ସାମ୍ବାଦିକତାରେ ପ୍ରଯୁକ୍ତିବିଦ୍ୟାର ନୂତନ ଦିଗନ୍ତ

ବହି: ଫଣ୍ଡାମେଣ୍ଟାଲସ ଅଫ ଡିଜିଟାଲ ଜର୍ଣ୍ଣାଲିଜମ୍
ଲେଖକ: ଡ. କିରଣ ଠାକୁର୍ , ଡ. ମକରନ୍ଦ ପଣ୍ଡିତ, ଡ. ଯୋଗେଶ ଯୋଶୀ
ପ୍ରକାଶକ: ବିଶ୍ପକର୍ମା ପବ୍ଲିକେଶନସ
ପୃଷ୍ଠା: ୨୪୭, ମୂଲ୍ୟ: ୩୨୫ ଟଙ୍କା

ଡିଜିଟାଲ ଜର୍ଣ୍ଣାଲିଜିମ କହିଲେ ସାଧାରଣତଃ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ନଭ-ମଞ୍ଚ (ଇଣ୍ଟର୍ନେଟ୍) ନିର୍ଭର ସାମ୍ବାଦିକତାକୁ ବୁଝାଏ । ମୁଦ୍ରିତ ଗଣମାଧ୍ୟମ (ପ୍ରିଣ୍ଟ୍ ଜର୍ଣ୍ଣାଲିଜିମ), ଟେଲିଭିଜନ ଏବଂ ରେଡିଓ (ଇଲେକ୍ଟ୍ରନିକ ଜର୍ଣ୍ଣାଲିଜିମ) ପରେ ନୂତନ ପ୍ରଯୁକ୍ତିବିଦ୍ୟାର ଫସଲ ଡିଜିଟାଲ ଜର୍ଣ୍ଣାଲିଜିମ ।

ଏମିତି ଦେଖିବାପାଇଁ ଗଲେ ବର୍ତ୍ତମାନ ମୁଦ୍ରିତ ଗଣମାଧ୍ୟମ, ଟେଲିଭିଜନ, ରେଡିଓ ଆଦି ସମସ୍ତ ମଞ୍ଚର ସାମ୍ବାଦିକତା ଡିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି, ବସ୍ତୁତ! ତା ଛଡା ବର୍ତ୍ତମାନ ସମୟରେ ଆଉ ଅନ୍ୟ ଗତି ବିଶେଷ ନାହିଁ । କିନ୍ତୁ ଡିଜିଟାଲ ଜର୍ଣ୍ଣାଲିଜିମ ବିଶେଷକରି ଡିଜିଟାଲ ମଞ୍ଚ ଉପରେ ସଂପୁର୍ଣ୍ଣ ନିର୍ଭରଶୀଳ ସାମ୍ବାଦିକତାକୁ ବୁଝାଏ । ଏହା ଭିତରେ ସାମାଜିକ ଗଣମାଧ୍ୟମ ମଞ୍ଚ ଗୁଡ଼ିକ (ଉଦାହରଣ ସ୍ୱରୂପ ଫେସ୍ବୁକ୍, ଟୁଇଟର, ଇଉ ଟ୍ୟୁବ୍) ରହିଛି, ପୁଣି ଖବରପ୍ରସାରଣ ପାଇଁ ତିଆରି ୱେବ୍ସାଇଟ୍ (ଯାହାକୁ ନିଉଜ୍ସାଇଟ୍ ବୋଲି କୁହାଯାଉଛି) ରହିଛି, କିଛି ମୋବାଇଲ୍ ଆପ୍ ମଧ୍ୟ ରହିଛି ।

