାୟିତ୍ୱରେ ।
ପ୍ରତି ଆଦିବାସୀ ଗାଁରେ ଅଣ - ଆଦିବାସୀ କାହିଁକି ରହିଛନ୍ତି? କି ସ୍ୱାର୍ଥରେ ସେମାନେ ଶହ ଶହ କିଲେମିଟର ଦୂରରୁ ଆସି ଏଠାରେ ରହିଛନ୍ତି? ପ୍ରଶାସନ ସେମାନଙ୍କୁ ଏ ସୁଯୋଗ କାହିଁକି ଦେଉଛି? ନେତାମାନେ ସଚେତନ ହେଉନାହାନ୍ତି କାହିଁକି? ଆଦିବାସୀ ଅଞ୍ଚଳରେ କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନ ଯୋଜନାର ଲାଭକ୍ଷତି ସଂପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ହେଉନି କାହିଁକି?.... ଏମିତି ଅନେକ ପ୍ରଶ୍ନ ତାଙ୍କ ମନରେ ତରଙ୍ଗାୟିତ ହେଉଥିଲା ବେଳେ ପଣ୍ଡାବାବୁ କହିଲେ, ‘ସାର୍ ମୁଁ ୧୦ ବର୍ଷ ଧରି ମୋତିଗୁଡ଼ା ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରି ଆସୁଛି । ମୁଁ ଦେଖି ଆସୁଛି ସାର, ସବୁ ସରକାରୀ ଯୋଜନା ଓ ପଞ୍ଚାୟତ ଅନୁଦାନ ଅର୍ଥ ରଂଜନ ଦାସ ପକେଟକୁ ଯାଉଛି! ପ୍ରଥମେ ପ୍ରଥମେ ମୁଁ ବିରୋଧ କରୁଥିଲି, କିନ୍ତୁ ବିଧାୟକ ମତେ ତାଗିଦା କରି କହିଲେ, ଏଠି ରହିବାର ଅଛିତ ରଂଜନ ଦାସର କଥା ମାନି କାମ କର । ସାର, ଯୁଆଡେ ଗଲେବି ଏଇଆ - ଭାବି ମୁଁ ବି ତାଙ୍କ କଥାରେ ଚାଲି ଆସୁଛି!...’
ସରକାରୀ କର୍ମଚାରୀଟି ଗାଁରେ ନିଯୁକ୍ତି ପାଇ ସେଠାରେ ରହିବାକୁ ପସନ୍ଦ କରୁ ନଥିଲା ବେଳେ ଏଇ ଅଣ ଆଦିବାସୀମାନେ ସେଠାରେ ରହିବାର ରହସ୍ୟ ବିଡ଼ିଓ ଜାଣି ସାରିଥିଲେ । ତାଙ୍କର ମନେ ପଡ଼ିଥିଲା ୨ ମାସ ତଳର କଥା । ମୋତିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନିଗାଁର ରଇବାରୀ ଗଣ୍ଡ ପ୍ରାୟ ଅନାହାରରେ ରହୁଥିଲା । ମରୁଡ଼ି ଯୋଗୁଁ କାମଧନ୍ଦା ମିଳୁ ନଥିଲା । ବିପିଏଲ୍ ଚାଉଳ କଅଣ, କିଏ ଦିଅନ୍ତି, କିଏ ପାଆନ୍ତି ଏସଂପର୍କରେ ସେ ବିଲକୁଲ ଜାଣି ନଥିଲା । ଶେଷରେ ଭୋକ ଦାଉରୁ ରକ୍ଷା ପାଇଁ ସେ କିଛି ଚାକୁଣ୍ଡା ପତ୍ର ସିଝାଇ ସନ୍ଧ୍ୟାରେ ଖାଇଥିଲା । ଆଉ ସକାଳେ ମରି ପଡିଥିଲା । ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ତାର ମୃତ୍ୟୁ ହୋଇଥିବା ରଂଜନ ଦାସ ଅଭିଯୋଗ କରିଥିଲା । ଆଉ କଲେକ୍ଟର ସଂପୃକ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଈୟେ କେମିତି କା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ? ସରକାରୀ ଆଇନର କାର୍ଯ୍ୟକାରୀ ପ୍ରଣାଳୀ ଓ ପରିଣତିକୁ ନେଇ ବିଡ଼ିଓ ନିଜ ଭିତରେ ଗଭୀର ସମୀକ୍ଷା କରିଥିଲେ ଓ ଦୁଃଖ ପ୍ରକାଶ କରିଥିଲେ । ସରକାର ଆଦିବାସୀମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଆଦିବାସୀ ମଣିଷ ଅନାହାର, ଅର୍ଦ୍ଧାହାର ଓ ଅଳ୍ପହାରରେ ବଂଚୁଛି । କଅଣ ପାଇଁ ? ତାଙ୍କୁ ଲାଗିଲା, ଏଠି ଆଦିବାସୀ ସପକ୍ଷରେ କହିବାକୁ କେହି ନାହାନ୍ତି । ଏଠି ମାତ୍ର ୩ ପ୍ରକାର ଲୋକ ଥିବା ସେ ଅନୁଭବ କରୁଥିଲେ । ଆଦିବାସୀ, ସରକାରୀ କର୍ମୀ ଓ ନେତା । ସରକାରୀକର୍ମୀ ଓ ନେତାଙ୍କ ପାଖରେ ମାନବିକତା ନାହିଁ । ଯାହା ପାଖରେ ଅଛି, ସିଏ ଭୟରେ ନିରବ ରହୁଛି । କିମ୍ବା ଧୀରେ ଧୀରେ ନେତାଙ୍କ ଶିବିରରେ ସାମିଲ ହୋଇଯାଉଛି । ଯାହା ପାଖରେ ମାନବିକତା ରହିବା କଥା ବା ଯିଏ ଫର୍ଜରୀ ମାନବିକତା ବଳରେ ଲୋକ ପ୍ରତିନିଧି ହୋଇଛନ୍ତି,  ସେମାନେ ସ୍ୱାର୍ଥ କବଳରେ ରହିଛନ୍ତ! ତେବେ ଗରିବ ଦଳିତ ମଣିଷର ଉନ୍ନତି କିପରି ଆଶା କରାଯାଇ ପାରିବ? ଏଥିପାଇଁ କିଏ ଦାୟୀ ? ବିଡ଼ିଓଙ୍କର ନିଜ ଅଧସ୍ତନ କର୍ମଚାରୀ ଓ ଉପର ଅଧିକାରୀଙ୍କ ପ୍ରତି ଆଦୌ ଅବିଶ୍ୱାସ ନଥିଲା । ଯେହେତୁ ସେ ନିଜର ନିର୍ମଳ ବ୍ୟକ୍ତିତ୍ୱ, ଗରିବ ମଣିଷ ପ୍ରତି ସମ୍ବେଦନତା, ରାଜନୀତିକ ଚାପ, ଧନୀକୁ ଆହୁରି ଧନୀ ଓ ଗରିବକୁ ଆହୁରି ଗରିବ କରାଇବାକୁ ନେତାଙ୍କର ପରୋକ୍ଷ ପ୍ରୋତ୍ସାହନ, ସବୁ ଉନ୍ନୟନ ଯୋଜନା ଅର୍ଥରୁ ସେମାନଙ୍କ ପର୍ସେଣ୍ଟେଜ ଦାବି, ଫର୍ଜରୀ ବିଲ ମାଧ୍ୟମରେ ନେତା ଓ ରାଜନୀତିକ ସଭା ସମିତି ପାଇଁ ଚାନ୍ଦା ଦେବାର ପ୍ରସ୍ତାବ ଭଳି ସବୁ ଅଫିସରଙ୍କୁ ଭାବୁଥିଲେ । ସେ ଯେମିତି ବିଧାୟକଙ୍କ ଅକ୍ତିଆରରେ ରହିଛନ୍ତି । ସେମିତି କିଏ ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା କୋଉ କୁଜି ନେତାଙ୍କ ଅକ୍ତିଆରରେ ଥିବେ ବୋଲି ସେ ଭାବୁଥିଲେ । ତାଙ୍କୁ ବେଶୀ ଦୁଃଖ ଲାଗୁଥିଲା ଏଇଥିପାଇଁ ଯେ, ପ୍ରଶାସନର ନିୟନ୍ତ୍ରକ ହେବେ ନେତା, ହେଲେ ଲୋକଙ୍କ ସମସ୍ୟା ପାଇଁ ଉତ୍ତରଦାୟୀ ରହିବେ ଅଫିସର! ଘେରାଉ କରାଯିବ ସରକାରୀ ଅଫିସ, ମାଡ଼ ଖାଇବେ-ସସ୍‌ପେଣ୍ଡ ହେବେ ସରକାରୀ ଅଫିସର - କର୍ମଚାରୀ ! ଇୟେ କେମିତିକା ଶାସନ ବ୍ୟବସ୍ଥା?...