ଇଣ୍ଟର୍ନେଟ୍, ଗଣତନ୍ତ୍ର, ନିୟନ୍ତ୍ରଣ

ବହି: ଦି ଡିଜିଟାଲ୍ ରିପବ୍ଲିକ୍: ଅନ୍ ଫ୍ରିଡମ୍ ଆଣ୍ଡ ଡିମୋକ୍ରାସି ଇନ୍ ଦି ଟ୍ୱେଣ୍ଟି ଫାର୍ଷ୍ଟ ସେଞ୍ଚୁରି
ଲେଖକ : ଜେମି ସୁସ୍କିଣ୍ଡ
ପ୍ରକାଶକ: ପେଗାସସ ବୁକସ୍
ମୂଲ୍ୟ: ୨୮.୯୫ ଡଲାର । ପୃଷ୍ଠା: ୩୦୪

ଭାରତରେ ଇଣ୍ଟରନେଟ ଏବଂ ମୋବାଇଲ ୯୦ ଦଶକର ମଝାମଝିରେ ଆସିଥିଲା । ନୂଆ ସହସ୍ରାବ୍ଦି ସହିତ ଅନେକେ ଏହାକୁ ଏକ ନୂଆ ଯୁଗର ଆରମ୍ଭ ବୋଲି ମନେ କରିଥିଲେ । ଯାହା ସତ ବି ଥିଲା । ଇଣ୍ଟରନେଟ୍ର ପ୍ରଥମ ଦଶକରେ ଏହାକୁ ଅନେକେ ନବସ୍ୱାଧୀନତାର ଯୁଗବୋଲି ଭାବିବା ପାଇଁ ଲାଗିଥିଲେ । ଆଶା ଥିଲା: ଇଣ୍ଟରନେଟ ଜରିଆରେ ଯେଉଁ ନୂଆ ଯୁଗ ଆସିବ ସେଥିରେ ବହୁ କ୍ଷେତ୍ରରେ ଲୋକମାନଙ୍କର ସୁବିଧା ଏବଂ ଉନ୍ନତି ହେବ । ଏ ଆଶା କିଛି ମାତ୍ରାରେ ପୁରଣ ବି ହେଲା । ଇଣ୍ଟରନେଟ ସୌଜନ୍ୟରେ ଜ୍ଞାନ ଭଣ୍ଡାର ସାଧାରଣ ଲୋକଙ୍କର ହାତପାଆନ୍ତାକୁ ଆସିଲା । ତଥ୍ୟ ମିଳିବା ସହଜ ହୋଇପାରିଲା । ଯୋଗାଯୋଗ ଅତ୍ୟନ୍ତ ସହଜ ହୋଇଗଲା । ଜିନିଷପତ୍ର କିଣିବା, ଟଙ୍କାପଇସା ଲେଣଦେଣ- ଏସବୁ ଅତ୍ୟନ୍ତ ସହଜ ହୋଇଗଲା ।

ତେବେ ନୂଆ ସହଶ୍ରାବ୍ଦୀର ପ୍ରଥମ ଦଶକର ଶେଷ ବେଳକୁ ଇଣ୍ଟରନେଟର ଅନ୍ଧାରୀ ଦିଗଗୁଡ଼ିକ କ୍ରମଶଃ ସାମ୍ନାକୁ ଆସିବାପାଇଁ ଲାଗିଲା । ଆଇଡେଣ୍ଟିଟି ଥେଫ୍ଟ ବା ପରିଚୟ ଚୋରୀ ଏବଂ ଏହା ମାଧ୍ୟମରେ ଠକାମି ଓ ବ୍ଲାକ୍ମେଲିଂ, ଜାଲି ଖବର (ଫେକ ନ୍ୟୁଜ), – ଏସବୁ ଧୀରେ ଧୀରେ ବଢ଼ିବାପାଇଁ ଲଗିଲା ।

୨୦୨୨ ବେଳକୁ – ଏବେ ଲୋକେ ଇଣ୍ଟରନେଟର ଉଜ୍ୱଳ ଦିଗ ଗୁଡିକ କଥା ଯେତେ ନକହୁଛନ୍ତି, ବେଶୀ କହୁଛନ୍ତି ଯେଉଁ ବିପଦ ଇଣ୍ଟରନେଟ ସୌଜନ୍ୟରେ ଆମ ସାମ୍ନାରେ ଆସି ପହଞ୍ଚୁଛି ତା ବିଷୟରେ ।