ଏ ପ୍ରକାର ସାମ୍ବାଦିକତାର ଧରଣ, ଲିଖନ ଶୈଳୀ, ପରିବେଷଣ ଶୈଳୀ, ଏପରିକି ବିଷୟ ନିର୍ବାଚନ ମଧ୍ୟ କିଛିଟା ଭିନ୍ନ । ଉଦାହରଣ ସ୍ୱରୂପ ଟ୍ୟୁଟର ଭଳି ସାମାଜିକ ଗଣମାଧ୍ୟମ ମଞ୍ଚ ରହିଛି ସେଥରେ ଅତ୍ୟନ୍ତ ସଂକ୍ଷିପ୍ତ ଭାବରେ ଲେଖିବା ପାଇଁ ପଡ଼େ । ସେମିତି ୟୁଟ୍ୟୁବରେ ଖୁବ୍ ବେଶୀ ଦୀର୍ଘ ଭିଡିଓ ରଖିଲେ ତାହା ଦର୍ଶକ ମାନଙ୍କୁ ପଇଟେ ନାହିଁ । ପୁଣି ଏ ପ୍ରକାର ମଞ୍ଚରେ ଖୁବ ଶୀଘ୍ର ଖବର ଲୋକଙ୍କ ପାଖୋର ପହଞ୍ଚିଯାଏ । ତାହା ଏ ମାଧ୍ୟମର ଏକ ବଡ଼ ଶକ୍ତି । ତେଣୁ ମଞ୍ଚର ଚରିତ୍ର ଓ ଶକ୍ତିକୁ ଆଖିରେ ରଖି ଏ ସାମ୍ବାଦିକତାର ଏକ ନିର୍ଦ୍ଦିଷ୍ଟ ଧାରା ଓ ଧରଣ ସୃଷ୍ଟି ହେଇଛି ।

ଡିଜିଟାଲ୍ ସାମ୍ବାଦିକତା କ୍ରମଶଃ ଅଧିକ ଜନପ୍ରିୟ ହୋଇଉଠୁଛି । ସଂପ୍ରତି ରଏଟର ପକ୍ଷରୁ କରାଯାଇଥିବା ଏକ ପରିସଂଖ୍ୟାନରୁ ଦେଖାଯାଉଛି ଯେ ଲୋକେ, ବିଶେଷକରି ତରୁଣମାନେ ଖବରକାଗଜକୁ ଆଉ ବିଶେଷ ପଢ଼ୁ ନାହାନ୍ତି । ଖବର ଜାଣିବା ପାଇଁ ସେମାନେ ସାମାଜିକ ଗଣମାଧ୍ୟମକୁ ବା ଡିଜିଟାଲ ମଞ୍ଚରେ ହେଉଥିବା ଗଣମାଧ୍ୟମକୁ ବେଶୀ ପସନ୍ଦ କରୁଛନ୍ତି । କାରଣ ଏହା ତାଙ୍କ ପାଇଁ ସୁବିଧା ଜନକ । ଏବଂ ଖବରକାଗଜ ଭଳି ଏହାକୁ ପଢ଼ିବା ପାଇଁ ଅଧିକାଂଶ କ୍ଷେତ୍ରରେ ପଇସା ଖର୍ଚ୍ଚ କରିବାକୁ ପଡ଼େ ନାହିଁ ।

ଯେହେତୁ ଏହି ଧରଣର ସାମ୍ବାଦିକତାର ପ୍ରସାର ଓ ଆଦର ବଢ଼ିଲାଣି ସେହେତୁ ଏଭଳି ସାମ୍ବାଦିକତାରେ ତାଲିମ ଏବଂ ଶିକ୍ଷା ଦେବାର ଆବଶ୍ୟକତା ମଧ୍ୟ ହେଲାଣି ।