ବିନା ରାଜନୀତିକ ସହାୟତାରେ ସରକାରୀ ଅଫିସର ଓ କର୍ମଚାରୀ ଦୁର୍ନୀତି କରିପାରିବେ ନାହିଁ ବୋଲି ତାଙ୍କର ବୁଝିବାରେ ବାକି ନଥିଲା ।
ଅର୍ଥାତ ନେତାମାନେ ଚାହିଁଲେ, ଦୁର୍ନୀତିର ମୂଳୋତ୍ପାଟନ ହୋଇ ପାରିବ ଓ ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ସେ ଦୃଢ ନିଶ୍ଚିନ୍ତ ଥିଲେ ।  
‘ସାର, ନେତା ଓ ନେତାଙ୍କ ପାଖ ଲୋକଙ୍କ ଯୋଗୁଁ ହିଁ ଆମେ ବଦନାମ ହେଉଛେ! ନକ୍‌ସଲବାଦ୍ ତ ଏଇମାନଙ୍କ ଯୋଗୁ  ସୃଷ୍ଟି! ହେଲେ ସାର, ବାହାରକୁ ଏମାନେ ପୂରା ସଚ୍ଚୋଟ! ଲୋକଙ୍କ ସେବକ! ଦେଖୁ ନାହାନ୍ତି ସାର, କେତେକ ଘଟଣା ଛାଡ଼ିଲେ, ଲକ୍ସଲପନ୍ଥୀଙ୍କ ଲକ୍ଷ୍ୟରେ କେବଳ ଅଫିସର୍ ରହୁଛନ୍ତି! ଗତବର୍ଷ ନକ୍ସଲ ପନ୍ଥୀମାନେ ଏହି ପାଖରେ ଗୋଟିଏ ଥାନା ଉଡେଇ ଦେଲେ, ଜଣେ ବିଡ଼ିଓଙ୍କୁ ନିର୍ମମ ଭବେ ହତ୍ୟାକଲେ! ଜଣେ କଲେକ୍ଟରଙ୍କୁ ଅପହରଣ କଲେ! ଅବଶ୍ୟ ସାର, ଏବେ ଟିକେ ପରିବେଶ ବଦଳି ଗଲାଣି । କେତେକ ନେତା ମଧ୍ୟ ସେମାନଙ୍କର ହିଟ ଲିଷ୍ଟ୍‌ିକୁ ଆସିଲେଣି । ଏହା ଆମପାଇଁ, ଦେଶ ପାଇଁ, ଲୋକଙ୍କ ପାଇଁ ଶୁଭଲକ୍ଷଣ ସାର!’ ପଣ୍ଡାବାବୁଙ୍କ କଥା ଓ ନକ୍ସଲବାଦ୍‌ର ଭୟବହତା ସଂପର୍କରେ ଚିନ୍ତାକରି ଶୀତେଇ ଉଠିଲେ ସୁମନ ବାବୁ! ସେ ଏପରି ଭାବନାରେ ମଜ୍ଜିଗଲେ ଯେ, ପଣ୍ଡାବାବୁ କେତେବେଳେ ତାଙ୍କ ପାଖରୁ ବିଦାୟ ନେଇ ଚାଲିଯାଇଥିଲେ, ତାଙ୍କର ସେଥିପ୍ରତି ଇୟତ୍ତା ନଥିଲା ।
ସେ ସଂପୂର୍ଣ୍ଣ ଭାବେ ଅସ୍ଥିର ଥିଲେ । ତାଙ୍କ ଭିତରେ ନକ୍ସଲବାଦ୍‌ର ଭୟାବହତା ବସା ବନ୍ଧି ସାରିଥିଲା । କାରଣ ନେତାଙ୍କ ନିର୍ଦ୍ଦେଶରେ ସେ ଯେଭଳି ବେଆଇନ ଓ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ସବୁ କରିଛନ୍ତି,ସେଥିପାଇଁ ତ ସିଏ ନକ୍ସଲପନ୍ଥୀଙ୍କ ଟାର୍ଗେଟ୍‌ରେ ଥିବା ନିଃସନ୍ଦେହ ଥିଲେ ।..... 