ଡିଜିଟାଲ୍ ରିପବ୍ଲିକ୍ ବହିର ଲେଖକ ଜେମି ସୁସ୍କିଣ୍ଡ ବ୍ରିଟେନର ଲୋକ ଏବଂ ଜଣେ ଓକିଲ । ତାଙ୍କ ପୁସ୍ତକରେ ସେ ଇଣ୍ଟରନେଟର ଏଇ ଅନ୍ଧାରୀ ଦିଗ ଗୁଡିକ ଏବଂ ଏହାର ଅସୀମ କ୍ଷମତାକୁ ନିୟନ୍ତ୍ରଣ କରୁଥିବା ମୁଷ୍ଟିମେୟ କର୍ପୋରେସନ କଥା କହିଛନ୍ତି ଏବଂ ଏହି ସମସ୍ୟାର ସମାଧାନପାଇଁ କଣ କରାଯାଇ ପାରେ ସେ ବିଷୟରେ ତାଙ୍କ ମତାମତ ଦେଇଛନ୍ତି । ଏ କ୍ଷେତ୍ରରେ ସୁସ୍କିଣ୍ଡଙ୍କ ବହି ଏକ ମୂଲ୍ୟବାନ ସଂଯୋଜନା କାରଣ ସାରା ପୃଥିବୀର ଇଣ୍ଟରନେଟ ବ୍ୟବହାରକାରୀମାନେ ବର୍ତ୍ତମାନ ଏହି ସମସ୍ୟା ଗୁଡିକର ସମାଧାନ ଖୋଜୁଛନ୍ତି ।

ଜେମି ସୁସ୍କିଣ୍ଡ କେବଳ କେତେକ ବଡ଼ ବହୁରାଷ୍ଟ୍ରୀୟ ଇଣ୍ଟରନେଟ କମ୍ପାନୀକୁ ଦୋଷାରୋପ କରି ନାହାନ୍ତି । ସେ ମାର୍କେଟ ଇଣ୍ଡିଭିଜୁଆଲିଜିମ ବା ଅଳ୍ପ କେତେକ କମ୍ପାନୀ ହାତରେ ପ୍ରଚୁର କ୍ଷମତା ରହିଯିବା- ଏହାକୁ ସମାଲୋଚନା କରିଛନ୍ତି ଏବଂ ଏହାକୁ କେମିତି ନିୟନ୍ତ୍ରଣ କରିହେବ ସେ ଦିଗରେ କେତେକ ଉପାୟ କହିଛନ୍ତି ।

ବର୍ତ୍ତମାନ ଅବସ୍ଥାରେ ମୁଷ୍ଟିମେୟ କେତେକ ବିରାଟ କର୍ପୋରେସନ ଡିଜିଟାଲ ଦୁନିଆକୁ ନିୟନ୍ତ୍ରଣ କରୁଛି । ସେମାନଙ୍କ ପାଖରେ ଆମର ବ୍ୟକ୍ତିଗତ ସବୁ ତଥ୍ୟ ରହିଛି । ସେମାନେ ତାକୁ ନିଜ ଖୁସିରେ, ନିଜ ସ୍ୱାର୍ଥରେ ବ୍ୟବହାର କରି ଚାଲିଛନ୍ତି । ସେମାନେ ଠିକ୍ କରୁଛନ୍ତି ଆମେ କେଉଁ ତଥ୍ୟ କିଭଳି ଭାବରେ ପାଇବା । ସେମାନେ ଠିକ୍ କରୁଛନ୍ତି କେଉଁ ବିଜ୍ଞାପନ କିଭଳି ଭାବରେ ଆମେ ଦେଖିବା । ସେମାନେ ଠିକ୍ କରୁଛନ୍ତି ତାଙ୍କ ମଞ୍ଚରେ ଆମେ କଣ କଣ ଦେଖିବା ଏବଂ କଣ କଣ ଆମେ ଆଦୌ ଜାଣିବି ପାରିବାନି । କଣ କଣ ଅଧିକ ଦେଖିବା । କଣ କଣ କମ୍ ଦେଖିବା । ମୁଷ୍ଟିମେୟ କେତେକ କର୍ପୋରେସନ ପାଖରେ ଅମାପ ଶକ୍ତି ଠୁଳ ହେବା ବ୍ୟବସ୍ଥା ବିରୋଧରେ ସୁସ୍କିଣ୍ଡ୍ ସ୍ୱର ଉତ୍ତୋଳନ କରିଛନ୍ତି । ଗୋଟେ ଜାଗାରେ ସେ ଲେଖିଛନ୍ତ ିଯେ ମାର୍କ ଯୁକରବର୍ଗଙ୍କର କ୍ଷମତାକୁ ନୁହେଁ କିନ୍ତୁ ମାର୍କ ଯୁକରବର୍ଗଙ୍କ ଭଳି ଲୋକମାନଙ୍କ ହାତରେ କ୍ଷମତାର ଏକୀକରଣ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଛନ୍ତି ।