ଆଲୋଚ୍ୟ ପୁସ୍ତକଟିର ମୁଖ୍ୟ ଲେଖକ ଡ. କିରଣ ଠାକୁର ଜଣେ ବରିଷ୍ଠ ସାମ୍ବାଦିକ । ସାମ୍ବାଦିକତାରୁ ସେ ସାମ୍ବାଦିକତା ଶିକ୍ଷାକ୍ଷେତ୍ରକୁ ଯାଇଛନ୍ତି । ମହାରାଷ୍ଟ୍ରର ପୁଣେ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ସାମ୍ବାଦିକତା ବିଭାଗର ମୁଖ୍ୟ ଥିଲେ । ଡ. ଯୋଗେଶ ଯୋଶୀ ଏବଂ ଡ. ମକରନ୍ଦ ପଣ୍ଡିତ ମଧ୍ୟ ସାମ୍ବାଦିକତା କରିଛନ୍ତି ଏବଂ ସାମ୍ବାଦିକତାରୁ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରକୁ ଯାଇଛନ୍ତି । ତିନିଜଣଯାକ ଲେଖକ ପୂର୍ବରୁ ବେଶ କିଛି ବହି ସାମ୍ବାଦିକତାର ଛାତ୍ରଛାତ୍ରୀଙ୍କ ପାଇଁ ଲେଖିଛନ୍ତି । ତିନିଜଣଯାକ ଲେଖକ ତରୁଣ ଶିକ୍ଷାନବିଶମାନଙ୍କ ଆବଶ୍ୟକତାକୁ ଆଖିରେ ରଖି ଏ ବହିଟିକୁ ଲେଖିଛନ୍ତି ।

୧୮ଟି ଅଧ୍ୟାୟରେ ବିଭକ୍ତ ଏ ବହିରେ ପ୍ରଥମ ଅଧ୍ୟାୟଟି ଭାରତରେ ମୁଦ୍ରିତ ଗଣମାଧ୍ୟମର ଇତିହାସ ଓ କ୍ରମ ବିକାଶ ବିଷୟରେ ଧାରଣା ଦିଆଯାଇଛି । ପରବର୍ତ୍ତୀ ଅଧ୍ୟାୟରେ ଡିଜିଟାଲ ଜର୍ଣ୍ଣାଲିଜିମ ବିଷୟରେ ସଂକ୍ଷିପ୍ତ ଭାବେ ଧାରଣା ଦିଆଯାଇଛି । ଖବର କଣ? ଏହାର ସଂଜ୍ଞା ଓ ବିଭବ ଗୁଡିକ ସମ୍ପର୍କରେ ଧାରଣା ଦିଆଯାଇିଛି ତୃତୀୟ ଅଧ୍ୟାୟରେ । ଚତୁର୍ଥ ଅଧ୍ୟାୟରେ ଡିଜିଟାଲ ଜର୍ଣ୍ଣାଲିଜିମର ଏଥିକସ ବା ନୀତି ବିଷୟରେ କୁହାଯାଇିଛି । ଏଥିରେ ପ୍ରେସ କାଉନ୍ସିଲ ବିଷୟରେ ମଧ୍ୟ କୁହାଯାଇିଛି । ପରବର୍ତ୍ତୀ ଅଧ୍ୟାୟରେ ଇଣ୍ଟିଗ୍ରେଟେଡ ନିଉଜରୁମ୍ ବିଷୟରେ ଧାରଣା ଦିଆଯାଇଛି । ବିଭିନ୍ନ ମଞ୍ଚର ସାମ୍ବାଦିକତାକୁ ଗୋଟିଏ ଜାଗାରୁ କରାଯିବାର ବ୍ୟବସ୍ଥାକୁ ଇଣ୍ଟିଗ୍ରେଟେଡ୍ ନିଉଜ୍ ରୁମ୍ କୁହାଯାଏ । ଏହା କିଭଳି ଭାବେ କରାଯାଉଛି, ଏଥିପାଇଁ ସାମ୍ବାଦିକମାନଙ୍କୁ କଣ କଣ ଦକ୍ଷତା ହାସଲ କରିବାକୁ ପଡ଼ିବ- ସେ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣନା କରାଯାଇଛି ।