ରାତିପ୍ରାୟ ୧ଟା । ତାଙ୍କ ଆଖିରେ ନିଦ ନଥିଲା । ସେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ହୋଇ ଭୁଲ କରିଛନ୍ତି କି ଠିକ୍‌?..... ହତଭାଗ୍ୟ ଆଦିବାସୀ ମଣିଷ, ଦାରିଦ୍ର‌୍ୟ, ସରକାରୀ ସେବା, କର୍ମୀ, ଅଫିସର ଓ ନେତାଙ୍କୁ ନେଇ ହିଁ କେବଳ ସେ ଭାବୁଥିଲେ ।....
ଏତିକିବେଳେ କବାଟ ଠକ୍ ଠକ୍ ହେଲା । ଥରି ଉଠିଲେ ସୁମନ ମହାନ୍ତି! ବାରମ୍ବାର ଠକ୍ ଠକ୍ ଶବ୍ଦ ଓ ‘ଖୋଲ’ ଡାକରେ ଭୟ ଓ ଆଶଙ୍କାର ଚରମ ସୀମାକୁ ଚାଲିଯାଇଥିଲେ ସୁମନ ମହାନ୍ତି । ବିଚଳିତ ହୋଇ ସେ ଅତିରିକ୍ତ ବିଡ଼ିଓଙ୍କ ପାଖକୁ ଫୋନ ଲଗାଇଲେ ।.... ତାଙ୍କ ଘରକୁ ନକ୍ସଲପନ୍ଥୀମାନେ ଘେରାଉ କରି ନେଇଥିବା ସେ ଫୋନରୁ ଜାଣିଲେ! କିନ୍ତୁ ଆଶ୍ଚର୍ଯ୍ୟର କଥା,ପୂର୍ବରୁ ସେ ଯେଉଁମାନଙ୍କ ନାଁ ଶୁଣି ଭୟରେ ଥରି ଉଠୁଥିଲେ, କିଛି ମୁହୂର୍ତ୍ତ ଭିତରେ ସେମାନଙ୍କ ବନ୍ଧୁକ ମୁନରେ ସେ ବିଭତ୍ସ ଭାବେ ମୃତ୍ୟୁ ଦଣ୍ଡ ପାଇବେ ବୋଲି ନିଶ୍ଚିତ ଥିଲେ ବି ତାଙ୍କର ଧୈର୍ଯ୍ୟ ଚ୍ୟୁତ ହେଲାନି! କାହିଁକି କେଜାଣି!! ହଠାତ ତାଙ୍କ ଭିତରେ ଅସୀମ ସାହାସ ସଂଚାର ହୋଇଗଲା । କର୍ମ ନେଇ ଫଳ ଭୋଗିବାକୁ ତ ପଡ଼ିବ!...ସେଥିପାଇଁ ସେ ହସି ହସି ଜୀବନ ଦେବାକୁ ପ୍ରସ୍ତୁତ ହୋଇ ଯାଇଥିଲେ ।  
ସେ ଧୀର ପଦକ୍ଷେପରେ ଯାଇ କବାଟ ଖୋଲିଲେ । ସାମ୍ନାରେ ୪ଜଣ ଅସ୍ତ୍ରଶସ୍ତ୍ର ସଜ୍ଜିତ ନକ୍ସଲପନ୍ଥୀ ଛିଡ଼ା ହୋଇଥିଲେ । ଜଣେ ତାଙ୍କ ପାଖକୁ ଲାଗି ଆସିଲା । ଉଜ୍ୱଳ ଟିଉବ୍ ଲାଇଟ୍ ଆଲୋକ  ଦେଖା ଯାଉଥିଲା । ଦୁହେଁ ପରସ୍ପରକୁ ଚାହିଁରହିଲେ ।.......