ଏହାର ନିୟନ୍ତ୍ରଣ ପାଇଁ ସେ କେତେଗୁଡ଼ିକ ଉପାୟ ରେଖାଙ୍କିତ କରିଛନ୍ତି । ଉଦାହରଣ ସ୍ୱରୂପ: ଏମିତି ଆଇନ୍ କରାଯାଇପାରେ ଯେଉଁଥିରେ କମ୍ପାନୀମାନେ ଏତେ ତଥ୍ୟ ସଂଗ୍ରହ କରିପାରିବେ ନାହିଁ ଏବଂ ତାକୁ ଏହିଭଳି ଭାବରେ ବ୍ୟବହାର କରିପାରିବେ ନାହିଁ । କମ୍ପାନିମାନଙ୍କ ଆଲଗୋରିଦିମ୍କୁ ଅଡିଟ କରିବା କଥା କହିଛନ୍ତି ସେ । ବର୍ତ୍ତମାନ ଯେମିତି ଗୋଟେ କାରଖାନାର ସରକାରୀଭାବେ ଅଡିଟ୍ ଏବଂ ଇନସପେକସ୍ନର ବ୍ୟବସ୍ଥା ରହିଛି ସେହିଭଳି ତାଙ୍କର ଅଲଗୋରିଦମ୍କୁ ମଧ୍ୟ ଇନସ୍ପେକ୍ସନ କରାଯାଉ । ପ୍ରି ମାର୍କେଟ ସାର୍ଟିଫିକେସନ ଫର ଡିଜିଟାଲ ପ୍ରଡକ୍ଟ କଥା କହୁଛନ୍ତି ସୁସ୍କିଣ୍ଡ୍ । କମ୍ପାନିମାନେ ଯେଉଁ ସଫଟୱେୟାର ଏବଂ ଆପ୍ ବାହାର କରୁଛନ୍ତି, ତାକୁ ବଜାରକୁ ଛାଡିବା ପୂର୍ବରୁ ସରକାରଙ୍କ ତରଫରୁ ତାହାର ସାର୍ଟିଫିକେସନ ଦିଆଯାଉ । ଯେମିତି ନୂଆ ଓøଷଧଟିଏ ବଜାରକୁ ଆସିବା ପୂର୍ବରୁ ସରକାରୀ ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ତାକୁ ଦେଖୁଛନ୍ତି, ପରୀକ୍ଷା ନିରିକ୍ଷା କରି ସାର୍ଟିଫାଏ କଲାପରେ ତାହା ବଜାରକୁ ଆସୁଛି ସେମିତି ଭାବରେ ଏଠିବି କରାଯାଉ ।

ଜେମି ସୁସ୍କିଣ୍ଡ ଯେଉଁ ଉପାୟ ଗୁଡ଼ିକ କହିଛନ୍ତି ସେଥିରୁ ସବୁ ହୁଏତ ବର୍ତ୍ତମାନ ପାଇଁ ପ୍ରକୃତରେ କାର୍ଯ୍ୟକାରୀ ନହେଇପାରେ । ଯେମିତି ସେ ପ୍ରସ୍ତାବ ଦେଇଛନ୍ତ ଯେ ସାଧାରଣ ଲୋକେ ବଡ କମ୍ପାନୀପାଇଁ ନୀତି ନିର୍ଦ୍ଧାରଣ କରନ୍ତୁ । ଏହା ବାସ୍ତବୋଚିତ ନହେଇପାରେ କିନ୍ତୁ କିଛି ନୂଆ ଉପାୟ କଥା ସେ ଚିନ୍ତା କରିଛନ୍ତି ଏବଂ ବର୍ତ୍ତମାନ ସମୟରେ ଏ ଉପାୟ ଗୁଡିକ ଉପରେ ଚିନ୍ତା ଭାବନା କରିବାର ସମୟ ଆସି ଗଲାଣି । କାରଣ ଇଣ୍ଟରନେଟ ଆମ ଜୀବନକୁ ଏଭଳି ଭାବରେ ପ୍ରଭାବିତ କରୁଛି ଯେ ବିଧିବଦ୍ଧ ବ୍ୟବସ୍ଥା ନରହିଲେ ଏହାର ଦୂରୂପଯୋଗ ହେବା ନିଶ୍ଚିତ । ସେତେବେଳେ ଆମ ଜୀବନ ମୁଷ୍ଟିମେୟ କମ୍ପାନୀର ଇଛାରେ ପରିଚାଳିତ ହେବ । ଏହା ନା ଗଣତନ୍ତ୍ର ପାଇଁ ନା ବ୍ୟକ୍ତି ସ୍ୱାଧିନତା ପାଇଁ କାମ୍ୟ ।

++

Related Posts

Leave a Reply

Your email address will not be published. Required fields are marked *