ଷଷ୍ଠ ଅଧ୍ୟାୟ ‘ପାୱାର ଅଫ ଡିଜିଟାଲ ମିଡିଆ’ରେ ଡିଜିଟାଲ ମିଡିଆର ଶକ୍ତି ଆଉ ସମ୍ଭାବନା କଥା କୁହାଯାଇଛି । ବିଭିନ୍ନ ପ୍ରକାର ନିଉଜ ୱେବସାଇଟ ବିଷୟରେ ମଧ୍ୟ ଏ ପୁସ୍ତକରେ ଧାରଣା ଦିଆ ଯାଇଛି । ତଥ୍ୟ ସାମ୍ବାଦିକତା ଉପରେ ବିଶଦ ଭାବରେ ଆଲୋଚନା କରାଯିବା ସହିତ ଡିଜିଟାଲ ଷ୍ଟୋରୀ ଟେଲିଙ୍ଗ ବିଷୟରେ ମଧ୍ୟ କୁହାଯାଇଛି । କେମିତି ଭାବରେ ଗୋଟେ କାହାଣୀକୁ ପାଠକ, ଦର୍ଶକମାନଙ୍କ ପାଖରେ ଅଧିକ ଗ୍ରହଣୀୟ କରି କହିହେବ, ଲେଖିହେବ- ସେ ସମ୍ପର୍କରେ ଆଲୋଚନା କରାଯାଇଛି । ଡେଟା ସାଇନସ ବା ପରିସଂଖ୍ୟାନ ବିଜ୍ଞାନ ବିଷୟରେ ଆଲୋଚନା ଏ ପୁସ୍ତକର ଏକ ବଡ଼ ସମ୍ପଦ । ଯେଉଁମାନେ ସାମ୍ବାଦିକତା ପାଇଁ ଆଗ୍ରହୀ ସେମାନେ ବ୍ଲଗ କେମିତି ଲେଖିବେ, ପଡ୍କାଷ୍ଟ କେମିତି କରିବେ, ଟୁଇଟର ଇତ୍ୟାଦି ସାମାଜିକ ଗଣମାଧ୍ୟମକୁ କେମିତି ବ୍ୟବହାର କରିପାରିବେ ଏ ବିଷୟରେ ମଧ୍ୟ ଏ ପୁସ୍ତକରେ ବିଶଦ ଭାବରେ ଲେଖାଯାଇଛି । କୋଭିଡ ୧୯ ମହାମାରୀ ସମୟରେ କେମିତି ଗଣମାଧ୍ୟମ ଗୁଡିକ କାର୍ଯ୍ୟ କରିଥିଲେ ଏବଂ ଏହା ଫଳରେ କଣ କଣ ପରିବର୍ତ୍ତନ ଏ କ୍ଷେତ୍ରରେ ଆସିଛିସେଥିରେ ମଧ୍ୟ ଉଲ୍ଲେଖ କରାଯାଇଛିା

ଏ ବହିର ଗୋଟେ ବଡ ସଂପଦ ହେଲା ଇଣ୍ଟରନେଟରେ କେଉଁଠି କଣ ସାଧନ ରହିଛି ତାହାର ଏକ ଦୀର୍ଘ ତାଲିକା । ଏହା ସାମ୍ବାଦିକତାର ଛାତ୍ରଛାତ୍ରୀ ଏବଂ ସକ୍ରିୟ ସାମ୍ବାଦିକତାରେ ଥିବା କର୍ମୀମାନଙ୍କୁ ସାହାଯ୍ୟ କରିବ ।

ଏ ପୁସ୍ତକଟି ସାମ୍ବାଦିକ ଏବଂ ସାମ୍ବାଦିକତାର ଛାତ୍ର ଛାତ୍ରୀଙ୍କ ପାଇଁ ଏକ ଅବଶ୍ୟ ପାଠ୍ୟ ପୁସ୍ତକ । ସାଧାରଣ ଲୋକେ ଯେଉଁମାନେ ସାମ୍ବାଦିକତାରେ ଆଗ୍ରହ ରଖନ୍ତି ଏବଂ ସାମ୍ବାଦିକତାର ଏଇ ନୂଆ ଦିଗଟି ବିଷୟରେ ଜାଣିବା ପାଇଁ ଇଛୁକ ସେମାନଙ୍କ ପାଇଁ ବି ଏ ବହିଟି ଅତ୍ୟନ୍ତ ଉପଯୋଗୀ ।

++

Related Posts

Leave a Reply

Your email address will not be published. Required fields are marked *