ବହି: କାଠମାଣ୍ଡୁ ଡିଲେମା: ରିସେଟିଂ ଇଣ୍ଡିଆ-ନେପାଳ ଟାଇଜ୍‍
ଲେଖକ: ରଣଜିତ ରାୟ
ପ୍ରକାଶକ: ପେଙ୍ଗୁଇନ୍‍
ପୃଷ୍ଠା: ୨୨୪, ମୂଲ୍ୟ: ୪୯୯ ଟଙ୍କା

ନେପାଳ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ଅନ୍ତରଙ୍ଗ ଏବଂ ବହୁ ପ୍ରାଚୀନ । ହିମାଳୟ ଉପରେ ଅବସ୍ଥିତ ନେପାଳ ଲ୍ୟାଣ୍ଡ୍‍ ଲକ୍‍ଡ୍‍ । ତା’ ଚାରିପଟେ କେବଳ ସ୍ଥଳଭାଗ । ସମୁଦ୍ରକୁ ତା’ର ବାଟ ନାହିଁ । ଏମିତି ଦେଶ ତା’ର ଜନସାଧାରଣଙ୍କର ଆବଶ୍ୟକ ଜିନିଷପତ୍ର ପାଇଁ ପଡ଼ୋଶୀମାନଙ୍କ ଉପରେ ବିଶେଷ ଭାବେ ନିର୍ଭର କରିଥାଏ । ଭାରତ ନେପାଳକୁ ଆବହମାନ କାଳରୁ ସାହାଯ୍ୟ କରିଆସିଛି । ନେପାଳ ଆରପଟରେ ଚୀନ୍‍ । ଚୀନ୍‍ ଏବଂ ଭାରତ, ମଝିରେ ନେପାଳ । ତେଣୁ ରାଜନୈତିକ ଦୃଷ୍ଟିକୋଣରୁ ଏବଂ ଷ୍ଟ୍ରାଟେଜିକ୍‍ ଦୃଷ୍ଟିକୋଣରୁ ନେପାଳର ଗୁରୁତ୍ୱ ବହୁତ ।

ରଣଜିତ ରାୟ ନେପାଳରେ ଭାରତର ରାଷ୍ଟ୍ରଦୂତ ଥିଲେ । ତେଣୁ ଭାରତ-ନେପାଳ ସମ୍ପର୍କକୁ ସେ ଅତ୍ୟନ୍ତ ନିକଟରୁ ଏବଂ ଅତ୍ୟନ୍ତ ଗଭୀରତାର ସହିତ ଦେଖିଛନ୍ତି । ଗତ କେଇ ବର୍ଷ ଭିତରେ ବିଶେଷକରି ୨୦୧୫ରୁ ଭାରତ ଓ ନେପାଳ ସମ୍ପର୍କରେ ଅବନତି ଘଟିଛି । ଏହାର ପରିପ୍ରେକ୍ଷୀଟି ହେଲା ଯେ, ଭାରତ-ନେପାଳ ସୀମାନ୍ତ ଅଞ୍ଚଳରେ ଜନଜାତି ଆଉ ମଦେସୀ; ଏମାନଙ୍କର ନେପାଳକୁ ଭାରତରୁ ଯାଉଥିବା ଅତ୍ୟାବଶ୍ୟକ ସମାଗ୍ରୀ ଅଟକେଇବା ଆନ୍ଦୋଳନ । ଏ ଆନ୍ଦୋଳନ ଫଳରେ ନେପାଳର ସାଧାରଣ ଲୋକଙ୍କୁ ବଡ଼ କଷ୍ଟ ହେଇଥିଲା । ଏହାକୁ ଅନେକେ ଭାରତ ବିରୋଧୀ ପ୍ରୋପାଗେଣ୍ଡାରେ ବ୍ୟବହାର କଲେ । ଏଠାରେ କହିଦେବା ଉଚିତ ହେବ ଯେ, ମଦେସୀ ହେଉଛି ଭାରତୀୟ ମୂଳ ଭୂଖଣ୍ଡର ଲୋକ ଯେଉଁମାନେ ନେପାଳତ ତରାଇ ଅଞ୍ଚଳରେ ବହୁ ବର୍ଷ ହେଲା ରହିଆସିଛନ୍ତି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏହାକୁ ତାଙ୍କ ରାଜନୈତିକ ସ୍ୱାର୍ଥରେ ବ୍ୟବହାର କଲେ । ଏଇ ଅର୍ଥନୈତିକ ଅବରୋଧ ପାଇଁ ସିଏ ଭାରତକୁ ଦାୟୀ କଲେ ।