‘ଆରେ ବିକାଶ ତୁ.....!’ ସୁମନ ମହାନ୍ତି ଆଶ୍ଚର୍ଯ୍ୟ ହେଉଥିଲେ! କାରଣ ତାଙ୍କର ସହପାଠୀ ବିକାଶ ପୋଲିସ ଅଫିସର ହୋଇ ଗୁଣ୍ଡାରାଜ ଦମନ କରିବାକୁ ଦିନେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଆଜି ସେ ତାକୁ ଦେଖୁଛନ୍ତି ନକ୍ସଲପନ୍ଥୀ ରୂପରେ!.....
‘ଶୁଣ ସୁମନ, ତୋ ସାମ୍ନାରେ ଯିଏ ଛିଡ଼ା ହୋଇଛି, ସିଏ ସେଦିନର ବିକାଶ ନୁହେଁ କି ତୋ ସାଙ୍ଗ ନୁହେଁ-ନକ୍ସଲ କମାଣ୍ଡର୍ ବିକାଶ! ତୁ ଭାବୁଛୁ, ମୁଁ ଭୁଲ କରିଛି? ନାଁ, ପରିସ୍ଥିତି ଓ ପରିବେଶ ମତେ ନକ୍ସଲପନ୍ଥୀ ସାଜିବାକୁ ବାଧ୍ୟ କରିଛି! ହଉ ଶୁଣ - ତତେ ଏବେ ଆମ ସହିତ ଯିବାକୁ ପଡ଼ିବ । ମାନେ, ତତେ ଅପହରଣ କରିନେବୁ! ଆଦିବାସୀ ମଣିଷର ସର୍ବାଙ୍ଗୀନ ବିକାଶର ଦାବି ପୁରଣ ନହେବା ପର୍ଯ୍ୟନ୍ତ ତୁ ଆମ ହେପାଜତ୍‌ରେ ରହିବୁ !.....’ ହସିଲେ ସୁମନ ବାବୁ । କାରଣ ସେ ଜାଣିଥିଲେ, ନକ୍ସଲ ଆନ୍ଦୋଳନ ଛଡ଼ା ଆଦିବାସୀ ଉନ୍ନତି ଅସମ୍ଭବ! ହଠାତ ସେ ସିଦ୍ଧାନ୍ତ କରି ନେଲେ, ସେ ସେମାନଙ୍କ ସହ ଯିବେ ନିଶ୍ଚୟ! ମାତ୍ର ଜଣେ ବିଡ଼ିଓ ଭାବେ ଅପହୃତ ହୋଇ ନୁହେଁ, ବରଂ ଦୁର୍ନୀତି - ଅନ୍ୟାୟ ବିରୋଧରେ ସଂଗ୍ରାମ କରିବାକୁ -ନକ୍ସଲ ଶିବିରରେ ଯୋଗ ଦେବା ପାଇଁ.......       
                                                          ooo               

                                                                   କୋରିଆପଲ୍ଲା, ଓଉପଦା,ପଟ୍ଟାମୁଣ୍ଡାଇ, 
                                                              କେନ୍ଦ୍ରାପଡ଼ା-୭୫୪୨୧୭, ମୋ-୯୩୩୭୩୬୯୪୪୮                                    

Related Posts

Leave a Reply

Your email address will not be published. Required fields are marked *