ନେପାଳ ସହିତ ଭାରତର ଶାନ୍ତି ଏବଂ ବନ୍ଧୁତ୍ୱର ଚୁକ୍ତି ୧୯୫୦ରୁ । ଭାରତ ନେପାଳକୁ ବା ନେପାଳ ଉପରେ କୌଣସି ପ୍ରକାର ଟେରିଟୋରିଆଲ୍‍ ଆଗ୍ରେସନ୍‍ କରିବ ନାହିଁ ବା ତା’ର ଭୂମି ଦଖଲ କରିବ ନାହିଁ, ତାକୁ ସମ୍ମାନ ଦେବ, ଗୋଟେ ଖୋଲା ସୀମା ରହିବ ଏବଂ କୌଣସି ପ୍ରକାର ବାଧା ବିନା ଲୋକେ ଯିବାଆସିବା କରିପାରିବେ । ଏସବୁ ସେ ଚୁକ୍ତିରେ ଲିପିବଦ୍ଧ ହେଇ ରହିଛି ।

୧୯୬୦ ବେଳକୁ ଚୀନର ନେପାଳ ଉପରେ ଆକ୍ରମଣକୁ ପ୍ରତିହତ କରିବା ପାଇଁ ନେପାଳ ସହିତ ଥିଲା ଭାରତୀୟ ସେନା । ୧୯୯୦ ବେଳକୁ ଭାରତ ନେପାଳକୁ ଅର୍ଥନୈତିକ ଭାବରେ ଏବଂ ସାମରିକ ଭାବରେ ଅନେକ ସାହାଯ୍ୟ କରିଛି । ସେଠାରେ ପାଖାପାଖି ଗୋଟେ ଦଶନ୍ଧି ଧରି ମାଓବାଦୀଙ୍କର ଉତ୍‍ଥାନକୁ ମୁକାବିଲା କରିବା ପାଇଁ ଭାରତ ତାକୁ ଅସ୍ତ୍ରଶସ୍ତ୍ର ଓ ତାଲିମ୍‍ ମଧ୍ୟ ଦେଇଛି ।

୨୦୧୫ରେ ଯେତେବେଳେ ନେପାଳରେ ବିଧ୍ୱଂସୀ ଭୂମିକମ୍ପ ହେଲା ସେତେବେଳେ ଭାରତ ପ୍ରଥମ ରାଷ୍ଟ୍ର ଭାବରେ ତାଙ୍କୁ ସାହାଯ୍ୟ କରିଥିଲା । ଏନ୍‍ଡିଆର୍‍ଏଫ୍‍ ଟିମ୍‍ ପଠେଇବାଠୁଁ ସେନା ବାହିନୀର ଇଂଜିନିୟରମାନଙ୍କୁ ପଠେଇବାଠୁଁ ମେଡିକାଲ ଟିମ୍‍ ପଠେଇବା ଆଦି ନାନା ବାଟରେ ଭାରତ ନେପାଳକୁ ସାହାଯ୍ୟ କରିଥିଲା ।

ଏସବୁ ସତ୍ତ୍ୱେ ଭାରତ ଏବଂ ନେପାଳର ସମ୍ପର୍କରେ ବର୍ତ୍ତମାନ ଯେଉଁ ଅବନତି ଘଟିଛି ତାହା ଏକ ବିଡ଼ମ୍ବନା ଏବଂ ଦୁର୍ଭାଗ୍ୟଜନକ । ରାୟଙ୍କ ମତରେ ଏହା ପଛରେ ନେପାଳର ଗଣମାଧ୍ୟମର ମଧ୍ୟ କିଛିଟା ଭୂମିକା ରହିଛି । ନେପାଳର ଗଣମାଧ୍ୟମରେ ଭାରତକୁ ସର୍ବଦା ଏକ ‘ବଡ଼ ଭାଇ’ ଭଳିଆ ଦେଖାଯାଏ । ଭାରତ ବିରୋଧୀ ଗୋଟେ ସ୍ୱର ନେପାଳର ଗଣମାଧ୍ୟମରେ ବେଶ୍‍ ଉଜାଗର ହେଇ ରହିଛି ।

ନେପାଳର ଭୂମିକୁ ପାକିସ୍ଥାନ ବ୍ୟବହାର କରି ଭାରତ ବିରୋଧୀ କାର୍ଯ୍ୟକଳାପ ଚଲଉଥିବାର ପ୍ରମାଣ ମଧ୍ୟ ରହିଛି । ଗତ କେଇ ବର୍ଷ ଭିତରେ ନେପାଳ ଉପରେ ଚୀନ୍‍ର ପ୍ରଭାବ ବଢ଼ିବାରେ ଲାଗିଛି । ଟ୍ରାନ୍ସ ହିମାଲିୟାନ୍‍ ରେଲୱେ କରିଡର୍‍ ହେଉ ବା ୨୦୧୫ରେ ଚୀନ୍‍ରୁ ଜାଳେଣି, ତେଲ ଏବଂ ପେଟ୍ରୋଲିୟମ୍‍ ପଠେଇବା ହେଉ; ପୁଣି ଓଲିଙ୍କର ୨୦୧୬ରେ ଚୀନ୍‍ ଗସ୍ତ ଏବଂ ୨୦୧୯ରେ ଚୀନ୍‍ର ରାଷ୍ଟ୍ରପତି ଜି’ଙ୍କର ନେପାଳ ଗସ୍ତ – ଏସବୁକୁ ଦେଖିଲେ ଦେଖାଯିବ ଯେ, ଚୀନ୍‍ର ପ୍ରଭାବ କ୍ରମଶଃ ନେପାଳ ଉପରେ ବଢ଼ିବଢ଼ି ଚାଲିଛି ଏବଂ ଏହା ଭାରତ ପାଇଁ ଏକ ଚିନ୍ତାର ବିଷୟ ।

ରାୟ ଏ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ଆଉ ନେପାଳର ସମ୍ପର୍କ ବହୁ ପ୍ରାଚୀନ । ସାମାଜିକ, ସାଂସ୍କୃତିକ ଏବଂ ସାଧାରଣ ଲୋକ ସମ୍ପର୍କ ବହୁ କାଳରୁ ରହିଛି । ଏହାକୁ ଆହୁରି ଗଭୀର କରିବା କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଅନେକ ସମ୍ଭାବନା ରହିଛି । ଏଇ ସମ୍ଭାବନାକୁ ଆହୁରି ତର୍ଜମା କରି, ଏ ବିଷୟରେ ଆହୁରି ଚିନ୍ତା କରି ନେପାଳ ସହିତ ଭାରତକୁ ସୁସମ୍ପର୍କ ରଖିବା ପାଇଁ ପଡ଼ିବ । କାରଣ ନେପାଳର ଅବସ୍ଥିତି ଭାରତ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ ।

ଏ ପୁସ୍ତକଟି ଭାରତ-ନେପାଳ ସମ୍ପର୍କର ଇତିହାସ, ପରିପ୍ରେକ୍ଷୀ, ଆବଶ୍ୟକତା ଏହାକୁ ବଡ଼ ସୁନ୍ଦର ଭାବରେ ରେଖାଙ୍କିତ କରିଛି । ଯେଉଁମାନେ ଭାରତ-ନେପାଳ ସମ୍ପର୍କ ବିଷୟରେ ଅଧିକ ଜାଣିବା ପାଇଁ ଚାହାନ୍ତି ସେମାନେ ଏ ପୁସ୍ତକଟିକୁ ପଢ଼ନ୍ତୁ ।

+++

Related Posts

Leave a Reply

Your email address will not be published. Required fields are marked *